ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଘରୋଇ ଦଳକୁ ମାତ୍ର ୧୩୪ ରନ୍ରେ ଅଲଆଉଟ କରିଦେଇଛି। ନ୍ୟୁଜିଲାଣ୍ଡ ଦଳ ୪୧ ଓଭରରେ ସମସ୍ତ ଉଇକେଟ ହରାଇଥିଲା। ଭାରତୀୟ ଯୁବ ଦ୍ରୁତ ବୋଲର ଗୁରନୁର ବରାର ନିଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ୧୦ ଓଭରରେ ୩୦ ରନ ଦେଇ ୪ଟି ଉଇକେଟ ନେଇଛନ୍ତି।
ଭାରତ ପକ୍ଷରୁ ଆକିବ ନବି, ଅଂଶୁଲ କାମ୍ବୋଜ ଓ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ନେଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୫୫ ରନ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ୱେଲିଂଟନ୍ରେ ୪ଟି ଉଇକେଟ ନେଇ ଗୁରନୁର ବରାର ଏକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ କ୍ରିକେଟ୍ରେ ଜଣେ ଭାରତୀୟ ଦ୍ରୁତ ବୋଲରଙ୍କ ଦ୍ୱାରା ଏହା ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ଏହି ତାଲିକାରେ ଜବଗଲ ଶ୍ରୀନାଥଙ୍କ ନାଁ ଶୀର୍ଷରେ ରହିଛି।
ନ୍ୟୁଜିଲାଣ୍ଡରେ ଭାରତୀୟ ବୋଲରଙ୍କ ଶ୍ରେଷ୍ଠ ପ୍ରଦର୍ଶନ:
– ୪/୨୩ ଜବଗଲ ଶ୍ରୀନାଥ, ଅକଲାଣ୍ଡ, ୨୦୦୩
– ୪/୩୦ ଗୁରନୂର ବରାର, ୱେଲିଂଟନ, ୨୦୨୬
– ୪/୫୨ ଜବଗଲ ଶ୍ରୀନାଥ, ନେପିୟର, ୧୯୯୫
ଏହି ମ୍ୟାଚ୍ରେ ଗୁରନୁରଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଆକିବ ନବି ୭ ଓଭରରେ ୩୧ ରନ ଦେଇ ୨ଟି ଉଇକେଟ ନେଇଥିବା ବେଳେ ଅଂଶୁଲ କାମ୍ବୋଜ ୮ ଓଭରରେ ମାତ୍ର ୨୫ ରନ ଦେଇ ୨ଟି ଉଇକେଟ ହାସଲ କରିଥିଲେ। ଅକ୍ଷର ପଟେଲ ମଧ୍ୟ ୨ଟି ଉଇକେଟ ନେଇଥିଲେ।
ଗୁରନୂର ଶର୍ଟ ପିଚ ବଲ୍ର ଚମତ୍କାର ବ୍ୟବହାର କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମକୁ ଭାଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ଅର୍ଶଦୀପ ସିଂହ ୭ ଓଭରରେ ୧୬ ରନ ଦେଇଥିଲେ। ତାଙ୍କୁ ଉଇକେଟ ମିଳି ନ ଥିଲେ ମଧ୍ୟ ଶୃଙ୍ଖଳିତ ବୋଲିଂ ଜରିଆରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଭାରତୀୟ ବୋଲରମାନେ ମୋଟ ୧୭୬ଟି ଡଟ ବଲ ପକାଇଥିଲେ। ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ, ଯାହାକୁ ବୋଲରମାନେ ସଫଳ କରି ନ୍ୟୁଜିଲାଣ୍ଡକୁ କମ ସ୍କୋରରେ ସୀମିତ ରଖିଛନ୍ତି।
Dharitri – Odisha’s No.1 Odia Daily

