ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ ନ ଦେଇ ନିର୍ଯାତନା ଦେବା କେତେ ଭୟାବହ ତାହା ସରକାରୀ ରିପୋର୍ଟ କହେ। ଭାରତରେ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ସଂଖ୍ୟା ଏବେ ୧୨ କୋଟିରୁ ଅଧିକ, ୨୦୩୬ ସୁଦ୍ଧା ଏହା ୨୩ କୋଟି ଟପିବ ବୋଲି ଜନସଂଖ୍ୟା ପୂର୍ବାନୁମାନ ସମୂହ କହୁଛି, ୨୦୫୦ ସୁଦ୍ଧା ୩୧.୯ କୋଟିରେ ପହଞ୍ଚତ୍ବ। ଦେଶ ଗଢ଼ିଥିବା ଏହି ବିଶାଳ ଜନସମୁଦ୍ର ଆଜି ଅସୁରକ୍ଷିତ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ସଦ୍ୟ ତଥ୍ୟ ଅନୁସାରେ ୨୦୨୪ରେ ବରିଷ୍ଠ ନାଗରିକଙ୍କ ବିରୋଧରେ ମୋଟ ୩୨,୬୦୨ଟି ମାମଲା ପଞ୍ଜୀକୃତ ହୋଇଛି, ଯାହା ୨୦୨୩ ତୁଳନାରେ ୧୬.୯% ବୃଦ୍ଧି। ଏଥିରେ ଚୋରି ୪,୭୮୬, ଠକେଇ ୪,୪୫୧ ଏବଂ ହତ୍ୟା ୧,୨୨୯। କିନ୍ତୁ ଏହା କେବଳ ଥାନାରେ ଲେଖା ହୋଇଥିବା ସଂଖ୍ୟା, ଘର ଭିତରେ ଭାତ ନ ଦେବାର ହିସାବ କେହି ରଖେ ନାହିଁ।
ହେଲ୍ପ ଏଜ୍‌ ଇଣ୍ଡିଆର ୨୦୨୪ ଜାତୀୟ ସର୍ବେକ୍ଷଣ ୨୦ଟି ସହରର ୫,୧୬୯ ଜଣ ବୃଦ୍ଧଙ୍କ ଉପରେ କରାଯାଇଥିଲା। ସର୍ବେକ୍ଷଣ ଅନୁଯାୟୀ, ଦେଶର ୮୨% ବୃଦ୍ଧ ପରିବାର ସହ ରୁହନ୍ତି, କିନ୍ତୁ ପରିବାର ହିଁ ନିର୍ଯାତନାର ମୁଖ୍ୟ ରଙ୍ଗମଞ୍ଚ। ୭% ବୃଦ୍ଧ କହିଛନ୍ତି, ସେମାନେ ନିର୍ଯାତିତ। ୫% ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛନ୍ତି, ଯାହାର ନୀରବତା ଅନେକ କିଛି କହେ। ନିର୍ଯାତିତଙ୍କ ମଧ୍ୟରୁ ୪୨% ନିଜ ପୁଅକୁ ମୁଖ୍ୟ ଅପରାଧୀ କହିଛନ୍ତି, ୨୮% ବୋହୂକୁ। ଅନ୍ୟ ଏକ ରିପୋର୍ଟରେ ୩୫% ପୁଅ ଓ ତା’ ପରେ ବୋହୂ। ବୃଦ୍ଧା ମହିଳାଙ୍କ ଅବସ୍ଥା ଆହୁରି ଶୋଚନୀୟ, ୧୬% ବୃଦ୍ଧା ନିର୍ଯାତନାର ଶିକାର, ସେମାନଙ୍କ ମଧ୍ୟରୁ ୫୦% ଶାରୀରିକ ହିଂସା, ୪୬% ଅପମାନ ଓ ୪୦% ମାନସିକ ନିର୍ଯାତନା ସହୁଛନ୍ତି। ଏହି ନିର୍ଯାତନାର ରୂପ ହେଉଛି ରୋଷେଇ ଘରୁ ବାହାର କରିଦେବା, ଅଲଗା ଚୁଲିରେ ରାନ୍ଧିବାକୁ ବାଧ୍ୟ କରିବା, ଯେମିତି ମୁମ୍ବାଇର ଏକ ଘଟଣାରେ ବୋହୂ ଶାଶୁକୁ ରୋଷେଇ ନକରି ପଡ଼ୋଶୀ ପାଖରୁ ମାଗି ଖାଇବାକୁ ବାଧ୍ୟ କରିଥିଲା।
ଓଡ଼ିଶାର ଚିତ୍ରପଟ ଏହି ଜାତୀୟ ବେଦନାର ଏକ କ୍ଷୁଦ୍ର ପ୍ରତିଛବି ନୁହେଁ, ବରଂ ଅଧିକ ଗାଢ଼। ରାଜ୍ୟରେ ବୃଦ୍ଧସଂଖ୍ୟା ୧୯୯୧ରେ ୨୨.୮୧ ଲକ୍ଷ ଥିଲା, ୨୦୦୧ରେ ୩୦.୩୯ ଲକ୍ଷ, ୨୦୧୧ରେ ୩୯.୮ ଲକ୍ଷ ଏବଂ ୨୦୨୬ ସୁଦ୍ଧା ୬୨.୬୯ ଲକ୍ଷରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ ପ୍ରତି ୭ ଜଣରୁ ଜଣେ ବୃଦ୍ଧ। କିନ୍ତୁ ସେମାନଙ୍କ ପାଇଁ ସମାଜ କେତେ ପ୍ରସ୍ତୁତ? ଜନଗଣନା କହେ, ଓଡ଼ିଶାରେ ୨,୦୮,୮୦୯ ପରିବାରରେ ଜଣେ ବୃଦ୍ଧ ଏକା ରୁହନ୍ତି, ତା’ ମଧ୍ୟରୁ ୭୧.୮% ବୃଦ୍ଧା ମହିଳା, ଯେଉଁମାନେ ବିଧବା, ନିରକ୍ଷର, ଭୂମିହୀନ। ଏହି ଏକାକୀତ୍ୱ ହିଁ ଅନ୍ନହୀନତାର ପ୍ରଥମ ସୋପାନ। ଏନ୍‌ସିଆର୍‌ବି ଅନୁସାରେ, ଓଡ଼ିଶାରେ ୨୦୨୧ରେ ୨୧୦ ମାମଲା ଥିଲା ବେଳେ ୨୦୨୨ରେ ୫୫୧ଟି ହୋଇ ୧୬୨% ବୃଦ୍ଧି ଘଟିଲା। ଆଜି ଗଁା ଗଁାରେ ଅଭିଯୋଗ ଯେ, ପୁଅ ବାହାରେ କାମ କରୁଛି, ବୋହୂ ଶାଶୁକୁ ଦୁଇ ଓଳି ଭାତ ଦେବାକୁ ବୋଝ ମନେକରୁଛି। କେନ୍ଦ୍ର ସରକାରଙ୍କ ଏଲ୍‌ଡର ଲାଇନ ୧୪୫୬୭ରେ ସାରା ଦେଶରେ ୨୦୨୧ରୁ ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୯ ଲକ୍ଷରୁ ଅଧିକ କଲ୍‌ ଆସିଛି, ସେଥିରୁ ୮.୬୭ ଲକ୍ଷ କଲ୍‌ କାର୍ଯ୍ୟାନୁଷ୍ଠାନଯୋଗ୍ୟ, ଯାହା ମଧ୍ୟରୁ ଅଧିକାଂଶ ଖାଦ୍ୟ, ଔଷଧ ଓ ମାଡ଼ ସମ୍ବନ୍ଧୀୟ। ଓଡ଼ିଶାରେ ଏହି ହେଲ୍ପଲାଇନ ୨୦୨୦ ଅକ୍ଟୋବରରୁ କାର୍ଯ୍ୟ କରୁଛି, ଅନେକ ବୃଦ୍ଧ ନିଜ ରୋଷେଇ ଘରୁ ବିତାଡ଼ିତ ହେବା କଥା ଏହି ନମ୍ବରରେ କାନ୍ଦି କାନ୍ଦି କହୁଛନ୍ତି।
ଏହି ନିର୍ଯାତନାର ପ୍ରଥମ କାରଣ ହେଉଛି ଆର୍ଥିକ ପରାଧୀନତା। ହେଲ୍ପ ଏଜ୍‌ କହୁଛି ୬୫% ବୃଦ୍ଧ ଆର୍ଥିକ ଅନିଶ୍ଚିତତାରେ ଅଛନ୍ତି, ତିନି ଜଣରୁ ଜଣେ ଗତ ବର୍ଷେ ହେଲା କୌଣସି ରୋଜଗାର କରିନାହାନ୍ତି, ମହିଳାଙ୍କ ମଧ୍ୟରେ ଏହା ୩୮%। ୭୫% ବୃଦ୍ଧାଙ୍କ ପାଖରେ ସଞ୍ଚୟ ନାହିଁ, ୬୬%ଙ୍କ ନାମରେ ସମ୍ପତ୍ତି ନାହିଁ। ମାତ୍ର ୩୧%ଙ୍କ ପାଖରେ ସ୍ବାସ୍ଥ୍ୟ ବୀମା ଅଛି। ଦ୍ୱିତୀୟ କାରଣ ହେଉଛି ଯୌଥ ପରିବାରର ବିଘଟନ ଓ ପଳାୟନ। ପୁଅ ସୁରଟ, ବୋହୂ ଘରେ ଏକା, ଶାଶୁକୁ ବୋଝ ଭାବେ। ତୃତୀୟ କାରଣ ହେଉଛି ମୂଲ୍ୟବୋଧର ଅବକ୍ଷୟ ଓ ସମ୍ପତ୍ତି ଲୋଭ। ପୁଅ ଭାବେ ବାପା ଜମି ଦେଇସାରିଲା ପରେ ତାର ଆବଶ୍ୟକତା ନାହିଁ, ବୋହୂ ଭାବେ ଶାଶୁ ଅଛି ବୋଲି ତାର ସ୍ବାଧୀନତାରେ ବାଧା। ଏହି ମାନସିକତାରୁ ଜନ୍ମନିଏ ଅନ୍ନ ବନ୍ଦ କରିଦେବାର ଅସ୍ତ୍ର।
କିନ୍ତୁ ଧର୍ମଶାସ୍ତ୍ରର ବାଣୀ ସହ ଆଇନ ମଧ୍ୟ ଅଛି। ମାତାପିତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭ର ଧାରା ୪ କହେ- ସନ୍ତାନ ମାତାପିତାଙ୍କୁ ଭରଣପୋଷଣ କରିବାକୁ ବାଧ୍ୟ। ଧାରା ୯ ଅନୁସାରେ ଉପ-ଜିଲାପାଳଙ୍କ ଟ୍ରିବ୍ୟୁନାଲ ମାସିକ ୧୦ ହଜାର ପର୍ଯ୍ୟନ୍ତ ଭତ୍ତା ଧାର୍ଯ୍ୟ କରିପାରେ। ଧାରା ୨୩ କହେ- ଯଦି ସମ୍ପତ୍ତି ନେଇ ସନ୍ତାନ ଅବହେଳା କରେ, ତେବେ ଦାନପତ୍ର ବାତିଲ ହେବ। ଧାରା ୨୪ରେ ତିନି ମାସ ଜେଲ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାଲେଶ୍ୱରର ୮୩ ବର୍ଷୀୟା ବିଧବା ମାମଲାରେ କହିଛନ୍ତି ଯେ, ଏହି ଆଇନର ଧାରା ୧୬ ଅନୁସାରେ କେବଳ ବୃଦ୍ଧ ମାତାପିତା ଅପିଲ କରିପାରିବେ, ପୁଅ ନୁହେଁ। ଏହା ବରିଷ୍ଠ ନାଗରିକଙ୍କ ମର୍ଯ୍ୟାଦାରକ୍ଷାର ଆଇନ। ଏହା ବ୍ୟତୀତ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫ ଓ ୮୬ ଏବଂ ଘରୋଇ ହିଂସା ନିବାରଣ ଆଇନରେ ମଧ୍ୟ ସୁରକ୍ଷା ଅଛି। କିନ୍ତୁ ଦୁଃଖର କଥା, ଏହି ଆଇନ ବିଷୟରେ ମାତ୍ର ୯% ବୃଦ୍ଧ ଜାଣିଛନ୍ତି, ବୃଦ୍ଧାଙ୍କ ମଧ୍ୟରେ ମାତ୍ର ୩%।
ଶେଷରେ ଗୋଟିଏ କଥା। ଯେଉଁ ଘରେ ମା’ବାପାଙ୍କ ଥାଳି ଖାଲିପଡ଼େ, ସେ ଘରେ ଲକ୍ଷ୍ମୀ ରହେ ନାହିଁ। ଅନ୍ନ ଦେବା କେବଳ କର୍ତ୍ତବ୍ୟ ନୁହେଁ, ଏହା ମନୁଷ୍ୟତାର ପ୍ରତୀକ। ଆଜି ଯଦି ଆମେ ବୃଦ୍ଧ ମାତାପିତାଙ୍କୁ ଗୋଟିଏ ମୁଠା ଅନ୍ନ ଦେଇ ପାରିଲୁ ନାହିଁ, ତେବେ କାଲି ଆମ ସନ୍ତାନ ଆମକୁ ପାଣି ମୁନ୍ଦିଏ ଦେବ ବୋଲି ଆଶା କରିବା ବୃଥା।
ଗୌରାଙ୍ଗପାଟଣା, ରମ୍ଭା, ଗଞ୍ଜାମ
ମୋ: ୯୩୯୦୫୮୦୬୨୮

ଶ୍ରୀଧର ବେହେରା

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

ଏଇ ଭାରତରେ

ରାଜସ୍ଥାନ ଥର୍‌ ମରୁଭୂମିରେ ଓଟମାନେ ଖାଦ୍ୟ ପାଇଁ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି। ଏହା ହ୍ରାସ ପାଇଲେ ଓଟ ପାଳନ କରିବା କଷ୍ଟକର ହୋଇଯିବ। ଏଣୁ…

ଶିକୁଳିରେ ଗଣମାଧ୍ୟମ

ଭାରତରେ ମୁକ୍ତ ଏବଂ ଉତ୍ତରଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର ଭୂମିକା ଅବସରରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ । ଏହି ଦିନଟି ପ୍ରେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?