ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର ୨୦ ଜଣ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ବୋନସ୍ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ରାମସ୍ୱରୂପ ମୁଣ୍ଡେ ନାମକ ଏହି ବ୍ୟବସାୟୀଙ୍କ ବୋନସ୍ ବଣ୍ଟନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
କର୍ମଚାରୀଙ୍କୁ ବ୍ୟାଙ୍କ ଟ୍ରାନ୍ସଫର କିମ୍ବା ସାଧାରଣ ଲଫାପାରେ ଟଙ୍କା ନଦେଇ ବ୍ୟବସାୟୀ ଜଣକ ଏକ ନିଆରା ଉପାୟ ଆପଣାଇଥିଲେ। ସେ ସୁନ୍ଦର ଭାବେ ସଜାଯାଇଥିବା ପୂଜା ଥାଳିରେ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ ନୂଆ ନୋଟ୍ର ବଣ୍ଡଲ୍ ରଖିଥିଲେ । ଏହି ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ କର୍ମଚାରୀଙ୍କ ପତ୍ନୀମାନେ ନିଜ ନିଜ ସ୍ୱାମୀଙ୍କୁ ଟଙ୍କା ଭର୍ତ୍ତି ପୂଜା ଥାଳି ହସ୍ତାନ୍ତର କରିଥିଲେ । ଏହି ନିଆରା ଢଙ୍ଗରେ ବୋନସ୍ ପ୍ରଦାନ କରିବାର ଦୃଶ୍ୟ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ପାଲଟିଥିଲା।
ଭାଇରାଲ୍ ଭିଡିଓରେ ଅନେକ କର୍ମଚାରୀ ବୋନସ୍ ପାଇ ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । କିଛି କର୍ମଚାରୀଙ୍କ ଆଖିରୁ ଖୁସିର ଲୁହ ଝରିପଡ଼ିଥିଲା। ସାଧାରଣ ଦୀପାବଳି ଉପହାର ବଦଳରେ ଏତେ ବଡ଼ ନଗଦ ରାଶି ପାଇ ସେମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି । ବ୍ୟବସାୟର ସଫଳତାରେ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଦେଇଥିବାରୁ ରାମସ୍ୱରୂପଙ୍କୁ ଅନେକେ ପ୍ରଶଂସା କରୁଛନ୍ତି । ଦୀପାବଳି ବୋନସ୍ ଦେବାର ପାରମ୍ପରିକ ଶୈଳୀଠାରୁ ଭିନ୍ନ କିଛି କରିଥିବାରୁ ତାଙ୍କୁ ସାଧୁବାଦ ଜଣାଉଛନ୍ତି । ଆଉ କିଛି ୟୁଜର୍ସ ମଜାଳିଆ ଢଙ୍ଗରେ ତାଙ୍କ କମ୍ପାନୀରେ ଚାକିରି କିପରି ମିଳିବ ବୋଲି ପଚାରିଛନ୍ତି।

