ୱେଲିଂଟନ,୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଧିନାୟକ ଶୁଭମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲରମାନେ। ବିଶେଷ କରି ଯୁବ ଦ୍ରୁତ ବୋଲର ଗୁରନୂର ବରାର ଗୋଟିଏ ଓଭରରେ ଦୁଇଟି ବଡ଼ ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ଜୋରଦାର ଝଟକା ଦେଇଛନ୍ତି।
ମ୍ୟାଚ୍ର ୨୦ତମ ଓଭରରେ ଗୁରନୁର ବରାର ନିଜ ସ୍ପେଲ୍ର ପଞ୍ଚମ ଓଭର ବୋଲିଂ କରୁଥିଲେ। ଏହି ଓଭରର ଦ୍ୱିତୀୟ ବଲ୍ରେ ସେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମଙ୍କୁ ଆଉଟ କରିଥିଲେ। ୧୪୧ କିମି ବେଗରେ ଆସିଥିବା ଶର୍ଟ ପିଚ ବଲ୍କୁ ଲାଥମ ପୁଲ ସଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ୍ଟି ବ୍ୟାଟ୍ର ଉପର ଭାଗରେ ବାଜି ଆକାଶକୁ ଉଠିଯାଇଥିଲା। ଡିପ ସ୍କୋୟାର ଲେଗ୍ରେ ଥିବା ନମନ ଧୀର ସହଜ କ୍ୟାଚ ଧରି ଲାଥମଙ୍କ ଇନିଂସର ଅନ୍ତ ଘଟାଇଥିଲେ।
ଏହି ଓଭରର ଶେଷ ବଲ୍ରେ ଗୁରନୁର ଆଉ ଏକ ବଡ଼ ସଫଳତା ପାଇଥିଲେ। ଫର୍ମରେ ଥିବା ବ୍ୟାଟର ଗ୍ଲେନ ଫିଲିପ୍ସ ମଧ୍ୟ ୧୪୧ କିମି ବେଗର ଶର୍ଟ ପିଚ ବଲ୍ରେ ପୁଲ ସଟ ଖେଳିବାକୁ ଯାଇଥିଲେ। ହେଲେ ବଲ୍ଟି ବ୍ୟାଟ୍ର ଉପର ଭାଗରେ ବାଜି ଉପରକୁ ଉଠିଥିଲା। ଫାଇନ ଲେଗ୍ରେ ଥିବା ଅଂଶୁଲ କାମ୍ବୋଜ ଆଗକୁ ଡାଇଭ ମାରି ଚମତ୍କାର କ୍ୟାଚ ଧରିଥିଲେ। ଫଳରେ ଫିଲିପ୍ସ ମାତ୍ର ୪ଟି ବଲ ଖେଳି କୌଣସି ରନ ନକରି ପ୍ୟାଭିଲିୟନ ଫେରିଥିଲେ। ଗୋଟିଏ ଓଭରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ଚାପରେ ପଡ଼ିଥିଲା।
ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବ୍ୟାଟରମାନେ ଆରମ୍ଭରୁ ରନ କରିବାକୁ ସଂଘର୍ଷ କରିଥିଲେ। ଦଳ ୧୮.୩ ଓଭରରେ ୫୦ ରନ ପୂରଣ କରିଥିଲା। ଫେବ୍ରୁଆରୀ ୨୦୧୩ରେ ଅକଲାଣ୍ଡଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପରେ ଘରୋଇ ମାଟିରେ ଦିନିକିଆ କ୍ରିକେଟ୍ରେ ନ୍ୟୁଜିଲାଣ୍ଡର ଏହା ସବୁଠାରୁ ଧିମା ଅର୍ଦ୍ଧଶତକ। ସେହି ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ କିୱି ଦଳ ୧୮.୪ ଓଭରରେ ୫୦ ରନ ପୂରଣ କରିଥିଲା।
ଏହି ମ୍ୟାଚ୍ରେ ମାତ୍ର ୫୩ ରନ ସ୍କୋରରେ ନ୍ୟୁଜିଲାଣ୍ଡର ଅଧା ଦଳ ପ୍ୟାଭିଲିୟନ ଫେରିଯାଇଥିଲା। ଭାରତୀୟ ବୋଲରଙ୍କ ଚାପରେ କିୱି ବ୍ୟାଟରମାନେ ବଡ଼ ଭାଗୀଦାରି ଗଢ଼ିବାରେ ବିଫଳ ହୋଇଥିଲେ।
Dharitri – Odisha’s No.1 Odia Daily

