ଶାସକ ଶ୍ରେଣୀର ଅହଂକାର ଓ ବୁଦ୍ଧିଜୀବୀଙ୍କ ନୀରବତା

ଡ. ସନ୍ତୋଷ କୁମାର ମହାପାତ୍ର

ପ୍ରାୟ ଏକ ବର୍ଷରୁ ଊଦ୍ଧର୍‌ବ ଧରି କରୋନା ମହାମାରୀ ଏପରି ଭୟାନକ ସ୍ଥିତିକୁ ମାନବଜାତିକୁ ଠେଲି ଦେଇଛି ଯେ ଜଣେ ଧନୀ ହେଉ ବା ଗରିବ, ସମସ୍ତେ ଆତଙ୍କିତ ବା ଶଙ୍କାକୁଳ ସ୍ଥିତିରେ ଅଛନ୍ତି। ଜୀବନ ସର୍ବଦା ଅନିଶ୍ଚିତ, କିନ୍ତୁ ମହାମାରୀ ଆହୁରି ଅନିଶ୍ଚିତ କରିଦେଇଛି। କିନ୍ତୁ ଯେଉଁ ରାଷ୍ଟ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଥିରୁ ତିନୋଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଦାୟୀ। ଆମେରିକା, ବ୍ରାଜିଲ ରାଷ୍ଟ୍ରପତିଙ୍କ ଅହଂକାର, ବେଖାତିର ଭାବ ଏବଂ ଭାରତ ସରକାର ଆଗରୁ ସତର୍କ ନ ହେବା ଓ ସମ୍ବେଦନଶୀଳତାର ଅଭାବ ହେତୁ ମହାମାରୀ କାୟା ବିସ୍ତାର କରିଛି। ପ୍ରଥମେ ଯେତେବେଳେ ବିଶ୍ୱରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିଲା, ସେତେବେଳେ ବ୍ରାଜିଲ୍‌, ଆମେରିକା ସହିତ କିଛି ପୁଞ୍ଜିବାଦୀ ଦେଶ ଏହାକୁ ପ୍ରତିହତ କରିବା ପରିବର୍ତ୍ତେ ଚାଇନାକୁ ଦୋଷାରୋପ କରିବାରେ ବ୍ୟସ୍ତ ରହିଲେ; ଯାହାର କୁପ୍ରଭାବ ସମଗ୍ର ବିଶ୍ୱ ଅନୁଭବ କରୁଛି।
କିନ୍ତୁ ପ୍ରଥମ ଲହରରୁ ଭାରତ ସରକାର କିଛି ଶିଖି ପଦକ୍ଷେପ ନ ନେବାରୁ, ଆଜି ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ହୋଇଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ଅତିକ୍ରମ କଲାଣି । ଏହି ଅପକୀର୍ତ୍ତି ଆମେରିକା ନାମରେ ଆଗରୁ ଥିଲା। ସେଠାରେ ଗୋଟିଏ ଦିନରେ ସର୍ବାଧିକ ୨୯୭୪୩୦ ସଂକ୍ରମିତ ହୋଇଥିଲେ। ଆଜି ସରକାରଙ୍କର ଅହଂକାର ଯୋଗୁ ଭାରତ ଦୈନିକ ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ପ୍ରଥମ, ମୋଟ ସଂକ୍ରମଣ ଦୃଷ୍ଟିରୁ ବିଶ୍ୱରେ ଆମେରିକା ପରେ ଦ୍ୱିତୀୟ ଏବଂ ମୋଟ ମୃତ୍ୟୁ ଦୃଷ୍ଟିରୁ ବିଶ୍ୱରେ ଆମେରିକା, ବ୍ରାଜିଲ୍‌, ମେକ୍ସିକୋ ପରେ ଚତୁର୍ଥ ସ୍ଥାନରେ ରହିଛି। ସବୁଠାରୁ ଲଜ୍ଜାର ବିଷୟ ହେଉଛି, ନିଜ ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଭାରତରେ କମ୍‌ ମୃତ୍ୟୁହାର ବୋଲି ସରକାର ବାହାବା ନେଉଛନ୍ତି।
ଏବେ ବି ସୁଦ୍ଧା ସଂକ୍ରମିତ ହୋଇଥିବା ବା ମୃତ୍ୟୁବରଣ କରିଥିବା ବା କରୁଥିବା ପରିବାରର ସଦସ୍ୟଙ୍କ ମାନସିକ ଯନ୍ତ୍ରଣା, ଆର୍ଥିକ ସଙ୍କଟ ଏବଂ ଯେଉଁ କୋଟିକୋଟି ଲୋକ ଜୀବିକାର ଉତ୍ସ ହରାଇଛନ୍ତି ବା ହରାଉଛନ୍ତି ତାଙ୍କ ପରିବାରର ଦୁଃସ୍ଥିତି ବିଷୟରେ ଗଣମାଧ୍ୟମରେ ବିଶେଷ ଆଲୋଚନା ହେଉନି କି ଶାସକ ଶ୍ରେଣୀ ଦୁଃଖିତ ଥିଲାପରି ଜଣାପଡ଼ୁନି। ଏହା ହୋଇ ନ ଥିଲେ ଖାଲି ଆର୍ଥିକ ଅଭିବୃଦ୍ଧି, ବିକାଶ କଥା ସରକାର କହନ୍ତେ ନାହିଁ। ଚିନ୍ତାପ୍ରକଟ କରିବା ପରିବର୍ତ୍ତେ ଏଥର ପୂର୍ବ ମହାମାରୀ ଲହର ତୁଳନାରେ କମ୍‌ କ୍ଷତିହେବ ବୋଲି କୁହନ୍ତେ ନାହିଁ। ଯେପରି କମ୍‌ କ୍ଷତି ହେବାଟା ଜରୁରୀ। କିଏ ମଲା କିଏ ହଜିଲା, କିଏ ଦୁଃଖ, ଅଭାବ, ଅନଟନ, ବେକାରି, ଦାରିଦ୍ର୍ୟ, ଭୋକ ଓ ବାସହୀନତାରେ ରହି ଅତ୍ୟନ୍ତ ଦୁଃଖରେ ଜୀବନ କଟାଉଛି, ତାହା ବୁଝିବା ବା ସମାଧାନ କରିବାଟା ତ ଦୂରର କଥା, ଟିକେ ସମବେଦନା ଜଣାଇବା ବା ଦୁଃଖ ପ୍ରକାଶ କରିବା ପାଇଁ କାହା ପାଖରେ ସମୟ ନାହିଁ। ସତେ ଯେପରି ମଣିଷ ଜୀବନ ଆଜି ମୂଲ୍ୟହୀନ। କ୍ଷମତା ପଦପଦବୀ, ଧନ ସମ୍ପଦ ସବୁକିଛି।
ଅନେକ ବୁଦ୍ଧିଜୀବୀ ଭାରତ ସରକାରଙ୍କ ଦୋଷ ଘୋଡ଼ାଇବା ପାଇଁ ବିଦେଶର ଅବସ୍ଥା କଥା କହୁଛନ୍ତି। ସତେଯେପରି ଭାରତ ସବୁଥିରେ ପଛରେ ରହିବା ଉଚିତ। ବର୍ତ୍ତମାନ ଅନେକ ରାଷ୍ଟ୍ର ମହାମାରୀ ନିୟନ୍ତ୍ରଣ କରିଲା ବେଳେ ଆମେ ପଛରେ ପଡ଼ିଛୁ। ତାଇୱାନ, ନ୍ୟୁଜିଲାଣ୍ଡ, ଆଇସଲାଣ୍ଡ, ସିଙ୍ଗାପୁର, ଭିଏତ୍‌ନାମ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଚାଇନାରେ ଏହି ମହାମାରୀ ଆରମ୍ଭ ହୋଇଥିଲା ଏବଂ ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ହେବାସତ୍ତ୍ୱେ, ଏହା କରୋନା ମହାମାରୀ ନିୟନ୍ତ୍ରଣ କରିପାରଛି। ଚାଇନାର ଶାସନ ପଦ୍ଧତି (ଯାହା ଗଣତନ୍ତ୍ର ନୁହେଁ) ଅନୁସରଣ କରିବାକୁ ଆମେ କହୁନାହିଁ, କିନ୍ତୁ ଏହା କିପରି ମହାମାରୀ ନିୟନ୍ତ୍ରଣ କରିଛି ଏବଂ ଦ୍ରୁତଗତିରେ ବିକାଶ କରୁଛି, ତାହା କ’ଣ ଆମେ ଶିଖିବା ଉଚିତ ନୁହେଁ। ଅନ୍ୟସବୁ ପଛରେ, ଜୀବନର ମୂଲ୍ୟ ସର୍ବଦା ଆଗରେ ରହିବା ଉଚିତ।
ପ୍ରଥମ ଲହର ବେଳେ ୨୦୨୦ ସେପ୍ଟେମ୍ବରରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ସର୍ବାଧିକ ୯୭,୦୦୦ରେ ପହଞ୍ଚତ୍ଲା ପରେ ହ୍ରାସ ପାଇଥିଲା। କିନ୍ତୁ ଯେତେବେଳେ ବିଶ୍ୱରେ ବିଭିନ୍ନ ଦେଶ ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଭାରତୀୟମାନଙ୍କ ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଦୈନିକ ସଂକ୍ରମଣ ଆପାତତଃ ଜାନୁୟାରୀ ମଧ୍ୟଭାଗରେ ୯୯୦୦କୁ ହ୍ରାସ ପାଇଥିଲା। ସେତେବେଳେ ଅନ୍ୟଦେଶର ସରକାରଙ୍କୁ ଆମ ସରକାର ଏବଂ ତାଙ୍କ ନିୟନ୍ତ୍ରିତ ଗଣମାଧ୍ୟମ ବ୍ୟଙ୍ଗ, ଥଟ୍ଟା ଓ ପରିହାସ କରିଥିଲେ ଏବଂ ସରକାର ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି ବୋଲି ଶ୍ରେୟ ନେବା ସହିତ ପ୍ରଚାରରେ ବ୍ୟସ୍ତ ରହିଲେ। ଭାରତରେ ସଂକ୍ରମଣ ସମ୍ପୂର୍ଣ୍ଣ ହ୍ରାସ ପାଇ ପୁଣି ଭୟଙ୍କର ରୂପ ନେବା ପଛରେ ୩ଟି କାରଣ ରହିଛି । ତାହା ହେଲା ଶାସକ ଶ୍ରେଣୀର ଅହଂକାର, କ୍ଷମତାକୁ ନିରଙ୍କୁଶ କରିବା ପାଇଁ ଅହରହ ଉଦ୍ୟମ, ଅଧିକାଂଶ ବୁଦ୍ଧିଜୀବୀଙ୍କ ନୀରବତା ବା ନିଜ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତା ଘୋଡ଼ାଇବା, ଗଣମାଧ୍ୟମ ଜାଗ୍ରତପ୍ରହରୀ ନ ହୋଇ ଶାସକ ଶ୍ରେଣୀର ଏକ ଅଂଶ ବା ହାତବାରିସି ହୋଇ କାର୍ଯ୍ୟକରିବା। ପ୍ରଶାସକ, ଉପଦେଷ୍ଟାମଣ୍ଡଳୀ ଠିକ୍‌ ପରାମର୍ଶ ନ ଦେବା। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ବା ନିୟାମକ ସଂସ୍ଥାରେ ଶାସକ ଶ୍ରେଣୀକୁ ସୁହାଇଲା ପରି ସିଦ୍ଧାନ୍ତ ନେଉଥିବା ଲୋକଙ୍କୁ ରଖାଯାଉଥିବାରୁ ଶାସକ ଶ୍ରେଣୀ ଯାହା ଚାହିଁଲା ତାହା କରିଚାଲିଲା। ଶାସକ ଶ୍ରେଣୀର ବିଫଳତା, ଦୋଷତ୍ରୁଟି ବେଶି କେହି ନ ଦେଖେଇବା ଯୋଗୁ ଏହା ଗୋଟିଏ ପରେ ଗୋଟିଏ ଭୁଲ୍‌ କରିଚାଲିଲା ଏବଂ କ୍ଷମତାକୁ କିପରି ଆହୁରି ନିରଙ୍କୁଶ କରିବ ତାହା ହିଁ କରିଲା। ସବୁଠାରୁ ଚିନ୍ତାର ବିଷୟ ହେଉଛି ଲୋକଙ୍କର ଜୀବନ ଅପେକ୍ଷା କ୍ଷମତାର ମୋହ ଏପରି ଅନ୍ଧ କରିଦେଲା ଯେ ୫ଟି ରାଜ୍ୟରେ ସବୁ ନିୟମ ଭାଙ୍ଗି ରାଜନୈତିକ ନେତାମାନେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଲେ। କୁମ୍ଭମେଳା ଆୟୋଜନ କରାଗଲା। ଯେପରି ଭାବେ ପ୍ରଧାନମନ୍ତ୍ରୀ ପ୍ରଚାରରେ ବ୍ୟସ୍ତ ରହିଲେ, ତାହା ଅତ୍ୟନ୍ତ ଦୁଃଖଦାୟକ। ନିର୍ବାଚନ ସଭାରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମଣ ନିୟମ ନ ମାନି ଏକତ୍ର ହେବା, କୁମ୍ଭମେଳାରେ ଲକ୍ଷ ଲକ୍ଷ ବୁଡ଼ ପକେଇବା ଯୋଗୁ ଆଜି ମହାମାରୀ ଦେଶବ୍ୟାପୀ ତାଣ୍ଡବ ଲୀଳା ରଚୁଛି।
ଯେତେବେଳେ କରୋନା ମହାମାରୀର ପ୍ରଥମ ଲହରର ପ୍ରକୋପ ହ୍ରାସପାଇଲା, ସେତେବେଳେ କିପରି ଦ୍ୱିତୀୟ ତରଙ୍ଗ ନ ଆସିବ ବା ଆସିଲେ କିପରି ତା’ର ପ୍ରଭାବ କମ ହେବ ସେଥିପାଇଁ ସରକାର ପଦକ୍ଷେପ ନେବାର ଥିଲା। ଏଥିପାଇଁ ଆମର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିବା, ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ପାଇଁ ଅର୍ଥ ହସ୍ତାନ୍ତର କରିବା, ଶିକ୍ଷା, ସ୍ବାସ୍ଥ୍ୟ ତଥା ବିଭିନ୍ନ ସେବା ସହଜରେ ଲୋକଙ୍କୁ ଉପଲବ୍ଧ କରାଇବା, ନିଯୁକ୍ତି ସୃଷ୍ଟି କରିବା, ରାଷ୍ଟ୍ରାୟତ୍ତ ଶିଳ୍ପକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଦରଦାମ ନିୟନ୍ତ୍ରଣ କରିବାର ଆବଶ୍ୟକତା ଥିଲା। କିନ୍ତୁ ସରକାର ଠିକ୍‌ ଓଲଟା କରିଥିଲେ।
ମହାମାରୀର ପ୍ରଥମ ତରଙ୍ଗ ପାଇଁ ସରକାର ସମାଲୋଚନାରୁ ରକ୍ଷା ପାଇପାରନ୍ତି, କାରଣ ଏହା ସମ୍ପର୍କରେ ସରକାରଙ୍କର କୌଣସି ଅଭିଜ୍ଞତା ନ ଥିଲା। କିନ୍ତୁ ପ୍ରତିକଥାରେ ବିକାଶର କଥା କହୁଥିବା ଶାସକ ଶ୍ରେଣୀ ଗୋଟିଏ ବର୍ଷରେ ମହାମାରୀକୁ ମୁକାବିଲା ପାଇଁ ଏପରି ପ୍ରସ୍ତୁତ ହୋଇଥିଲେ ଯେ କେବଳ ଶଯ୍ୟା, ଭେଣ୍ଟିଲେଟର ଅଭାବ ନୁହେଁ, ଅମ୍ଳଜାନ ଅଭାବରୁ ଲୋକମାନଙ୍କର ମୃତ୍ୟୁ ଘଟୁଛି। ଆମର ଟିକା କାର୍ଯ୍ୟକ୍ରମକୁ ଏବଂ ଏହାର ରପ୍ତାନିକୁ ନେଇ ଅଧିକ ପ୍ରଚାର ହେଉଥିଲା। ସତ୍ୟ ହେଉଛି ଯେ ଟିକା ପ୍ରସ୍ତୁତି ପାଇଁ ଆମର ସ୍ବଦେଶୀ କୌଶଳ ନାହିଁ, ବରଂ ଆମେ ଆମେରିକାରୁ କଞ୍ଚାମାଲ ଆମଦାନୀ କରୁଛୁ; ଯାହା ବର୍ତ୍ତମାନ ଦେବାକୁ ଆମେରିକା ଅନିଚ୍ଛା ପ୍ରକାଶ କରୁଛି। ଦୁର୍ଭାଗ୍ୟବଶତଃ ଆମର ଟିକାକରଣ ହାର ଅନେକ ଦେଶ ତୁଳନାରେ ଏପରି କି ବିଶ୍ୱ ତୁଳନାରେ କମ୍‌ ଏବଂ ମୂଲ୍ୟ ମଧ୍ୟ ଅଧିକା। ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ଏକ ଶିକ୍ଷାପ୍ରଦାନକାରୀ ସଂସ୍ଥାର ତଥ୍ୟ ଅନୁଯାୟୀ ପ୍ରତି ୧୦୦ଜଣଙ୍କୁ ଦିଆଯାଇଥିବା ପ୍ରଥମ ଡୋଜକୁ ବିଚାରକୁ ନେଲେ, ୧୯ ଏପ୍ରିଲ ସୁଦ୍ଧା ଭାରତରେ ଟିକାକରଣ ହାର ହାରାହାରି ୯% ହୋଇଥିଲାବେଳେ ବିଶ୍ୱରେ ଏହା ୧୧.୬%। ଇସ୍ରାଏଲ୍‌ (୧୧୬%), ୟୁଏଇ (୯୭.୪%), ୟୁକେ (୬୪.୬%), ଆମେରିକା (୬୨.୬%), ସ୍ପେନ୍‌ (୨୬.୪ %), ଜର୍ମାନୀ (୨୬.୨), ଇଟାଲୀ (୨୫.୨), ଚାଇନା (୧୩.୪) ଆଦି ଦେଶ ଭାରତଠାରୁ ଆଗରେ ଅଛନ୍ତି। ଶାସକ ଶ୍ରେଣୀର କିଛି ପ୍ରତିନିଧି କହୁଛନ୍ତି ଯେ, ଏପରି ଦୁର୍ଦ୍ଦିନରେ କାହାର ଦୋଷ ନ ଧରି ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଏହା ଠିକ୍‌ କଥା। କିନ୍ତୁ ଯଦି ଭଲଦିନରେ ମିଳିତ ହୋଇ କାମ କରିଥାନ୍ତେ , ତେବେ ଆଜିପରି ଦୁର୍ଦ୍ଦିନ ଦେଖିବାକୁ ମିଳି ନ ଥାନ୍ତା। ସହଯୋଗୀ ସଂଘୀୟତା କଥା କହିଲାବେଳେ ଅଣଭାଜପା ରାଜ୍ୟ ସରକାରଙ୍କୁ କେନ୍ଦ୍ର ସାବତପୁଅ ଭାବେ ବିଚାରକରିବା, ସେହି ସରକାରଙ୍କୁ କ୍ଷମତାଚ୍ୟୁତ କରିବା କେତେ ଯଥାର୍ଥ ? ଦେଶରେ କ’ଣ ବିରୋଧୀ ଦଳ ରହିବ ନାହିଁ ? ପ୍ରତିବାଦ ନ ରହିଲେ ଏପରି ସମସ୍ୟା ଆହୁରି ବେଶି ଦେଖାଦେବ। ସମୟ ଆସିଛି ବୁଦ୍ଧିଜୀବୀ ସତ କୁହନ୍ତୁ। ବିଫଳତା ପାଇଁ ଜନସାଧାରଣ ଏବଂ ଭଗବାନଙ୍କୁ ସରକାର ଦାୟୀ ନ କରି ନିଜକୁ ଦାୟୀ କରନ୍ତୁ ।
ମୋ:୯୪୩୭୨୦୮୭୬୨, Email: skmohapatra୬୭@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri