ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍ଡିଜେଏମ୍ ପାରଳାଖେମୁଣ୍ଡିଙ୍କ ଅଦାଲତରୁ ଜାରି ଜାମିନ ବିହୀନ ଗିରଫ ପରଓ୍ବାନା ବଳରେ ପୋଲିସ ଭୋର ସମୟରେ ତାଙ୍କ ନିଜ ଗ୍ରାମ କରଡ଼ାସିଂରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଅଦାଲତରେ ହାଜର କରାଯାଉଛି। ଭାରତୀୟ ଦଣ୍ଡ ସଂହିତାର ଦଫା ୩୦୨/୧୨୦-ବି ସମ୍ପର୍କିତ ମାମଲାରେ ମନ୍ମଥଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ବାନା ଜାରି କରିଥିଲେ। ମନ୍ମଥ ନିଜ ଗ୍ରାମରେ ଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ଏକ ପୋଲିସ ଟିମ ଭୋରରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡିରେ ଏସିଏଫ୍ ଭାବେ କାର୍ଯ୍ୟରତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ୨୦୨୧ ଜୁଲାଇ ୧୨ ତାରିଖରେରେ ନିଜ ସରକାରୀ ବାସଭବନରେ ପୋଡ଼ି ଯାଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ଅଭିଯୁକ୍ତ ଭାବେ ଆସିଥିଲା। ପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ତଦନ୍ତରେ ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଦର୍ଶାଯାଇଥିବା ନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତଦନ୍ତର ଦିଗ ନେଇ ଅଭିଯୋଗ ଉଠାଇ ସେ ୨୦୨୨ରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଭିରାମଙ୍କ ପକ୍ଷରୁ ଦାଖଲ ଅଭିଯୋଗ ଓ ଉପସ୍ଥାପିତ ତଥ୍ୟକୁ ଆଧାର କରି ଏସ୍ଡିଜେଏମ୍ ଅଦାଲତ ମାମଲାକୁ ଗ୍ରହଣ କରିଥିଲେ। ପରେ ହତ୍ୟା ମାମଲା ରୁଜୁ ହୋଇ ୨୦୨୩ରେ ତିନି ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା।
ଇତିମଧ୍ୟରେ ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଅଦାଲତରେ ଆତ୍ମସମର୍ପଣ କରିଥିବାବେଳେ ସେ ବର୍ତ୍ତମାନ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଅଛନ୍ତି। ଏବେ ଜାମିନ ବିହୀନ ପରଓ୍ବାନା ବଳରେ ମନ୍ମଥ କୁମ୍ଭଙ୍କ ଗିରଫ ଘଟଣା ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି।
ଅନ୍ୟପକ୍ଷରେ ଆଜି ଏସିଏଫ୍ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସ୍ପେଶାଲ ଲିଭ ପିଟିଶନ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଏହା ସହ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ।

