Posted inରାଜ୍ୟ

ମରୁଡ଼ି ଘୋଷଣା ଦାବିରେ ବିରୋଧୀ ଅଟଳ

ଭୁବନେଶ୍ୱର,୨।୯(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅନାବୃଷ୍ଟି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରୁଆ ବେଉଷଣ ପାଇଁ ବିଲରେ ପାଣି ନାହିଁ। ଚାଷୀମାନେ ହା ହୁତାଶରେ ଦିନ କାଟୁଛନ୍ତି। ଏଭଳିସ୍ଥିତିରେ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି। ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ସାର ଯୋଗାଉ ନ ଥିବା ଅଭିଯୋଗ କରି ଶାସକ ବିଜେଡି ବିଧାନସଭା ବାହାରେ ପ୍ରତିବାଦ ଚଳାଇଥିବାବେଳେ ଭାଜପା ଓ କଂଗ୍ରେସ ରାଜ୍ୟରେ ଦେଖା ଦେଇଥିବା ମରୁଡ଼ି ପ୍ରସଙ୍ଗକୁ ନେଇ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ଶଣ୍ଡୁଆସି ଆକ୍ରମଣ କରିଛନ୍ତି।

ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି। ଜମିକୁ ଜଳ ସେଚନ ସୁବିଧା ନାହିଁ। ବିଲ ଫାଟି ଆଁ କଲାଣି। ଚାଷୀମାନେ ମୁଣ୍ଡରେ ହାତ ଦେଇ ପ୍ରମାଦ ଗଣିଲେଣି। ଚାଷୀକୁଳ ଭାସିଗଲେ ବାଚସ୍ପତି କିମ୍ବା ରାଷ୍ଟ୍ରପତିଙ୍କୁ ବି ମୁଠେ ଖାଇବାକୁ ମିଳିବ ନାହିଁ। ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଏମିତି ଅଭିଯୋଗ ଆଣି ସରକାରଙ୍କୁ କାଠ ଗଡ଼ାରେ ଛିଡ଼ା କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ମରୁଡ଼ି ଘୋଷଣା କରନ୍ତୁ। ଋଣ ଛାଡ଼ ସହ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ। ଏଥିସହ ଜଳ ସଂରକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ କରନ୍ତୁ ବୋଲି ବିରୋଧୀ ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଗୃହରେ ଦାବି କରିଛନ୍ତି।
ଅଧିବେଶନରେ ପ୍ରଥମ ଦିବସରେ ରାଜ୍ୟରେ ଦେଖା ଦେଇଥିବା ମରୁଡି ପରିସ୍ଥିତିକୁ ନେଇ ବିଧାନସଭା ସରଗରମ ହୋଇଛି। ‘ମରୁଡି କବଳରେ ସାରା ଓଡିଶା କଲବଲ, ସରକାରଙ୍କ ଯୋଗୁ ଦୁର୍ଦ୍ଦଶାରେ ଚାଷୀକୁଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ଦଳ ସରକାରଙ୍କୁ ହରଡ଼ଘଣାରେ ପକାଇଥିଲେ। ମୁଲତବୀ ଆଲୋଚନା ଆରମ୍ଭ କରି ଭାଜପା ସଦସ୍ୟ ମୋହନ ଚରଣ ମାଝି କହିଲେ ଯେ ରାଜ୍ୟରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କୃଷି ମନ୍ତ୍ରୀ ମରୁଡ଼ିକୁ ଭଗବାନଙ୍କ ଉପରେ ଛାଡ଼ି ଦେଇ ଆମର କିଛି ଦୋଷ ନାହିଁ ବୋଲି କହୁଛନ୍ତି। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ରାଜ୍ୟର କୌଣସି ଜଳାଶୟରେ ପାଣି ନାହିଁ। ଓଡ଼ିଶାକୁ ଭୟଙ୍କର ଭାବେ ମରୁଡ଼ି ଗ୍ରାସ କରୁଛି। ୩୧୪ ବ୍ଲକରୁ ୨୧୩ ବ୍ଲକରେ ମରୁଡି ପରିସ୍ଥିତି। ରାଜ୍ୟରେ ସ୍ବାଭାବିକ ଠାରୁ ୪୭ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବର୍ଷା କମିଛି। ମାତ୍ର ପ୍ରକୃତିକୁ ଦୋଷ ଦେଇ ସରକାର ଖସି ଯାଇପାରିବେ ନାହିଁ। ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ତା’ର ଉତ୍ତର ଦେବା ଦରକାର। ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ସରକାର ଜଳସେଚନରେ ଫେଲ୍‌ ମାରିଛନ୍ତି। ସବୁ ବ୍ଲକରେ ୩୫ପ୍ରତିଶତ ଜଳ ସେଚନ ହୋଇଛି ବୋଲି ସରକାର ଯେଉଁ ଦାବି କରୁଛନ୍ତି, ତାର ହିସାବ ଦିଅନ୍ତୁ ବୋଲି ମୋହନ କହିଛନ୍ତି। ରାଜ୍ୟର ୨୯ ଜିଲାରେ ୩,୮୨୨ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଚଳ ହୋଇଛି। ବର୍ତ୍ତମାନ ସମୟରେ ହୀରାକୁଦରେ ୬୨୬ ଫୁଟ ପାଣି ରହିବା ଜାଗାରେ ୬୨୦ ଫୁଟ ରହିଛି। ମହାନଦୀର ୬୫ ପ୍ରତିଶତ ଜଳ ସମୁଦ୍ରକୁ ବୋହି ଯାଉଛି। ସରକାର କୌଣସି ନଦୀରେ ଗୋଟିଏ ବି ବ୍ୟାରେଜ କରି ପାରିଲେ ନାହିଁ। ତୁରନ୍ତ ମରୁଡ଼ି ପରିସ୍ଥିତି ଘୋଷଣା କରାଯାଇ ଚାଷୀଙ୍କ ପାଇଁ ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ବୋଲି ମୋହନ ଦାବି କରିଛନ୍ତି। ଭାଜପା ସଦସ୍ୟ ବିଷ୍ଣୁ ଚରଣ ସେଠୀ ମରୁଡି ପରିସ୍ଥିତିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ରାଜ୍ୟର ୧୮ ଜିଲାରେ ନିଅଣ୍ଟିଆ ବର୍ଷା ଏବଂ ୭ ଜିଲାରେ ଉତ୍କଟ ମରୁଡି ପରିସ୍ଥିତି। କୃଷିକୁ ଅଣଦେଖା କଲେ ଆମେ ପସ୍ତେଇବୁ। ମନ୍ତ୍ରୀଙ୍କ ଉତ୍ତର ଶୁଆକୁ ଶିଖାଇଲା ଭଳି ହୋଇଛି। ଭାଜପା ସଭ୍ୟ ନାଉରୀ ନାୟକ ମଧ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଛନ୍ତି, କୃଷି ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର ଭଳି ମନେ ହେଉଛି। ୩୦ ଜିଲାରୁ ୨୭ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ତୁରନ୍ତ ମରୁଡ଼ି ଘୋଷଣା କରନ୍ତୁ। ରାଜ୍ୟରେ ୯୫ପ୍ରତିଶତ ଉଠାଜଳସେଚନ ପଏଣ୍ଟ କାମ କରୁ ନାହିଁ। ଏଥିପାଇଁ କେଉଁ ପ୍ରକୃତି ଦାୟୀ ବୋଲି ନରସିଂହ ପ୍ରଶ୍ନ କରିବା ସହ ଏ ସରକାରରେ ମନ୍ତ୍ରୀଙ୍କର କୌଣସି ଅଧିକାର ଥିବା ଭଳି ମନେ ହେଉ ନାହିଁ। ସରକାର କୃଷି ବୀମାର ସମୟ ସୀମା ବୃଦ୍ଧି କରିବା ସହ ସରକାରୀ ବୀମା କମ୍ପାନୀକୁ ଦାୟିତ୍ୱ ଦିଆଯାଉ। ତୁରନ୍ତ ମରୁଡ଼ି ଘୋଷଣା କରିବା ସହ ଋଣ ଛାଡ଼ ପାଇଁ କେନ୍ଦ୍ରକୁ ଜଣାନ୍ତୁ। ମାଗଣା ବିହନ, ସାର ଓ କୀଟନାଶକ ଯୋଗାଇ ଦିଆଯାଉ। ଚାଷ ଉପରେ ନିର୍ଭର କରୁଥିବା ଶ୍ରମିକଙ୍କୁ ବେକାରି ଭତ୍ତା, ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା ସହ ଯେଉଁଠି ଧାନ ବଞ୍ଚତ୍ଛି ସେଠାରେ ୭ଦିନ ମଧ୍ୟରେ ଜଳ ଯୋଗାଇ ଦେବାକୁ ମିଶ୍ର ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମରୁଡି ଆଲୋଚନା ବେଳେ ରାଜସ୍ବ ମନ୍ତ୍ରୀ, ଏସ୍‌ଆର୍‌ସିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏପରିକି ମୁଲତବୀ ଆଲୋଚନାର ଅଧାରୁ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିଜେଡି ସଭ୍ୟ ଭୂପିନ୍ଦର ସିଂ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ, କିଶୋର ନାୟକ ପ୍ରମୁଖ ରାଜ୍ୟ ସରକାର କୃଷି ଓ ଚାଷୀଙ୍କ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଚାଷୀଙ୍କ ବିକାଶ ଓ ଆୟ ବୃଦ୍ଧି ପାଇଁ ସରକାର ବହୁ ଯୋଜନା କରିଛନ୍ତି। ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି। କୃଷି ପାଇଁ ସ୍ବତନ୍ତ୍ର ବଜେଟ, କୃଷି କ୍ୟାବିନେଟ ଆଦି କରାଯାଇଛି। ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜମିକୁ ଜଳ ସେଚନ କରାଯାଉଛି ବୋଲି ଶାସକ ସଦସ୍ୟମାନେ କହିଥିଲେ। ତେବେ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।

୨୩ ଜିଲାରେ ମରୁଡ଼ି: ମନ୍ତ୍ରୀ

ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ଅଗଷ୍ଟ ୨୮ ପର୍ଯ୍ୟନ୍ତ ରାଜ୍ୟର ୨୩ ଜିଲାରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୮୭୭.୯ ମି.ମି. ବର୍ଷା ହେବାକୁ ଥିବା ବେଳେ ୬୧୬.୪ ମି.ମି. ବର୍ଷା ହୋଇଛି। ଏହା ସ୍ବାଭାବିକଠାରୁ ୨୯.୮% କମ୍‌ ରହିଛି। ଏହି ସମୟ ମଧ୍ୟରେ ୧୧ ଜିଲାର ୧୫ ବ୍ଲକରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହିସବୁ ଜିଲାରେ ସ୍ବାଭାବିକଠାରୁ ୫୯ % କମ୍‌ ବର୍ଷା ହୋଇଛି। ତେବେ ୧୪ ଜିଲାର ୪୭ ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଫସଲ ଉଜୁଡ଼ି ଯାଇଛି। ବୁଧବାର ମୁଲତବୀ ଆଲୋଚନାବେଳେ ବିରୋଧୀଙ୍କ ପ୍ରଶ୍ନର ଜବାବରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ୫୩.୬୭ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯାଇଛି। ଏହା ଧାର୍ଯ୍ୟଲକ୍ଷ୍ୟର ୮୬.୬୨%। ଗତ ବର୍ଷ ଏହି ସମୟରେ ୫୧.୧୨ ଲକ୍ଷ ହେକ୍ଟର ଜମିରେ ଫସଲ ଚାଷ ହୋଇଥିଲା, ଯାହାକି ଧାର୍ଯ୍ୟଲକ୍ଷ୍ୟର ୯୨% ଥିଲା।
ବିଗତ ବର୍ଷକୁ ତୁଳନା କଲେ ଅଗଷ୍ଟ ୨୮ ସୁଦ୍ଧା ୩.୪୫ ଲକ୍ଷ ହେକ୍ଟର କମ୍‌ ଜମିରେ ଚାଷ ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୮ ଥର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମରୁଡ଼ି ଏକ ପ୍ରାକୃତିକ ଦୁର୍ବିପାକ। ଏହା ଜଳବାୟୁ ପରିବର୍ତ୍ତନ ଯୋଗୁ ହୋଇଥାଏ। ସ୍ଥିତି ବଦଳୁଥିବାରୁ ଫସଲର ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସୁଛି। ରାଜ୍ୟରେ ହେଉଥିବା ମୋଟ୍‌ ଧାନଚାଷର ପ୍ରାୟ ୪୦ ଭାଗ ଜମିରେ ଧାନବୁଣା ଯାଉଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ କିଛି ଜମିରେ ବେଉଷଣ କାର୍ଯ୍ୟ କରାଯାଇପାରିନାହିଁ। ରାଜ୍ୟର ସମସ୍ତ ଜିଲାପାଇଁ ଜିଲା ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ ଜୁଲାଇ ଏବଂ ଅଗଷ୍ଟ ମାସରେ କ୍ଷେତ୍ର ପରିଦର୍ଶନ କରି ଫସଲର ଅବସ୍ଥା ଏବଂ ଜଳସେଚନର ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଆକଳନ କରିଛନ୍ତି। ୨୦୨୧ ଜୁଲାଇ ୨୦ରେ ମୁଖ୍ୟ ଶାସନ ସଚିବ ଫସଲର ସ୍ଥିତି ଅନୁଧ୍ୟାନ କରିବା ସହ କେନାଲ ପାଣି ଛାଡ଼ିବା ଏବଂ ଜଳସେଚନର ସମସ୍ତ ଉତ୍ସକୁ ବ୍ୟବହାର କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ଆପତଃକାଳୀନ ଫସଲ ଯୋଜନା ପ୍ରସ୍ତୁତି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମରୁଡିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସପ୍ତାହର ସୋମବାର କୃଷି ଉତ୍ପାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଫସଲ ଓ ଏହାର ଅବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓୟୁଏଟି, ଆଇଏମ୍‌ଡି, ଏସ୍‌ଆର୍‌ସି, ଜଳ ସମ୍ପଦ ଓ ସମବାୟ ବିଭାଗ ଅଧିକାରୀମାନେ ସାମିଲ ହେଉଛନ୍ତି। ଅବସ୍ଥା ନିରୀକ୍ଷଣ କରି ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri