ଓଲଟା ଲକ୍ଷ୍ୟ

ଆକାର ପଟେଲ

ସ୍ବଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ ଆରମ୍ଭ କରାଯାଇଛି। ଭାରତର ସହରଗୁଡ଼ିକୁ ବର୍ଜ୍ୟ ମୁକ୍ତ କରିବା ଏହାର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଯୋଜନା ଘୋଷଣା କଲାବେଳେ ସେ କହିଥିଲେ ଯେ, ସ୍ବଚ୍ଛତାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ସହରଗୁଡ଼ିକରେ ପାହାଡ଼ ଭଳି ଗଦା ହୋଇଥିବା ବର୍ଜ୍ୟକୁ ପ୍ରୋସେସିଂ କରାଯାଇ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ଦୀର୍ଘଦିନ ହେବ ଦିଲ୍ଲୀର ଏଭଳି ଏକ ଅଳିଆ ପାହାଡ଼କୁ ମଧ୍ୟ ଶେଷ କରାଯିବ । ପୂର୍ବର ପରିମଳ ପାଇଁ କାର୍ଯ୍ୟକାରୀ ଦୁଇଟି ଯୋଜନାରେ ବର୍ଜ୍ୟଗଦା ଉପରେ ଧ୍ୟାନ ଦିଆଯାଇ ନ ଥିଲା। ୧୯୯୯ରେ ବାଜପେୟୀ ସରକାର ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ପାଇଁ ଟୋଟାଲ ସାନିଟେସନ ପ୍ରୋଗ୍ରାମ ଆରମ୍ଭ କରିଥିଲେ। ୨୦୧୨ରେ ଏହାକୁ ନିର୍ମଳ ଭାରତ ପ୍ରୋଗ୍ରାମ କୁହାଗଲା । ୨୦୧୪ରେ ସ୍ବଚ୍ଛ ଭାରତ ଅଭିଯାନ ନୂଆ ନାମକରଣ କରାଗଲା। ଏହାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ସମୟରେ ପାଇଖାନା ବିଷୟରେ କିଛି କହି ନ ଥିତ୍ଲେ, ବରଂ ଅଳିଆ ସଫା ଉପରେ ଗୁରୁତ୍ୱ ଦେଇଥିଲେ। ପରେ ୨ ଅକ୍ଟୋବର ୨୦୧୯ରେ ଦେଶର ସମସ୍ତ ଗାଁକୁ ବାହ୍ୟ ମଳମୁକ୍ତ (ଓଡିଏଫ୍‌)ବୋଲି ଘୋଷଣା କରାଗଲା। ଠିକ୍‌ ତା’ପର ମାସରେ ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ (ଏନ୍‌ଏସ୍‌ଓ) ସର୍ଭେ ପ୍ରକାଶ ପାଇଲା। ଦେଶର ୨୮.୭% ଗ୍ରାମୀଣ ପରିବାରରେ ପାଇଖାନା ନ ଥିବା ଏଥିରୁ ଜଣାପଡ଼ିଲା। ୩.୫% ପରିବାରରେ ପାଇଖାନା ଥିଲେ ବି ସେମାନେ ତାହାକୁ ବ୍ୟବହାର କରୁ ନ ଥିଲେ। ୨୦୧୮ମାର୍ଚ୍ଚରେ ଅନେକ ରାଜ୍ୟ ସେମାନଙ୍କୁ ଶତ ପ୍ରତିଶତ ବାହ୍ୟ ମଳମୁକ୍ତ ରାଜ୍ୟ ବୋଲି ଘୋଷଣା କରିଥିଲେ ବି ଏହାର ୬ ମାସ ପରେ ଏନ୍‌ଏସ୍‌ଓ ସର୍ଭେ ପ୍ରକାଶ ପାଇବା ପରେ ତାହା ସେମାନେ ହାସଲ କରି ନ ଥିବା ସ୍ପଷ୍ଟ ହୋଇଗଲା। ସର୍ଭେରୁ ଜଣାପଡ଼ିଲା ଯେ, ଗୁଜରାଟରେ ୭୫.୮%, ମହାରାଷ୍ଟ୍ରରେ ୭୮% ଏବଂ ରାଜସ୍ଥାନରେ ୬୫.୮% ଗ୍ରାମୀଣ ପରିବାରରେ ଯେ କୌଣସି ପ୍ରକାର ବ୍ୟକ୍ତିଗତ ହେଉକି ଗୋଷ୍ଠୀଗତ କିମ୍ବା ଦେୟଯୁକ୍ତ ପାଇଖାନା ଉପଲବ୍ଧ ଥିଲା। କିନ୍ତୁ ସରକାର ଏହି ତିନୋଟି ରାଜ୍ୟକୁ ଓଡିଏଫ୍‌ ଘୋଷଣା କରିଥିତ୍ଲେ। ଗ୍ରାମୀଣ ମଧ୍ୟପ୍ରଦେଶରେ ୭୧% ଓ ତାମିଲନାଡୁରେ ୬୨.୮% ପରିବାରରେ ପାଇଖାନା ଥିବାବେଳେ ଏହି ଦୁଇ ରାଜ୍ୟକୁ ଓଡିଏଫ ମଧ୍ୟ ଘୋଷଣା କରାଗଲା। ଏହା ବ୍ୟତୀତ ୨୦୧୪ ଏବଂ ପରେ ୨୦୧୮ରେ ଇଜା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲେବର ଇକୋନୋମିକ୍ସ ଦ୍ୱାରା ସର୍ଭେ କରାଯାଇଥିଲା। ଘରେ ପାଇଖାନା ଥାଇ ମଧ୍ୟ ଲୋକମାନେ ବାହାରେ ମଳତ୍ୟାଗ କରୁଥିଲେ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଥିଲା। ୨୦୧୪ ରୁ ୨୦୧୮ ମଧ୍ୟରେ ଏମାନଙ୍କ ସଂଖ୍ୟା ୨୩%ରେ ସ୍ଥିର ରହିଥିଲା। ଏହି ସମୟ ମଧ୍ୟରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶରେ ଅତି କମ୍‌ରେ ୪୩% ଗ୍ରାମୀଣ ଲୋକ ବାହାରେ ମଳତ୍ୟାଗ କରୁଥିବା ଜଣାପଡ଼ିଥିଲା।
ଆଉ ଏକ ସମସ୍ୟା ହେଲା, ନିର୍ମାଣ କରାଯାଇଥିବା ପାଇଖାନାଗୁଡ଼ିକରେ ଜଳ ଯୋଗାଣ ବ୍ୟବସ୍ଥା ନ ଥିଲା, ଯେଉଁଥିପାଇଁ ସେଗୁଡ଼ିକ ବ୍ୟବହାର ଅନୁପଯୋଗୀ ଥିଲା। ସଂସାଧନ ଉପଯୋଗରେ ତାଳମେଳର ଅଭାବ ଯୋଗୁ ଏହା ଘଟିଲା। ୨୦୧୬-୧୭ରେ ସ୍ବଚ୍ଛଭାରତ ଅଭିଯାନ ୧୪,୦୦୦ କୋଟି ଟଙ୍କା ପାଇଥିଲାବେଳେ ଗ୍ରାମୀଣ ଜଳ ଭିତ୍ତିଭୂମି ପାଇଁ ଦିଆଯାଇଥିଲା ମାତ୍ର ୬,୦୦୦ କୋଟି ଟଙ୍କା। ଜଳ ସଂସାଧନ ମନ୍ତ୍ରଣାଳୟର ଆକଳନରୁ ଜଣାପଡ଼ିଥିଲା ଯେ, ଗୋଟିଏ ପରିବାର ଲାଗି ଦିନକୁ ମୋଟରେ ୪୦ ଲିଟର ପାଣି ଆବଶ୍ୟକ ଓ ସେଥିରୁ ୧୫ରୁ ୨୦ ଲିଟର ପରିମଳ ପାଇଁ ଦରକାର। କିନ୍ତୁ ଭଲ ଜଳ ଯୋଗାଣ ବ୍ୟବସ୍ଥା ଭିତରେ ଥିବା ଏକ ଗ୍ରାମୀଣ ପରିବାର ଦିନକୁ ୮ରୁ ୧୦ ଲିଟର ପାଣି ପାଉଥିଲେ। ବହୁ ଗାଁରେ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ନ ଥିବା ମନ୍ତ୍ରଣାଳୟର ଆକଳନରୁ ସ୍ପଷ୍ଟ ହୋଇଥିଲା। ତେବେ ଆରମ୍ଭରୁ ବର୍ଜ୍ୟ ଉପରେ ଧ୍ୟାନ ଦିଆ ନ ଯାଇ ପରିମଳ ଉପରେ ଗୁରୁତ୍ୱ ଦିଆଯିବାର ମୁଖ୍ୟ କାରଣ ହେଉଛି, ପରିମଳ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ହେଲେ ପିଲାଙ୍କ ସ୍ବାସ୍ଥ୍ୟରେ କ’ଣ ଉନ୍ନତି ହୋଇଛି ଦେଖିତ୍ବା। ୨୦୧୯-୨୦ର ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେରୁ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟଗୁଡ଼ିକରେ ପିଲାଙ୍କ ପୋଷକ ସ୍ଥିତିକୁ ସୂଚାଉଥିବା ୪ଟି ପ୍ରମୁଖ ସୂଚକାଙ୍କ ୨୦୧୫-୧୬ ସ୍ତର ତୁଳନାରେ ୨୦୧୯-୨୦ରେ ତଳକୁ ଖସିଥିଲା। ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟଗୁଡ଼ିକରେ ପିଲାମାନଙ୍କର ରକ୍ତହୀନତା ଏବଂ ଓ୍ବେଷ୍ଟେଡ୍‌ (ଉଚ୍ଚତା ଅନୁଯାୟୀ କମ୍‌ ଓଜନ)୨୦୦୫- ୬ ଅପେକ୍ଷା ଯଥେଷ୍ଟ ଅଧିକ ଥିଲା। ଏହା ଥିଲା ପ୍ରଗତିର ବିପରୀତ। ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉକ୍ତ ସର୍ଭେ ମଧ୍ୟ ତଥ୍ୟ ପ୍ରକାଶ କରିଥିଲା । ୧୦ଟି ରାଜ୍ୟରେ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ପିଲାମାନଙ୍କଠାରେ ରକ୍ତହୀନତା ଅଧିକ ରହିଥିଲା। ଗୁଜରାଟ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୬ ତୁଳନାରେ ୨୦୧୯-୨୦ରେ ଅଧିକ ପ୍ରତିଶତ ପିଲା ଏଥିରେ ପୀଡ଼ିତ ହୋଇଥିତ୍ଲେ। ୧୦ଟି ରାଜ୍ୟରୁ ୭ଟିରେ ଅଣ୍ଡର୍‌ଓ୍ବେଟ୍‌ (ପିଲାମାନଙ୍କର ବୟସ ଅନୁଯାୟୀ ଓଜନ କମ୍‌ ରହେ) ପ୍ରତିଶତ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ଅଧିକ ରହିଥିଲା। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ସମେତ ଅଧା ରାଜ୍ୟରେ ଡାଇରିଆ ବଢ଼ିଥିବା ଅନୁଧ୍ୟାନରୁ ଜଣାପଡିଥିତ୍ଲା। ବିହାରରେ ଏହା ୨୦୧୫-୧୬ରେ ୧୦.୪% ଥିଲାବେଳେ ୨୦୧୯-୨୦ରେ ପହଞ୍ଚିଥିଲା ୧୩.୭%ରେ।
୨୦୨୧ରେ ଯୋଜନାର ପୁନଃ ନାମକରଣ କରାଯାଇଛି ସ୍ବଚ୍ଛଭାରତ ୨.୦ । ଏହା ୨୦୨୬ ଯାଏ ଚାଲିବ । ପ୍ରାରମ୍ଭିକ ସ୍ବଚ୍ଛ ଭାରତ ଅଭିଯାନରେ ପିଲାଙ୍କ ସ୍ବାସ୍ଥ୍ୟ ଭଳି ବାସ୍ତବ ଲକ୍ଷ୍ୟ ଉପରେ କମ୍‌ ଧ୍ୟାନ ଦିଆଯାଇଥିଲା । କିନ୍ତୁ ୨୦୧୯ ଅକ୍ଟୋବର ୨ରେ ଏହି ଲକ୍ଷ୍ୟ ଓଲଟା ହେବା ଜଣାପଡ଼ିଲା । ପ୍ରଗତି ବିପରୀତ ହେବା ଲକ୍ଷ୍ୟ କରାଗଲା। ଏବେ ଆମେ ପୁଣି ପରିମଳ ଓ ସ୍ବାସ୍ଥ୍ୟ ବଦଳରେ ଅଳିଆ ଗଦା ଏବଂ ବର୍ଜ୍ୟକୁ ଗୁରୁତ୍ୱ ଦେଇ ଅଭିଯାନର ଦ୍ୱିତୀୟ ଭାଗରେ ପାଦ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri