ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ କ୍ଷତି ସାଧନ କରିଆସୁଛନ୍ତି। ପୁନଶ୍ଚ ପୃଥିବୀର ସମ୍ବଳ ବ୍ୟବହାର କରିବାରେ ବୈଷୟିକ ଅଗ୍ରଗତି ଆମ ଦକ୍ଷତାକୁ ବୃଦ୍ଧି କରୁଥିବାରୁ ପରିବେଶୀୟ ଅବକ୍ଷୟ ମଧ୍ୟ ସମଭାବରେ ବୃଦ୍ଧିପାଉଛି। ଏହି ପ୍ରକ୍ରିୟାରେ ପ୍ରଚୁର ପ୍ରାକୃତିକ ସମ୍ବଳର ବ୍ୟବହାର ଘଟିବା ସହ ବିଭିନ୍ନ ପଦାର୍ଥର ଉତ୍ପାଦନ ପଦ୍ଧତିରେ ଅଧିକ ପରିମାଣର କଠିନ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ରାସାୟନିକ ପଦାର୍ଥର ନିର୍ଗମନ ଘଟେ, ଯାହା ପରିବେଶର ବିଭିନ୍ନ ଉପାଦାନ – ମାଟି, ପାଣି ଏବଂ ପବନ – ସବୁଥିରେ ଗୁରୁତର କ୍ଷତି ସାଧନ କରେ। କ୍ରମେ ଜଙ୍ଗଲ ସମ୍ପଦର ଧ୍ବଂସ ସାଧନ ହେଉଛି ଏବଂ ଜୈବବିବିଧତାର ଅବକ୍ଷୟ ଘଟୁଛି। ଅନ୍ୟ ପକ୍ଷରେ ଦ୍ରୁତ ସହରୀକରଣ ଯୋଗୁ ବର୍ଜ୍ୟ ପଦାର୍ଥ ନିର୍ଗମନ ବୃଦ୍ଧି ହେଉଛି I
ଏ ଦୃଷ୍ଟିରୁ ପ୍ରଯୁକ୍ତିବିଦ୍ୟା ପୃଥିବୀର ପ୍ରକୃତି ଓ ପରିବେଶକୁ କ୍ଷତି ନ ପହଞ୍ଚାଇ ମାନବ ଜୀବନରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଆମ ଗ୍ରହକୁ ସୁରକ୍ଷା ପ୍ରଦାନ କରିବା, ପ୍ରଦୂଷଣକୁ ନିୟନ୍ତ୍ରିତ କରିବା, ସବୁଜଗୃହ ଗ୍ୟାସ୍ ନିର୍ଗମନ ହ୍ରାସ କରି ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ପ୍ରାକୃତିକ ସମ୍ପଦକୁ ସଂରକ୍ଷିତ କରିବା ନିମନ୍ତେ ସବୁଜ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଜରୁରୀ। ସବୁଜ ପ୍ରଯୁକ୍ତିବିଦ୍ୟା ବୈଷୟିକ କ୍ଷେତ୍ରର ଏପରି ନବସୃଜନକୁ ବୁଝାଏ, ଯାହା ପରିବେଶୀୟ କ୍ଷୟକ୍ଷତିକୁ ହ୍ରାସ କରେ ଏବଂ ପ୍ରାକୃତିକ ସମ୍ପଦର ସୁଦକ୍ଷ ବ୍ୟବହାରକୁ ପ୍ରୋତ୍ସାହିତ କରେ। ଏହା ନିରନ୍ତର ଆର୍ଥିକ ଏବଂ ସାମାଜିକ ବିକାଶକୁ ସମର୍ଥନ କରେ। ସାମ୍ପ୍ରତିକ ସମୟର ଆହ୍ବାନ ହେଉଛି ଆଜିର ଆବଶ୍ୟକତାକୁ ପୂରଣ କରିବା ସହିତ ଭବିଷ୍ୟତ ପିଢ଼ି ନିମନ୍ତେ ପୃଥିବୀକୁ ସୁରକ୍ଷିତ ରଖିବା।
ଏପର୍ଯ୍ୟନ୍ତ ଭ୍ରମାତ୍ମକ ଧାରଣାରେ ରହିଛି ଯେ ମାନବ ବ୍ୟବହାର ନିମନ୍ତେ ବିଶ୍ୱରେ ସମ୍ବଳର ଅସୀମ ଭଣ୍ଡାର ମହଜୁଦ ରହିଛି, ପ୍ରକୃତିକୁ ଅତିକ୍ରମ କରିବା ମାନବ ନିମନ୍ତେ ସହଜସାଧ୍ୟ I ଏପରି ମାନସିକତା ଧ୍ବଂସ ସାଧନର ମାର୍ଗକୁ ପ୍ରଶସ୍ତ କରୁଛି। ତେଣୁ ସବୁଜ ପ୍ରଯୁକ୍ତିର ପ୍ରୟୋଗକୁ ଗୁରୁତ୍ୱ ପ୍ରଦାନ କରିବା ବେଳେ ଏପରି ମାନସିକତାରେ ପରିବର୍ତ୍ତନ ଅପରିହାର୍ଯ୍ୟ। ଶକ୍ତି ଉତ୍ପାଦନ କ୍ଷେତ୍ରକୁ ବିଚାର କଲେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ସ୍ବଚ୍ଛ, ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ପରିବର୍ତ୍ତିତ ହେବାର ଆବଶ୍ୟକତା ରହିଛି I
ଏଥିରେ ଅନ୍ତର୍ଭୁକ୍ତ ରହିଛି ସୌର ଶକ୍ତି ଯାହା ସୂର୍ଯ୍ୟକିରଣକୁ ବିଦ୍ୟୁତ ଶକ୍ତିରେ ପରିଣତ କରେ, ପବନ ଶକ୍ତି ଯାହା ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପବନ ଟର୍ବାଇନ୍ର ବ୍ୟବହାର କରେ, ଜଳ ବିଦ୍ୟୁତ୍ ଶକ୍ତି ଯାହା ପ୍ରବାହିତ ଜଳ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରେ, ଭୂ-ତାପ ଶକ୍ତି ଯାହା ପୃଥିବୀ ଗର୍ଭରୁ ମିଳୁଥିବା ଉତ୍ତାପର ବ୍ୟବହାର କରେ ଏବଂ ଜୈବିକ ଶକ୍ତି ଯାହା ଜୀବନ୍ତ ଜୈବପଦାର୍ଥରୁ ଶକ୍ତିର ଉତ୍ପାଦନ କରେ। ଏବେ ଛାତ ଉପରେ ସୌର ପ୍ୟାନେଲ୍ସ ଲଗାଯାଇ ଗୃହ, ଅନୁଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ସ୍ବଚ୍ଛ ବିଦ୍ୟୁତ୍ ଯୋଗାଯାଇ ପାରୁଛି। ଅକ୍ଷୟ ଶକ୍ତିର ଏସବୁ ବିକଳ୍ପ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ କମାଉଛି। ସମ୍ପ୍ରତି ଏ ସମସ୍ତ ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନର ମାର୍ଗ ଯଥେଷ୍ଟ ଅଗ୍ରଗତି ହାସଲ କରିଚାଲିଛି, ଯେଉଁଥିରେ ସବୁଜଗୃହ ବାଷ୍ପ ଉତ୍ପନ୍ନ ନ ହେବା ସହ ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବା ସମ୍ଭବପର ହେବ।
ପରିବହନ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ, ଦକ୍ଷ ଏବଂ ପ୍ରଦୂଷଣମୁକ୍ତ କରିବାରେ ସବୁଜ ପରିବହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ବୈଦ୍ୟୁତିକ ଯାନ(ଇଭି)ର ଅଧିକ ବ୍ୟବହାର କ୍ଷତିକାରକ ଗ୍ୟାସ୍ ନିର୍ଗମନ ହ୍ରାସ କରେ। ସାର୍ବଜନୀନ ପରିବହନ ବ୍ୟବସ୍ଥାର ସଫଳତା ଟ୍ରାଫିକ ଭିଡ଼ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସକ୍ଷମ ହୁଏ। ବୈଦ୍ୟୁତିକ ବସ୍ ଚଳାଚଳ ସ୍ବଚ୍ଛ ସହରାଞ୍ଚଳ ଗତିଶୀଳତାକୁ ସମର୍ଥନ କରେ। ଏଥି ନିମନ୍ତେ ଚାର୍ଜିଂ ଭିତ୍ତିଭୂମିର ବିକାଶ ଏବଂ ସ୍ବଚ୍ଛ ବିଦ୍ୟୁତ୍ ଯୋଗାଣ, ବୈଦ୍ୟୁତିକ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏଥି ସହିତ ସାଇକେଲ ଚାଳନା ଏବଂ ଚାଲିବା ଅଭ୍ୟାସ ହେଉଛି ସ୍ବଚ୍ଛ ଓ ସୁସ୍ଥ ଯାତ୍ରାର ଶ୍ରେଷ୍ଠ ବିକଳ୍ପ। ପ୍ରଯୁକ୍ତିବିଦ୍ୟାର ନବଉନ୍ମେଷ ମଧ୍ୟ ସବୁଜ ଅଟ୍ଟାଳିକା ଏବଂ ସ୍ମାର୍ଟ ସହର ନିର୍ମାଣରେ ବଡ଼ ଭୂମିକା ନିର୍ବାହ କରେ। ଶକ୍ତି ସଂରକ୍ଷଣକାରୀ କୋଠାଗୁଡ଼ିକ କମ୍ ବିଦ୍ୟୁତ୍ ବ୍ୟବହାର କରନ୍ତି। ସବୁଜ ଛାତ ଏବଂ ସହରାଞ୍ଚଳ ବୃକ୍ଷରାଜି ସହରଗୁଡ଼ିକୁ ଶୀତଳ କରିବାରେ ସାହାଯ୍ୟ କରନ୍ତି। ସ୍ମାର୍ଟ ଆଲୋକ ବ୍ୟବସ୍ଥା ଅନାବଶ୍ୟକ ଶକ୍ତି ବ୍ୟବହାରକୁ ହ୍ରାସ କରେ ଏବଂ ବର୍ଷାଜଳ ଅମଳ ଯୋଗୁ ଜଳ ସଂରକ୍ଷଣ ହୁଏ। ସହନୀୟ ସହରୀ ଯୋଜନା ଜୀବନର ଗୁଣବତ୍ତାରେ ଉନ୍ନତି ଘଟାଏ। ଅତଏବ, ପ୍ରାକୃତିକ ଆଲୋକ, ଦକ୍ଷ ବ୍ୟବହାର୍ଯ୍ୟ ଉପକରଣ ଏବଂ ସୌର ପ୍ୟାନେଲ ଥିବା କୋଠାଗୁଡ଼ିକ ଶକ୍ତି ବାବଦ ଖର୍ଚ୍ଚକୁ ନିମ୍ନଗାମୀ କରନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପୁନଃଚକ୍ରଣ ପ୍ରକ୍ରିୟାରେ ଉନ୍ନତି ସାଧନ ସବୁଜ ପ୍ରଯୁକ୍ତିର ଅନ୍ୟ ଏକ ଦିଗ। ବର୍ଜ୍ୟ ପଦାର୍ଥରୁ ସାମଗ୍ରୀର ପୁନରୁଦ୍ଧାର କରୁଥିବା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦ ଏବଂ ସାମଗ୍ରୀ ଅଧିକ ସମୟ ବ୍ୟବହାରରେ ରହିପାରିବ। ଏହା ବର୍ଜ୍ୟବସ୍ତୁ ହ୍ରାସ ଘଟାଇବା ସହ ବୃତ୍ତାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରେ। ବଳକା ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ଜୈବିକ ଆବର୍ଜନାକୁ ଖତରେ ପରିଣତ କରିଥାଏ। ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ପରିତ୍ୟାଗ କରିବା ଅଭ୍ୟାସରେ ପରିଣତ ହେବା ବାଞ୍ଛନୀୟ। ୩-ଆର୍ ନୀତିର ଅନୁସରଣ – ପଦାର୍ଥର ବ୍ୟବହାରରେ ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ ଦ୍ୱାରା ସମ୍ପଦର ସଂରକ୍ଷଣ ହେବ ଏବଂ ବର୍ଜ୍ୟବସ୍ତୁ ଉତ୍ପନ୍ନରେ ହ୍ରାସ ଘଟିବ। ଯଦି ବିଜ୍ଞତାର ସହ ପରିଚାଳନା କରାଯାଏ, ତେବେ ବର୍ଜ୍ୟବସ୍ତୁ ସମ୍ପଦରେ ପରିଣତ ହୋଇପାରିବ। କୃଷି କ୍ଷେତ୍ରରେ ସବୁଜ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ ଭାବରେ ଗୁରୁତ୍ୱପୂର୍ଣ୍ଣ। ଡ୍ରିପ୍ ଜଳସେଚନ ପଦ୍ଧତି ସିଧାସଳଖ ଗଛ ମୂଳକୁ ପାଣି ପହଞ୍ଚାଏ ଏବଂ ମୃତ୍ତିକା ସେନ୍ସରର ବ୍ୟବହାର କୃଷକଙ୍କୁ ପାଣି ଓ ପୁଷ୍ଟିକର ପଦାର୍ଥ ପରିଚାଳନା କରିବାରେ ସାହାଯ୍ୟ କରେ। ଠିକ୍ ପଦ୍ଧତିରେ ଚାଷ କଲେ ଅନାବଶ୍ୟକ ସାର ବ୍ୟବହାର ହ୍ରାସ ହୁଏ। ନବୀକରଣୀୟ ଶକ୍ତିର ଉପଯୋଗରେ ଜଳସେଚନ ପମ୍ପ କାର୍ଯ୍ୟକାରୀ ହୋଇପାରେ। ସହନୀୟ କୃଷି ପଦ୍ଧତି ମୃତ୍ତିକା ଏବଂ ଜୈବବିବିଧତାକୁ ସୁରକ୍ଷା ଦିଏ। ଏସବୁ ପ୍ରକ୍ରିୟା ପ୍ରାକୃତିକ ସମ୍ବଳ ସଂରକ୍ଷଣ କରିବା ସହିତ ଅଧିକ ଦକ୍ଷତାର ସହ ଖାଦ୍ୟ ଉତ୍ପାଦନ କରେ।
ସବୁଜ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ଶକ୍ତି, ଜଳ ଏବଂ କଞ୍ଚାମାଲର ସଂରକ୍ଷଣ ହୁଏ ତଥା ନୂତନ ପରିବେଶ-ଅନୁକୂଳ ନିଯୁକ୍ତି ଏବଂ ନବସୃଜନର ସୁଯୋଗ ସୃଷ୍ଟିହୁଏ। ଉନ୍ନତ ଜନସସ୍ବାସ୍ଥ୍ୟ ଏବଂ ଦୀର୍ଘକାଳୀନ ସ୍ଥାୟିତ୍ୱର ବୃଦ୍ଧି ଘଟେ। ଅନ୍ୟ ପକ୍ଷରେ, ଏଥିରେ ନିହିତ ଆହ୍ବାନ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କେତେକ ପ୍ରଯୁକ୍ତିବିଦ୍ୟାରେ ଉଚ୍ଚ ପ୍ରାରମ୍ଭିକ ନିବେଶ, ଭିତ୍ତିଭୂମି ଏବଂ ବୈଷୟିକ ଦକ୍ଷତା ବିକାଶର ଆବଶ୍ୟକତା, ବ୍ୟାଟେରି ଏବଂ ଇଲେକ୍ଟ୍ରୋନିକ ବର୍ଜ୍ୟର ପୁନଃଚକ୍ରଣ ଓ ନିଷ୍କାସନ ତଥା ସ୍ବଚ୍ଛ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସମସ୍ତଙ୍କର ସମାନ ପ୍ରବେଶର ସୁଯୋଗ। ସମାଧାନର ପନ୍ଥା ହେଉଛି ଉନ୍ନତ ଗବେଷଣା, ଶିକ୍ଷା, ସହାୟକ ନୀତି ଏବଂ ସୁଲଭ ସବୁଜ ଉଦ୍ଭାବନରେ ନିବେଶ ବୃଦ୍ଧି କରିବା। ଏକ ଉତ୍ତମ ଭବିଷ୍ୟତ ଗଢ଼ିବା ନିମନ୍ତେ ସବୁଜ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଅପରିହାର୍ଯ୍ୟ। ଏହା ଦ୍ୱାରା ଜନସାଧାରଣ ଶକ୍ତି ସଂରକ୍ଷଣ, ଜଳ ସଂରକ୍ଷଣ ଏବଂ ବର୍ଜ୍ୟବସ୍ତୁ ହ୍ରାସ କରିପାରିବେ। ପ୍ରତ୍ୟେକ ବ୍ୟକ୍ତି ଏଥିରେ ଯୋଗଦାନ ରଖିପାରିବେ। ସର୍ବୋପରି, ଏଥି ନିମନ୍ତେ ସରକାର ଏବଂ ଶିଳ୍ପସଂସ୍ଥାମାନେ ସ୍ଥାୟୀ ସମାଧାନରେ ଅଧିକ ନିବେଶ କରିବା ଅତ୍ୟନ୍ତ ପ୍ରୟୋଜନୀୟ। ଆମ ପାଖରେ ଏକ ବିକଳ୍ପ ଗ୍ରହ ଉପଲବ୍ଧ ନ ଥିଲା ବେଳେ ଆସନ୍ତୁ, ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ମାଧ୍ୟମରେ ପୃଥିବୀକୁ ପରବର୍ତ୍ତୀ ପିଢ଼ି ନିମନ୍ତେ ସୁରକ୍ଷିତ ରଖିବା।
-କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦
ଡ. ଜୟକୃଷ୍ଣ ପାଣିଗ୍ରାହୀ

