ନୂଆଦିଲ୍ଲୀ, ୧୯।୮: ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବୃଦ୍ଧଙ୍କ ଭରଣପୋଷଣ, ସୁରକ୍ଷା ଓ ସମ୍ମାନ ପାଇଁ ଆବଶ୍ୟକ ହେଲେ, ତାଙ୍କ ସମ୍ପତ୍ତିରୁ ବୋହୂ-ପୁଅ କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ବେଦଖଲ କରିବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇପାରିବେ । ଜଷ୍ଟିସ୍ ପି.ଏସ୍. ନରସିଂହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ଗରିମା ସୁନିଶ୍ଚିତ କରିବା ହେଉଛି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ଏହାସହ ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।
ଏହି ମାମଲା ଲକ୍ଷ୍ନୌର ବିକାଶ ନଗରସ୍ଥିତ ଏକ ଘରକୁ ନେଇ ହୋଇଥିଲା। ଘରର ମାଲିକ ରବିକାନ୍ତ ଗୁପ୍ତା ତାଙ୍କ ପୁଅ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ପୁଅ ତାଙ୍କ ୮୧ ବର୍ଷୀୟ ମାଆଙ୍କୁ ଘରେ ରହିବାକୁ ଦେଇନଥିଲେ ଏବଂ ତାଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଫଳରେ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡ଼ିଥିଲା। ଏହାପରେ ୫ ଜୁନ୍ ୨୦୨୨ରେ ରବିକାନ୍ତ ଗୁପ୍ତା ୨୦୦୭ର ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ ଅଧୀନରେ ଜିଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିଥିଲେ। ୨୦୨୨ ନଭେମ୍ବରରେ ଏସ୍ଡିଏମ୍ ଦର୍ଶାଇଥିଲେ ଯେ ଘରଟି ରବିକାନ୍ତ ଗୁପ୍ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି । ପରେ ଜିଲା ମାଜିଷ୍ଟ୍ରେଟ୍ ପୁଅକୁ ଘରରୁ ବେଦଖଲ କରିବାକୁ ଆଦେଶ ଦେଇଥିଲେ । ୨୦୨୩ ଅଗଷ୍ଟ ୯ରେ ଏହି ଆଦେଶକୁ ବଜାୟ ରଖି ପୁଅ ଓ ବୋହୂଙ୍କୁ ଘରର ଦଖଲ ମାଲିକଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା।
ପୁଅ ଓ ବୋହୂ ଏହି ଆଦେଶକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ଟ୍ରିବ୍ୟୁନାଲର ବେଦଖଲ ଆଦେଶକୁ ରଦ୍ଦ କରିଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଭୁଲ୍ ଦର୍ଶାଇ ରଦ୍ଦ କରିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ଯତ୍ନ, ସୁରକ୍ଷା ଓ ସମ୍ମାନ ପାଇଁ ଆବଶ୍ୟକ ହେଲେ ଟ୍ରିବ୍ୟୁନାଲ ସମ୍ପତ୍ତିରୁ ପୁଅ କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ବେଦଖଲ କରିପାରିବ । ସୁପ୍ରିମକୋର୍ଟ କହିଛନ୍ତି, ଏକ ସଭ୍ୟ ସମାଜର ପରିଚୟ ଏହା ଦ୍ୱାରା ହୁଏ ଯେ ସେ ନିଜ ବୃଦ୍ଧମାନଙ୍କୁ କେତେ ସମ୍ମାନ, ସୁରକ୍ଷା ଓ ଗରିମା ଦେଉଛି । ବୟସ ବଢ଼ିବାର ଅର୍ଥ ଅବହେଳା, ଅସୁରକ୍ଷା କିମ୍ବା ଅପମାନ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୧ ଓ ୪୧ର ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହ ଜୀବନଯାପନ କରିବାର ଅଧିକାର ରହିଛି ।

