ପ୍ଲାଷ୍ଟିକରେ ନଦୀ ହଜୁଛି

କାର୍ତ୍ତିକ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଆ ଜାତି ପାଇଁ କେବଳ ଏକ ପର୍ବ ନୁହେଁ ଏହା ହେଉଛି ଆମର ଇତିହାସ, ଐତିହ୍ୟ, ଆସ୍ଥା ଓ ଆତ୍ମପରିଚୟର ଏକ ଅନନ୍ୟ ପ୍ରତୀକ। ଏହି ଦିନ ଲୋକମାନେ ନଦୀ, ପୋଖରୀ ଓ ବିଭିନ୍ନ ଜଳାଶୟକୁ ଯାଇ ଡଙ୍ଗା ଭସାନ୍ତି। ଏହି ଡଙ୍ଗାଗୁଡ଼ିକ ଆମକୁ ମନେ ପକାଇଦିଏ ଏକ ବିଶାଳ ଅତୀତକୁ। ସେହି ଅତୀତ, ଯେଉଁଠି ଓଡ଼ିଆ ସାଧବମାନେ ବୋଇତ ନେଇ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସମୁଦ୍ରର ଉଚ୍ଚ ଢେଉ, ଅଜଣା ଦେଶର ରାସ୍ତା ଓ ବିପଦପୂର୍ଣ୍ଣ ଜଳଯାତ୍ରାକୁ ସାମ୍ନା କରି ସେମାନେ ଓଡ଼ିଶାର ବାଣିଜି୍ୟକ ପରିଚୟକୁ ଦୂରଦୂରାନ୍ତରେ ପହଞ୍ଚାଇଥିଲେ, କିନ୍ତୁ ଆଜି ଏହି ଗୌରବମୟ ପରମ୍ପରାକୁ ସ୍ମରଣ କରିବା ସମୟରେ ମନରେ ଗୋଟିଏ ପ୍ରଶ୍ନ ଉଠେ। ଆମେ ଯେଉଁ ଜଳକୁ ସାକ୍ଷୀ ରଖି ଆମର ଐତିହ୍ୟକୁ ସମ୍ମାନ ଦେଉଛୁ ସେହି ଜଳକୁ ସୁରକ୍ଷିତ ରଖିବାରେ କେତେ ସଫଳ ହୋଇଛୁ । ଆମେ ଡଙ୍ଗା ଭସାଉଛୁ କିନ୍ତୁ ନଦୀକୁ ବଞ୍ଚାଇବା ପାଇଁ କ’ଣ କରୁଛୁ। ଏହି ପ୍ରଶ୍ନ କାର୍ତ୍ତିକ ପୂର୍ଣ୍ଣିମାର ସବୁଠାରୁ ବଡ଼ ଆତ୍ମସମୀକ୍ଷା। ଓଡ଼ିଶାର ଇତିହାସ ଜଳପଥ ଓ ସାମୁଦ୍ରିକ ବାଣିଜ୍ୟ ସହିତ ଗଭୀର ଭାବରେ ଜଡ଼ିତ। ପ୍ରାଚୀନ କଳିଙ୍ଗର ବାଣିଜି୍ୟକ ପରିଚୟ ଦେଶ ବିଦେଶରେ ପ୍ରସିଦ୍ଧ ଥିଲା। ସାଧବମାନେ ବୋଇତରେ ମୂଲ୍ୟବାନ ସାମଗ୍ରୀ ନେଇ ବିଭିନ୍ନ ଦ୍ୱୀପ ଓ ବନ୍ଦରକୁ ଯାତ୍ରା କରୁଥିଲେ। ବାଲି, ଜାଭା, ସୁମାତ୍ରା ଆଦି ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ସମ୍ପର୍କର ସ୍ମୃତି ଆଜି ମଧ୍ୟ ଆମ ସଂସ୍କୃତିରେ ରହିଛି। ସେହି ସମୟରେ ନଦୀ ଥିଲା ଜୀବନର ରାସ୍ତା। ଜଳ ଥିଲା ସମ୍ପଦ। ବୋଇତ ଥିଲା ଜୀବିକା ଓ ସ୍ବପ୍ନର ବାହନ। ଜଳପଥକୁ ଆଧାର କରି ମଣିଷ ନିଜର ଜୀବନ ଓ ବାଣିଜ୍ୟକୁ ଆଗକୁ ବଢ଼ାଇଥିଲା। ଆଜି ଆମେ ସେହି ଇତିହାସକୁ ମନେପକାଇବା ପାଇଁ ଛୋଟ ଛୋଟ ଡଙ୍ଗା ଭସାଉଛୁ କିନ୍ତୁ ଯେଉଁ ନଦୀ ଆମର ଐତିହ୍ୟର ଏକ ଅଂଶ, ସେହି ନଦୀରେ ଅନେକ ସ୍ଥାନରେ ଆବର୍ଜନା ଆସ୍ତରଣ ଦେଖିବାକୁ ମିଳୁଛି। କାର୍ତ୍ତିକ ପୂର୍ଣ୍ଣିମାରେ କେହି ମାଟିର ଡଙ୍ଗା ଭସାନ୍ତି,କେହି କଦଳୀ ପାଟୁଙ୍ଗାରେ ଡଙ୍ଗା ତିଆରି କରନ୍ତି ଆଉ କେହି ସୁନ୍ଦର ସାଜସଜ୍ଜା କରି ଡଙ୍ଗାକୁ ଆକର୍ଷଣୀୟ କରନ୍ତି । କିନ୍ତୁ ଏହି ସାଜସଜ୍ଜା ଭିତରେ ପ୍ଲାଷ୍ଟିକର ବ୍ୟବହାର ବଢ଼ିବା ଏକ ଚିନ୍ତାର ବିଷୟ। ଡଙ୍ଗା ସହିତ ପଲିଥିନ, ପ୍ଲାଷ୍ଟିକ ଫୁଲ, ଥର୍ମୋକୋଲ ଓ ଅନ୍ୟାନ୍ୟ ଅପଚନଶୀଳ ସାମଗ୍ରୀ ଜଳରେ ପଡ଼ୁଛି। ଆମେ ଭଗବାନଙ୍କ ନାମ ନେଇ ନଦୀକୁ ପବିତ୍ର ମନେ କରୁଛୁ କିନ୍ତୁ ନିଜ ହାତରେ ସେହି ନଦୀକୁ ଅପରିଷ୍କାର କରୁଛୁ। ପ୍ରଶ୍ନ ହେଉଛି ଆମର ଭକ୍ତି କ’ଣ କେବଳ ପୂଜା ଓ ପରମ୍ପରା ପାଳନରେ ସୀମିତ। ପ୍ରକୃତିକୁ ସୁରକ୍ଷା ଦେବା କ’ଣ ଆମର ଧାର୍ମିକ ଓ ସାମାଜିକ ଦାୟିତ୍ୱ ନୁହେଁ।
ନଦୀରେ ପଡ଼ିଥିବା ପ୍ଲାଷ୍ଟିକ ମାଛ ଓ ଅନ୍ୟ ଜଳଜୀବଙ୍କ ପାଇଁ ବିପଦ। ଛୋଟ ଛୋଟ ପ୍ଲାଷ୍ଟିକ ଖଣ୍ଡ ଜଳରେ ମିଶି ମାଇକ୍ରୋପ୍ଲାଷ୍ଟିକ ସୃଷ୍ଟି କରେ। ଏହା ଖାଦ୍ୟଶୃଙ୍ଖଳରେ ପ୍ରବେଶ କରି ଶେଷରେ ମଣିଷ ପାଖରେ ପହଞ୍ଚତ୍ପାରେ। ତେବେ ନଦୀର ମୃତ୍ୟୁ କେବଳ ଏକ ଜଳସ୍ରୋତର ମୃତ୍ୟୁ ନୁହେଁ। ଏହା ସହିତ ଅନେକ ଜୀବନ ଓ ଜୀବିକାର ମୃତ୍ୟୁ ଜଡ଼ିତ। ଏକ ମତ୍ସ୍ୟଜୀବୀ ପରିବାରର ଜୀବନ ନଦୀର ମାଛ ଉପରେ ନିର୍ଭର କରେ। ଜଣେ ଚାଷୀର ଫସଲ ପାଇଁ ନଦୀର ଜଳ ଆବଶ୍ୟକ। ନଦୀକୂଳରେ ବସବାସ କରୁଥିବା ଅନେକ ଲୋକଙ୍କ ଜୀବନ ଜଳସମ୍ପଦ ସହିତ ଜଡ଼ିତ। ଆମେ ଉତ୍ସବ ପାଳନ କରିବା ପାଇଁ ଅନେକ ହଜାର ଟଙ୍କା ଖର୍ଚ୍ଚ କରୁଛୁ କିନ୍ତୁ ନଦୀକୁ ସଫା ରଖିବା ଲାଗି ଆଗ୍ରହ କେତେ। ନଦୀକୂଳରେ ଆଲୋକ ସଜ୍ଜା ହେଉଛି, ମଞ୍ଚ ତିଆରି ହେଉଛି, ମେଳା ଲାଗୁଛି କିନ୍ତୁ ଉତ୍ସବ ଶେଷ ହେବା ପରେ ସେଠାରେ ରହିଯାଉଥିବା ଆବର୍ଜନା କିଏ ସଫା କରିବ। ଏହି ପ୍ରଶ୍ନର ଉତ୍ତର କେବଳ ପ୍ରଶାସନକୁ ଦେବାକୁ ହେବ ନାହିଁ। ଆମକୁ ମଧ୍ୟ ନିଜ ଆଚରଣର ହିସାବ ଦେବାକୁ ପଡ଼ିବ। ପର୍ବପର୍ବାଣି ମଣିଷର ଜୀବନରେ ଆନନ୍ଦ ଓ ଏକତା ଆଣେ କିନ୍ତୁ ଉତ୍ସବର ଆନନ୍ଦ ପରିବେଶ ପାଇଁ ବିପଦ ହେବା ଉଚିତ ନୁହେଁ।
ଆମେ ପରମ୍ପରାକୁ ରକ୍ଷା କରିବା ସହିତ ପରିବେଶକୁ ସୁରକ୍ଷିତ ରଖିପାରିବା। ଏଥିପାଇଁ କିଛି ପରିବର୍ତ୍ତନ ଆବଶ୍ୟକ। ପ୍ରଥମେ ଡଙ୍ଗା ତିଆରିରେ ପ୍ଲାଷ୍ଟିକ ଓ ଥର୍ମୋକୋଲ ପରିବର୍ତ୍ତେ କଦଳୀ ପାଟୁଙ୍ଗା, ମାଟି, କାଗଜ ଓ ପ୍ରାକୃତିକ ସାମଗ୍ରୀକୁ ଗୁରୁତ୍ୱ ଦେବା ଉଚିତ। ଦ୍ୱିତୀୟତଃ ନଦୀରେ ପୂଜା ସାମଗ୍ରୀ ଓ ଆବର୍ଜନା ନ ପକାଇବା ପାଇଁ ସଚେତନତା ସୃଷ୍ଟି କରିବା ଦରକାର। ତୃତୀୟତଃ ନଦୀକୂଳରେ ଯଥେଷ୍ଟ ଡଷ୍ଟବିନ୍‌ ଓ ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥା ରହିବା ଆବଶ୍ୟକ। ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ନଦୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇପାରିବ। ସାମାଜିକ ସଂଗଠନ, ଯୁବକ ସଂଘ ଓ ସ୍ବେଚ୍ଛାସେବୀମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇପାରିବେ। ବଡ଼ କଥା ହେଉଛି ନଦୀକୁ ସଫା କରିବା ପାଇଁ କେବଳ ବର୍ଷକୁ ଗୋଟିଏ ଦିନର ଅଭିଯାନ ଯଥେଷ୍ଟ ନୁହେଁ। ଏହା ଆମର ଦୈନନ୍ଦିନ ଅଭ୍ୟାସ ହେବା ଦରକାର।
ଆଜିର ଶିଶୁମାନେ ଆସନ୍ତାକାଲିର ସମାଜ ଗଢ଼ିବେ। ଆମେ ସେମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ ବୁଝାଉଛୁ, ବୋଇତର କାହାଣୀ କହୁଛୁ, ସାଧବଙ୍କ ସାହସ ଓ ବାଣିଜି୍ୟକ ପରମ୍ପରାର ପରିଚୟ ଦେଉଛୁ, କିନ୍ତୁ ସେମାନଙ୍କୁ ଏକ ପରିଷ୍କାର ନଦୀ ଦେବାର ଦାୟିତ୍ୱ ମଧ୍ୟ ଆମର। କଳ୍ପନା କରନ୍ତୁ ଆଗାମୀ ଦଶ କିମ୍ବା କୋଡ଼ିଏ ବର୍ଷ ପରେ ପିଲାମାନେ ଯେତେବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାକୁ ଯିବେ ସେତେବେଳେ ଯଦି ନଦୀରେ ପାଣି ବଦଳରେ ଆବର୍ଜନା ଦେଖିବେ ତେବେ ସେମାନଙ୍କୁ ଆମେ କ’ଣ ଉତ୍ତର ଦେବା। କହିବା କି ଆମେ ତୁମକୁ ଏକ ଗୌରବମୟ ଇତିହାସ ଦେଇଛୁ କିନ୍ତୁ ସେହି ଇତିହାସକୁ ବଞ୍ଚାଇ ରଖିବା ପାଇଁ ନଦୀକୁ ବଞ୍ଚାଇ ପାରିଲୁ ନାହିଁ। ଏହା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ହେବ। ଐତିହ୍ୟ କେବଳ ପୁରୁଣା କାହାଣୀ, ମନ୍ଦିର, ସ୍ମାରକୀ କିମ୍ବା ପର୍ବପର୍ବାଣିରେ ସୀମିତ ନୁହେଁ। ଆମର ନଦୀ, ପାହାଡ଼, ଜଙ୍ଗଲ, ଜଳାଶୟ ଓ ପ୍ରାକୃତିକ ସମ୍ପଦ ଆମର ଐତିହ୍ୟ। ଏଗୁଡ଼ିକୁ ସୁରକ୍ଷା ଦେବା ହିଁ ପ୍ରକୃତ ସଂସ୍କୃତିର ପରିଚୟ।
ଡଙ୍ଗା ଭାସିବ, ଦୀପ ଜଳିବ, ଉତ୍ସବ ହେବ କିନ୍ତୁ ନଦୀ ଯଦି ଧୀରେ ଧୀରେ ମରିଯାଏ ତେବେ ଆମର ଉତ୍ସବର ଅର୍ଥ କ’ଣ ରହିବ। ଆମର ଆଗାମୀ ପିଢ଼ି ଯଦି ନଦୀକୁ କେବଳ ପୁସ୍ତକର ଚିତ୍ରରେ ଦେଖିବ ତେବେ ତାହାଠାରୁ ବଡ଼ ସାଂସ୍କୃତିକ ବିପର୍ଯ୍ୟୟ ଆଉ କ’ଣ ହୋଇପାରେ। ଆଜି ଆମକୁ ନିଷ୍ପତ୍ତି ନେବାକୁ ହେବ। ଆମେ କେବଳ ପରମ୍ପରାର ବାହକ ହୋଇ ରହିବା ନା ପ୍ରକୃତିର ରକ୍ଷକ ହେବା। ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ବେଳେ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବା ମୁଁ ଯେଉଁ ନଦୀରେ ଡଙ୍ଗା ଭସାଉଛି ସେହି ନଦୀକୁ ସଫା ରଖିବା ପାଇଁ ମୋର ଅବଦାନ କ’ଣ। ଡଙ୍ଗା ଭାସିବା ଆମ ପରମ୍ପରା, ନଦୀ ବଞ୍ଚାଇବା ଆମ କର୍ତ୍ତବ୍ୟ। ଆମେ ଅତୀତର ବୋଇତକୁ ଗର୍ବରେ ମନେ ରଖିବା କିନ୍ତୁ ବର୍ତ୍ତମାନର ନଦୀକୁ ଅବହେଳାରେ ହରାଇବା ନାହିଁ। କାରଣ ପ୍ଲାଷ୍ଟିକରେ ଭର୍ତ୍ତି ନଦୀରେ ଇତିହାସର ଗୌରବ ଭାସିପାରିବ ନାହିଁ। ନଦୀ ବଞ୍ଚତ୍ଲେ ସଂସ୍କୃତି ବଞ୍ଚତ୍ବ, ଜଳ ବଞ୍ଚତ୍ଲେ ଜୀବନ ବଞ୍ଚତ୍ବ। ଏହା ହିଁ ହେଉ କାର୍ତ୍ତିକ ପୂର୍ଣ୍ଣିମାର ପ୍ରକୃତ ସଂକଳ୍ପ।

ଦୀପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର
ମୋ:୯୦୯୦୬୬୧୫୮୬


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନ ଅନ୍ବେଷଣର ମାର୍ଗଦର୍ଶକ

ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଥିବା ନୂଆ ସହକାରୀ ପ୍ରାଧ୍ୟାପକମାନଙ୍କ ସଫଳତା ସେମାନଙ୍କ ଦୀର୍ଘ ଅଧ୍ୟବସାୟ, ତ୍ୟାଗ ଓ ଧୈର୍ଯ୍ୟର ପରିଣାମ। କିନ୍ତୁ ଏହା ଯାତ୍ରାର…

ଆର୍ଥିକ ଅସମାନତା ଚିନ୍ତା

ମୁଁ ନିକଟରେ ଦୁଇଟି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଫେରିଛି। ଗୋଟିଏ ଥିଲା ସାଂଘାଇରେ ଅନୁଷ୍ଠିତ ବଣ୍ଡ୍‌ ସମ୍ମିଳନୀ ଏବଂ ଅନ୍ୟଟି ମୁମ୍ବାଇ ଲିଟ୍‌ଫେଷ୍ଟ। ସାଂଘାଇ ବୈଠକରେ ଆମ…

ପ୍ରକୃତ ନେତୃତ୍ୱ

ଧାରଣରେ ଧାରଣା ରହିଛି ଯେ, ଜଣେ ଅସାଧାରଣ ବ୍ୟକ୍ତି ସମଗ୍ର ବିଶ୍ୱକୁ ରକ୍ଷା କରିପାରିବେ। ଆଧୁନିକ ନେତୃତ୍ୱ ବି ଏହି ଧାରଣା ଉପରେ ଆଧାରିତ। ସେଥିପାଇଁ ରାଜନେତାମାନେ…

ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ…

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?