ପ୍ରକୃତ ନେତୃତ୍ୱ

ଧାରଣରେ ଧାରଣା ରହିଛି ଯେ, ଜଣେ ଅସାଧାରଣ ବ୍ୟକ୍ତି ସମଗ୍ର ବିଶ୍ୱକୁ ରକ୍ଷା କରିପାରିବେ। ଆଧୁନିକ ନେତୃତ୍ୱ ବି ଏହି ଧାରଣା ଉପରେ ଆଧାରିତ। ସେଥିପାଇଁ ରାଜନେତାମାନେ ଦେଶର ପୁନରୁତ୍ଥାନର ପ୍ରତିଶ୍ରୁତି ଦିଅନ୍ତି। କର୍ପୋରେଟ ନେତାମାନେ ମାନବଜାତିର ଭାଗ୍ୟ ବଦଳାଇବାର ମତ ରଖନ୍ତି। ଉଦ୍ୟୋଗୀମାନେ ବ୍ୟାପକ ପରିବର୍ତ୍ତନ ଆଣିବାର କଥା କୁହନ୍ତି। ସାମାଜିକ କର୍ମୀମାନେ ନ୍ୟାୟ ଦେବାର ପ୍ରତିଶ୍ରୁତି ଦିଅନ୍ତି। ପ୍ରତ୍ୟେକ ନେତା ଚାହାନ୍ତି, ଇତିହାସକୁ ବଦଳାଇ ଦେଇଥିବା ବ୍ୟକ୍ତି ଭାବରେ ସେମାନଙ୍କୁ ମନେ ରଖାଯାଉ। ଆଧୁନିକ ନେତୃତ୍ୱରେ ସଫଳତାକୁ ନେତାଙ୍କ ଲୋକପ୍ରିୟତା, ପ୍ରଭାବ ଓ ପ୍ରଶଂସା ଦ୍ୱାରା ମପାଯାଏ। ଅନୁଗାମୀଙ୍କ ସଂଖ୍ୟା ତାଙ୍କ ମହାନତାର ପ୍ରମାଣ ହୋଇଯାଏ। ଏପରି କି ସେବା ଏକ ପ୍ରଦର୍ଶନରେ ପରିଣତ ହୁଏ। କିନ୍ତୁ ଭାରତୀୟ ପୁରାଣ ଭଗବାନ ବିଷ୍ଣୁଙ୍କ ମାଧ୍ୟମରେ ନେତୃତ୍ୱର ଏକ ସମ୍ପୂର୍ଣ୍ଣ ଭିନ୍ନ ଧାରଣା ଉପସ୍ଥାପନ କରେ।
ବିଷ୍ଣୁ ବିଶ୍ୱକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି ନାହିଁ। କାରଣ ସେ ଜାଣନ୍ତି ଯେ ଏହି ବିଶ୍ୱକୁ ସବୁଦିନ ପାଇଁ ରକ୍ଷା କରାଯାଇପାରିବ ନାହିଁ। ପ୍ରତ୍ୟେକ ଯୁଗର ନିଜସ୍ୱ ରାମାୟଣ ଅଛି। ପ୍ରତ୍ୟେକ ଯୁଗର ନିଜସ୍ୱ ମହାଭାରତ ଅଛି। ପ୍ରତ୍ୟେକ ଶୃଙ୍ଖଳିତ ସମୟ ପରେ ବିଶୃଙ୍ଖଳା ବା ଅଶାନ୍ତି ଆସେ। ପ୍ରତ୍ୟେକ ବିଜୟ ଆଉ ଏକ ସଂଘର୍ଷ ପାଇଁ ବୀଜବପନ କରେ। ଏଠାରେ କୌଣସି ଅନ୍ତିମ ଯୁଦ୍ଧ ନାହିଁ। କୌଣସି ସ୍ଥାୟୀ ସମାଧାନ ନାହିଁ। ଜୀବନର କୌଣସି ଅନ୍ତିମ ପରିଣତି ବା ଚରମ ସୀମା ବି ନାହିଁ।
ରାମାୟଣ କେବଳ ଶ୍ରୀରାମଙ୍କ ବିଜୟର କାହାଣୀ ନୁହେଁ। ଏହା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାମଙ୍କ ଜୀବନର କଥା କହେ। ସେହିପରି ମହାଭାରତ ପାଣ୍ଡବଙ୍କ ବିଜୟ ବିଷୟ ନୁହେଁ, ଏହା ରାଜାମାନଙ୍କର ଅନେକ ପିଢ଼ିର ଜନ୍ମ-ମୃତ୍ୟୁର ଜୀବନଯାତ୍ରାର କାହାଣୀ। ଆମେ ନାୟକ, ଖଳନାୟକ ଏବଂ ସୁଖଦ ସମାପ୍ତି ଖୋଜୁ କାରଣ ଆମକୁ ସେହିଭଳି ଚିନ୍ତା କରିବାକୁ ଶିଖାଯାଇଛି। କିନ୍ତୁ ଏହି ମହାକାବ୍ୟଗୁଡ଼ିକ ଆମକୁ ଅନ୍ୟ ଏକ ସତ୍ୟ ଶିଖାନ୍ତି- ଜୀବନ ହେଉଛି ଜନ୍ମମୃତ୍ୟୁ ଚକ୍ର। ଇତିହାସର ପୁନରାବୃତ୍ତି ହୋଇଥାଏ। ମଣିଷ ଖାଏ, ବଂଶବୃଦ୍ଧି କରି ମୃତ୍ୟୁବରଣ କରେ। ମାନବୀୟ ସ୍ୱଭାବ ଅପରିବର୍ତ୍ତିତ ରହିଥାଏ।
କୌଣସି ଅନ୍ତିମ ବିଜୟ ନ ଥିବାରୁ ନେତୃତ୍ୱ ମାନବଜାତିର ତ୍ରାଣକର୍ତ୍ତା ହୋଇପାରିବ ନାହିଁ। ନେତୃତ୍ୱକୁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ। ଏହାକୁ ଭରସାଯୋଗ୍ୟ ହେବାକୁ ପଡ଼ିବ। ଜଣେ ଭରସାଯୋଗ୍ୟ ନେତା ନିଜକୁ ପ୍ରଶ୍ନ କରନ୍ତି ନାହିଁ, ମୁଁ କିପରି ଅଧିକ ଶକ୍ତିଶାଳୀ ହେବି? ବରଂ ପ୍ରଶ୍ନ କରନ୍ତି, ଅନ୍ୟମାନେ କିପରି ଅଧିକ ଶକ୍ତିଶାଳୀ ହେବେ? ସେ ଅନୁଗାମୀ ସୃଷ୍ଟି କରନ୍ତି ନାହିଁ, ବରଂ ଆତ୍ମନିର୍ଭରଶୀଳ ଓ ପରିପକ୍ୱ ମଣିଷ ସୃଷ୍ଟି କରନ୍ତି।
ଏଥିପାଇଁ ବିଷ୍ଣୁଙ୍କ ପ୍ରତି ଲକ୍ଷ୍ମୀ ତାଙ୍କ ପ୍ରତି ଆକର୍ଷିତ ହୋଇଛନ୍ତି। ସେ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରନ୍ତି ବୋଲି ସମ୍ପତ୍ତି ତାଙ୍କ ପାଖକୁ ଆସିଛି। ସେ ଭୋକିଲାଙ୍କୁ ଖାଇବାକୁ ଦିଅନ୍ତି। ସେ ଭୟାଳୁଙ୍କୁ ରକ୍ଷା କରନ୍ତି। ସେ ଜିଜ୍ଞାସୁଙ୍କୁ ଶିକ୍ଷା ଦିଅନ୍ତି। ସେ ସମସ୍ତଙ୍କୁ ମନେ ପକାଇ ଦିଅନ୍ତି ଯେ ଯିଏ ଖାଏ, ସେ ଅନ୍ୟମାନଙ୍କୁ ଖାଦ୍ୟ ଦେବା ଶିଖିବା ଉଚିତ। ଯେଉଁମାନେ ବିଶ୍ୱକୁ ପୋଷଣ କରନ୍ତି, ସୌଭାଗ୍ୟ ଓ ସମୃଦ୍ଧି ସେମାନଙ୍କ ପାଖକୁ ଆସେ। ଯେଉଁମାନେ କେବଳ ସୁଖ ସମୃଦ୍ଧି ଉପଭୋଗ କରନ୍ତି, ସେମାନଙ୍କଠାରୁ ସୌଭାଗ୍ୟ ଦୂରେଇ ଯାଏ।
ମତ୍ସ୍ୟ ଅବତାର ଏହାକୁ ଅତି ସୁନ୍ଦର ଭାବରେ ବୁଝାଇଥାଏ। ଭଗବାନ ବିଷ୍ଣୁ ପ୍ରଥମେ ଏକ ଛୋଟ ମାଛ ରୂପରେ ପ୍ରକଟ ହୋଇ ମନୁଙ୍କୁ ନିଜର ସୁରକ୍ଷା ପାଇଁ ଅନୁରୋଧ କରିଥିଲେ। ମନୁ ସେହି ମାଛର ଯତ୍ନ ନେଇ ତାକୁ ବଡ଼ କରିଥିଲେ ଏବଂ ଶେଷରେ ସମୁଦ୍ରରେ ରହିଥିଲା। ମହାପ୍ରଳୟବେଳେ ସେହି ବିଶାଳ ମତ୍ସ୍ୟ ରୂପରେ ବିଷ୍ଣୁ ଫେରି ଆସି ମନୁଙ୍କୁ ଉଦ୍ଧାର କରି ଋଣ ପରିଶୋଧ କରିଥିଲେ। ଦୁର୍ୱଳ ଲୋକମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ନ ହେବା ପର୍ଯ୍ୟନ୍ତ ବିଷ୍ଣୁ ସେମାନଙ୍କ ଯତ୍ନ ନେଇଥାନ୍ତିି। ଏହା ହିଁ ପ୍ରକୃତ ନେତୃତ୍ୱ। ଜବନରେ ନିବେଶ ଅର୍ଥାତ ଭଲ କର୍ମ, କର୍ତ୍ତବ୍ୟ ଓ ନିଃସ୍ୱାର୍ଥ ସେବା କରିବା ଏବଂ ଋଣ ପରିଶୋଧ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ମାତାପିତା ସନ୍ତାନଙ୍କୁ ବଡ଼ କରନ୍ତି ଏବଂ ସେମାନେ ଚାହାନ୍ତି ସନ୍ତାନମାନେ ଦାୟିତ୍ୱବାନ ଓ ଆତ୍ମନିର୍ଭରଶୀଳ ମଣିଷ ହୁଅନ୍ତୁ। ଜଣେ ନେତା ମଧ୍ୟ ଠିକ୍‌ ସେହିପରି କରିବା ଉଚିତ।
ନିର୍ଭରଯୋଗ୍ୟ ହେବା ପାଇଁ ସହଯୋଗ ଆବଶ୍ୟକ। ଆମେ ଜାଣିଛୁ ଯେ, ସମୁଦ୍ର ମନ୍ଥନ ସମୟରେ ରତ୍ନ ଓ ଅମୂଲ୍ୟ ସମ୍ପଦ ମିଳିଥିଲା। କିନ୍ତୁ ସେହି ସମ୍ପଦ କିପରି ମିଳିଥିଲା, ସେଥିରୁ ବାସ୍ତବ ଶିକ୍ଷା ମିଳିଥାଏ। ଦେବତା ଓ ଅସୁରମାନେ ପ୍ରଥମେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗୋଟିଏ ରଜ୍ଜୁକୁ ଦୁଇ ପଟୁ ଏକାସାଙ୍ଗରେ ଟାଣିବା ଯୋଗୁ ସେଥିରୁ କେବଳ ବିଷ ବାହାରିଥିଲା। ବିଷ୍ଣୁ ସେମାନଙ୍କୁ କିପରି ମନ୍ଥନ କରାଯାଏ ତାହା ଦେଖାଇଥିଲେ। ଜଣେ ଟାଣିବା ସମୟରେ ଅନ୍ୟ ଜଣକ ଅଟକି ରହିବା ଉଚିତ। ଜଣେ କହିବା ସମୟରେ ଅନ୍ୟ ଜଣେ ଶୁଣିବା ଉଚିତ। ଉତ୍ତମ ବିଚାର କେବଳ ଯୁକ୍ତିତର୍କରୁ ନୁହେଁ, ବରଂ ଅର୍ଥପୂର୍ଣ୍ଣ ଆଲୋଚନାରୁ ଜନ୍ମ ନିଏ। କ୍ଷୀରକୁ ମନ୍ଥନ କଲେ ଲହୁଣି ମିଳେ, କେବଳ ଜୋରରେ ପିଟିଲେ ନୁହେଁ। ଆଧୁନିକ ସଂଗଠନଗୁଡ଼ିକ ଯୁକ୍ତିତର୍କକୁ ସ୍ୱୀକାର କରନ୍ତି। କିନ୍ତୁ ବିଷ୍ଣୁ ଜିଜ୍ଞାସା ଓ ଜାଣିବାର ଆଗ୍ରହକୁ ଗୁରୁତ୍ୱ ଦିଅନ୍ତି।
ଅଧିକାଂଶ ନେତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ସୀମିତ। ସେମାନେ ତ୍ରୈମାସିକ ଲାଭ, ନିର୍ୱାଚନୀ ବିଜୟ, ସାମାଜିକ ଗଣମାଧ୍ୟମର ପ୍ରଶଂସା ଓ ତୁରନ୍ତ ଫଳାଫଳ ଚାହାନ୍ତି। ହେଲେ ବିଷ୍ଣୁ ସମୟକୁ ଭିନ୍ନ ଭାବେ ଦେଖନ୍ତି। ତାଙ୍କ ଦୃଷ୍ଟିରେ, ବୃହତ୍ତର ସମୟ ଚକ୍ରରେ ମଣିଷ ଜୀବନ କ୍ଷଣିକ ମାତ୍ର। ସେ ଜାଣନ୍ତି ଯେ ପ୍ରତ୍ୟେକ ବିଜୟ ଭିତରେ ତା’ର ପରାଜୟର ବୀଜ ଲୁଚି ରହିଥାଏ। ପାଣ୍ଡବମାନେ ଯୁଦ୍ଧ ଜିତିଲେ କିନ୍ତୁ ନିଜ ସନ୍ତାନମାନଙ୍କୁ ହରାଇଲେ। କୃଷ୍ଣ ନିଜ କର୍ତ୍ତବ୍ୟ ପାଳନ କରି ନିଜ ବଂଶର ବିନାଶ ଦେଖିଲେ। ପ୍ରତ୍ୟେକ କାର୍ଯ୍ୟର ଏପରି କିଛି ପରିଣାମ ରହିଥାଏ, ଯେଉଁଥିରେ ତତ୍କାଳୀନ ଫଳ ମିଳି ନ ଥାଏ। ସେଥିପାଇଁ ଭଗବଦ୍‌ ଗୀତା ଆମକୁ ଫଳାଫଳ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିଜର କର୍ମ ଉପରେ ଧ୍ୟାନ ଦେବାକୁ କୁହେ। ଯେଉଁମାନେ କର୍ମ କରି ଚାଲନ୍ତି, ସେମାନେ ସମାଜରେ ସହନଶୀଳତା ଓ ଦୃଢ଼ତା ସୃଷ୍ଟି କରନ୍ତି। ସେମାନେ ଏପରି ଗଛ ଲଗାନ୍ତି ଯାହାର ଛାଇରେ ସେମାନେ ହୁଏତ କେବେ ବସିପାରିବେ ନାହିଁ। ସେମାନେ ଏପରି ଲୋକଙ୍କୁ ଶିକ୍ଷିତ କରନ୍ତି ଯାହାଙ୍କର ସର୍ୱଶ୍ରେଷ୍ଠ ଅବଦାନ ସେମାନେ ହୁଏତ କେବେ ଦେଖିପାରିବେ ନାହିଁ।
ବଡ଼ କଥା ହେଉଛି, ବିଷ୍ଣୁ ବୁଝନ୍ତି ଯେ ପ୍ରତ୍ୟେକ ମଣିଷ ଏକ ଭିନ୍ନ ଭାବନା ଭିତରେ ବଞ୍ଚେ। କ୍ଷମତା କେବେ ବି ଭୋକ, ଭୟ କିମ୍ୱା କଳ୍ପନାକୁ ଶେଷ କରିପାରିବ ନାହିଁ। ଲୋକମାନେ ସର୍ୱଦା ଅସହମତ ହେବେ କାରଣ ପ୍ରତ୍ୟେକ ବ୍ୟକ୍ତି ନିଜନିଜର ଚିନ୍ତାଧାରା ଓ ଅନୁଭୂତିକୁ ହିଁ ବାସ୍ତବତା ବୋଲି ବିଶ୍ୱାସ କରନ୍ତି। ବିଷ୍ଣୁ ସମସ୍ତଙ୍କର କଳ୍ପନାକୁ ନିୟନ୍ତ୍ରଣ କରିବାରେ ନିଜର ଶକ୍ତି ନଷ୍ଟ କରନ୍ତି ନାହିଁ। ସେ ନିରନ୍ତର ପୋଷଣ କରିଚାଲନ୍ତି। ସେ ନିରନ୍ତର ରକ୍ଷା କରିଚାଲନ୍ତି। ସେ ଅନ୍ୟମାନଙ୍କୁ ଦାୟିତ୍ୱବାନ ହେବା ପାଇଁ ସେମାନଙ୍କର ସାମର୍ଥ୍ୟକୁ ବୃଦ୍ଧି କରିଥାନ୍ତି। ଆଧୁନିକ ନେତୃତ୍ୱ ଆକର୍ଷଣୀୟ ବ୍ୟକ୍ତିତ୍ୱକୁ ସମ୍ମାନ ଦିଏ। ବିଷ୍ଣୁ ବିଶ୍ୱସନୀୟତାକୁ ସମ୍ମାନ ଦିଅନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନହୀନ ଜନନୀ

ଭାରତୀୟ ସଂସ୍କୃତିରେ ପିତା ସ୍ବର୍ଗ, ପିତା ଧର୍ମ ବୋଲି ଶାସ୍ତ୍ର ଗାନ କରୁଥିଲାବେଳେ ବାସ୍ତବତାର ଆଖଡ଼ାରେ ଚିତ୍ର ବିପରୀତ। ପୁଅବୋହୂ କର୍ତ୍ତୃକ ଜନନୀ ଜନକଙ୍କୁ ଅନ୍ନ ମୁଠାଏ…

ସବୁଜ ପ୍ରଯୁକ୍ତି ଓ ପରିବେଶ ସୁରକ୍ଷା

ମାନବ ସଭ୍ୟତାର ଅଗ୍ରଗତି ସହ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ଅଧିକ ନିର୍ଭରଶୀଳ ହୋଇଚାଲିଛୁ। କିନ୍ତୁ ପୁରାତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ଏଥିରେ ବ୍ୟବହୃତ ଉପକରଣଗୁଡ଼ିକ ମୁଖ୍ୟତଃ ପରିବେଶୀୟ…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?