ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା ବେଳେ ଗଞ୍ଜାମ ଜିଲାର ଗିଡ଼ିପାବାଲି ଗ୍ରାମର ଦୁଃଖଦ ଘଟଣା ଇତିହାସରେ ଏକ ଅଭୁଲା ଅଧ୍ୟାୟ ହୋଇଯାଇଛି। ଭୂସ୍ଖଳନ ଯୋଗୁ ଗାଁ ମାଟି ଓ ପଥର ତଳେ ପୋତି ହୋଇଯାଇଥିବା ବେଳେ ୧୩ ଜଣଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଏହି ବିପତ୍ତିରୁ ବଞ୍ଚିଯାଇଥିବା ପରିବାର ଲେକେ ଏବେ ବି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି।
ଏଭଳି ଦୁଃଖଦ ସମୟରେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡା ପୁଣି ଥରେ ସହାୟତାର ହାତ ବଢ଼ାଇଛନ୍ତି। ଗତ ସପ୍ତାହରେ ସେ ଇନ୍ଦ୍ରଗଡ଼, ତଡ଼ମା ଏବଂ ଗଞ୍ଜାମ ଜିଲାର ଗିଡ଼ିପାବାଲିର କିଛି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିଥିଲେ। ରବିବାର ପୁଣି ଗିଡ଼ିପାବାଲିର କିଛି କ୍ଷତିଗ୍ରସ୍ତ ପରିବାର ତଥା ଜି. ଉଦୟଗିରି ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ସେ ସହାୟତା ସାମଗ୍ରୀ ପଠାଇଥିଲେ।
ଅସୀମାଙ୍କ ଏହି ସହାୟତା ସାମଗ୍ରୀକୁ ହାସ୍ୟ ଅଭିନେତା ପ୍ରୀତି, ଶିଶୁ କଳାକାର ମାଙ୍କେ ଏବଂ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା(NSS) କୋ-ୟୁନିଟର ସ୍ବେଚ୍ଛାସେବୀମାନେ ଜି. ଉଦୟଗିରିରେ ପହଞ୍ଚି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଈଶ୍ୱର ଆଚାରୀ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ଲୋକନାଥ କର, ବିଶ୍ୱମ୍ବର ଜେନା, ଜୀନ ଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ରଥ, ପ୍ରାଧ୍ୟାପକ ଡ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ, ଗତ ମାସ ୨୮ ତାରିଖ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏଥିରେ ୧୩ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ପ୍ରସାଶନ ୭ଟି ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରି ପାରିଥିଲା। ଆଉ ୬ ମୃତଦେହ ଉଦ୍ଧାର ହୋଇ ପାରିନାହିଁ।
ଭୂସ୍ଖଳନ ସମୟରେ ଆଉ ୧୪ ଜଣ କୌଣସିମତେ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ବାହାରି ପାରିଥିଲେ। କିନ୍ତୁ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ପରିବାର ସେମାନଙ୍କ ଆତ୍ମୀୟଙ୍କୁ ହରାଇଥିଲେ। ସେଥିମଧ୍ୟରୁ କିଛି ପରିବାର ଗଞ୍ଜାମରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଉ କିଛି ପରିବାର କନ୍ଧମାଳ ଜିଲାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ବାସଗୃହ ନିର୍ମାଣ ପ୍ରକ୍ରିୟା ଚାଲିଛି।

