ଯାଜପୁର,୧୪।୧୦: କଲେଜ ନିର୍ବାଚନକୁ ନେଇ ସାରା ରାଜ୍ୟର ମାହୋଲ ସରଗରମ ରହିଛି। ଏମିତିରେ କିଛି ସ୍ଥାନରୁ ହିଂସା ଘଟୁଥିବା ଖବର ଆସୁଥିବା ବେଳେ ଏବେ ଯାଜପୁରର ଏନ୍ସି କଲେଜରୁ ବଡ଼ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କଲେଜର ଜଣେ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ସଂପୃକ୍ତ ପ୍ରାର୍ଥୀଙ୍କ ବାପା ଯାଜପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ପୁଅର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ପରିବାର ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି।
ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ପ୍ରାୟ ୧୨ଟା ସମୟରେ ଉକ୍ତ ପ୍ରାର୍ଥୀ ଜଣକ ଘରକୁ ଫୋନ୍ କରି କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିନ୍ତୁ ସେହି ଫୋନ୍ କଲ୍ ପରେ ପରଠାରୁ ତାଙ୍କର ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ରହିଛି ଏବଂ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ। ପରିବାର ବର୍ଗ ଆଶଙ୍କା କରୁଛନ୍ତି ଯେ, ବିରୋଧୀ ପାର୍ଟିର ଲୋକମାନେ ତାଙ୍କୁ ଜୋରଜବଦ୍ଧି ଅପହରଣ କରି ନେଇଯାଇଛନ୍ତି।
ଅଭିଯୋଗରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଅପହରଣକାରୀମାନେ ପୁଅକୁ ଧମକଚମକ ଦେଇ ଏକ ଜାଲ୍ ବା ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଘରେ କାହାର ଦେହ ଖରାପ ନ ଥିଲେ ମଧ୍ୟ, ବାଧ୍ୟ କରାଇ କିମ୍ବା ଧମକାଇ ଘରକୁ ଯିବା ସମ୍ପର୍କିତ ଏଭଳି ଭିଡିଓ ତିଆରି କରାଯାଇ ଛଡ଼ାଯାଇଥିବା ପରିବାର ପକ୍ଷରୁ ଦାବି କରାଯାଇଛି।
ନିଜ ପୁଅକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିବା ପାଇଁ ବାପା ତଥା ପରିବାର ବର୍ଗ ସରକାର ଓ ଜିଲା ପ୍ରଶାସନକୁ ଦୃଢ଼ ନିବେଦନ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ପରିସର ଏବଂ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

