ନୂତନ ବିଶ୍ୱବିଦ୍ୟାଳୟ ଆଇନ: ଏକ ସମୀକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର

ସେପ୍ଟେମ୍ବର ୨ତାରିଖରେ ରାଜ୍ୟ କ୍ୟାବିନେଟ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି, ଯାହା ପ୍ରଚଳିତ ୧୯୮୯ ବିଶ୍ୱବିଦ୍ୟାଳୟ ଆକ୍ଟକୁ ବାତିଲ ପାଇଁ ଉଦ୍ଦିଷ୍ଟ। ଅଧ୍ୟାଦେଶରେ ଉଲ୍ଲିଖିତ ବିଷୟବସ୍ତୁ ଦେଖିଲେ ଏହା ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିମ୍ନଗାମୀ କରାଇବା ସହ ନିମ୍ନସ୍ତରକୁ ମଧ୍ୟ ନେଇଯିବ; ଯାହା ଫଳରେ ବିଶ୍ୱବିଦ୍ୟାଳୟଗୁଡ଼ିକ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭଳି ପରିଗଣିତ ହେବେ।

ଅଧ୍ୟାଦେଶର ଛତ୍ରେ ଛତ୍ରେ ବିଶ୍ୱବିଦ୍ୟାଳୟ ଭଳି ସ୍ବୟଂସମ୍ପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ସବୁକଥାରେ ସରକାରୀ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରାଯାଇଛି। ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟ ଓ ସିଣ୍ଡିକେଟ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଦିଓ ଅନ୍ତିମ ସିଦ୍ଧାନ୍ତ ସିଣ୍ଡିକେଟର ଅନୁମୋଦନ ଅନୁଯାୟୀ ନିଆଯାଏ। ତଥାପି ସିନେଟରେ ବହୁତ କଥା ଆଲୋଚିତ ହୁଏ ଏବଂ ବିଶ୍ୱବିଦ୍ୟାଳୟର ବହୁ ଦୋଷତ୍ରୁଟି ଧରାପଡ଼େ ଏବଂ ତା’ ଉପରେ ସଂଶୋଧନୀ ପ୍ରସ୍ତାବମାନ ନିଆଯାଏ। ସିନେଟକୁ ଉଚ୍ଛେଦ କରିବା ଅର୍ଥ ‘କୋଟେରୀ ରାଜ’ ଅର୍ଥାତ୍‌ ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ଯାହା ଇଚ୍ଛା ତାହା ଅନୁମୋଦନ କରିନେବା କାରଣ ସିଣ୍ଡିକେଟ ସଦସ୍ୟଙ୍କ ସଂଖ୍ୟା ହାତ ଗଣତି ଏବଂ ନୂତନ ବ୍ୟବସ୍ଥା ଅନୁଯାୟୀ ଯେହେତୁ  ଏଥିରେ ସରକାରଙ୍କ ଜଣେ ମନୋନୀତ ଅଧିକାରୀ ରହିବେ, ତେଣୁ ବିଶ୍ୱବିଦ୍ୟାଳୟର ସମସ୍ତ ସିଦ୍ଧାନ୍ତ ସରକାରଙ୍କୁ ସୁହାଇଲା ଭଳି ହେବ। କିଛି ନୂତନ, ମୌଳିକ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ସମର୍ଥ ହେବନାହିଁ। ଠିକ୍‌ ସେହିପରି କୁଳପତି ମନୋନୟନ ପାଇଁ ସର୍ଚ୍ଚ କମିଟିରେ ସରକାରଙ୍କ ମନୋନୀତ ଅଧିକାରୀ ସଦସ୍ୟ ରହିବା ଅର୍ଥ ତାଲିକାଭୁକ୍ତ ହେବାକୁ ଯାଉଥିବା ପ୍ରାର୍ଥୀମାନେ ପରୋକ୍ଷରେ ସରକାରଙ୍କୁ ସୁହାଉଥିବା ଆବଶ୍ୟକ। ତେଣୁ କୁଳପତି ମନୋନୟନ ଓ ସିଣ୍ଡିକେଟରେ ସରକାରୀ ଦଖଲଦାରି ରହିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଉଚ୍ଚ ଶିକ୍ଷାବିଭାଗର ଗୋଟିଏ ଗୋଟିଏ ଉପବିଭାଗ ରୂପେ କାର୍ଯ୍ୟ କରିବ। ପ୍ରତ୍ୟେକ ଛୋଟ ଛୋଟ କଥା ପାଇଁ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ଦୌଡ଼ିବାକୁ ପଡ଼ିବ କାରଣ ବିଭିନ୍ନ କାରଣରୁ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପରେ ନିର୍ଭର କରିବାକୁ ପଡ଼ିବ ବିଶେଷତଃ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ତାଙ୍କ ହାତରୁ ଚାଲିଯାଇଥିବା ହେତୁ।

ଏହି ପଦକ୍ଷେପ ମାଧ୍ୟମରେ ସରକାର ବିଶ୍ୱବିଦ୍ୟାଳୟ ହାତରୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି  କ୍ଷମତା କାଢ଼ିନେଇ ଶିକ୍ଷକ ନିଯୁକ୍ତି, ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନକୁ ଦିଆଯାଇଥିବାବେଳେ ଅଣଶିକ୍ଷକ ନିଯୁକ୍ତି ସର୍ଭିସ ସିଲେକ୍‌ସନ ବୋର୍ଡ ମାଧ୍ୟମରେ ହେବ। ଏହା ଏକ ଭୟଙ୍କର ନିମ୍ନଗାମୀ ତଥା ପଛକୁ ଫେରିଯିବା ପଦକ୍ଷେପ। ବିଶ୍ୱବିଦ୍ୟାଳୟ ମାନ  ସାଧାରଣ ଉଚ୍ଚଶିକ୍ଷାନୁଷ୍ଠାନ ନୁହେଁ। ଏହାର ବିଭାଗ ଭିତରେ ଅନେକ ଉପ-ବିଭାଗ ଥାଏ। ତା’ ଛଡ଼ା ଶିକ୍ଷା ସହ ଗବେଷଣା ବିଶ୍ୱବିଦ୍ୟାଳୟର ଏକ ପ୍ରମୁଖ ଅଙ୍ଗ। ବିଭାଗୀୟ ଆବଶ୍ୟକତାକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସାଧାରଣ କଲେଜରେ ଶିକ୍ଷକଚୟନ ପଦ୍ଧତିକୁ ଆପଣେଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଆବଶ୍ୟକତାକୁ ଓ ଶୈକ୍ଷିକ ବାତାବରଣକୁ ଏହି ନୂତନ ଆଇନରେ ପଦାଘାତ କରାଯାଇଛି। ତା’ଛଡ଼ା ଏ ପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସିଦ୍ଧାନ୍ତ ନେଲାବେଳେ ସରକାର ଦେଶ ତଥା ଅନ୍ୟ ପ୍ରଦେଶର ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନର ବ୍ୟବସ୍ଥା ଅନୁଧ୍ୟାନ କରିବା ଆବଶ୍ୟକ। ଭାରତବର୍ଷର ଉଭୟ ପ୍ରାଦେଶିକ ତଥା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକ ହିଁ କରନ୍ତି। ୟୁଜିସି ନିୟମ ଅନୁଯାୟୀ ବାହ୍ୟ ବିଶାରଦଙ୍କ ତତ୍ତ୍ୱାବଧାନରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୁଏ। ସ୍ଥଳ ବିଶେଷରେ କେଉଁଠି ଦୁର୍ନୀତି ହେଉଥିବ।

ଆମେ ଆଦର୍ଶଆଡ଼କୁ ଆଗେଇବା  ନା ପଛେଇବା?

ଓଡ଼ିଶାରେ ଥିବା ଆଇ.ଆଇ.ଟି.; ଏନ.ଆଇ.ଟି.; କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ; ଆଇ.ଆଇ.ଏମ୍‌., ସମ୍ବଲପୁରର ଶିକ୍ଷକ ନିଯୁକ୍ତି କ’ଣ ୟୁନିୟନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା କରାଯାଉଛି? ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ କ’ଣ ଦିଲ୍ଲୀ ସରକାର ବା କେନ୍ଦ୍ର ସରକାର କରୁଛନ୍ତି? ତା’ଛଡ଼ା ଓଡ଼ିଶାରେ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ହେଉଥିବା ଚୟନ ପ୍ରକ୍ରିୟା ଏତେ ବିଳମ୍ବିତ ହୁଏ ଯେ ନିୟମିତ ଶିକ୍ଷକ ମିଳିବା ସାତସପନ ପାଲଟିବ। ଫଳତଃ କାମଚଳା, ଚୁକ୍ତିଭିତ୍ତିକ ଶିକ୍ଷକ ବା ଅତିଥି ଶିକ୍ଷକ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଚାଲିବ, ପିଲାମାନଙ୍କର ପାଠପଢ଼ାର ଗୁଣବତ୍ତା, ଶିକ୍ଷାଦାନର ଗୁଣବତ୍ତା ରସାତଳକୁ ଯିବ।

ବିଶ୍ୱବିଦ୍ୟାଳୟ ଭଳି ଏକ ସ୍ବୟଂସମ୍ପନ୍ନ ଉଚ୍ଚଶିକ୍ଷାନୁଷ୍ଠାନର କୁଳପତି ଯଦି ଶିକ୍ଷାନୁଷ୍ଠାନ ଚଳେଇବା ପାଇଁ କୌଣସି ଜଣେ କର୍ମଚାରୀ ନିଯୁକ୍ତି କରିପାରିବେ ନାହିଁ, ତା’ହେଲେ ସେ ରହିବେ କାହିଁକି? ଖାଲି ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକଙ୍କ ଦ୍ୱାରା କାମ ଚଳିଯିବ।

ସରକାର କଲେଜଗୁଡ଼ିକୁ ଚଳେଇଲା ଭଳି  ପ୍ରତ୍ୟକ୍ଷ ଭାବରେ ବିଶ୍ୱବିଦ୍ୟାଳୟ ପରଚାଳନା କରିପାରିବେ। ଅଯଥା କିଛି ଖର୍ଚ୍ଚ ମଧ୍ୟ ବଞ୍ଚିଯିବ! ପରିବର୍ତ୍ତିତ ବ୍ୟବସ୍ଥାରେ ଆତ୍ମମର୍ଯ୍ୟାଦାସଂପନ୍ନ ଜ୍ଞାନୀ, ଗୁଣୀ ଲୋକେ ଏହି ପଦବୀ ପ୍ରତି ଆକୃଷ୍ଟ ହେବେନାହିଁ। ସବୁ ପରିସ୍ଥିତିକୁ ହଜମ କରିପାରୁଥିବା କିଛି ବ୍ୟକ୍ତି ଏ ସବୁ ପଦ ଅଳଂକୃତ କରିବେ। ଫଳ ସ୍ବରୂପ ବିଶ୍ୱବିଦ୍ୟାଳୟଗୁଡ଼ିକ ଦିନକୁ ଦିନ ଆହୁରି ତଳକୁ ଚାଲିଯିବ। ସରକାରଙ୍କ ତଥାକଥିତ ଗୁଣାତ୍ମକ ବିଶ୍ୱସ୍ତରୀୟ ଶିକ୍ଷା କେବଳ ସ୍ବପ୍ନରେ ରହିଯିବ ା

ସରକାର ଭଲ ଭାବରେ ଜାଣନ୍ତି ଯେ ସରକାର ନିୟନ୍ତ୍ରଣରେ ଗୁଣବତ୍ତା ପ୍ରକଟିତ ହୁଏନାହିଁ। ତେଣୁ ଉଭୟ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର ଉଚ୍ଚତର ଶିକ୍ଷା ତଥା ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଏକ ସ୍ବତନ୍ତ୍ର ସ୍ବୟଂସମ୍ପନ୍ନ ପରିଚାଳନା ସମିତି ଦ୍ୱାରା ନିୟନ୍ତ୍ରିତ ହେବା ପାଇଁ ବିଧିବିଧାନ କରନ୍ତି। ଭାରତର ସବୁ ଆଇ.ଆଇ.ଟି; ସବୁ ଆଇ.ଆଇ.ଏମ୍‌; ଏମ୍‌ସ; ସେହି ପ୍ରକାର ବିଧାନର ଫଳ। ପ୍ରାଦେଶିକ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ସେହି ଢାଞ୍ଚାରେ ଗଢ଼ା ଯାଇଥିଲା।

ଏକ ବିଂଶ ଶତାବ୍ଦୀରେ ଯେତେବେଳେ ଉଦାରୀକରଣ ପ୍ରଭାବରେ ଆହୁରି ଅଧିକ ସ୍ବାଧୀନତାର ଦାବି ଉଠୁଛି, ଠିକ୍‌ ସେହି ସମୟରେ ଘଣ୍ଟାକୁ ପଛକୁ ଫେରାଇ ସରକାର ନିୟନ୍ତ୍ରଣ କରିବାକୁ ପାଗ ଭିଡ଼ିଲେଣି। ପରିଣତି ଜଳଜଳ।

୮୦ ବର୍ଷ ତଳେ ସ୍ଥାପିତ ଉତ୍କଳ ବିଶ୍ୱବିଦ୍ୟାଳୟର ସର୍ବଭାରତୀୟ ର଼୍ୟାଙ୍କ ୯୬ ହୋଇଥିବା ବେଳେ ଗତ କେଇ ବର୍ଷ ତଳେ ସ୍ଥାପିତ ଓଡ଼ିଶାର ଘରୋଇ ବିଶ୍ୱବିଦ୍ୟାଳୟମାନ ୫୦ ଭିତରେ ସ୍ଥାନ ପାଇ ପାରୁଛନ୍ତି।

ସରକାର ସେଥିରୁ କ’ଣ ବୁଝିପାରୁନାହାନ୍ତି ଯେ ନିୟନ୍ତ୍ରଣ ନା ନିୟନ୍ତ୍ରଣହୀନତା, କେଉଁଟା ଜରୁରୀ?

ଅବଶ୍ୟ ନୂତନ ବିଶ୍ୱବିଦ୍ୟାଳୟ ଆଇନ ଗୋଟିଏ କଥା କରିବ। ସରକାରୀ ସ୍କୁଲ, କଲେଜଠୁ ଲୋକେ ମୁହଁ ଫେରାଇଲା ପରି ସମ୍ପୂର୍ଣ୍ଣଭାବେ ସରକାର ନିୟନ୍ତ୍ରିତ ବିଶ୍ୱବିଦ୍ୟାଳୟଠୁ ମୁହଁ ଫେରେଇ ଲୋକେ ଘରୋଇ ବିଶ୍ୱବିଦ୍ୟାଳୟ ମୁହାଁ ହେବେ। ଦିନକୁ ଦିନ ଏ ଅନୁଷ୍ଠାନଗୁଡ଼ିକ ଆହୁରି ଦୁଃସ୍ଥ, ରୁଗ୍‌ଣ ତଥା ଅନାକର୍ଷଣୀୟ ପାଲଟିବ। ସରକାର ଯଦି ସରକାରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପାଇଁ ଏହି ପ୍ରକାର ନକାରାତ୍ମକ ପଦକ୍ଷେପ ନିଅନ୍ତି, ଲୋକେ ତା’ହେଲେ କାହା ଉପରେ ଭରସା ରଖିବେ?

ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର

ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?