ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସାଲୁର ବ୍ଲକ ଅଧୀନରେ ହେବାକୁ ଥିବା ସରପଞ୍ଚ ଏବଂ ୱାର୍ଡ ସଦସ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଦାଖଲର ପ୍ରଥମ ଦିନରେ ଏହି ପ୍ରାର୍ଥୀପତ୍ର ଦାଖଲ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ଏହି ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନ ଅର୍ଥାତ୍ ଶନିବାର ତଳ ଗଞ୍ଜେଇପଦର ପାଇଁ ଚୋଡ଼ାପେଲି ବାରସୋ ଏବଂ ଖରା ସୁନ୍ଦରୀ ସରପଞ୍ଚ ପଦବୀ ନିମନ୍ତେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବା ଘଟଣା ପୁଣି ଥରେ ସୀମା ବିବାଦକୁ ତାଜା କରିଛି।
ଅନ୍ୟପକ୍ଷରେ, ପୂର୍ବରୁ ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ ସମୟରେ ଓଡ଼ିଶା ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହି ଆନ୍ଧ୍ର ପାଇଁ କାମ କରୁଥିବା ଅଭିଯୋଗରେ କୋଟିଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ପୁଣି ଆନ୍ଧ୍ର ପକ୍ଷରୁ ସରପଞ୍ଚ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

