ଦାରିଙ୍ଗବାଡ଼ି,୨୭।୧୧(ଅରୁଣ ସାହୁ):ଆଗକୁ ଆସୁଛି ପ୍ରଥମାଷ୍ଟମୀ। ଘରର ବଡ଼ ପୁଅ ଓ ଝିଅଙ୍କ ଶୁଭ ମନାସି ଏହି ପର୍ବ ପାଳନ କରିବାକୁ ଓଡ଼ିଆ ଘରେ ଚାଲିଛି ପ୍ରସ୍ତୁତି। ପ୍ରଥମାଷ୍ଟମୀ କହିଲେ ଏଣ୍ଡୁରି ପିଠାର ମହକ ସମସ୍ତଙ୍କ ମନକୁ ଆସିଥାଏ। ଆଉ ଏହି ପିଠା ପ୍ରସ୍ତୁତି ପାଇଁ ଆବଶ୍ୟକ ହୁଏ ହଳଦୀ ପତ୍ର। ଏହି ସମୟରେ କନ୍ଧମାଳ ହଳଦୀ ପତ୍ରର ଚାହିଦା ବେଶ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଟନ ଟନ ହଳଦୀ ପତ୍ର ଯାଉଥିବା ବେଳେ ଏହାର ଉଚିତ ମୂଲ୍ୟ ପାଉନାହାନ୍ତି ଚାଷୀ।
କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଜୈବିକ ପଦ୍ଧତିରେ ହଳଦୀ ଚାଷ କରାଯାଏ। କନ୍ଧମାଳ ହଳଦୀର ସୁନାମ କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରେ ମଧ୍ୟ ରହିଛି। ହଳଦୀ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଭଳି ଏହାର କଞ୍ଚା ପତ୍ରର ମଧ୍ୟ ରହିଛି ସ୍ବତନ୍ତ୍ର ଚାହିଦା। ଏହି ପତ୍ରର ବାସ୍ନା ଓ ପିଠାର ସ୍ବାଦ ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ। ପ୍ରଥମାଷ୍ଟମୀ ପାଇଁ କନ୍ଧମାଳରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ଅନୁଗୋଳ ଭଳି ବିଭିନ୍ନ ଜିଲ୍ଲାକୁ ବିପୁଳ ପରିମାଣରେ ହଳଦୀ ପତ୍ର ପଠାଯାଉଛି। ହେଲେ ଏତେ ଚାହିଦା ସତ୍ତ୍ୱେ ଚାଷୀଙ୍କ ଭାଗ୍ୟ ବଦଳୁନାହିଁ। ଶହେ ହଳଦୀ ପତ୍ରକୁ ମାତ୍ର ୨୦ ଟଙ୍କାରେ ବ୍ୟବସାୟୀ ଓ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ହଳଦୀ ପତ୍ର ସଂଗ୍ରହ କରିବା ଏତେ ସହଜ ନୁହେଁ। ଜଙ୍ଗଲ ମଧ୍ୟରେ ଥିବା ଚାଷ ଜମିରୁ ପତ୍ର କାଟିବା, ସେଗୁଡ଼ିକୁ ବିଡ଼ା ବାନ୍ଧିବା ଏବଂ ମୁଣ୍ଡରେ ବୋହି ରାସ୍ତା କଡ଼କୁ ଆଣିବା ପାଇଁ ଚାଷୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏତେ ପରିଶ୍ରମ ପରେ ମଧ୍ୟ ଉଚିତ ପାରିଶ୍ରମିକ ମିଳୁନାହିଁ। ଅନ୍ୟପଟେ ହଳଦୀ ଅମଳ ପୂର୍ବରୁ ପତ୍ର କାଟି ଦିଆଯାଉଥିବାରୁ ହଳଦୀ ଉତ୍ପାଦନ ମଧ୍ୟ ହ୍ରାସ ପାଉଥିବା କୁହାଯାଉଛି। ଏହାଦ୍ୱାରା ଚାଷୀ ଦୁଇ ପଟୁ କ୍ଷତି ସହୁଛନ୍ତି।
ଦାରିଙ୍ଗବାଡ଼ିର ହଳଦୀ ଚାଷୀ ଗୁମାଲୀ ପ୍ରଧାନଙ୍କ କହିବା ଅନୁସାରେ, ହଳଦୀ ପତ୍ର ସଂଗ୍ରହ କରିବାରେ ବହୁ ପରିଶ୍ରମ ହେଉଥିଲେ ମଧ୍ୟ ଏଥିରୁ ଆଶାନୁରୂପ ରୋଜଗାର ମିଳୁନାହିଁ। ସହରାଞ୍ଚଳରେ କନ୍ଧମାଳ ହଳଦୀ ପତ୍ରର ଚାହିଦା ଅଧିକ ଥିବା ସତ୍ତ୍ୱେ ଚାଷୀଙ୍କୁ ଉଚିତ ଦାମ ମିଳୁନାହିଁ। ପ୍ରଥମାଷ୍ଟମୀ ଭଳି ପର୍ବରେ କନ୍ଧମାଳ ହଳଦୀ ପତ୍ରର ଚାହିଦା ବଢ଼ୁଥିବା ବେଳେ ଏହାର ଲାଭ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ। ତେଣୁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବା ସହ ବଜାରରେ ସିଧାସଳଖ ବିକ୍ରିର ସୁଯୋଗ ମିଳିବା ଜରୁରୀ ହୋଇପଡ଼ିଛି।

