ଶ୍ରମିକମାରଣ ଆଇନ ଓ କୋଭିଡ୍‌-୧୯

ସୁକାନ୍ତ କୁମାର ପଟେଲ

କୋଭିଡ୍‌-୧୯ ମହାମାରୀ ସମଗ୍ର ବିଶ୍ୱରେ କେବଳ ମାନବ ଜୀବନ ପ୍ରତି ବିପତ୍ତି ସୃଷ୍ଟି କରିନାହିଁ ବରଂ ସାମାଜିକ ଓ ଅର୍ଥନୈତିକ ବିପତ୍ତି ସୃଷ୍ଟି କରିଛି, ଯାହା ସମସ୍ତଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି । କେବଳ ପ୍ରବାସୀ ଶ୍ରମିକ ନୁହନ୍ତି ବରଂ ସମସ୍ତ ଶ୍ରମିକଙ୍କ ଆୟର ପନ୍ଥା ସମ୍ପୂର୍ଣ୍ଣ ଭାବେ ବନ୍ଦ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଫଳରେ ଯେଉଁ ପ୍ରକାରର ଅଧ୍ୟାଦେଶ ସବୁ ଜାରି କରାଗଲା ତାହା ଫଳରେ ଶ୍ରମିକ ଆଇନ ଏକ ନୂତନ ଶ୍ରମିକମାରଣ ଆଇନରେ ପରିଣତ ହୋଇଛି । ପ୍ରବାସୀ ଶ୍ରମିକମାନେ ଶହ ଶହ ସଂଖ୍ୟାରେ ନିଜ ପ୍ରଦେଶକୁ ଫେରିସାରିଛନ୍ତି । ଏବେ ଏମାନଙ୍କର ଥଇଥାନ ରାଜ୍ୟ ସରକାରଙ୍କର ପ୍ରାଥମିକତା। କେବଳ ଥଇଥାନ ନୁହେଁ, ସେମାନଙ୍କର ଜୀବିକା ଓ ଜୀବନ ଚର୍ଯ୍ୟା ଇତ୍ୟାଦି ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ସମସ୍ୟା। ଏକ ଆକଳନରୁ ଜଣାଯାଏ ଯେ, ଉତ୍ତରପ୍ରଦେଶରେ ୨.୫ ଲକ୍ଷ, ଆନ୍ଧ୍ର ପ୍ରଦେଶରେ ୩୩, ୮୪୫, ତେଲଙ୍ଗାନାରେ ୩.୩୫ ଲକ୍ଷ, ପଶ୍ଚିମବଙ୍ଗରେ ୧.୮ ଲକ୍ଷ, ମହାରାଷ୍ଟ୍ରରେ ୫.୫ ଲକ୍ଷ ପ୍ରବାସୀ ଶ୍ରମିକ ବର୍ତ୍ତମାନ ସୁଦ୍ଧା ଗାଁ ଫେରନ୍ତା। ସେହିପରି ଭାବରେ ଅନ୍ୟ ରାଜ୍ୟକୁ ମଧ୍ୟ ପ୍ରବାସୀ ଶ୍ରମିକ ସବୁ ଫେରୁଛନ୍ତି ।
ସରକାରୀ ଆକଳନ ଅନୁସାରେ ଭାରତରେ ମୋଟ ୪.୧୪ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି, ଯେଉଁମାନେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାନ୍ତି। ଏଥିରୁ ମାତ୍ର ୨୦ ପ୍ରତିଶତ ପ୍ରବାସୀ ଶ୍ରମିକ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ ଥିବାବେଳେ ୪୦ ପ୍ରତିଶତ ନିର୍ମାଣ ଶ୍ରମିକ, ସେବା କ୍ଷେତ୍ରରେ ୧୫ ପ୍ରତିଶତ ଓ ଅବଶିଷ୍ଟ ୨୫ ପ୍ରତିଶତ ଅନ୍ୟ କ୍ଷେତ୍ରରେ ନିୟୋଜିତ ଥାଆନ୍ତି । ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ଅନୁସାରେ ଦେଶର ସମୁଦାୟ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୪୦ କୋଟି, ଯେଉଁମାନେ ଏବେ କରୋନା ପାଇଁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଏବଂ ଭବିଷ୍ୟତରେ ସେହି ଅବସ୍ଥା ମଧ୍ୟ ଜାରି ରହିବ । କରୋନା ଦ୍ୱାହି ଦେଇ ରାଜ୍ୟ ସରକାରମାନେ ନିଜ ନିଜ ସୁବିଧା ଅନୁସାରେ ପ୍ରଚଳିତ ଶ୍ରମିକ ଆଇନକୁ ପରିବର୍ତ୍ତନ କରୁଛନ୍ତି, ଯାହାଦ୍ୱାରା ଦେଶ ସାରା ଏକକ ଶ୍ରମିକ ଆଇନ ପ୍ରଚଳିତ ହେବା ସମ୍ଭବପର ନୁହେଁ । ଉଦାହରଣ ସ୍ବରୂପ ଉତ୍ତରପ୍ରଦେଶ ସରକାର ପ୍ରଚଳିତ ଶ୍ରମିକ ଆଇନର ଅସ୍ଥାୟୀ ସଂଶୋଧନ-୨୦୨୦କୁ ୩ ବର୍ଷ ପର୍ଯ୍ୟନ୍ତ ଲାଗୁ କରିଛନ୍ତି । ଏହି ସଂଶୋଧିତ ଆଇନରେ କେତେକ ପୂର୍ବ ପ୍ରଚଳିତ ଆଇନକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଛି । ଏହି ଆଇନଗୁଡିକ ହେଲା ଗୋତି ଶ୍ରମିକ ଆଇନ ଉଚ୍ଛେଦ ୧୯୭୬, କାରଖାନା ଆଇନ ୧୯୪୮ରେ ଥିବା ଶ୍ରମିକ ସୁରକ୍ଷାର କିଛି ଅଂଶ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ଥିବା ନିଯୁକ୍ତି ନିୟନ୍ତ୍ରଣ ଏବଂ ନିଯୁକ୍ତି ସର୍ତ୍ତାବଳୀ-୧୯୯୬। ଅଧିକନ୍ତୁ ଦୈନିକ କାର୍ଯ୍ୟ ସମୟ ୧୧-୧୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସେହିପରି ମଧ୍ୟପ୍ରଦେଶ ସରକାର ଶ୍ରମିକ ଆଇନରେ (ସଂଶୋଧନ ) ଅଧ୍ୟାଦେଶ ୨୦୨୦ ଜାରି କରିଛନ୍ତି । କର୍ନାଟକ ଓ ଗୁଜରାଟ ସରକାର ନିଜ ଶ୍ରମିକ ଆଇନରେ ସଂଶୋଧନ ଅଧ୍ୟାଦେଶ ପୂର୍ବକ ପ୍ରଚଳିତ ଶ୍ରମିକ ଆଇନରେ ପରିବର୍ତ୍ତନ ଆଣିବାକୁ ସ୍ଥିର କରିଛନ୍ତି ।
ତେବେ ଏହି ପ୍ରକାରର ସଂଶୋଧନକୁ ଅଧିକାଂଶ ସଂସ୍ଥା ସ୍ବାଗତ କରିବା ବେଳେ କେତେକ ଟ୍ରେଡ ୟୁନିୟନ ଏବଂ ବରିଷ୍ଠ ନାଗରିକ ଏହା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ସରକାର ଶ୍ରମିକମାନଙ୍କର କେତେକ ସୁରକ୍ଷା ଓ ସୁବିଧାକୁ ଛଡାଇ ନେବାକୁ ପ୍ରୟାସ କରିଛନ୍ତି, ଯାହା ଫଳରେ ଏହା ଶ୍ରମିକ ମାରଣ ନୀତିରେ ପରିଣତ ହୋଇଛି ।
ଅନ୍ତର୍ଜାତୀୟ ଶ୍ରମିକ ସଂଗଠନର ଭାରତ ଏକ ପ୍ରମୁଖ ସଦସ୍ୟ। ଏହାର ୮ଟି ସମ୍ମେଳନ ନିୟମ ମଧ୍ୟରୁ ଭାରତ ୬ଟିକୁ ଅନୁମୋଦନ କରିବା ସହ ପ୍ରଣୟନ କରିଛି । ଏଗୁଡିକ ହେଲା ବାଧ୍ୟତାମୂଳକ ଶ୍ରମିକ ସମ୍ମେଳନ (ନଂ-୨୯), ସମାନ ବେତନ ସମ୍ମେଳନ (ନଂ-୧୦୦), ବାଧ୍ୟତାମୂଳକ ଶ୍ରମିକ ସମ୍ମେଳନ ନିଷେଧ (ନଂ-୧୦୫), ପକ୍ଷପାତିତା ସମ୍ମେଳନ(ନିଯୁକ୍ତି ବୃତ୍ତି,ନଂ-୧୧୧)। ଏହାଛଡା ସର୍ବନିମ୍ନ ବୟସ ସମ୍ମେଳନ (ନଂ-୧୩୮) , ନିକୃଷ୍ଟ ଶିଶୁ ଶ୍ରମିକ ପ୍ରଥା (ନଂ-୧୮୨ ) । କିନ୍ତୁ ଅନ୍ୟ ଦୁଇଟି ସମ୍ମେଳନ ଯଥା ସମ୍ମେଳନ କରିବା ନିମନ୍ତେ ସଂଗଠନ ଅଧିକାର ଏବଂ ସମୂହ ମୂଲଚାଲ କରିବା ସମ୍ମେଳନକୁ ଭାରତ ଅଦ୍ୟାବଧି ଅନୁମୋଦନ କରିନାହିଁ।
କିନ୍ତୁ ଅନ୍ତର୍ଜାତୀୟ ଶ୍ରମିକ ମାନଦଣ୍ଡ ଅନୁସାରେ ଗଠିତ ତ୍ରୈପାକ୍ଷିକ ବିଚାର ବିମର୍ଷ ସମ୍ମେଳନ-୧୯୭୬ର ନୀତି ନିୟମକୁ ଭାରତ ଅନୁମୋଦିତ କରିଛି । ଏହାଦ୍ୱାରା ଆନ୍ତଃରାଜ୍ୟ ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ ହୁଏ । ପରନ୍ତୁ କରୋନା ସମୟରେ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ସଂଶୋଧିତ ଅଧ୍ୟାଦେଶ ଏହାର ଘୋର ବିରୋଧ କରେ । ଉଦାହରଣ ସ୍ବରୂପ କାରଖାନା ଆଇନ ୧୯୪୮ ନିୟମକୁ କରୋନା ସମୟରେ ଉଚ୍ଛେଦ କରାଯାଇଛି। କିନ୍ତୁ ଧାରା ୫ରେ ଏହାର ଉଚ୍ଛେଦ ନିମନ୍ତେ ସ୍ବତନ୍ତ୍ର ନିୟମ ରହିଛି । ଏହି ନିୟମ ପ୍ରକାରେ ସରକାର କେବଳ ଜରୁରୀ ପରିସ୍ଥିତି ଅର୍ଥାତ୍‌ ଯୁଦ୍ଧ ଯୋଗୁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁ ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦ ଉପୁଜିଲେ କେବଳ ଅଧ୍ୟାଦେଶ ଜାରି କରି ଉଚ୍ଛେଦ କରିପାରିବେ । କୋଭିଡ-୧୯ ଦେଶ ପାଇଁ ମହାମାରୀ ରୂପେ ଉଭା ହେଲେ ମଧ୍ୟ ଏହା ଦେଶ ନିମନ୍ତେ ଆଦୌ ସାର୍ବଜନୀନ ଜରୁରୀ ପରିସ୍ଥିତି ନୁହେଁ।
କହିବା ବାହୁଲ୍ୟ ଯେ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ କ୍ଷେତ୍ରରେ ଜାରି କରାଯାଇଥିବା ଅଧ୍ୟାଦେଶ ଏ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିନାହିଁ । ଆମ ସମ୍ବିଧାନର ୭ମ ଅନୁସୂଚୀର ତୃତୀୟ ତାଲିକାର ପ୍ରବେଶ ନଂ. ୨୨-୨୪ରେ ଶ୍ରମିକ ଆଇନ ସନ୍ନିହିତ । ସମ୍ବିଧାନ ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, କଙ୍କରେଣ୍ଟ ତାଲିକାରେ ନିୟମ ପ୍ରଣୟନ କରିପାରିବେ । ସମ୍ବିଧାନର ଧାରା ୨୫୪(୧) ଅନୁସାରେ ଯେତେବେଳେ ସଂସଦରେ ନିୟମ ପ୍ରଣୟନ କରାଯାଏ ସେତେବେଳେ ରାଜ୍ୟ ସରକାରଙ୍କର ନିୟମ ଗ୍ରହଣୀୟ ହୁଏ ନାହିଁ । କିନ୍ତୁ ଧାରା ୨୫୪(୨) ଅନୁସାରେ ରାଷ୍ଟ୍ରପତିଙ୍କର ଅନୁମୋଦନ ଥିଲେ ରାଜ୍ୟ ସରକାରଙ୍କର ପ୍ରଣୀତ ନିୟମ ବଳବତ୍ତର ରହେ। ସମ୍ବିଧାନର ଧାରା ୨୧୩ ଅନୁଯାୟୀ ରାଜ୍ୟର ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା କୌଣସି ଅଧ୍ୟାଦେଶ ଜାରି କରିପାରିବେ ନାହିଁ । ଏଣୁ କୋଭିଡ-୧୯ର ଦ୍ୱାହି ଦେଇ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ଅନୁମୋଦନ ବିନା କୌଣସି ପ୍ରକାରେ ଅଧ୍ୟାଦେଶ ପ୍ରଣୟନ କରିପାରିବେ ନାହିଁ । ବର୍ତ୍ତମାନର ଏହି ସଂଶୋଧିତ ଅଧ୍ୟାଦେଶ ନିଶ୍ଚିତ ଭାବେ ଶ୍ରମିକମାନଙ୍କର ମଙ୍ଗଳ ପରିବର୍ତ୍ତେ କ୍ଷତିସାଧନ କରିବ। ସୁତରାଂ ଶ୍ରମିକମାରଣ ନୀତି ବନ୍ଦ କରି ରାଜ୍ୟ ସରକାରମାନେ ସେମାନଙ୍କର ମଙ୍ଗଳ ନିମନ୍ତେ ସ୍ବତନ୍ତ୍ର ଅଧ୍ୟାଦେଶମାନ ଜାରି କରନ୍ତୁ।
ବସୁନ୍ଧରା ଲେନ-୨, ବିଡାନାସି, କଟକ
ମୋ- ୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?