ନୂଆଦିଲ୍ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ୧ ଅକ୍ଟୋବର ୨୦୨୬ରୁ ମେଟା (Meta)ହ଼୍ବାଟସଆପ ବିଜନେସ ପ୍ଲାଟଫର୍ମର ମେସେଜିଂ ଫି’ରେ ପରିବର୍ତ୍ତନ କରିବାକୁ ଯାଉଛି, କିନ୍ତୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ହ଼୍ବାଟସଆପ ବ୍ୟବହାରକାରୀଙ୍କ ଉପରେ ପଡ଼ିବ ନାହିଁ। ଏହି ପରିବର୍ତ୍ତନ ସେହି କମ୍ପାନୀ ଏବଂ ବ୍ୟବସାୟୀମାନଙ୍କ ପାଇଁ, ଯେଉଁମାନେ ହ଼୍ବାଟସଆପ ବିଜନେସ ପ୍ଲାଟଫର୍ମ ଜରିଆରେ ଗ୍ରାହକମାନଙ୍କୁ ବହୁ ସଂଖ୍ୟାରେ ମେସେଜ ପଠାଉଛନ୍ତି। ବିଶେଷ କରି ଅର୍ଡର କନଫର୍ମେସନ ଏବଂ ଡେଲିଭରି ଅପଡେଟ ଭଳି ୟୁଟିଲିଟି ମେସେଜ ଉପରେ ଏବେ ୨୪ ଘଣ୍ଟାର ଫ୍ରି ୱିଣ୍ଡୋ (ମାଗଣା ସମୟସୀମା) ମଧ୍ୟରେ ମଧ୍ୟ ଶୁଳ୍କ ଲାଗୁ ହୋଇପାରେ।
ବର୍ତ୍ତମାନ ହ଼୍ବାଟସଆପ ବିଜନେସ ପ୍ଲାଟଫର୍ମରେ ଯଦି କୌଣସି ଗ୍ରାହକ କମ୍ପାନୀକୁ ମେସେଜ କରନ୍ତି, ତେବେ କମ୍ପାନୀ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ମାଗଣାରେ ଉତ୍ତର ଦେଇପାରିବ। ଏଥିରେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ସହିତ ଅର୍ଡର କନଫର୍ମେସନ ଏବଂ ଡେଲିଭରି ଅପଡେଟ ଭଳି ମେସେଜ ମଧ୍ୟ ସାମିଲ ଥାଏ। ମାତ୍ର ୧ ଅକ୍ଟୋବରରୁ ୟୁଟିଲିଟି ମେସେଜ ଉପରେ ଏହି ୨୪ ଘଣ୍ଟାର ୱିଣ୍ଡୋ ମଧ୍ୟରେ ମଧ୍ୟ ଶୁଳ୍କ ଲାଗୁ କରାଯିବ।
ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ସର୍ଭିସ ମେସେଜ ପାଇଁ ପ୍ରତ୍ୟେକ ବିଜନେସ ଫୋନ ନମ୍ୱରରେ ମାସିକ ପ୍ରଥମ ୧,୦୦୦ ମେସେଜ ମାଗଣା ରହିବ। ଏହି ସୀମା ପାର୍ ହେବା ପରେ ଅତିରିକ୍ତ ମେସେଜ ଉପରେ ଶୁଳ୍କ ଲାଗିବ। ଉଦାହରଣ ସ୍ୱରୂପ, ଯଦି କୌଣସି କମ୍ପାନୀ ଗୋଟିଏ ମାସରେ ୧,୫୦୦ ସର୍ଭିସ ମେସେଜ ପଠାଏ, ତେବେ ୧,୦୦୦ ମେସେଜ ପାଇଁ କୌଣସି ଫିସ ଲାଗିବ ନାହିଁ ଏବଂ ବାକି ୫୦୦ ମେସେଜ ଉପରେ ଶୁଳ୍କ ଦେବାକୁ ପଡ଼ିବ।
ଭାରତରେ ୧,୦୦୦ ମାଗଣା ସର୍ଭିସ ମେସେଜ ସୀମା ଶେଷ ହେବା ପରେ ଅତିରିକ୍ତ ମେସେଜ ଉପରେ ଧାର୍ଯ୍ୟ ବଜାର ଦର ଲାଗୁ ହେବ। ମେସେଜ ପିଛା ୦.୧୧୫ ଟଙ୍କା ହିସାବରେ ୫୦୦ ମେସେଜ୍ର ମୂଲ୍ୟ GST ପୂର୍ୱରୁ ୫୭.୫୦ ଟଙ୍କା ହେବ। ୧୮ ପ୍ରତିଶତ GST ଯୋଡ଼ିବା ପରେ ଏହି ରାଶି ପ୍ରାୟ ୬୭.୮୫ ଟଙ୍କା ହୋଇଯିବ।
ଭାରତରେ ୟୁଟିଲିଟି ମେସେଜ ପାଇଁ ମେଟାର ମାନକ ଦର ହେଉଛି ଡେଲିଭର ହୋଇଥିବା ମେସେଜ ପିଛା ୦.୧୧୫ ଟଙ୍କା। ୧୮ ପ୍ରତିଶତ GST ଯୋଡ଼ିବା ପରେ ଗୋଟିଏ ମେସେଜ୍ର ମୂଲ୍ୟ ପ୍ରାୟ ୦.୧୩୬ ଟଙ୍କା ହେଉଛି। ଅର୍ଥାତ୍ ଯଦି କୌଣସି କମ୍ପାନୀ ୧,୦୦୦ ଅର୍ଡର କନଫର୍ମେସନ କିମ୍ୱା ଡେଲିଭରି ଅପଡେଟ ପଠାଏ, ତେବେ GST ପୂର୍ୱରୁ ଖର୍ଚ୍ଚ ୧୧୫ ଟଙ୍କା ଏବଂ GST ପରେ ପ୍ରାୟ ୧୩୫.୭୦ ଟଙ୍କା ହେବ।
ହ଼୍ବାଟସଆପ ବିଜନେସ ପ୍ଲାଟଫର୍ମରେ ସମସ୍ତ ପ୍ରକାର ମେସେଜ ପାଇଁ ସମାନ ଦର ନାହିଁ। ଭାରତରେ ମାର୍କେଟିଂ ମେସେଜ ପାଇଁ ମେସେଜ ପିଛା ୦.୮୬୩୧ ଟଙ୍କା ଦର ରହିଛି। ଏଥିରେ ପ୍ରମୋସନାଲ ଅଫର୍ ଏବଂ ସେଲ ସମ୍ୱନ୍ଧୀୟ ମେସେଜ ସାମିଲ ଥାଏ। ସେହିପରି OTP ଭଳି ଅଥେଣ୍ଟିକେସନ ମେସେଜ ପାଇଁ ମେସେଜ ପିଛା ୦.୧୧୫ ଟଙ୍କା ଶୁଳ୍କ ରହିଛି। ଏହି ଦର ଉପରେ GST ଅଲଗା ଭାବେ ଲାଗୁ ହେବ।
ଯଦି ଆପଣ ସାଧାରଣ ହୱାଟସଆପ କିମ୍ୱା ହୱାଟସଆପ ବିଜନେସ ଆପ ବ୍ୟବହାର କରୁଛନ୍ତି, ତେବେ ଏହି ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ମେସେଜ ପଠାଇବା ପାଇଁ କୌଣସି ନୂଆ ଶୁଳ୍କ ଦେବାକୁ ପଡ଼ିବ ନାହିଁ। କୌଣସି କମ୍ପାନୀକୁ ହୱାଟସଆପରେ ମେସେଜ କରିବା ଏବଂ କମ୍ପାନୀ ତରଫରୁ ଉତ୍ତର କିମ୍ୱା ଅପଡେଟ ପାଇବା ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ପରିବର୍ତ୍ତନର ପ୍ରଭାବ ମୁଖ୍ୟତଃ ସେହି ବ୍ୟବସାୟୀମାନଙ୍କ ଉପରେ ପଡ଼ିବ, ଯେଉଁମାନେ ହୱାଟସଆପ ବିଜନେସ ପ୍ଲାଟଫର୍ମ ମାଧ୍ୟମରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ସହ ଯୋଗାଯୋଗ କରନ୍ତି।
୧ ଅକ୍ଟୋବରରୁ କ’ଣ ବଦଳିବ?
* ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଗ୍ରାହକଙ୍କ ମେସେଜ ପରେ ୨୪ ଘଣ୍ଟା ମଧ୍ୟରେ ପଠାଯାଉଥିବା ୟୁଟିଲିଟି ମେସେଜ ମାଗଣା ଥିଲା। ୧ ଅକ୍ଟୋବରରୁ ଏହି ମେସେଜ ଉପରେ ମଧ୍ୟ ଶୁଳ୍କ ଲାଗୁ ହେବ।
* ପ୍ରତ୍ୟେକ ବିଜନେସ ଫୋନ ନମ୍ୱରରେ ମାସର ପ୍ରଥମ ୧,୦୦୦ ସର୍ଭିସ ମେସେଜ ମାଗଣା ରହିବ। ଏହା ପରେ ଅତିରିକ୍ତ ସର୍ଭିସ ମେସେଜ ଉପରେ ଶୁଳ୍କ ଲାଗିବ।
ଯେଉଁ କମ୍ପାନୀଗୁଡ଼ିକର ବ୍ୟବସାୟରେ ହୱାଟସଆପ ଜରିଆରେ ବହୁ ପରିମାଣରେ ଅର୍ଡର କନଫର୍ମେସନ, ଡେଲିଭରି ଅପଡେଟ ଏବଂ କଷ୍ଟମର ସର୍ଭିସ ମେସେଜ ପଠାଯାଏ, ସେମାନଙ୍କ ପାଇଁ ୧ ଅକ୍ଟୋବର ପରେ ମେସେଜିଂ ଖର୍ଚ୍ଚ ବୃଦ୍ଧି ପାଇପାରେ। ତେବେ ଏହି ଅତିରିକ୍ତ ଖର୍ଚ୍ଚ ସିଧାସଳଖ ଗ୍ରାହକମାନଙ୍କୁ ଭରଣା କରିବାକୁ ପଡ଼ିବ ନାହିଁ।
ଯଦି ଆପଣ ଭାବୁଛନ୍ତି ଯେ ୧ ଅକ୍ଟୋବର ପରେ ହୱାଟସଆପରେ କମ୍ପାନୀକୁ ମେସେଜ କରିବା କିମ୍ୱା ଉତ୍ତର ପାଇବା ପାଇଁ ଟଙ୍କା ଦେବାକୁ ପଡ଼ିବ, ତେବେ ତାହା ସମ୍ପୂର୍ଣ୍ଣ ଭୁଲ। ସାଧାରଣ ବ୍ୟବହାରକାରୀଙ୍କ ପାଇଁ ହୱାଟସଆପ ପୂର୍ୱ ଭଳି ସମ୍ପୂର୍ଣ୍ଣ ମାଗଣା ରହିବ। ନୂତନ ବିଲିଂ ବ୍ୟବସ୍ଥା ମୁଖ୍ୟତଃ ହୱାଟସଆପ ବିଜନେସ ପ୍ଲାଟଫର୍ମ ବ୍ୟବହାର କରି ବଡ଼ ଆକାରରେ ମେସେଜ ପଠାଉଥିବା ବ୍ୟବସାୟୀ ଏବଂ ଏଣ୍ଟରପ୍ରାଇଜ ଆକାଉଣ୍ଟଗୁଡ଼ିକୁ ପ୍ରଭାବିତ କରିବ।

