ଜ୍ଞାନ ଅନ୍ବେଷଣର ମାର୍ଗଦର୍ଶକ

ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଥିବା ନୂଆ ସହକାରୀ ପ୍ରାଧ୍ୟାପକମାନଙ୍କ ସଫଳତା ସେମାନଙ୍କ ଦୀର୍ଘ ଅଧ୍ୟବସାୟ, ତ୍ୟାଗ ଓ ଧୈର୍ଯ୍ୟର ପରିଣାମ। କିନ୍ତୁ ଏହା ଯାତ୍ରାର ଶେଷ ନୁହେଁ, ବରଂ ଏକ ନୂତନ ଓ ଗୁରୁଦାୟିତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ। ଆପଣମାନେ ଏବେ ଏପରି ଏକ ଅନୁଷ୍ଠାନରେ ପ୍ରବେଶ କରିବେ, ଯାହାକୁ ମାନବ ସମ୍ବଳ ଗଠନର କାରଖାନା କୁହାଯାଇପାରେ। ଏଠାରେ ଗଢ଼ାଯାଏ ଚରିତ୍ର, ଚେତନା, ଦକ୍ଷତା ଓ ଭବିଷ୍ୟତର ନାଗରିକ। ତେଣୁ ଏହି ଦାୟିତ୍ୱ କେବଳ ଏକ ଚାକିରି ନୁହେଁ, ଏକ ସାମାଜିକ ଦାୟବଦ୍ଧତା।
ପ୍ରଥମେ ମନେରଖିବା ଉଚିତ, ଜଣେ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କର ପ୍ରଥମ ପାଠ୍ୟପୁସ୍ତକ। ତାଙ୍କର ଭାଷା, ଉଚ୍ଚାରଣ, ଆଚରଣ, ପୋଷାକ, ସମୟାନୁବର୍ତ୍ତିତା ଓ ସାମାଜିକ ବ୍ୟବହାରରେ ଶିକ୍ଷକୀୟ ଆଦର୍ଶ ପ୍ରତିଫଳିତ ହେବା ଆବଶ୍ୟକ। ଛାତ୍ରୀଛାତ୍ର କେବଳ ଶ୍ରେଣୀଗୃହରେ ଶିକ୍ଷକଙ୍କଠାରୁ ଶିଖନ୍ତି ନାହିଁ; ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଅନୁସରଣ କରନ୍ତି। ଦ୍ୱିତୀୟତଃ, ଶାରୀରିକ ସୁସ୍ଥତା ଓ ମାନସିକ ସଂଯମକୁ ଜୀବନର ଅଂଶ କରନ୍ତୁ। ନୂତନ ଦରମାର ଆକର୍ଷଣରେ ଅସଂଯମୀ ଜୀବନଶୈଳୀରେ ନିଜକୁ ହଜାଇ ଦିଅନ୍ତୁ ନାହିଁ। ବ୍ୟକ୍ତିଗତ ଜୀବନରେ ନୈତିକତା ଓ ପାରିବାରିକ ମୂଲ୍ୟବୋଧର ସୁରକ୍ଷା ଜାରୁରୀ।
ତୃତୀୟତଃ, ନିଯୁକ୍ତିକୁ ଶିକ୍ଷାର ଶେଷ ସୋପାନ ଭାବିବା ଉଚିତ ନୁହେଁ। ଅଧ୍ୟାପନା ସହିତ ଗବେଷଣା ବୃତ୍ତିଗତ ଜୀବନର ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ। ଉଚ୍ଚମାନର ଗବେଷଣା ପତ୍ର, ପ୍ରତିଷ୍ଠିତ ଜର୍ନାଲରେ ପ୍ରକାଶନ, ପୁସ୍ତକ ଓ ପୁସ୍ତକ ଅଧ୍ୟାୟ ରଚନା, ଇ-କଣ୍ଟେଣ୍ଟ ନିର୍ମାଣ ଓ ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ମାଧ୍ୟମରେ ନିଜର ଶୈକ୍ଷିକ ପରିଚୟ ଦୃଢ଼କରିବା ଦରକାର। ପଦୋନ୍ନତି ପାଇଁ ଆବଶ୍ୟକ ଏକାଡେମିକ ଯୋଗ୍ୟତା ଓ ଏପିଆଇ/ସମ୍ପର୍କିତ ନିୟମାବଳୀ ବିଷୟରେ ଆରମ୍ଭରୁ ସଚେତନ ରୁହନ୍ତୁ। ତେବେ ପ୍ରକାଶନ କେବଳ ସଂଖ୍ୟା ବଢ଼ାଇବାର ମାଧ୍ୟମ ନ ହେଉ। ଗବେଷଣାର ମୌଳିକତା, ନୈତିକତା ଓ ସାମାଜିକ ଉପଯୋଗିତାକୁ ପ୍ରାଧାନ୍ୟ ଦିଅନ୍ତୁ। ନକଲି ଜର୍ନାଲ ଓ ଅନୈତିକ ପ୍ରକାଶନର ପ୍ରଲୋଭନରୁ ଦୂରେଇ ରୁହନ୍ତୁ। ନିଜ ଗବେଷଣାକୁ କେବଳ ବିଦେଶୀ ପରିପ୍ରେକ୍ଷୀରେ ସୀମିତ ନ ରଖି ଓଡ଼ିଶାର ଆଞ୍ଚଳିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସମସ୍ୟା ସହିତ ଯୋଡ଼ନ୍ତୁ। ଆଦିବାସୀ ସମାଜ, ଗ୍ରାମୀଣ ଅର୍ଥନୀତି, ମହିଳା ସଶକ୍ତୀକରଣ, ଶିକ୍ଷା, ନିଯୁକ୍ତି ଓ ପରିବେଶ ଭଳି ବିଷୟରେ ଗବେଷଣା ରାଜ୍ୟର ବିକାଶକୁ ଦିଗ୍‌ଦର୍ଶନ ଦେଇପାରିବ। ନିଜ ଯୋଗ୍ୟତା ଅନୁସାରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର, ଫେଲୋଶିପ, ଗବେଷଣା ଅନୁଦାନ ଓ ବିଭିନ୍ନ ଏକାଡେମିକ ପ୍ରତିଯୋଗିତା ପାଇଁ ଆବେଦନ କରନ୍ତୁ।
ଚତୁର୍ଥତଃ, ଆଜିର ଶିକ୍ଷାଜଗତ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଶିକ୍ଷା, ଅନ୍‌ଲାଇନ ଗବେଷଣା ଓ ନୂତନ ଶିକ୍ଷଣ ପଦ୍ଧତି ଦ୍ୱାରା ପରିବର୍ତ୍ତିତ ହେଉଛି। ନୂତନ ପ୍ରଯୁକ୍ତିକୁ ଗ୍ରହଣ କରନ୍ତୁ, କିନ୍ତୁ ତାହାର ଅପବ୍ୟବହାର ନ ହେଉ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଶ୍ନ କରିବାର ମନୋଭାବ, ଯୁକ୍ତିଶୀଳ ଚିନ୍ତନ, ଗବେଷଣା ପ୍ରବୃତ୍ତି ଓ ସୃଜନଶୀଳତା ବିକାଶ କରନ୍ତୁ। ଶିକ୍ଷକ ଜ୍ଞାନର ଏକମାତ୍ର ଉତ୍ସ ନୁହନ୍ତି; ସେ ଜ୍ଞାନ ଅନ୍ବେଷଣର ମାର୍ଗଦର୍ଶକ। ପଞ୍ଚମତଃ, ଓଡ଼ିଶା ସର୍ଭିସ କୋଡ, ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ଓଡ଼ିଶା ଆର୍ଥିକ ନିୟମାବଳୀ, ଆଟିଆଇ ଆଇନ ଏବଂ ନିଜ ବିଶ୍ୱବିଦ୍ୟାଳୟର ଆଇନ, ନିୟମ ଓ ନିର୍ଦ୍ଦେଶାବଳୀ ଜାଣିବା ଆବଶ୍ୟକ। ସରକାରୀ ଅର୍ଥ, ଛାତ୍ରୀଛାତ୍ରଙ୍କ ତଥ୍ୟ ଓ ଅନୁଷ୍ଠାନର ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା ଓ ଦାୟିତ୍ୱବୋଧ ରଖନ୍ତୁ। ବରିଷ୍ଠ ଅଧ୍ୟାପକମାନେ ନବାଗତଙ୍କୁ ମାର୍ଗଦର୍ଶନ କରନ୍ତୁ ଓ ସେମାନଙ୍କ ସଫଳତାରେ ଆନନ୍ଦିତ ହୁଅନ୍ତୁ। ଯୁବ ଅଧ୍ୟାପକମାନେ ମଧ୍ୟ ବରିଷ୍ଠଙ୍କ ଅଭିଜ୍ଞତାକୁ ସମ୍ମାନ ଦେଇ ସେମାନଙ୍କଠାରୁ ଶିଖନ୍ତୁ। ଆଜିର ଯୁବଶକ୍ତି ଆସନ୍ତାକାଲି ଅନୁଷ୍ଠାନର ନେତୃତ୍ୱ ନେବ। ତେଣୁ ଅନୁଭବ ଓ ନୂତନ ଚିନ୍ତାଧାରାର ସମନ୍ବୟ ଅତ୍ୟନ୍ତ ଜରୁରୀ।
ଶେଷରେ, ଜାତୀୟ ଏକତା, ସାମାଜିକ ସମାନତା ଓ ମାନବୀୟ ମୂଲ୍ୟବୋଧର ପ୍ରସାରରେ ନିଜକୁ ସାମିଲ କରନ୍ତୁ। ପରିଶେଷରେ ଏତିକି କୁହାଯାଇପାରେ, ଏକ ନିଯୁକ୍ତିପତ୍ର ଆପଣଙ୍କୁ ଅଧ୍ୟାପକର ପରିଚୟ ଦେଇପାରେ, କିନ୍ତୁ ଆପଣଙ୍କ ଜ୍ଞାନ, ଚରିତ୍ର, ଗବେଷଣା ଓ ସାମାଜିକ ଅବଦାନ ଆପଣଙ୍କୁ ଜଣେ ଆଦର୍ଶ ଶିକ୍ଷକର ମର୍ଯ୍ୟାଦା ଦେବ। ଦରମା ନିଅନ୍ତୁ, କିନ୍ତୁ ଦାୟିତ୍ୱ ଭୁଲନ୍ତୁ ନାହିଁ; ପଦୋନ୍ନତି ଲକ୍ଷ୍ୟ ରଖନ୍ତୁ, କିନ୍ତୁ ଜ୍ଞାନର ସାଧନା ତ୍ୟାଗ କରନ୍ତୁ ନାହିଁ। ନିଜକୁ ଏପରି ଗଢ଼ନ୍ତୁ ଯେ ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ କାର୍ଯ୍ୟ, ଚିନ୍ତାଧାରା ଓ ଛାତ୍ରୀଛାତ୍ରଙ୍କ ସଫଳତା ଏକ ପରିଚୟ ବହନ କରୁଥିବ।

ଅରୁଣ କୁମାର ତ୍ରିପାଠୀ

ଜୟପୁର, ମୋ:୯୦୭୮୮୩୮୬୨୭

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକରେ ନଦୀ ହଜୁଛି

କାର୍ତ୍ତିକ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଆ ଜାତି ପାଇଁ କେବଳ ଏକ ପର୍ବ ନୁହେଁ ଏହା ହେଉଛି ଆମର ଇତିହାସ, ଐତିହ୍ୟ, ଆସ୍ଥା ଓ…

ଆର୍ଥିକ ଅସମାନତା ଚିନ୍ତା

ମୁଁ ନିକଟରେ ଦୁଇଟି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ଫେରିଛି। ଗୋଟିଏ ଥିଲା ସାଂଘାଇରେ ଅନୁଷ୍ଠିତ ବଣ୍ଡ୍‌ ସମ୍ମିଳନୀ ଏବଂ ଅନ୍ୟଟି ମୁମ୍ବାଇ ଲିଟ୍‌ଫେଷ୍ଟ। ସାଂଘାଇ ବୈଠକରେ ଆମ…

ପ୍ରକୃତ ନେତୃତ୍ୱ

ଧାରଣରେ ଧାରଣା ରହିଛି ଯେ, ଜଣେ ଅସାଧାରଣ ବ୍ୟକ୍ତି ସମଗ୍ର ବିଶ୍ୱକୁ ରକ୍ଷା କରିପାରିବେ। ଆଧୁନିକ ନେତୃତ୍ୱ ବି ଏହି ଧାରଣା ଉପରେ ଆଧାରିତ। ସେଥିପାଇଁ ରାଜନେତାମାନେ…

ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ…

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?