ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର ବିହାରର ନାଳନ୍ଦା ଜିଲାରେ ବୋଲି ପୋଲିସ କହିଛି। ସେମାନଙ୍କ ମଧ୍ୟରୁ ୧୦ଜଣ ୨ଟି ପରିବାରର ଥିଲେ। କୁଜ୍ଜୁ ଅଞ୍ଚଳର ପାଇଙ୍କି ଗ୍ରାମ ନିକଟ ରାଞ୍ଚତ୍-ପାଟନା ରାଜପଥର ଏହି ଦୁର୍ଘଟଣା ଘଟିଛି। ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦୁଃଖପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଦୁର୍ଘଟଣା ଘଟାଇ ଭାରୀ ଯାନଟି ପଳାଇଥିବାରୁ ତାହାକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିବା ରାମଗଡ଼ ଏସ୍ପି ମୁକେଶ କୁମାର ଲୁନାୟତ କହିଛନ୍ତି। ଦୁର୍ଘଟଣାରେ ଏସ୍ୟୁଭି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଏସ୍ୟୁଭିରେ ୧୪ ଜଣ ଛନ୍ନମସ୍ତା ମନ୍ଦିର ଦର୍ଶନରେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କୁ ରାମଗଡ଼ ସଦର ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ୧୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ବ୍ୟକ୍ତି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

