ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ

ତୁଷାରକାନ୍ତ

ତା୦୩ା୦୪ା୨୦୨୧ରିଖରେ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅନ୍ତର୍ଗତ ଟେକୁଲଗୁଡମର ପାହାଡ଼ରୁ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ଆରମ୍ଭ ହୋଇ ପାହାଡ଼ ତଳ ଅଞ୍ଚଳରେ ଶେଷ ହୋଇଥିଲା, ଯେଉଁଥିରେ ୨୨ ଜଣ ଅର୍ଦ୍ଧ-ସାମରିକ ବାହିନୀ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ। ଅବଶ୍ୟ, କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଯୁଦ୍ଧ ବା ଅନ୍ୟ କୌଣସି ମୁକାବିଲାରେ ମୃତ ସାମରିକ ବା ଅଣ-ସାମରିକ ବାହିନୀର ଯବାନମାନଙ୍କୁ ‘ଶହୀଦ ଉପାଧି’ରେ ଭୂଷିତ କରାଯିବାର ସରକାରୀ ନିୟମ ନାହିଁ।
ସୃଷ୍ଟି ଆରମ୍ଭରୁ ‘ଜମି ପାଇଁ ନାଟ’ ଚାଲିଆସିଛି। କିଏ, ‘ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ କହିଲା ବେଳକୁ ଆଉ କେହି କହୁଛନ୍ତି ‘ଆମେ ଅଲବତ ନେବୁ’। ଓଡ଼ିଶା ସାହିତ୍ୟ ଜଗତର ଅନ୍ୟତମ ଉଜ୍ଜ୍ୱଳ ନକ୍ଷତ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅମରକୃତି ‘ମାଟିର ମଣିଷ’ର ବରଜୁ ସିନା ଗପରେ ନିଜ ସାନଭାଇ ‘ଛକଡ଼ି’ ପାଇଁ ସବୁ ଛାଡ଼ି ଦେଇ ପଳାଇଥିଲେ, କିନ୍ତୁ ବାସ୍ତବିକ ଜୀବନରେ ସେପରି ହୁଏ ନାହିଁ।
‘ଆମେ ଚାଷୀ, ମୂଲିଆ, ଶ୍ରମିକ ଓ ଗରିବଙ୍କ ପାଇଁ ସଂଘର୍ଷରତ’ ବୋଲି ଦାବି କରୁଥିବା ବାମପନ୍ଥୀମାନେ ୧୯୪୬ରୁ ୧୯୫୧ ମସିହାଯାଏ ଛଅବର୍ଷ କାଳ ସେତେବେଳେ ମାଡ୍ରାସ୍‌ ପ୍ରେସିଡେନ୍ସି ଅଧୀନରେ ଥିବା ତେଲଙ୍ଗାନା ଓ ବିଦାର ଜିଲାରେ ‘ଜମି ଚଷୁଛନ୍ତି ଯିଏ-ଜମିର ମାଲିକ ହେବେ ସିଏ’ ଦାବିରେ ଆନ୍ଦୋଳନ କରିଥିଲେ। ଏହା ପରେ ବିନୋବାଜୀ ‘ଭୂଦାନ ଆନ୍ଦୋଳନ’ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗ ପ୍ରଦେଶର ଦାର୍ଜିଲିଂ ଜିଲାର ସିଲିଗୁଡ଼ି ସବ୍‌-ଡିଭିଜନ ଅନ୍ତର୍ଗତ ନକ୍ସଲବାରୀ ପଞ୍ଚାୟତର ବେଙ୍ଗାଇ-ଜୋତ ଗଁାରେ ତା.୨୫ା୦୫ା୧୯୬୭ରିଖରେ ‘ଫସଲ ଉପରେ ଆମର ଅଧିକାର’ କହୁଥିବା ଚାଷୀଙ୍କ ଉପରକୁ ପୋଲିସ ଗୁଳି ଚଳାଇବାରୁ ୯ଜଣ ଚାଷୀ ଓ ୨ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରୁ ଉଗ୍ର ବାମପନ୍ଥୀମାନେ ଆରମ୍ଭ କରିଥିଲେ ‘ନକ୍ସଲବାରୀ ଆନ୍ଦୋଳନ’।
ସେଇ ବାମପନ୍ଥୀମାନଙ୍କ ଭିତରୁ କିଛି ପଶ୍ଚିମବଙ୍ଗର ଶାସନରେ ଥିବାବେଳେ, ପୂର୍ବ-ମେଦିନାପୁର ଜିଲାର ନନ୍ଦିଗ୍ରାମ ଚାଷୀମାନେ ‘ଶିଳ୍ପ ପାଇଁ ଜମି ଦେବେ ନାହିଁ’ ବୋଲି ଜିଦ୍‌ ଧରନ୍ତେ, ତା.୧୪ା୦୩ା୨୦୦୭ରିଖରେ, ସେହି ବାମପନ୍ଥୀ ସରକାରଙ୍କ ପୋଲିସ ଗୁଳିରେ ୧୪ ଜଣ ମରିଥିଲେ ଓ ୧୦୦ ଜଣ ନିଖୋଜ ହୋଇଥିଲେ। ସେହି ଜମିକୁ ଇଣ୍ଡୋନେସିଆର ‘ସଲିମ୍‌ ଶିଳ୍ପସଂସ୍ଥା’କୁ ଦିଆଯିବାର ଥିଲା, ଯେଉଁ ଶିଳ୍ପସଂସ୍ଥାର ପୂର୍ବତନ ମାଲିକ ଇଣ୍ଡୋନେସିଆରେ ଲକ୍ଷ ଲକ୍ଷ କମ୍ୟୁନିଷ୍ଟଙ୍କ ହତ୍ୟାର ଆୟୁଧ ଥିଲେ।
କିଛିବର୍ଷ ତଳେ ଏବେ ଭୀମା-କୋରେଗାଓଁ ଘଟଣାରେ ଅଭିଯୁକ୍ତ ଭାରଭାର ରାଓ ଓଡ଼ିଶା ପ୍ରାନ୍ତର ଭୁବନେଶ୍ୱରର ‘ରାଷ୍ଟ୍ରଭାଷା ପ୍ରଚାର ସମିତି ପଡ଼ିଆ’ରେ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଥିଲେ। ତା’ ପୂର୍ବରୁ ଏକ ଅନୁଶୀଳନରୁ ଜଣାପଡ଼ିଥିଲା ଯେ ‘ତତ୍କାଳୀନ ବ୍ୟବସ୍ଥାରେ ମ୍ରିୟମାଣ ହୋଇ ବହୁ ସହରୀ ସ୍ବାର୍ଥପର ଲୋକେ ବି ନକ୍ସଲ ଆନ୍ଦୋଳନ ପ୍ରତି ସମବେଦନା ରଖିଥିଲେ, ଯାହା ନକ୍ସଲମାନଙ୍କ ଅଯଥା ହିଂସା ଯୋଗୁ ପୁଣି ମିଳେଇ ଯାଇଥିଲା’। ସେଇ ବାବଦରେ ତାଙ୍କୁ ଜଣେ ପଚାରନ୍ତେ ସେ କିଛି ଉତ୍ତର ଦେଇନଥିଲେ।
ପୋଲିସମାନେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରୁନଥିବାର ବାସ୍ତବିକତାରେ ମ୍ରିୟମାଣ ହୋଇ ପ୍ରକାଶ ସିଂ ନାମକ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସୁପ୍ରିମ୍‌କୋର୍ଟରେ ‘ପୋଲିସ ସଂସ୍କାର’ ପାଇଁ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ତା.୨୨ା୧୨ା୨୦୦୬ରିଖରେ ସୁପ୍ରିମ୍‌କୋର୍ଟଙ୍କ ତରଫରୁ ଏକ ୭ ଦଫା ନିୟମାବଳୀ ପ୍ରସ୍ତୁତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ଗତ ପନ୍ଦର ବର୍ଷ ଧରି ବନ୍ଦ ଲଫାପାରେ ରହିଛି। ଅବଶ୍ୟ ତାହା କାର୍ଯ୍ୟକାରୀ ହୋଇଥିଲେ ଯେ ଅବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ହୋଇଥାଆନ୍ତା ଓ ବିନା ନିର୍ଦ୍ଦେଶରେ ବି କରି ହୁଅନ୍ତା ନାହିଁ, ତାହା ଅଲଗା କଥା।
ସେଇ ପ୍ରକାଶ ସିଂହଙ୍କ ସହ ଏକ ସାକ୍ଷାତ୍‌କାରTimes of India ନାମକ ଏକ ସର୍ବଭାରତୀୟ ଇଂଲିଶ୍‌ ଭାଷାର ସମ୍ବାଦପତ୍ରର ତା.୦୪ା୧୨ା୨୦୧୮ରିଖର ସଂସ୍କରଣରେ ପ୍ରକାଶିତ ହୋଇଥିଲା। ସେହି ସାକ୍ଷାତ୍‌କାରରେ, ତାଙ୍କ ପ୍ରତି ‘ସରକାରଙ୍କ ବିଫଳତା ନକ୍ସଲବାଦର ଜନ୍ମଦାତା କି, ଜନ୍ମ ନେବାର ସୂଚନା କି’ ରୂପକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ଏପରି ମତାମତ ସମ୍ପୂର୍ଣ୍ଣ ରୂପେ ସ୍ପୃହଣୀୟ ନୁହେଁ, କିନ୍ତୁ ଏହା ବି ସତ୍ୟ ଯେ ଶାସକ ଓ ପ୍ରଶାସକମାନେ ସଠିକ ଭାବରେ କାମ କରୁ ନ ଥିବାରୁ ଏହାର ସୃଷ୍ଟି ହୋଇଛି। ରାଜନୈତିକ ଗୁଣ୍ଡା, ଜବରଦସ୍ତ ଚାନ୍ଦା ଆଦାୟକାରୀ ଓ ଲୁଟେରା ଶକ୍ତିମାନେ ଏହି ଆନ୍ଦୋଳନରେ ପଶିଯାଇଛନ୍ତି। ତଥାପି ବି, ବର୍ତ୍ତମାନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭରସା ରଖୁନଥିବା କିଛି ସମର୍ପିତ ଲୋକଙ୍କ ଦ୍ୱାରା ଏହି ଆନ୍ଦୋଳନ ଚାଲିଛି। ସରକାର ‘ସହରୀ ନକ୍ସଲ’ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ସହରର ଅନ୍ୟାନ୍ୟ ଦୁଷ୍ଟବ୍ରଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପରିତାପର ବିଷୟ। ସେହି ସହରୀ ଦୁଷ୍ଟବ୍ରଣମାନଙ୍କ ଭିତରେ ଅଛନ୍ତି ଜଙ୍ଗଲୀପଶୁଙ୍କ ଭଳି ବ୍ୟବହାର କରୁଥିବା (rapacious) ରାଜନେତା, ଯିଏ କି ଦେଶର ରକ୍ତକୁ ଶୋଷୁଛନ୍ତି, ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ (Bureaucrats) ଯେଉଁମାନେ ନିଜ ପାଇଁ ଅମାପ ସମ୍ପତ୍ତି ସୃଷ୍ଟି କରୁଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ପୋଲିସ ବ୍ୟକ୍ତିସମୂହ, ଯେଉଁମାନଙ୍କର ଅପରାଧୀମାନଙ୍କ ସହ ଯୋଗସୂତ୍ର ରହିଛି। ଏମାନେ ମଧ୍ୟ ଅର୍ବାନ ନକ୍ସଲଙ୍କ ଭଳି ‘ଗଣତନ୍ତ୍ର ପ୍ରତି ବିପଦ’।
‘ସୂଚ୍ୟଗ୍ର ମେଦିନୀ’ ପାଇଁ ଲଢ଼େଇର କ’ଣ ସତରେ ଅନ୍ତ ଅଛି?
ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?