ମରିଯାଉଛି ମଣିଷପଣିଆ

ଇବ୍ରାର ଖାଁ

ସମାଜରେ ମଣିଷ ଚରିତ୍ର ଆଜି ପୂରାପୂରି ବଦଳି ଯାଇଛି। ସଭ୍ୟ ଶିକ୍ଷିତ ମଣିଷ ପରିମାର୍ଜିତ ଜୀବନକୁ ନେଇ ଗର୍ବ କରି ଚାଲିଥିଲେ ମଧ୍ୟ ନିଜ ଭିତରେ ଥିବା ମଣିଷପଣିଆକୁ କେତେଦୂର ପରିସ୍ଫୁଟ କରିପାରିଛି ତାହା ହିଁ ବିଚାର୍ଯ୍ୟ। ଆଜି ସାମାଜିକ ସ୍ଥିତିକୁ ଅବଲୋକନ କରି ଯେ କେହି ବିବେକବାନ ବ୍ୟକ୍ତି ବ୍ୟଥିତ ହେବା ସ୍ବାଭାବିକ। କାରଣ ସମାଜରେ ମଧୁରବଚନ କହି ବୁଲୁଥିବା ଅନେକ ବ୍ୟକ୍ତିଙ୍କ ହୃଦୟରେ ଭରି ରହିଥିବା କୁଟିଳତାକୁ ସେମାନେ କର୍ମରେ ବ୍ୟବହାର କରୁଥିବାରୁ ସମାଜ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଛି। ଗଣମାଧ୍ୟମର ଯେକୌଣସି ବିଭାଗକୁ ଅନୁଧ୍ୟାନ କଲେ ସମାଜର ଯେଉଁ ଚିତ୍ର ଉଦ୍ଭାସିତ ହୁଏ ତାହା ଯେତିକି କଦର୍ଯ୍ୟ ସେତିକି ଅମାନବୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟିଭି ଚ୍ୟାନେଲଗୁଡ଼ିକରେ ଉଦ୍‌ଘୋଷିତ ଖବର ହେଉ କିମ୍ବା ପ୍ରିଣ୍ଟ୍‌ ମିଡିଆରେ ପ୍ରତିଦିନ ପରିବେଷିତ ଖବରକୁ ନିରୀକ୍ଷଣ କଲେ ସମାଜର ଗତି, ସ୍ଥିତି ଓ ଦୁର୍ଗତିର ଯେଉଁ ବୀଭତ୍ସ କାହାଣୀ ସବୁ ସାମନାକୁ ଆସେ ତାହା ମାନବ ସମାଜକୁ ପତନର ଗର୍ତ୍ତ ଆଡକୁ ଟାଣି ନେଉଥିବା ପରି ମନେହୁଏ। ତେଣୁ ଆଜି ସମାଜର ପ୍ରତ୍ୟେକ ସ୍ତରରେ ପରିବର୍ତ୍ତନ ଆଣି, ସାମାଜିକ ସ୍ଥିତାବସ୍ଥାକୁ ସୁଦୃଢ଼ ଭାବରେ ବ୍ୟବସ୍ଥିତ କରା ନ ଗଲେ ଦେଶର ସାଧାରଣ ଜନଜୀବନ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ, ଏଥିରେ ସନ୍ଦେହ ନାହିଁ।
ଘର, ପରିବାର ହେଉଛି ସମାଜର ପ୍ରାଣକେନ୍ଦ୍ର। ସୁସ୍ଥ, ଶାନ୍ତ ସବଳ ପରିବାର ହିଁ ସମାଜକୁ ସରସସୁନ୍ଦର କରି ଗଢ଼ି ତୋଳିଥାଏ। ପରିବାରରୁ ହିଁ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ମୂଳଦୁଆ ପଡ଼େ। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରେମ ଓ ସମ୍ବେଦନଶୀଳତା ବିକଶିତ ହେଲେ ଘର ସ୍ବର୍ଗରେ ପରିଣତ ହୋଇଥାଏ। କିନ୍ତୁ ଆଜି ପାରିବାରିକ ଜୀବନରେ ସେହିସବୁ ମହତ ନୈସର୍ଗିକ ଗୁଣର ଅଭାବଜନିତ କାରଣରୁ ଯୌଥ ପରିବାର ଖଣ୍ଡବିଖଣ୍ଡିତ ହୋଇ ସେଥିରୁ ଯେଉଁ ସ୍ବାର୍ଥକୈନ୍ଦ୍ରିକ ଜୀବନର ଅଭ୍ୟୁଦୟ ଘଟୁଛି ତାହା ହିଁ ସାମାଜିକ ଅଧଃପତନର ମୂଳକାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ପେଟ ପିଠିରୁ କାଟି ମା’ବାପା ଯେଉଁ ସନ୍ତାନର ଭବିଷ୍ୟତ ଗଢ଼ିବା ପାଇଁ ସୁଖଦୁଃଖକୁ ଆଦରି ଦିନ ରାତି ଲହୁଲୁହକୁ ଏକ କରି ସନ୍ତାନକୁ ନିଜ ଗୋଡ଼ରେ ଠିଆ କରାଇବାକୁ ସମର୍ଥ ହୁଅନ୍ତି, ଶେଷରେ ସେମାନେ ପାଆନ୍ତି କ’ଣ; ତିରସ୍କାର, ଘୃଣା ଆଉ ଦୁର୍ବ୍ୟବହାର। ନିଜ ପିଲା ଆଉ ପରିବାରକୁ ନେଇ ବ୍ୟସ୍ତ ରହୁଥିବା ସ୍ବାର୍ଥାନ୍ଧ ମଣିଷ ଆଜି ଭୁଲିଯାଉଛି ମାତାପିତାଙ୍କର ନିଃସ୍ବାର୍ଥ ତ୍ୟାଗ ଆଉ ଅନାବିଳ ସ୍ନେହ, ପ୍ରେମର ମହନୀୟତାକୁ; ଯାହା ଦିନେ ତାକୁ ସଭ୍ୟଶିକ୍ଷିତ ମଣିଷ ରୂପେ ଗଢ଼ି ତୋଳିଥିଲା। ଯୌବନର ଉନ୍ମାଦନାରେ ଉନ୍ମାଦିତ ହୋଇ କ୍ଷଣିକ ସୁଖ ପାଇଁ ସେହି ପୁଅ ଆଜି ଦେବପ୍ରତିମ ପିତାଙ୍କୁ ହାଣିଲାଣି ତ କେଉଁଠି ଭାଇବେକରେ ଛୁରା ଭୁସିବାକୁ ପଛଘୁଞ୍ଚା ଦେଉନି। ଆଧୁନିକତା ନାଁରେ ଯେତେସବୁ ଅପସଂସ୍କୃତିକୁ ଆଜିର ଯୁବପିଢ଼ି ଆପଣେଇ ନେଉଥିବାରୁ ସମାଜରେ ଦିନକୁ ଦିନ ବ୍ୟଭିଚାର, ଭ୍ରଷ୍ଟାଚାର, ଦୁର୍ନୀତି, ଅନ୍ୟାୟ ଅନୀତି ଆଉ ଅତ୍ୟାଚାର ଯେପରି ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ତା’ର ଶେଷ ପରିଣତି ଯେ କ’ଣ ହେବ ତାହା ଏବେଠାରୁ କଳନା କରିବା ଅସମ୍ଭବ।
ବୃଥା ଅହମିକାରେ ଭ୍ରମିତ ମଣିଷ ସାମାଜିକ ପ୍ରତିଷ୍ଠା ହାସଲ ପାଇଁ ରାତାରାତି ବଡ଼ଲୋକ ହେବାର ଯେଉଁ ସ୍ବପ୍ନ ସବୁ ଦେଖି ଚାଲିଛି ତାହା ହିଁ ସବୁ ଅନର୍ଥର ମୂଳକାରଣ । ଜୀବନକୁ ଉପଭୋଗ କରିବାକୁ ଯାଇ ସୁରା ଆଉ ସାକୀ ମୋହରେ ଛନ୍ଦିହୋଇ ସମାଜରେ ମଣିଷ ଆଜି ଯେଉଁ ଅପକର୍ମ କରିଚାଲିଛି ସେଥିପାଇଁ ନାରୀ ଅପହରଣ, ବଳାତ୍କାର, ଯୌନନିର୍ଯାତନା ସହ ହତ୍ୟା, ଲୁଟ, ଠକାମି ପରି ଜଘନ୍ୟ ଅପରାଧ ମାନ ସଂଘଟିତ ହେଉଛି। ଏହି ଦୃଷ୍ଟିରୁ ଆଜି କେହି କାହାରିକୁ ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି। ଏଯୁଗରେ ଯାହାକୁ ବିଶ୍ୱାସ କଲ ଜାଣ ଠକାମିର ଶିକାର ହେବା ଥୟ। ଚାକିରିର ପ୍ରଲୋଭନ ଦେଖାଇ, ଇଣ୍ଟରନେଟରେ ଫେକ୍‌ ଆକାଉଣ୍ଟ ଖୋଲି ଦଲାଲମାନେ ସାଧାରଣ ଜନମାନସରେ ଯେପରି ଭୟର ବାତାବରଣ ସୃଷ୍ଟି କଲେଣି ତାହା ସବୁ ମହଲରେ ଚିନ୍ତାର କାରଣ ହେଲାଣି। ମୋବାଇଲ ଫୋନର ବ୍ୟାପକ ଅପବ୍ୟବହାର ଯୁବଗୋଷ୍ଠୀକୁ ପଥଭ୍ରଷ୍ଟ କରିଦେଉଥିବାରୁ ସମାଜରେ ଯୌନ ଅପରାଧ ଏବେ ଚରମ ସୀମାରେ ପହଞ୍ଚି ଗଲାଣି। ଫଳରେ ଆଜି ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କୁମାରୀ ମାତୃତ୍ୱ ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସମାଜର କିଛି ଧୂର୍ତ୍ତବ୍ୟକ୍ତି ଧନକୁବେର ବନିବା ନିଶାରେ ମଣିଷପଣିଆ ଭୁଲି ଖାଦ୍ୟ ପଦାର୍ଥରେ ବିଷକୁ ଅପମିଶ୍ରଣ କରି ନକଲି ଜିନିଷକୁ ଅସଲି କହି ଜନତାଙ୍କ ଜୀବନ ସହ ଯେପରି ଖେଳ ଖେଳୁଛନ୍ତି ତାହା ଯେତିକି ନିନ୍ଦନୀୟ ସେତିକି ଅକ୍ଷମଣୀୟ। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ନକଲି ଉତ୍ପାଦ ପାଇଁ କାର୍ଯ୍ୟକ୍ଷମ ଥିବା ଅନେକ କାରଖାନାକୁ ଚଢ଼ାଉ ପରେ ବନ୍ଦ କରିଦିଆଯାଇଥିଲେ ମଧ୍ୟ ଆହୁରି ଅନେକ କାରଖାନା ଲୋକଲୋଚନର ଆଢ଼ୁଆଳରେ ରହି କାମ କରୁ ନ ଥିବ ବୋଲି କିଏ କହିବ?
ସମାଜର ସବୁସ୍ତରରେ ପରିବ୍ୟାପ୍ତ ଅସାମାଜିକତା, ଦେଶରେ ଭିଡହିଂସା ଆଉ ଦଙ୍ଗା ସହ ଜଳାପୋଡ଼ା, ବଳାତ୍କାର, ହତ୍ୟା, ଅପହରଣ, ଲୁଟ, ମାଡ଼ଗୋଳ ପରି ସଙ୍ଗିନ ଅପରାଧ ସବୁକୁ ସଂଘଟିତ କରୁଥିବାରୁ ସାଧାରଣ ଜନଜୀବନରେ ଶାନ୍ତି ସହାବସ୍ଥାନ ବହୁମାତ୍ରାରେ ପରାହତ ହେଲାଣି। ଏସବୁକୁ ରୋକିବା ପାଇଁ ଜନଜାଗରଣର ଆବଶ୍ୟକତା ରହିଛି। ସମାଜରୁ ଏପରି ବିଷ ତତ୍ତ୍ୱ ସବୁକୁ ଖୋଜି ବାହାର କରି ଦୃଢ଼ ପ୍ରତିକାର ବ୍ୟବସ୍ଥା କରିବାକୁ ପଡ଼ିବ। ତା’ ନ ହେଲେ କାଳକାଳରୁ ସମାଜରେ ତିଷ୍ଠି ରହିଥିବା ଅତୁଟ ଭାଇଚାରା ସାଂଘାତିକ ଭାବେ ପ୍ରଭାବିତ ହେବ। କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ସ୍ବାର୍ଥ ସିଦ୍ଧି ପାଇଁ ଧର୍ମ ଏବଂ ଜାତିକୁ ନେଇ ସମାଜରେ ଯେଉଁ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ତା’ର ଦୃଢ଼ ପ୍ରତିରୋଧ କରିବା ସହ ସେମାନଙ୍କ ଅସଲ ମୁଖା ଖୋଲି ଦେବାକୁ ପଡିବ। ସାମାଜିକସ୍ତରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆଧ୍ୟାମତ୍ିକ ଚିନ୍ତାକୁ ଜୀବନର ଉପଜୀବ୍ୟ ରୂପେ ଗ୍ରହଣ କରିବାକୁ ହେବ। ବିଦ୍ୱେଷ ଓ ଅବିଶ୍ୱାସର ବାତାବରଣରୁ ବାହାରି ସବୁ ଧର୍ମକୁ ସମ୍ମାନ ଦେଇ ଜନମାନସରେ ଭାଇଚାରାକୁ ସଶକ୍ତ କରାଯାଇ ପାରିଲେ ସାମାଜିକ ଜୀବନର ସ୍ବର୍ଗୀୟ ଆନନ୍ଦ ପୁନଃ ସ୍ଫୁରିତ ହେବ। ପ୍ରତ୍ୟେକ ସଚେତନ ନାଗରିକ ନିଜ ଭିତରେ ଥିବା ମଣିଷପଣିଆକୁ ଉଜାଗର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ଠିକ ଭାବରେ ନିର୍ବାହ କଲେ ଆମ ଦେଶ ସମଗ୍ର ବିଶ୍ୱରେ ଆଉ ଏକ ମହାଶକ୍ତି ରୂପେ ଉଭା ହୋଇ ଠିଆହେବ, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ:୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?