ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଦୁର୍ଘଟଣା, ହାଡ଼ ଭାଙ୍ଗିବା ଓ ଛାତିଜନିତ ସମସ୍ୟାରେ ପୀଡ଼ିତ ରୋଗୀମାନଙ୍କୁ ଏକ୍ସ-ରେ କରିବା ପାଇଁ ଅତି କମରେ ୪୫ କିଲୋମିଟର ଦୂର ଗୁଣୁପୁର ଯିବାକୁ ପଡିଥାଏ । ଯାହା ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ ଏବଂ ଯାତାୟାତରେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ବିଶେଷକରି ଗରିବ, ଅସହାୟ ଓ ଦୁର୍ଗମ ଅଞ୍ଚଳର ଲୋକମାନଙ୍କ ପାଇଁ ଏହା ଏକ ଜଟିଳ ସମସ୍ୟା ପାଲଟିଛି ।
ଗୁଡାରିରୁ ଅନେକ ଗ୍ରାମ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ଯଦି ଏହି ଗ୍ରାମବାସୀଙ୍କୁ ଏକ୍ସ-ରେ ଆବଶ୍ୟକ ହୋଇଥାଏ ତେବେ ସେମାନଙ୍କ ସମସ୍ୟା ଦୁଇ ଗୁଣ ହୋଇଥାଏ । ଗୁଡାରିରୁ ଅପରାହ୍ନ ୫ଟା ପରେ ଗୁଣୁପୁରକୁ ଯିବା ନିମନ୍ତେ ବସ୍ ସୁବିଧା ନଥିବାରୁ ଏକ୍ସ-ରେ କରିବା ପାଇଁ ଯେଉଁ ଗରିବ ଓ ଅସହାୟ ଗୁରୁତର ରୋଗୀମାନେ ଅପେକ୍ଷା କରିଥାନ୍ତି ସେମାନଙ୍କ ନିକଟରେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥାଏ। ଏ ସମ୍ପର୍କରେ ସ୍ଥାନୀୟ ମେଡିକାଲ ଅଧିକାରୀ ସ୍ୱାଗତ ସ୍ୱାଇଁ କହିଛନ୍ତି ଏକ୍ସ-ରେ ମେସିନ ସ୍ଥାପନ ପାଇଁ ସିଡିଏମଓଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି । ଏହାଛଡା ବର୍ତ୍ତମାନ ଗୁଡାରିରେ ନୂତନ ମେଡିକାଲ ନିର୍ମାଣଧୀନ ରହିଛି ଏବଂ ସେଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏକ୍ସ-ରେ ମେସିନ ମଧ୍ୟସ୍ଥାପନ ହେବା ନେଇ ବ୍ୟବସ୍ଥା ହୋଇଛି ।
ସରକାର ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ବିଭିନ୍ନ ଯୋଜନା କରୁଥିବା ବେଳେ ଗୁଡାରି ଡାକ୍ତରଖାନାରେ ଏକ୍ସ-ରେ ସୁବିଧା ନଥିବା ଦୁଃଖ ଓ ପରିତାପର ବିଷୟ । ତେଣୁ ଗୁଡାରି ଡାକ୍ତରଖାନାରେ ତୁରନ୍ତ ଏକ୍ସ-ରେ ମେସିନ୍ ସ୍ଥାପନ କରିବା ସହ ଆବଶ୍ୟକ ଟେକ୍ନିସିଆନ୍ ନିଯୁକ୍ତି କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବି ହେଉଛି ।

