ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳର ଶହ ଶହ ଏକର ପାଚିଲା ଧାନ ପାଣିରେ ବୁଡ଼ି ରହିଛି। ଫଳରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏନେଇ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି।
ଦିଗପହଣ୍ଡି ବ୍ଳକ ୨୫ ପଞ୍ଚାୟତ ଏବଂ ଗୋଟିଏ ଏନ୍ଏସିର ମୋଟ ୨୫ ହଜାର ୫୪୦ ହେକ୍ଟର ଚାଷଜମି ମଧ୍ୟରୁ ୧୪ ହଜାର ୮ ଶହ ହେକ୍ଟର ଚାଷଜମିରେ ଚଳିତ ବର୍ଷ ଖରିଫ ଧାନ ଚାଷ କରାଯାଇଥିଲା। ଗତ ‘ଅର୍ଣ୍ଣବ’ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁ ଚାଷୀଙ୍କ ସମସ୍ତ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପ୍ରାୟ ୩ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସର୍ଭେ ରିପୋର୍ଟରେ ଦର୍ଶା ଯାଇଥିବା ବେଳେ ଯାହା କିଛି ଧାନ ଫସଲ ଅମଳ ପାଇଁ ରହିଥିଲା ତାହା ପୁଣି ‘ଅକ୍ୱାନ’ ବାତ୍ୟା ଜନିତ ବର୍ଷାରେ ଯଥେଷ୍ଟ ପରିଣାମର ନଷ୍ଟ ହେବ ବୋଲି ଆକଳନ କରାଯାଉଛି।
ଏନେଇ ଦିଗପହଣ୍ଡି କୃଷିବିଭାଗ କ୍ଷେତ୍ର କର୍ମଚାରୀ ବିଭିନ୍ନ ଗ୍ରାମକୁ ଗସ୍ତ କରି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କାର୍ଯ୍ୟ ଚଳାଇଥିବା ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି। ଛୋଟ, ନାମମାତ୍ର ଏବଂ ମଧ୍ୟମ ଚାଷୀଙ୍କ ଅବସ୍ଥା ତଳି ତଳାନ୍ତ ହୋଇଯାଇଛି। ଚଳିତ ବର୍ଷ ଧାନ ଉତ୍ପାଦନ ହାର ଯଥେଷ୍ଟ ପରିମାଣର କମିଯିବା ଆଶଙ୍କା ରହିଛି।
ବର୍ଷା ପ୍ରଭାବରେ ତୁଳା, ମକା, ଆଖୁ ସମେତ ପନିପରିବା ଚାଷୀ ଯଥେଷ୍ଟ କ୍ଷତିଗସ୍ତ ହୋଇଥିବା କେତେକ କୃଷି ବିଜ୍ଞାନୀ ମତବ୍ୟକ୍ତ କରିଛନ୍ତି। ୧୬୦ ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ କରାଯାଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କପା ଅମଳ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଚାଷୀ କରିଥିବା କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଅପରପକ୍ଷେ ଧାନ ଫସଲର ସୁରକ୍ଷା ପାଇଁ ଚାଷୀ ପ୍ରାଣପଣେ ଉଦ୍ୟମ ଚଳାଇଛି। ଅନେକ ଗାଁରେ ଚାଷୀଙ୍କ ଧାନ ଗଛ ଜମିରେ ଲୋଟି ପଡ଼ିଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଚାଷୀ ସଂଗ୍ରହ କରି ଅମଳ ପାଇଁ ଖରାରେ ଶୁଖାଇବାରେ ଲାଗିଛନ୍ତି। ଅନେକ ଚାଷୀ ପାଣିରେ ବୁଡ଼ି ରହିଥିବା ଧାନ ଫସଲକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଅନ୍ୟପକ୍ଷେ ଚାଷୀ ଆର୍ଥିକ ଅନାଟନ ଓ ମାନସିକ ଚିନ୍ତାରେ ଥିବାରୁ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବାକୁ ଚାଷୀ ମହଲରେ ଦାବି କରାଯାଇଛି।

