Odisha Elections 2024

ଭଡ଼ାରେ ସୈନ୍ୟ

ଏବେ ଅବଶ୍ୟ ସମସ୍ତେ ଭୁଲିଗଲେଣି ଏବଂ କେହି କିଛି କହିବାକୁ ପ୍ରସ୍ତୁତ ନ ଥିଲା ଭଳି ମନେ ହେଉଛି । କିନ୍ତୁ ଅଳ୍ପ କିଛି ବର୍ଷ ପୂର୍ବେ, ସମସ୍ତଙ୍କର ମନେ ଥିବ, କଥା କଥାକେ କୁହାଯାଉଥିଲା- ‘ପାଟି ଫିଟାଅନି, ସିଆଚେନ୍‌ରେ ଛିଡ଼ା ହୋଇଥିବା ଭାରତୀୟ ସୈନ୍ୟଙ୍କ କଥା ଭାବ’। ଏବେକାର ପୃଥିବୀକୁ ଦେଖିଲେ ଦେଶପ୍ରେମର ପ୍ରତୀକ ଭାବେ ସୈନ୍ୟମାନଙ୍କୁ ନିଆଯାଇ ପାରିବ ନାହିଁ। କେବଳ ଭାରତରେ ମୋଦି ସରକାରଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଅପଦସ୍ଥ କରିବାରେ ସୀମିତ ରହିଲା ନାହିଁ। ପୃଥିବୀବ୍ୟାପୀ ସମ୍ଭବତଃ ସବୁ ବଡ଼ ଦେଶରେ ସୈନ୍ୟଙ୍କର ଗୁରୁତ୍ୱ ହ୍ରାସ ପାଇ ଏକ ଚାକିରିଆର ସ୍ଥିତିକୁ ଟାଣି ହୋଇ ଆସିଲାଣି।
ଉଦାହରଣ ସ୍ବରୂପ, ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ରୁଷିଆ ସରକାର ଏକ ଘରୋଇ (ମର୍ସିନେରି) ଗୋଷ୍ଠୀକୁ ବ୍ୟବହାର କରୁଥିଲା ବୋଲି ଜଣାପଡୁଛି। ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗୋଷ୍ଠୀ ରୁଷିଆ ସରକାରଙ୍କଠାରୁ ଅର୍ଥ ନେଇ ଯୁଦ୍ଧ କରୁଥିଲା। ହୁଏତ ଅର୍ଥ ନେଣଦେଣରେ ସମସ୍ୟା ହେବା ଯୋଗୁ ଓ୍ବାଗନର ଏବଂ ରୁଷିଆ ସରକାରର ମଧ୍ୟରେ ଅବୁଝାମଣା ଆରମ୍ଭ ହେଲା। ଏଥିସହିତ ଡୋନ୍‌ଟେକ୍ସରେ ବିଜୟଲାଭ କରିବା ପରେ ଓ୍ବାଗନର ଗ୍ରୁପ୍‌କୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶ୍ରେୟ ନ ଦେବା ଫଳରେ ବିଦ୍ରୋହ ଆରମ୍ଭ ହେଲା। ଅର୍ଥ ନେଇ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କୁ ଯିଏ ଅଧିକ ଭଡ଼ା ଦେବ ସେ ହୁଏତ ସେମାନଙ୍କ ସମର୍ଥନ ପାଇପାରିବ। ଅର୍ଥାତ୍‌ ଓ୍ବାଗନର ଗ୍ରୁପ୍‌କୁ ଆମେରିକା ଓ ୟୁକ୍ରେନର ଅନ୍ୟ ସମର୍ଥକ ଦେଶଗୁଡ଼ିକ ଅଧିକ ଅର୍ଥ ଯାଚିଥିବାର ସମ୍ଭାବନାକୁ ଏଡ଼େଇ ଦେଇହେବ ନାହିଁ। ସତ୍ୟାସତ୍ୟ ଜାଣିବା କଷ୍ଟକର ହୋଇପାରେ। ତେବେ ୨୪ ଜୁନ୍‌ ୨୦୨୩ରେ ବିଦ୍ରୋହୀ ଓ୍ବାଗନର ଯୋଦ୍ଧାମାନେ ଦକ୍ଷିଣାଞ୍ଚଳ ରୁଷିଆର ରୋସ୍ତବ-ଅନ୍‌-ଡନ୍‌ ସହରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହିଠାରେ ରୁଷିଆ ସେନାର ସମସ୍ତ ସାମରିକ ପ୍ରତିଷ୍ଠାନ ଥିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ପ୍ରାୟ ୨୫,୦୦୦ ଯୋଦ୍ଧା ପ୍ରାରମ୍ଭିକ ସଫଳତା ପାଇବା ପରେ ଯେତେବେଳେ ମସ୍କୋ ଅଭିମୁଖେ ଅଗ୍ରସର ହେଲେ ସେତେବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। କୁହାଗଲା ଯେ ମସ୍କୋ ବିମାନବନ୍ଦରରୁ ପୁଟିନ୍‌ଙ୍କ ସମେତ ରୁଷିଆର ଅନେକ ପୁରୁଖା ନେତା ବିଭିନ୍ନ ଘରୋଇ ବିମାନରେ ସହର ଛାଡ଼ି ପଳାଇଲେ। ତେବେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କ ସହାୟତା ନିଆଯାଇ ୟେଭ୍‌ଗେନିଙ୍କୁ ବୁଝାଶୁଝା କରାଯିବା ପରେ ବିଦ୍ରୋହୀ ସେନା ଆଗକୁ ବଢ଼ି ନ ଥିବା ଖବର ମିଳିଛି। ଏହାର ଅର୍ଥ ହେଉଛି ଯେ ଓ୍ବାଗନର ଗ୍ରୁପ୍‌ ହାରି ନାହିଁ, କେବଳ ଶାନ୍ତ ପଡ଼ିଛି।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଇତିମଧ୍ୟରେ ଏକ ବର୍ଷ ୪ ମାସ ପୂରଣ କରିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସେନା ଯେଉଁଭଳି ଭାବେ ରୁଷିଆ ସାମରିକ ବାହିନୀକୁ ଜବାବ ଦେଇ ସାମ୍ନା କରିଚାଲିଛି, ତାହା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି। ଯୁଦ୍ଧର ପ୍ରାରମ୍ଭିକ ଅବସ୍ଥାରେ ରୁଷିଆ ଆଶା କରିଥିଲା ଖୁବ୍‌ଶୀଘ୍ର ୟୁକ୍ରେନ୍‌ ଉପରେ ବିଜୟଲାଭ କରିବ। କିନ୍ତୁ ଜେଲେନ୍‌ସ୍କିଙ୍କ ରଣକୌଶଳ ଓ ତାଙ୍କ ସେନାର ଦୃଢ଼ ମନୋବଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆକୁ ପାଣି ପିଆଇ ଦେଇଛି। ଇତିହାସରୁ ପଢ଼ିଛେ, ସର୍ବଦା ଏକଚ୍ଛତ୍ରବାଦୀମାନେ ନିଜ ଜିଦ୍‌କୁ ଜାହିର କରିବା ଲାଗି ସାଂଘାତିକ ନିଷ୍ପତ୍ତି ନେଇଥାଆନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ ବିରୋଧରେ ରୁଷିଆର ଦୀର୍ଘଦିନର ଯୁଦ୍ଧ ମସ୍କୋର ଅର୍ଥନୀତିକୁ ଦୁର୍ବଳ କରିଦେଉଛିି। ଅନେକ ହଜାର ସୈନ୍ୟଙ୍କ ମୃତ୍ୟୁ ରୁଷିଆରେ ଅସନ୍ତୋଷ ସୃଷ୍ଟି କରିଛି। ଯେଉଁମାନେ ସରକାରୀ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନଙ୍କୁ ପୁଟିନ୍‌ ଜୀବନରୁ ମାରି ପକାଉଥିବା ଗଣମାଧ୍ୟମରେ ଆଲୋଚନା ହେଉଛି।
ଏସିିଆ ମହାଦେଶରେ ମଧ୍ୟ ଯୁଦ୍ଧ ବାତାବରଣ ଆରମ୍ଭ ହୋଇଛି। ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକ ନାଟୋର ସାହାଯ୍ୟ ନେଇ ଏବଂ ୟୁକ୍ରେନ ଭଳି ଦେଶକୁ ବ୍ୟବହାର କରି ରୁଷିଆକୁ ଦବେଇ ଦେଲେଣି। ସେହିଭଳି ଏସିଆ ମହାଦେଶରେ ଚାଇନାକୁ ଦବାଇବା ପାଇଁ ଆମେରିକା ଅତ୍ୟନ୍ତ ସକ୍ରିୟ ହୋଇପଡ଼ିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ସେଠାରେ ସମ୍ମାନ ପାଉଥିବା ବେଳେ ତା’ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବେଜିଂରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବା ପାଇଁ ବ୍ୟାକୁଳତା ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା। ହୋଇପାରେ ଆମେ ଭାରତୀୟମାନେ ବିଶେଷ କିଛି ବୁଝିବାକୁ ଚେଷ୍ଟା କରୁ ନ ଥିବାରୁ ଅନ୍ତର୍ଜାତୀୟ ନୀତି ବୁଝିବାରେ ଅସମର୍ଥ ହୋଇପଡୁଛୁ। ବାସ୍ତବ ପରିସ୍ଥିତିକୁ ଦେଖିଲେ ଚାଇନାର ଗତିରୋଧ କରିବା ହେଉଛି ଆମେରିକାର ମୂଳ ଲକ୍ଷ୍ୟ। ସେଥିପାଇଁ ୟୁକ୍ରେନ ଭଳି ତାଇଓ୍ବାନକୁ ବ୍ୟବହାର କରିବାକୁ ଇଚ୍ଛୁକ ଥାଇପାରେ ଆମେରିକା। କିନ୍ତୁ ୟୁକ୍ରେନ ଭୌଗୋଳିକ ଦୃଷ୍ଟିକୋଣରୁ ଏକ ବିରାଟକାୟ ଦେଶ ହୋଇଥିବା ବେଳେ ତାଇଓ୍ବାନ ଏକ କ୍ଷୁଦ୍ର ଦ୍ୱୀପ ମାତ୍ର। ସେଥିପାଇଁ ଭାରତର ଗୁରୁତ୍ୱ ଏହି ପେଞ୍ଚରେ ବୃଦ୍ଧି ପାଉଛି। ଭାରତୀୟଙ୍କୁ ମନେରଖିବାକୁ ହେବ ଯେ ଚାଇନା ମଧ୍ୟ ରୁଷିଆ ଭଳି ଭଡ଼ାଟିଆ ସୈନ୍ୟ ଗୋଷ୍ଠୀ ସୃଷ୍ଟି କରିବାରେ ଲାଗିଛି। ସେଥିପାଇଁ ଯୁଦ୍ଧ ଡାକରା ଦେଉଥିବା ଭାରତୀୟମାନେ ନିଜର ସ୍ଥିତିକୁ ବୁଝିକରି କଥା କହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

‘ଏମ୍‌ବିଏ ସରପଞ୍ଚ’ ଭାବେ ରାଜସ୍ଥାନର ଛବି ରାଜଓ୍ବାତ ବେଶ୍‌ ଜଣାଶୁଣା। ଏମ୍‌ବିଏରେ ଡିଗ୍ରୀ ହାସଲ ପରେ ସେ ରାଜନୀତିକୁ ଆସିଥିଲେ ଓ ୨୦୧୦ରେ ପ୍ରଥମେ ସରପଞ୍ଚ...

ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ ୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି...

ଓଡ଼ିଶାରେ ଆଞ୍ଚଳିକ ଦଳ ପ୍ରଭାବ

ସୌଭାଗ୍ୟ ସୁନ୍ଦରରାୟ ଓଡ଼ିଶାରେ ଆଞ୍ଚଳିକ ଦଳ ରାଜନୀତି ବିଜୁ ଜନତା ଦଳ(ବିଜେଡି)ରୁ ଆରମ୍ଭ ହୋଇନାହିଁ କି ଏହା ଏଇଠି ମଧ୍ୟ ଶେଷ ହୋଇ ନାହିଁ। ରାଜ୍ୟରେ...

ସଂଘୀୟ ବ୍ୟବସ୍ଥାରେ ପୋଲିସ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ବେଆଇନ ଥିଲା ବୋଲି ନିକଟରେ ସୁପ୍ରିମକୋର୍ଟ କହିବା ପରେ ଦେଶରେ...

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri