ଦେଶକୁ ଗଲା ଝୁମୁକା

ଦ୍ୱିତୀ ଚନ୍ଦ୍ର ସାହୁ

ଅନେକ ଦିନ ପରେ ଗାଁକୁ ଯାଇଥିଲି। କରୋନା ହେତୁ କିଏ କୁଆଡ଼େ ଯିବା ଆସିବା ଏକ ପ୍ରକାର ବନ୍ଦ। ଘରୁ ବାହାରକୁ ଯାଇ ଥରେ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। କରୋନା ଆସିଯାଇନି ତ! ବାହାରେ କାହା ଦେହରେ କରୋନା ନାହିଁ ତ! ତେଣିକି କିଛି ସମୟ ମନ ଭାରାକ୍ରାନ୍ତ। ଶରୀରରେ କିଛି ପ୍ରତିକ୍ରିୟା ଦେଖା ନ ଯିବା ପର୍ଯ୍ୟନ୍ତ ଏକ ପ୍ରକାର ଚିନ୍ତା। ତେବେ ପରିସ୍ଥିତି ସାମାନ୍ୟ ହୋଇଥିବାରୁ ସେତେ ଚିନ୍ତା ନ ଥିଲା ମୁଣ୍ଡରେ। କରୋନା କାଳରେ ଯେଉଁ ଭୟ ଓ ଆତଙ୍କ ସେମିତି ମନରେ ଅବଶ୍ୟ ଆଉ କାହାରି ନାହିଁ। ମୁକ୍ତ ଭାବେ ବୁଲାବୁଲି ଆରମ୍ଭ ହେଲାଣି। ମୁହଁରେ ତୁଣ୍ଡି ନ ବାନ୍ଧି ବି ଲୋକେ ଘୂରିଲେଣି। କରମର୍ଦ୍ଦନ ଓ କୋଳାକୋଳି ଚାଲିଲାଣି। ପାର୍ଟି ପିକ୍‌ନିକରେ ଆଉ ବାଧକ ନାହିଁ। ସମାବେଶ ବି ଆରମ୍ଭ ହେଲାଣି। ଟିକେ ପଛକୁ ଫେରି ଯାଆନ୍ତୁ ଆଉ ମନେ ପକାନ୍ତୁ କ’ଣ ଥିଲା ଆମ ପରିବେଶ। ମଣିଷ ଭିତରେ ମାନବିକତା ହଜି ଯାଇଥିଲା। ଶବର ଲମ୍ବା ଲାଇନ ଲାଗିଥିଲା। ନିଜର ପରିଚିତ ମଣିଷମାନେ ଆଖି ବୁଜିଦେଇ ଆହୁରି ଅଧିକ ଡରାଇବାକୁ ବାଧ୍ୟ କରୁଥିଲେ। ବଞ୍ଚତ୍ବା କି ମରିବା ସେଥିନେଇ ଦ୍ୱନ୍ଦ୍ୱ। ମଣିଷ ମଣିଷ ଭିତରେ ବିଶ୍ୱାସ ତୁଟି ଯାଇଥିଲା। ନିଜ ଘର ଭିତରେ ରହିଥିବା ମଣିଷମାନେ ଯେନତେନ ପ୍ରକାରେ ଚାପିଚୁପି ରହିଗଲେ ା ଥିଲା ଲୋକ ନୂଆ ନୂଆ ରେସିପି କରି ମଉଜ କଲେ। ନ ଥିବା ଲୋକ ବିକାଭଙ୍ଗା ଋଣ କରି ଚଳିଗଲେ। ବାହାରେ ଥିବା ଶ୍ରମିକମାନେ ଅକଥନୀୟ ଦୁଃଖକୁ ଭାଗ୍ୟ ବୋଲି ଧରିନେଲେ। ସରକାର ସେମାନଙ୍କୁ ଆଣିବା ବ୍ୟବସ୍ଥା କରିବା ପରେ ପରିସ୍ଥିତି କିଛି ସୁଧୁରିଲା।
ଏମିତିରେ ସେଦିିନ ହଠାତ୍‌ ରାତିରେ ଫୋନ କଲ ଆସିଲା। ଟ୍ରୁ କଲରରେ ଲେଖାଥିଲା ସୀମାଞ୍ଚଳ। ଉଠାଇବା ପରେ ସେପଟୁ କାକୁତି ମିନତି ହୋଇ ତାକୁ ଉଦ୍ଧାର କରିବା ଲାଗି କହିଲା। ଠିକ୍‌ ପରିଚୟ ପଚାରିବାରୁ ଜଣାଗଲା ପିଲାଦିନର ସାଂଗ ସୀମାଞ୍ଚଳ ସାହୁ ଓରଫ ଝୁମୁକା। କେରଳର କୋଜିକୋଡେ ଜିଲାର ଏକ ଫାର୍ମ ହାଉସରେ କାମ କରୁଥିଲା ଝୁମୁକା। ଅବଶ୍ୟ ମାଲିକ ଖାଇବାକୁ ଦେଇ ରଖିଥିଲା ଝୁମୁକା ସହ ଅନ୍ୟ କିଛି ଦାଦନଙ୍କୁ। କିନ୍ତୁ ଝୁମୁକାର ଇଚ୍ଛା ଯେମିତି ହେଉ ଗାଁକୁ ଫେରିବ। ଅନ୍ତତଃ ମଲାବେଳକୁ ଘରେ ଥିଲେ ପିଲାକୁଟୁମ୍ବକୁ ଦେଖି ମରିହେବ। ତା’ର ନିରାଶପଣ ଭିତରେ ଗୋଟିଏ ବିବଶ ଚେହେରା ଅଦୃଶ୍ୟରେ ଦିଶୁଥିଲା। ମୋ ସାମ୍ବାଦିକ ବଡଭାଇଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ଗାଁକୁ ଫେରିଲା ସେ। ଖୁବ୍‌ ଖୁସି ହୋଇଯାଇଥିଲା ସେ ଓ ତା’ର ପରିବାର। ଗାଁକୁ ଫେରିବା ପରେ ଲାଗି ପଡିଥିଲା ଚାଷବାସ କାମରେ। ଧାନ ସାଙ୍ଗକୁ ପରିବା ଚାଷ। ମଝିରେ ମଝିରେ ଫୋନ କରି କୁଶଳବାରତା ପଚାରିବାକ୍ରମରେ ନିଶ୍ଚିତ ହୋଇଗଲି ଯେ ଝୁମୁକା ଆଉ ଦାଦନ ପାଇଁ ବାହାରକୁ ଯିବନି। ଏଇ କଥା ବାସ୍ତବରେ ସନ୍ତୁଷ୍ଟି ଦେଇଥିଲା ମନ ଭିତରେ। ନିଜ ମାଟି ପାଣି ପବନ ଭିତରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛି ଝୁମୁକା। ତା’ର କହିବା କଥା ହେଲା ଇଠି ଖଟିକି ପେଜପଖାଳ ଖାଇ ବଞ୍ଚିହେବ ସିନା ବାହାରକୁ ଯାଇ ବିରିଆନି ଖାଇବା ବଡ କଷ୍ଟ। ଏକା ଶ୍ରେଣୀରେ ପଢୁଥିବା ଝୁମୁକା ହୃଷ୍ଟପୁଷ୍ଟ ପିଲା। ସ୍କୁଲ ବଗିଚା କି ହତା ସଫେଇ କାମରେ ଆଗୁଆର ସେ। ପାଠରେ ଟିକେ ପଛରେ। ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡି ଦେଇ ଚାଷକାମରେ ବାପାକୁ ସାହାଯ୍ୟ କରିବା ଆରମ୍ଭ କଲା। ସେମିତି ଆମେ କଲେଜ ପଢିଲାବେଳକୁ ସେ ବିଭା ହୋଇଗଲା। ଗଞ୍ଜାମରୁ ଆସି ଅନେକ ଦିନୁ ରହି ଆସିଥିବା ଝୁମୁକାର ପରିବାର ପରିବା ଚାଷ କରି ବେଶ୍‌ ରୋଜଗାର କରୁଥିଲେ। ତାରି ଭିତରେ ସେ କେବେ ଦାଦନ ଖଟିବାକୁ ଚାଲି ଯାଇଥିଲା ସେ ଖବର ନ ଥିଲା।
ଗାଁକୁ ଯିବା ପରେ ପୈତୃକ ଜମି ଆଡେ ବୁଲି ଯିବାବେଳେ ବାଟରେ ମନେପଡିଗଲା ଝୁମୁକା। ରାସ୍ତାରେ ଅଟକି ତାଙ୍କ ଘରକୁ ଗଲି। ଘର କହିଲେ ଯାହା, ଜମି କହିଲେ ତାହା। ଜମିର ଦାଢକୁ ଲାଗି ଘର। ଘରର ପଛକୁ ପଛ ପରିବା ବାଡ ଓ ଧାନ ଜମି। ବାଉଁଶର ଗେଟ ଖୋଲି ଭିତରକୁ ଗଲାବେଳେ ଘର ଭିତରୁ ଜଣେ ସ୍ତ୍ରୀ ଲୋକ ଓଢଣା ଟାଣି ଆସିଲେ। ମୁହଁ ଦିଶୁ ନ ଥିଲା। ପଚାରିଲି – ‘ଝୁମୁକା କାଇଁ !’ ସେ ଉତ୍ତର ଦେଲେ – ‘ନାଇଁ ଆଜ୍ଞା କେବେଠୁଣୁ କା ଦେଶକୁ ତାଙ୍କେ ପଳେଇଚେ।’ ବୁଝିଗଲି ସହଜରେ। ପୁଣି ଥରେ ଝୁମୁକା ପ୍ରବାସୀ ହୋଇଯାଇଛି। ଆଉ କିଛି ଅଧିକା ନ ପଚାରି ଫେରିଲା ବେଳକୁ ଭେଟ ହେଲା ଝୁମୁକାର ବାପା। ମୁଣ୍ଡିଆଟେ ମାରି ପଚାରିଲି – ‘ମଉସା! ଝୁମୁକା ପୁଣି ଚାଲିଗଲା! କେବେ ଗଲା ସେ!’ ତା’ର ବାପା କହିଲେ- ”ହଇ ବାପା!
ପଇଲା ସେ କେବେ ଠୁ ! ଇଠି କିସଟା କରିବ ସେ? ମୋତେ କା ଚାଷବାସକୁ ଖଟଣି ନିଅଣ୍ଟ। ଇଠି ବସିଲେ କିସ ମିଳିବ ବା! ନାତୁଣୀର ଖଟିବା ବେଳ ହେଇଗଲା। ତା’ର ବିଭାକୁ ଏବେଠୁ ସଜବାଜ ନ କଲେ କ’ଣ ହେବ! ସେଥିଲାଗୁରୁ ମୁଇକା କଇଲି ଯା’ରେ ବାବୁ ଦେଶକୁ ଖଟିବୁ। କରୁନା ଟିକେ ନାକୁ ଛାଡିବାରୁ ସାଙ୍ଗସାଥୀ ହେଇକି ସୁରୁଟ ପଇଲା।“ ଏତିକି ପ୍ରାଞ୍ଜଳ ଭାବେ ବୁଝେଇ କହିବା ପରେ ମୋ ପାଖରେ ପ୍ରଶ୍ନ ନ ଥିଲା। ସଫା ଉତ୍ତର ଥିଲା ଅର୍ଥ ରୋଜଗାର କରିବାର ଆବଶ୍ୟକତା। ଏଠି ହୁଏତ କରିପାରନ୍ତା। କିନ୍ତୁ ଠିକ୍‌ ମାର୍ଗ ତା’ ନଜରରେ ନାହିଁ ବିକଳ୍ପ ରୋଜଗାର କରିବା ଲାଗି। ସେଥିପାଇଁ ସହଜ ବାଟ ହେଉଛି ସୁରଟ୍‌ର ଲୁଗା କଳ, ଆନ୍ଧ୍ରର ଇଟାଭାଟି କି ଚଙ୍ଗୁଡ଼ି କମ୍ପାନୀ ନ ହେଲେ କେରଳର ଫାର୍ମ ହାଉସ। ଏମିତି ଅନେକ ଅନେକ ଲକ୍ଷ୍ୟସ୍ଥଳ, କିଟିକିଟି ଅନ୍ଧାର ଭିତରେ ଦୂରରୁ ଜଳୁଥିବା ନିଆଁ ଝୁଲ ପରି। ସେ ନିଆଁ ହୁତୁ ହୁତୁ ହୋଇ ଜଳୁଛି ନା ମିଞ୍ଜି ମିଞ୍ଜିି ଭାବେ କେବଳ ନିଆଁର ଉପଲକ୍ଷ୍ୟ ହୋଇ ରହିଛି, ନିକଟକୁ ଗଲା ପରେ ହିଁ ସ୍ପଷ୍ଟ ହେବା ଭଳି ଦେଶକୁ ଯାଇ ଖଟିଲା ପରେ ହିଁ ପ୍ରକୃତ ମୂଲ୍ୟ ଜଣାପଡ଼େ ପ୍ରବାସୀଙ୍କୁ। ଝୁମୁକା ଭଳି ହଜାର ହଜାର ପରିବାରଙ୍କ ବିଶ୍ୱାସ ଦେଶକୁ ଗଲେ ଖଟିବାକୁ କାମ ମିଳେ ଆଉ ହାତକୁ ଦି ପଇସା ଲାଗେ। ଏଇ ଦୃଢ଼ ବିଶ୍ୱାସରେ ଦେଶକୁ ଚାଲିଯାଆନ୍ତି ଭିଟାମାଟି ଛାଡ଼ି। ଅନେକେ ପ୍ରତାରିତ ବି ହୁଅନ୍ତି। ଝୁମୁକା ଦେଶକୁ ଗଲା ପରେ ଲାଗିଲା ଏହା ଏକ ମାନସିକତା ନା ବାସ୍ତବରେ ଝୁମୁକା ଭଳି ମଣିଷଙ୍କ ମନରେ ଦୃଢ଼ ବିଶ୍ୱାସ ଓ ଆଶାର ଆଲୋକ ଜନ୍ମାଇବା ପାଇଁ ଏବେ ବି ଆମେ ବହୁ ଦୂରରେ! ଏକଥା ଚିନ୍ତା କରିବାକୁ ଆପଣଙ୍କ ଲାଗିି ଛାଡ଼ି ଦେଉଛି।
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ,
ମୋ:୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?