ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ

ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍‌ ସଙ୍କଟ ୨୦୧୪ରୁ ଚାଲିଆସୁଛି, ତଥାପି ଏଥର ନାଟୋ ବିସ୍ତାରକୁ ନେଇ ରୁଷର ଚିନ୍ତା, ବିଶେଷକରି ୟୁକ୍ରେନ୍‌ର ସମ୍ଭାବ୍ୟ ନାଟୋ ସଦସ୍ୟତା ଏବଂ ପୂର୍ବ ୟୁରୋପରେ ନାଟୋର ସୈନ୍ୟ ବାହିନୀର ଉପସ୍ଥିତି ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁଖ୍ୟ କାରଣ। ୟୁକ୍ରେନ୍‌ ସହିତ ଏହାର ସୀମାରେ ରୁଷ ପ୍ରାୟ ଏକ ଲକ୍ଷରୁ ଅଧିକ ସୈନ୍ୟ ଓ ବହୁ ମାତ୍ରାରେ କ୍ଷେପଣାସ୍ତ୍ର ମୁତୟନ କରିଛି। ସେହିପରି ସହଯୋଗୀ ରାଷ୍ଟ୍ର ବେଲାରୁଷରେ ମଧ୍ୟ ରୁଷ ପ୍ରାୟ ୩୦ହଜାର ସେନା ମୁତୟନ କରିବା ସହିତ ଯୁଦ୍ଧ ଅଭ୍ୟାସ ଜାରି ରଖିଛି। ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସେମାନଙ୍କର ପୂର୍ବ ୟୁରୋପୀୟ ସଦସ୍ୟ ରାଷ୍ଟ୍ର – ରୋମାନିଆ, ବୁଲଗେରିୟା ଏବଂ ପୋଲାଣ୍ଡରେ ସେନା ମୁତୟନ ଓ ସମରସଜ୍ଜା ଚଳାଇଛନ୍ତି। ଉତ୍ତେଜନାକୁ ଦୂର କରିବା ପାଇଁ କୂଟନୈତିକ ପଦକ୍ଷେପ ନିଆଯାଉଛି, ଯଦିଓ ଏଥିରେ ଏଯାବତ ବିଶେଷ ସଫଳତା ମିଳିନି ଓ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ରୁଷ ସହିତ ସମୟ ପରୀକ୍ଷିତ ସମ୍ପର୍କ ଏବଂ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ସହିତ ସମ୍ପର୍କରେ ଗତ କିଛିବର୍ଷ ମଧ୍ୟରେ ହୋଇଥିବା ସୁଧାରକୁ ଆଖିରେ ରଖି ଭାରତ ନିଜ ଆଭିମୁଖ୍ୟରେ ସତର୍କତା ଅବଲମ୍ବନ କରୁଛି। ଗୋଟିଏ ପଟେ ରୁଷ ହେଉଛି ଭାରତର ଘନିଷ୍ଠ ବନ୍ଧୁ। ଦୁର୍ଦ୍ଦିନରେ ରୁଷ ଭାରତ ସହିତ ଛିଡ଼ା ହୋଇଆସିଛି। ଆର୍ଥିକ ଓ ବାଣିଜି୍ୟକ ସମ୍ପର୍କ ବ୍ୟତୀତ, ଭାରତୀୟ ସଶସ୍ତ୍ର ବାହିନୀର ୬୦ପ୍ରତିଶତ ସରଞ୍ଜାମ ରୁଷ ନିର୍ମିତ। ନିକଟ ଭବିଷ୍ୟତରେ, ଭାରତ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏସ୍‌-୪୦୦ ଟ୍ରାଇମ୍ଫ ଭଳି ଅସ୍ତ୍ର ରୁଷଠାରୁ ପାଇବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ, ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ସହିତ ଆର୍ଥିକ, ବାଣିଜି୍ୟକ, ପ୍ରଯୁକ୍ତିବିଦ୍ୟା ଓ ପ୍ରତିରକ୍ଷା ପରି କ୍ଷେତ୍ରରେ ଭାରତର ସମ୍ପର୍କ ଯଥେଷ୍ଟ ଉନ୍ନତ ହୋଇଛି ଏବଂ ନିୟମିତ କୂଟନୈତିକ ଓ ରଣନୈତିକ ସହଯୋଗ ଜାରି ରହିଛି। ତେଣୁ ୟୁକ୍ରେନ୍‌ ସଙ୍କଟ ପରିପ୍ରେକ୍ଷୀରେ ଭାରତର ଏହି ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଜଟିଳ ହୋଇପାରେ। ଖାସ କରି ରୁଷଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇପାରେ। ୟୁକ୍ରେନ୍‌ ସଙ୍କଟ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଭୋଟରେ ଭାରତ ଅନୁପସ୍ଥିତ ରହିଥିଲା। ଏହା ମସ୍କୋ ଏବଂ ୱାଶିଂଟନ ସହିତ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ରଣନୀତି ଭାବରେ ଦେଖାଯାଉଛି। ୨୦୧୪ରେ, ଯେତେବେଳେ ରୁଷ କ୍ରିମିଆକୁ ୟୁକ୍ରେନ୍‌ରୁ ବିଚ୍ଛିନ କରି ନିଜ ଅକ୍ତିଆରକୁ ନେଲା ସେତେବେଳେ ମଧ୍ୟ ଭାରତ ସୁରକ୍ଷା ପରିଷଦର ଏଥିପାଇଁ ହୋଇଥିବା ବିଚାର ବିମର୍ଶରେ ଅନୁପସ୍ଥିତ ରହିଥିଲା।
ଆଉ ଏକ ଚିନ୍ତାର ବିଷୟ ହେଉଛି ଭାରତର ଚାଇନା ସହ ସମ୍ପର୍କ ତିକ୍ତ ଅବସ୍ଥାରେ ରହିଛି। ଚାଇନାକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡୋ-ପାସିଫିକ କ୍ଷେତ୍ର ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ଭାରତ ଅନେକାଂଶରେ ସଫଳ ହୋଇଛି। କିନ୍ତୁ ୟୁକ୍ରେନ୍‌ ସଙ୍କଟ ଯୋଗୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ଧ୍ୟାନ ଏବଂ ସମ୍ବଳ ବର୍ତ୍ତମାନ ୟୁରେସିୟା ଅଞ୍ଚଳରେ କେନ୍ଦ୍ରିତ ହୋଇଛି। ଏ ପରିସ୍ଥିତିରେ ଭାରତ ଯଦି ରୁଷ ବିରୋଧରେ ଛିଡ଼ା ହୁଏ, ତେବେ ରୁଷ ଚାଇନାର ଅଧିକ ନିକଟତର ହେବାର ସମ୍ଭାବନା ରହିଛି । ଏହା ଚାଇନା ବିରୋଧରେ ଭାରତର ରଣକୌଶଳକୁ ଦୁର୍ବଳ କରିପାରେ। ନିଜ ବିରୋଧରେ ପ୍ରସ୍ତାବିତ ଆର୍ଥିକ ପ୍ରତିବନ୍ଧକର ପ୍ରଭାବକୁ ଦୂର କରିବା ପାଇଁ ଏବଂ ପ୍ରତିରକ୍ଷା-ଶିଳ୍ପ କ୍ଷେତ୍ରକୁ ଦେବାଳିଆ ହେବାରୁ ବଞ୍ଚାଇବା ପାଇଁ ରୁଷ ମଧ୍ୟ ପାକିସ୍ତାନକୁ ଅଧିକ ଅସ୍ତ୍ର ଯୋଗାଇବା ଆରମ୍ଭ କରିପାରେ । ଯଦି ଏପରି ହୁଏ ତେବେ ଏହା ଭାରତର ସ୍ବାର୍ଥର ଅନୁକୂଳ ହେବ ନାହିଁ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅନେକ ୟୁରୋପୀୟ ନେତା ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ରୁଷ ୟୁକ୍ରେନ୍‌ରେ ସାମରିକ ହସ୍ତକ୍ଷେପ କଲେ ତାହା ବ୍ୟାପକ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବ। ଅନ୍ତର୍ଜାତୀୟ ସ୍ତରରେ ରୁଷକୁ ଏକଘରକିଆ କରିବା ପାଇଁ ଆମେରିକା ଭାରତ ସମେତ ଅନେକ ନିରପେକ୍ଷ ରାଷ୍ଟ୍ରଙ୍କ ଉପରେ କୂଟନୈତିକ ଚାପ ପକାଇବ। ଆଣବିକ କାର୍ଯ୍ୟକ୍ରମ ପାଇଁ ଇରାନ ଉପରେ ବିଭିନ୍ନ କଟକଣା ଓ ଆର୍ଥିକ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ସେତେବେଳେ ଇରାନ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଭାରତ ଉପରେ ଚାପ ପକାଇଥିଲା। ରୁଷ ଉପରେ ଯେ କୌଣସି କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପଡ଼ିବ। ସମ୍ଭାବ୍ୟ ଆର୍ଥିକ ପ୍ରତିବନ୍ଧକର ପ୍ରତିଶୋଧ ନେବାକୁ ରୁଷ ସୀମିତ ସମୟ ପାଇଁ ତା’ ଉପରେ ନିର୍ଭରଶୀଳ ୟୁରୋପକୁ ତୈଳ ଓ ଗ୍ୟାସ୍‌ ଆମଦାନୀରେ ରୋକ ଲଗାଇ ପାରେ; ଯାହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ତୈଳ ଦରରେ ଅହେତୁକ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। କେତେକ ରିପୋର୍ଟ ଅନୁଯାୟୀ ଗତ ଏକ ମାସ ମଧ୍ୟରେ ତୈଳ ଦର ବ୍ୟାରେଲ ପିଛା ୧୪ ପ୍ରତିଶତ ବୃଦ୍ଧି ପାଇଛି। ଏହା ଆକଳନ କରାଯାଉଛି ଯେ, ଯଦି ପରିସ୍ଥିତି ଏଇଭଳି ଜଟିଳ ରହେ ତେବେ ତୈଳ ଦର ବର୍ତ୍ତମାନର ବ୍ୟାରେଲ ପିଛା ୯୦ ଡଲାରକୁ ପାର କରି ନିକଟ ଭବିଷ୍ୟତରେ ୧୨୫ ଡଲାରକୁ ଛୁଇଁବା ଅସମ୍ଭବ ନୁହେଁ।
ଯଦିଓ ୟୁକ୍ରେନ୍‌ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଏତେ ବିସ୍ତୃତ ନୁହେଁ, ତଥାପି ସେଠାରେ କୋଡିଏ ହଜାରରୁ ଅଧିକ ପ୍ରବାସୀ ଭରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ର, ତଥା ଆଇଟି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟରତ। ଅଶାନ୍ତ ପରିସ୍ଥିତି ଯୋଗୁ ଭାରତ ସରକାର ସେମାନଙ୍କର ସୁରକ୍ଷାକୁ ନେଇ ଚିନ୍ତିତ ଥିବାବେଳେ ଆବଶ୍ୟକ ସ୍ଥଳେ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି।
ଭାରତ ନିଜର ଘରୋଇ ମାମଲାରେ ବାହ୍ୟ ଶକ୍ତିମାନଙ୍କର ହସ୍ତକ୍ଷେପକୁ ପସନ୍ଦ କରେ ନାହିଁ ଏବଂ ଅନ୍ୟ ଦେଶର ପ୍ରସଙ୍ଗରେ ପ୍ରାୟତଃ ନିରପେକ୍ଷ ନୀତି ଆପଣାଏ। କିନ୍ତୁ ୟୁକ୍ରେନ୍‌ ସଙ୍କଟ ଉପରେ ଭାରତ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ଏହାର କାରଣ ହେଉଛି ବର୍ତ୍ତମାନ ଭାରତର ଉଭୟ ପକ୍ଷ ସହିତ ଭଲ ସମ୍ପର୍କ ରହିଛି। ୟୁକ୍ରେନ୍‌ ସଙ୍କଟ ଆଉ ଏକ ଦେଶ ବିଶେଷ କିମ୍ବା ଆଞ୍ଚଳିକ ସଙ୍କଟ ହୋଇ ରହିନାହିଁ, ବରଂ ବର୍ତ୍ତମାନ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇସାରିଛି। ଯଦିଓ, ଭାରତ ଏବେ ‘ୱେଟ ଏଣ୍ଡ ୱାଚ’ ନୀତି ଆପଣେଇଛି, ବିକଶିତ ହେଉଥିବା ନିଜର ବିଶ୍ୱସ୍ତରୀୟ ନେତୃତ୍ୱକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନ୍‌ ସଙ୍କଟର ସମାଧାନ ଦିଗରେ ଅଧିକ ଅବଦାନ କରିବା ଉଚିତ। ଭାରତ କୌଣସି ପକ୍ଷ ନେବ ନାହିଁ, କିନ୍ତୁ କୂଟନୀତିକୁ ସୁଯୋଗ ଦେଇ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ସମ୍ପୃକ୍ତ ରାଷ୍ଟ୍ରମାନଙ୍କୁ ପ୍ରବର୍ତ୍ତାଇପାରିବ।
ଜବାହରଲାଲ ନେହେରୁ
ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ
ମୋ:୯୯୬୮୨୪୪୮୭୧


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri