ବିବାହ ବନାମ ବାଣ-ରୋଶଣି

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ବିବାହ ଋତୁ ଆସିଲେ ପ୍ରାୟ ପ୍ରତ୍ୟେକ ଦିନ ଅନ୍ତତଃ ଗୋଟାଏ ଦି’ଟା ଜାଗାରୁ ନିମନ୍ତ୍ରଣ ପତ୍ର ମିଳେ। ବନ୍ଧୁରକ୍ଷା କରିବାକୁ ଆମକୁ ସେସବୁ ଜାଗାକୁ ଯିବାକୁ ପଡେ, ସେଥିରେ ଦୁଃଖ ନାହିଁ। କିନ୍ତୁ ଦୁଃଖ ହେଉଛି ଆମ ଓଡ଼ିଆ ହିନ୍ଦୁ ସମାଜରେ ଅନୁଷ୍ଠିତ ହେଉଥିବା ବିବାହ ଓ ତଜ୍ଜନିତ ବାଣ, ରୋଶଣି ଇତ୍ୟାଦିକୁ ନେଇ।
ସୁଦୃଶ୍ୟ ନିମନ୍ତ୍ରଣ ପତ୍ରଟିଏ ପାଇଲି। ବନ୍ଧୁ ଆସି ଘରେ ନିମନ୍ତ୍ରଣ ପତ୍ର ଦେଇଗଲେ। ନିମନ୍ତ୍ରଣ ପତ୍ର ତ ନୁହେଁ ସତେଅବା ପଚାଶ ଗ୍ରାମ୍‌ ଓଜନର ଗୋଟିଏ ବାଇଣ୍ଡିଂ ଖାତା। ବନ୍ଧୁଙ୍କୁ ପଚାରିଲି, ଭାଇ! ଏ ଯେଉଁ ନିମନ୍ତ୍ରଣ ପତ୍ର ଦେଇଛ ପ୍ରତ୍ୟେକ କାର୍ଡ ପିଛା କେତେ ଖର୍ଚ୍ଚ ପଡ଼ିଛି? ସେ କହିଲେ ଗୋଟିଏ ନିମନ୍ତ୍ରଣ ପତ୍ର ପିଛା ୨୦୦ଟଙ୍କା ଖର୍ଚ୍ଚ ହୋଇଛି। ତା’ପରେ ପଚାରିଲି ଭାଇ! କେତେ ଲୋକଙ୍କୁ ନିମନ୍ତ୍ରଣ କରିଛ? ତା’ ଉତ୍ତର ମିଳିଲା ମୁଁ ବନ୍ଧୁବାନ୍ଧବଙ୍କୁ ମିଶାଇ ୧୫୦୦ ଲୋକଙ୍କୁ ଡାକିଛି। ମୋର ଜିଜ୍ଞାସା ବଢ଼ିଲା। ବନ୍ଧୁଙ୍କୁ ପଚାରିଲି, କେଉଁଠି ଭୋଜି ହେଉଛି। ଏହାର ଉତ୍ତର ମଧ୍ୟ ସ୍ବାଭାବିକ ଥିଲା। ଗୋଟିଏ ତାରକା ହୋଟେଲରେ ବିବାହ ହେଉଛି। ଆମେ ଦୁଇଦିନ ହୋଟେଲ ବୁକ୍‌ କରିଛୁ। ମଙ୍ଗନ ଦିନ ସଙ୍ଗୀତ କାର୍ଯ୍ୟକ୍ରମ ଅଛି। ମଙ୍ଗନ ପାଇଁ ଏକ ହଜାର ଲୋକଙ୍କୁ ନିମନ୍ତ୍ରଣ କରିଛି। ତାଙ୍କ ଆଡ଼ୁ ସେ କହିଲେ- ବିବାହ ଓ ସଙ୍ଗୀତ ପାଇଁ ସର୍ବମୋଟ୍‌ ୨୫୦୦ଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରତ୍ୟେକ ପ୍ଲେଟ୍‌ ପିଛା ଜିଏସ୍‌ଟିକୁ ମିଶାଇ ମୋତେ ୨୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ପ୍ରକୃତରେ ବିବାହ ବ୍ୟୟବହୁଳ ହୋଇଯାଇଛି। ସାଧାରଣ ଲୋକଟିଏ ତା’ ସାମାଜିକ ସ୍ଥିତିକୁ ଓ ସମ୍ମାନକୁ ଦେଖି ବାହାଘର ଏବଂ ତଜ୍ଜନିତ ଖର୍ଚ୍ଚ ପାଇଁ ତାକୁ ବେଶ୍‌ କିଛି ଅର୍ଥ ଶ୍ରାଦ୍ଧ କରିବାକୁ ପଡ଼ୁଛି। ପ୍ରଥମ କଥା ହେଲା, ଆମ ଓଡ଼ିଆ ହିନ୍ଦୁ ଘରେ ସଙ୍ଗୀତ କାର୍ଯ୍ୟକ୍ରମ ନ ଥିଲା। ଏବେ ନବ୍ୟଶିକ୍ଷା ଓ ଚକଚକିଆ ସଂସ୍କୃତିର ପ୍ରଭାବରେ ଆମେ ଏସବୁ ଅଯଥା ଜିନିଷକୁ ଟାଣି ନେଉଛୁ।
କାର୍ଡଟି ଖୋଲି ଦେଖିଲି, ସେଥିରେ ଓଡ଼ିଆ ପରିବର୍ତ୍ତେ ଇଂଲିଶ ଭାଷାରେ ଲେଖା ଯାଇଛି। ଖାଲି ଧର୍ମକୁ ଆଖିଠାର ମାରିଲା ପରି ”ମଙ୍ଗଳମ୍‌ ଭଗବାନ ବିଷ୍ଣୁ…“ ଇତ୍ୟାଦି ଉପରେ ହିନ୍ଦୀରେ ଲେଖାଯାଇଛି। ଆମେ ଓଡ଼ିଆ ସମାଜ ବ୍ୟତୀତ କିଛି ବଙ୍ଗାଳୀ, ଗୁଜୁରାଟୀ, ମାରୱାଡ଼ି ଇତ୍ୟାଦି ବନ୍ଧୁଙ୍କଠାରୁ ମଧ୍ୟ ନିମନ୍ତ୍ରଣ ପତ୍ର ପାଉଛୁ। ଦୀର୍ଘଦିନ ଧରି ଓଡ଼ିଶାର ପାଣିପବନରେ ବଢ଼ି ଏମାନଙ୍କ ମଧ୍ୟରୁ କେହି କେହି ସ୍ଥାୟୀ ଭାବେ ଓଡ଼ିଶାରେ ରହୁଥିଲେ ମଧ୍ୟ ସେମାନେ ନିଜ ଭାଷା ଓ ସଂସ୍କୃତିକୁ ଭୁଲି ନାହାନ୍ତି। ସେମାନଙ୍କ ନିମନ୍ତ୍ରଣ ପତ୍ର ପାଇଲା ବେଳେ ଆମେ ଦେଖିଛୁ ଯେ, ଗୋଟିଏ ପଟେ ତାଙ୍କ ମାତୃଭାଷା ଅର୍ଥାତ୍‌ ବଙ୍ଗଳା, ହିନ୍ଦୀ କିମ୍ବା ଗୁଜୁରାଟୀ ଭାଷାରେ ଲେଖା ହୋଇଥିଲେ ମଧ୍ୟ ଆମମାନଙ୍କ ବୁଝିବାପାଇଁ ଇଂଲିଶରେ ଲେଖା ହୋଇଥାଏ। ଏଥିରେ କାହାର କିଛି କହିବାର ନାହିଁ। ସେଇଥିପାଇଁ ତ ସେମାନେ ଉନ୍ନତ ଏବଂ ସେମାନଙ୍କର ଚାଲିଚଳଣି ମଧ୍ୟ ଉନ୍ନତ। କହିବା ବାହୁଲ୍ୟ ଉପରଲିଖିତ ବନ୍ଧୁଙ୍କଠାରୁ ପାଇଥିବା ନିମନ୍ତ୍ରଣ ପତ୍ରଟି ଏକ ବାଇଣ୍ଡିଂ ଖାତା ସଦୃଶ ଥିଲା ଏବଂ ସେଥିରେ ଯଥେଷ୍ଟ ଜାଗା ଥିଲା, ଯଦ୍ଦ୍ବାରା ଇଂଲିଶ ସହିତ ଓଡ଼ିଆ ଭାଷାରେ ମଧ୍ୟ ନିମନ୍ତ୍ରଣ ପତ୍ରଟି ଛପାଯାଇଥାନ୍ତା। ଏହାକୁ ହିଁ ତ କହନ୍ତି ଆମର ସ୍ବାଭିମାନ! ନିକଟ ଅତୀତରେ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଏଥିପାଇଁ ବହୁ ସଭାସମିତି ହୋଇଗଲାଣି। କିନ୍ତୁ ଆମ ମନୋବୃତ୍ତିରେ ପରିବର୍ତ୍ତନ ଆସିନାହିଁ। ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଘୋଷଣା ହେବା ଠାରୁ ବର୍ତ୍ତମାନ ସୁଦ୍ଧା ସାକାର ରୂପ ନେଇ ନ ଥିଲେ ମଧ୍ୟ ଯେପରି କଚ୍ଛପ ଗତିରେ ଚାଲୁଛି; ତାହା ଦେଖିଲେ ଆମକୁ ଦୁଃଖ ଲାଗୁଛି। ଏଥିପାଇଁ ସ୍ବତନ୍ତ୍ର ପଦାଧିକାରୀ ନିଯୁକ୍ତ ହେବାର ପ୍ରାୟ ବର୍ଷେରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଫଳପ୍ରସବକୁ ଆମେ ଅନାଇ ବସିଛୁ।
ବର୍ତ୍ତମାନ ଆମେ ମୂଳକଥାକୁ ଆସିବା। ନିର୍ଦ୍ଦିଷ୍ଟ ଦିନ ବନ୍ଧୁଙ୍କ ଝିଅ ବାହାଘର ପାଇଁ ଉଦ୍ଦିଷ୍ଟ ହୋଟେଲରେ ଉପସ୍ଥିତ ହେଲି। ବାଣ ରୋଶଣି ସହ ବର ଆସିଲା। ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ କଥା କିଏ ପଚାରୁଛି? କୋଭିଡ୍‌ କଟକଣାକୁ ଫୁ’। ବାଟ ବରଣ ପରେ ବରକୁ କିଛି ଲୋକ କାନ୍ଧେଇ ନେଇଗଲେ, ଯାହାକି ଆମ ଓଡ଼ିଆ ସମାଜରେ ନାହିଁ। ଏଗୁଡ଼ିକ ଉତ୍ତର ଭାରତୀୟ ସଂସ୍କୃତିରୁ ଆସିଛି ବୋଲି ମନେହୁଏ। ଆମେ କିନ୍ତୁ ତାକୁ ଆପଣେଇ ନେଇଛୁ। ବଙ୍ଗାଳୀ ଘରର ପୁଅ ବାହାହେଲେ ପ୍ରାୟତଃ ସେ ତା’ର ପାରମ୍ପରିକ ବେଶପୋଷାକ ଅର୍ଥାତ୍‌ ଧୋତି ଓ ପଞ୍ଜାବି ପିନ୍ଧିବାର ଆମେ ଦେଖିଛୁ। କିନ୍ତୁ ଆମ ଓଡ଼ିଆ ଘରେ ଆମ ସମୟରେ ବର ଧୋତିି ପଞ୍ଜାବି ପିନ୍ଧି ଯାଉଥିଲେ ମଧ୍ୟ ବର୍ତ୍ତମାନ ଡ୍ରେସ୍‌ ନ ପିନ୍ଧିଲେ ବାବୁଙ୍କ ଗୋଡ଼ ଆଗକୁ ବଢ଼ୁନାହିଁ। ଏପରିକି ବରକର୍ତ୍ତା ଓ କନ୍ୟାକର୍ତ୍ତା ମଧ୍ୟ ଧୋତି, ପଞ୍ଜାବି ପରିବର୍ତ୍ତେ ଶାର୍ଟ ପ୍ୟାଣ୍ଟରେ କାମ ଚଳାଇଦେଉଛନ୍ତି। ଦିନ ଆସିବ ଯେତେବେଳେ ବିବାହବେଦିରେ ପୁରୋହିତଙ୍କ ମନ୍ତ୍ରପାଠ ଆଉ ଆବଶ୍ୟକ ପଡ଼ିବ ନାହିଁ। ଆଜିକାଲି ତ କ୍ୟାସେଟ୍‌ର ଯୁଗ। ପୁରୋହିତଙ୍କ ମନ୍ତ୍ର ପାଠକୁ କ୍ୟାସେଟ କରିଦେଲେ ଏହି ପୁରୋହିତମାନଙ୍କର ଯେଉଁ ମରୁଡ଼ି ସମସ୍ୟା ଉପୁଜିଛି ତାହା ସମାଧାନ ହୋଇଯିବ। ସେଦିନ ଆଉ ବେଶିଦିନ ନାହିଁ ବୋଲି ମନେହୁଏ।
ବିବାହ ଭୋଜି କଥା ନ କହିଲେ ଭଲ। ଆଜିକାଲି ନିରାମିଷ ଭୋଜନ ଦେଲେ ଲୋକେ ଆପଣଙ୍କ ଘରକୁ ଆସିବେ ନାହିଁ। ସେଥିପାଇଁ ମାଛ, ମାଂସ, କଙ୍କଡ଼ା ଇତ୍ୟାଦିକୁ ମିଶାଇ ଆମିଷରେ ଚାରି ପାଞ୍ଚ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହେଲାବେଳେ ମିଠାରେ ମଧ୍ୟ ସେମିତି ତିନି ଚାରି ପ୍ରକାରର ଜିନିଷ ପ୍ରସ୍ତୁତ ହେଉଛି। ଲୋକେ ଖାଉଛନ୍ତି ଯେତେ, ନଷ୍ଟ ହେଉଛି ତା’ଠୁ ଅଧିକ। ଏଥିପ୍ରତି କାହାରି ଦୃଷ୍ଟି ନାହିଁ।
ମୁଁ ଗଁାଗହଳି କଥା କହୁନାହିଁ। ଗଁାଗହଳିର ବାହାଘରରେ ଏବେ ମଧ୍ୟ କିଛିଟା ସ୍ବାତନ୍ତ୍ର୍ୟ ବାରି ହୁଏ। ମୋ ବାପା ଜଣେ ସରକାରୀ କର୍ମଚାରୀ ଥିଲେ। ତାଙ୍କୁ ଗୋଟିଏ ସରକାରୀ ଘର ମିଳିଥିଲା। ଆମେ ସେଠାରେ ଦୀର୍ଘ ଦିନ କଟାଇଛୁ। ସେତେବେଳେ ଆମ ସାହିରେ ବିବାହ ହେଉଥିଲେ ଆମକୁ ମନେ ହେଉଥିଲା ସତେ ଯେପରି ଆମ ଘରେ ବାହାଘର ହେଉଛି। ଅନ୍ତତଃପକ୍ଷେ ସାହିରେ ଥିବା ଦଶ ବାରଟି କ୍ୱାର୍ଟର ଲୋକେ ତିନିଚାରିଦିନ ଧରି ବିବାହ ହେଉଥିବା ଘରେ ଖା’ ପିଅ କରୁଥିଲେ। ସ୍ବଳ୍ପ ବ୍ୟୟରେ ଜାକଜମକ ଶୂନ୍ୟ ବିବାହରେ ଯେଉଁ ଆନ୍ତରିକତା ଥିଲା ଆଜି ଚାକଚକ୍ୟ ବଢ଼ିଥିଲେ ମଧ୍ୟ ସେ ପ୍ରକାରର ବନ୍ଧୁପ୍ରୀତି ବା ସୌହାର୍ଦ୍ଦ୍ୟ ନାହିଁ ବୋଲି ମନେହୁଏ। ଦୁଃଖଟା ସେଇଠି ରହିଗଲା।
ବରଯାତ୍ରୀ ଆସୁଛନ୍ତି, ନାଚିକୁଦି ସେ ଜାଗାଟିକୁ ଫଟେଇ ଦେଉଛନ୍ତି। ବହୁଦିନ ତଳେ କବି ଅନନ୍ତ ପଟ୍ଟନାୟକଙ୍କ ପୁଅ ଅମରେଶ ପଟ୍ଟନାୟକଙ୍କ ବାହାଘର ଦୃଶ୍ୟ ମନେପଡ଼ୁଛି। ସେତେବେଳେ ଅନନ୍ତ ପଟ୍ଟନାୟକ ବଞ୍ଚତ୍ଥା’ନ୍ତି। କହିବା ବାହୁଲ୍ୟ ବାହାଘରଟି ବିନା ବାଣ ଓ ବାଇଦରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ବାହାଘରଟି ହେଉଛି ଏହିପରି। ପାଟକୁରା ଗାନ୍ଧୀ ରୂପେ ପରିଚିତ, ପୂର୍ବତନ ବିଧାୟକ ରାଜକିଶୋର ନାୟକ ବିନା ବାଣ, ରୋଶଣି ଓ ପାଲିଙ୍କିରେ ଚାଲି ଚାଲି ଆସି ଶ୍ୱଶୁର ଘରେ ପହଞ୍ଚତ୍ଥିଲେ ଏବଂ ବିବାହ ମଧ୍ୟ ହୋଇଥିଲା। ରାଜକିଶୋର ନାୟକଙ୍କ ସହଧର୍ମିଣୀ ମଧ୍ୟ ଜୀବିତ ଅଛନ୍ତି। କଥାଟି ଅତିରଞ୍ଜିତ ନୁହେଁ। ସେହି ପାଟକୁରା ଅଞ୍ଚଳର ଜଣେ ସ୍ବନାମଧନ୍ୟ ବ୍ୟକ୍ତି ତଥା ଗାନ୍ଧିବାଦୀ ପ୍ରଫେସର ଡ. ବେଣୁଧର ପ୍ରଧାନଙ୍କ ବିବାହ ମଧ୍ୟ ଏହିପରି ବିନା ବାଣ, ରୋଶଣି ଓ ପାଲିଙ୍କି ମଧ୍ୟରେ ସମ୍ପନ୍ନ ହୋଇଥିଲା।
ବର୍ତ୍ତମାନ ବାହାଘର ଏପରି ଆଡ଼ମ୍ବରଶୂନ୍ୟ ହେଲେ କେମିତି ହୁଅନ୍ତା? ଏସବୁର ସମସ୍ୟାର ସମାଧାନ ଆମ ପରି ଶିକ୍ଷିତ ଓ ସଂସ୍କାରପ୍ରିୟ ଲୋକମାନଙ୍କ ହାତରେ ଅଛି ବୋଲି ମନେହୁଏ।
ଚୈତନ୍ୟ ଧାମ, ଶବରସାହି
ଭୁବନେଶ୍ୱର,ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?