ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା ପୋଲିସ ଦୁଇ ଭାଇଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ବଦାଙ୍ଗି ଗ୍ରାମ ଗୌଡ଼ ସାହିର ଅଭିମନ୍ୟୁ ଗୌଡ଼ (୩୭) ଓ ସୁଶାନ୍ତ ଗୌଡ଼ ଓରଫ କାଳିଆ (୩୫)। ଉଭୟ ସୁରେନ୍ଦ୍ର ଗୌଡ଼ଙ୍କ ପୁଅ ବୋଲି ପୋଲିସ ପ୍ରକାଶ କରିଛି।
ପୋଲିସର ସୂଚନା ଅନୁଯାୟୀ, ଗତ ୪ ତାରିଖ ରାତିରେ ବଦାଙ୍ଗି ଗ୍ରାମର ତ୍ରିନାଥ ଗୌଡ଼ (୮୦) ନିଜ ଘରେ ଏକାକୀ ଶୋଇଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କ ଘରେ ପଶି ତାଙ୍କୁ ବାରଣ୍ଡାକୁ ଘୋଷାଡ଼ି ଆଣିଥିଲେ । ପ୍ରଥମେ ତାଙ୍କ ନିଜ ଠେଙ୍ଗାରେ ଆକ୍ରମଣ କରିବା ପରେ ପଥର ଖଣ୍ଡରେ ମୁଣ୍ଡ ଓ ମୁହଁକୁ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଅଭିଯୁକ୍ତ ଦ୍ୱୟ ଗ୍ରାମ ଛାଡ଼ି ପଳାଇଥିଲେ।
ତ୍ରିନାଥଙ୍କ ପୁଅ ଜଳନ୍ଧର ଗୌଡ଼ (୫୫) ଗତ ୫ ତାରିଖରେ ଏନେଇ ତାରସିଂ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୪୨/୨୦୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ମୃତ ତ୍ରିନାଥ ପାରମ୍ପରିକ ଝଡ଼ାଫୁଙ୍କା କରୁଥିବାରୁ କିଛି ଗ୍ରାମବାସୀ ତାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ଅଭିଯୁକ୍ତମାନେ ମଧ୍ୟ ତ୍ରିନାଥ ସେମାନଙ୍କ ପରିବାର ଉପରେ ଗୁଣି କରୁଥିବା ଆଶଙ୍କା କରିଥିଲେ। ଜଣେ ଅଭିଯୁକ୍ତଙ୍କ ଜ୍ୱର ନ କମିବା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅସୁସ୍ଥ ହେବା ଘଟଣାକୁ ନେଇ ସେମାନେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିଲେ। ତେଣୁ ତ୍ରିନାଥଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।
ପୋଲିସ ଘଟଣା ଦିନ ଘଟଣାସ୍ଥଳରୁ ରକ୍ତ ଲାଗିଥିବା ପଥର ଖଣ୍ଡ, ଆକ୍ରମଣରେ ବ୍ୟବହୃତ ଠେଙ୍ଗା, ମୋବାଇଲ ଫୋନ୍ ଓ ଅଭିଯୁକ୍ତଙ୍କ ପୋଷାକ ଜବତ କରିଛି । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ର ଧାରା ୧୦୩(୧), ୩୩୨(କ) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି । ରବିବାର ଉଭୟଙ୍କୁ ଭଞ୍ଜନଗର ଏସ୍ଡିଜେଏମ୍ଙ୍କ ଅଦାଲତକୁ ଚାଲାଣ କରାଯାଇଛି।
ଅନ୍ୟପକ୍ଷରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ବିଶ୍ୱାସ ନକରିବାକୁ ତଥା କୌଣସି ବ୍ୟକ୍ତିଙ୍କୁ ଗୁଣିଆ ଆଖ୍ୟା ଦେଇ ଧମକଚମକ ଦିଆଯାଉଥିଲେ ନିକଟସ୍ଥ ଥାନାକୁ ତୁରନ୍ତ ଜଣାଇବାକୁ ତାରସିଂ ପୋଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ।

