ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ସ୍ଥାନରେ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ନିଜ କ୍ୟାରିୟରର ସର୍ବକାଳୀନ ସର୍ବୋଚ୍ଚ ରେଟିଂ ନିକଟରେ ପହଞ୍ଚିଥିବା ବେଳେ ବିରାଟ କୋହଲିଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। ଅନ୍ୟପଟେ କେଏଲ ରାହୁଲ ଟପ-୧୦ରେ ସ୍ଥାନ ପକ୍କା କରିଛନ୍ତି।
ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ୮୪୧ ରେଟିଂ ପଏଣ୍ଟ ସହ ନମ୍ବର-୧ ସ୍ଥାନରେ ରହିଛନ୍ତି। ଗିଲଙ୍କ କ୍ୟାରିୟରର ସର୍ବାଧିକ ରେଟିଂ ୮୫୫। ଗୁଆହାଟୀ ମ୍ୟାଚ ପରେ ସେ ଏହି ରେଟିଂ ହାସଲ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ସେ ଶୀଘ୍ର ଆଉଟ ହେବାରୁ ରେଟିଂ କିଛିଟା କମିଛି। ତଥାପି ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଗିଲଙ୍କ ପାଖରେ ନିଜ ୮୫୫ ରେଟିଂର ରେକର୍ଡକୁ ଭାଙ୍ଗିବା କିମ୍ବା ଛୁଇଁବାର ସୁଯୋଗ ରହିବ।
ନୂଆ ରାଙ୍କିଙ୍ଗରେ ଭାରତୀୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି। ସେ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚ୍ରେ କୋହଲି ଖାତା ଖୋଲି ନ ପାରି ଆଉଟ ହୋଇଥିଲେ। ଏହା ପରେ ତାଙ୍କ ରେଟିଂ ୭୮୧କୁ ହ୍ରାସ ପାଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡର ଡ୍ୟାରିଲ ମିଚେଲ ଗୋଟିଏ ସ୍ଥାନ ଉପରକୁ ଉଠି ୭୯୪ ରେଟିଂ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
ଭାରତୀୟ ଅନ୍ୟତମ ଷ୍ଟାର୍ ରୋହିତ ଶର୍ମା ୭୭୦ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଫଳରେ ଆଗାମୀ ନ୍ୟୁଜିଲାଣ୍ଡ ସିରିଜରେ ବିରାଟ ଓ ରୋହିତଙ୍କ ମଧ୍ୟରେ ରାଙ୍କିଙ୍ଗରେ ଆଗକୁ ବଢ଼ିବା ନେଇ ରୋଚକ ଲଢ଼େଇ ଦେଖିବାକୁ ମିଳିପାରେ। ନୂଆ ରାଙ୍କିଙ୍ଗରେ ସବୁଠାରୁ ବଡ଼ ଲାଭ ପାଇଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ କେଏଲ ରାହୁଲ ଅନ୍ୟତମ। ସେ ୮ଟି ସ୍ଥାନ ଉପରକୁ ଉଠି ଦଶମ ସ୍ଥାନରେ ପହଞ୍ଚିଛନ୍ତି।
ତାଙ୍କ ରେଟିଂ ବର୍ତ୍ତମାନ ୬୫୩ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆରେ ରାହୁଲ ଅପରାଜିତ ୧୨୯ ରନ୍ର ଧମାକାଦାର ଶତକୀୟ ପାଳି ଖେଳିଥିଲେ। ଏହି ଇନିଂସର ସିଧାସଳଖ ଲାଭ ତାଙ୍କ ଆଇସିସି ରାଙ୍କିଙ୍ଗରେ ମିଳିଛି। ଆଗାମୀ ଦିନଗୁଡ଼ିକରେ ଲଗାତାର ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାରୁ ଆଇସିସି ରାଙ୍କିଙ୍ଗରେ ଆହୁରି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
Dharitri – Odisha’s No.1 Odia Daily

