ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଦୁଇ ଇଞ୍ଜିନିୟର ରାମ ରାଇକା ଓ ରାହୁଲ ସିଂ ସେମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ରାମ ଓ ରାହୁଲ ଦିନବେଳା ଡ୍ୟୁଟି କରି ସନ୍ଧ୍ୟାବେଳେ ରାସ୍ତାକଡ଼ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୭ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପିଲାସଂଖ୍ୟା ବୃଦ୍ଧି ପାଇବାରୁ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ବସ୍ତିରେ ସେମାନେ ଆରମ୍ଭ କରିଛନ୍ତି। ରାମ ଓ ରାହୁଲ ‘ଅନ୍ଷ୍ଟପେବଲ୍-୨୦’ ନାମରେ ଏକ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ଦୃଢ଼ କରିପାରିଛନ୍ତି। ଏବେ ଜୟପୁରର ବିଭିନ୍ନ ବସ୍ତିରେ ୭୦ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିଛିି ଓ ମୋଟ ୫୦୦ ପିଲା ମାଗଣାରେ ପଢୁଛନ୍ତି। ଶିକ୍ଷାଦାନ କାର୍ଯ୍ୟକ୍ରମରେ ଏବେ ୭୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଏବଂ ୨୫ରୁ ଅଧିକ ଶିକ୍ଷକ ସାମିଲ ହୋଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଯୋଗୁ ବସ୍ତିରେ ରହୁଥିବା ଶ୍ରମିକ ଶ୍ରେଣୀ ପରିବାର ପିଲାଙ୍କ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରିପାରିଛନ୍ତି। ଫଳରେ ଡ୍ରପ୍ଆଉଟ ବା ଅଧାରୁ ପାଠ ଛାଡ଼ିଥିବା ଅନେକ ପିଲା ସେମାନଙ୍କ ସ୍କୁଲକୁ ଫେରିଛନ୍ତି। ଏହାସହ ଡ୍ରପ୍ଆଉଟ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ବସ୍ତିରେ ଶିଶୁ ଶ୍ରମିକ ସମସ୍ୟା ମଧ୍ୟ ଅନେକାଂଶରେ ସମାଧାନ ହୋଇପାରିଛି।

