ସ୍ବଚ୍ଛତା, ସ୍ବାସ୍ଥ୍ୟରକ୍ଷା ଓ ଆମ ଶିଶୁମାନେ

ଲୋକନାଥ ପଣ୍ଡା

ନିକଟରେ ରାୟଗଡ଼ ଜିଲାର ଗ୍ରାମାଞ୍ଚଳରେ କେତେକ ସରକାରୀ ବିଦ୍ୟାଳୟରେ ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଶିଶୁମାନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିଲା। ସ୍କୁଲ ପିଲାମାନଙ୍କ ମଧ୍ୟରେ ସ୍ବଚ୍ଛତା, ପରିମଳ, ହାତଧୁଆ, ଜଳକୁ ନେଇ ସଚେତନତା ସୃଷ୍ଟି କରିବା ପରିପ୍ରେକ୍ଷୀରେ ଏକ ସୃଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଂଯୋଗ ସୃଷ୍ଟି ହୋଇଥିଲା। କରୋନାର ସମସ୍ତ ପ୍ରକାର ଗାଇଡ୍‌ ଲାଇନ ଅନୁସାରେ ଏହି କାର୍ଯ୍ୟକ୍ରମ ଚାଲିଥିଲା। ପ୍ରାୟତଃ ଅଧିକାଂଶ ବିଦ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ ୨୦ରୁ ୪୦ ଶିଶୁ ଯୋଗ ଦେଉଥିଲେ। କାଁ ଭାଁ କେତେକ ସ୍ଥାନରେ ଅଧିକ ଶିଶୁ ଆଗ୍ରହ ସହକାରେ ଯୋଗ ଦେଉଥିଲେ। ଶିଶୁମାନଙ୍କ ମନରେ ସ୍ବଚ୍ଛତା, ସ୍କୁଲ ବନ୍ଦ ସମୟର ଅନୁଭୂତି, ପରିମଳ ଓ ଗୋଷ୍ଠୀ ସଚେତନତା ଏହିଭଳି କିଛି ବିଷୟ ଉପରେ ଲେଖିବା, ଚିତ୍ରାଙ୍କନ କରିବା ଏବଂ ସାଧାରଣ ଜ୍ଞାନ (କୁଇଜ୍‌) ପ୍ରତିଯୋଗିତା ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଅନେକଙ୍କୁ ପୁରସ୍କୃତ କରାଯାଉଥିଲା।
ଏହି କାର୍ଯ୍ୟକ୍ରମରେ ଶିଶୁମାନେ ସୁନ୍ଦର ଭାବରେ କୋଭିଡ୍‌ ସମୟରେ କିପରି ଯତ୍ନ ନିଆଯିବ, ସେ ସମ୍ପର୍କରେ ସଚେତନ ଲେଖା ମାଧ୍ୟମରେ ଉପସ୍ଥାପନା କରିଥିଲେ। ପ୍ରତି ଗାଁରେ କିପରି ଗେଟ୍‌ କରାଯାଇଥିଲା, ବାହାର ଲୋକଙ୍କୁ ଗଁଁା ଭିତରକୁ ଛଡ଼ା ନ ଯିବା, ଆବଶ୍ୟକ ସ୍ଥଳେ ହାତ ଧୋଇବାର ବ୍ୟବସ୍ଥା ଗାଁ ମୁଣ୍ଡରେ କରିବା, ମାସ୍କ ବ୍ୟବହାର ଆଦି ସମ୍ପର୍କରେ ଅତି ସୁନ୍ଦର ଭାବରେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଚିତ୍ର ମାଧ୍ୟମରେ ଫୁଟାଉଥିଲେ। କୁଇଜ୍‌ ମାଧ୍ୟମରେ ଉତ୍ତର ଦେଇ ଉତ୍ସାହିତ ହେଉଥିଲେ। କରୋନା ମହାମାରୀ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ମଧ୍ୟ ଶିଶୁମାନେ କେତେ ସଚେତନ, ତାହା ମୁଁ ଅନୁଭବ କରୁଥିଲି।
ସବୁଠାରୁ ବଡ଼ କଥା ହେଲା, ମୁଁ ଶିଶୁଙ୍କ ସହ ସ୍କୁଲ ବନ୍ଦ ପରିପ୍ରେକ୍ଷୀରେ କିପରି ସମୟ କଟାଉଛ, କରୋନା ସମୟରେ ଗୋଷ୍ଠୀ କେତେ ସଚେତନ ହୋଇଛି, ସ୍ବଚ୍ଛତା, ହାତଧୁଆ କେତେ ମାତ୍ରାରେ ଅଭ୍ୟାସ ଚାଲିଛି ଇତ୍ୟାଦି ସମ୍ପର୍କରେ କଥା ହେଉଥିଲି ଏବଂ ଯେଉଁମାନେ ଆଗ୍ରହ ଦେଖାଉଛନ୍ତି, ସେମାନଙ୍କୁ ଲେଖିବାକୁ ଦେଇଥିଲି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା କୁନି ଝିଅଟିଏ ଲେଖିଥିଲା, ମୁଁ ବର୍ତ୍ତମାନ ଘର ଓଳେଇବା, ଘର କାମ କରିବା ଛୁଟି ସମୟରେ ଶିଖୁଛି। ଅନ୍ୟ ଜଣେ କୁନି ଝିଅ ଲେଖିଥିଲା, ମୋ ବାପା ଆଉ ଲାଇନ୍‌ ବିଜିନେସ୍‌ କରିବାକୁ ଯାଇପାରୁ ନ ଥିଲେ, ମା’ ପ୍ରେସ୍‌ ମିଶିନ୍‌ (ଖଲି ତିଆରି କରିବା ପାଇଁ ବ୍ୟବହୃତ ଯନ୍ତ୍ର)ରେ କାମ କରିବାକୁ ଯାଉ ନ ଥିଲେ। ଅନେକ କରୋନା ସମୟରେ ସେମାନଙ୍କ ପରିବାର, ସେମାନଙ୍କ ଉପରେ ପ୍ରଭାବ କିପରି ପଡ଼ିଛି ସେ ସମ୍ପର୍କରେ ଲେଖିଥିଲେ। ଅଷ୍ଟମ, ନବମ ପଢ଼ୁଥିବା ବାଳିକାମାନେ ଲେଖିଥିଲେ ଯେ, ସେମାନେ କପା ତୋଳିବାକୁ ଓ ଧାନ କାଟିବାକୁ ଯାଉଛନ୍ତି, ନିଜର ଘର ବିଲ ସହିତ ଗୋଷ୍ଠୀର ଅନ୍ୟମାନଙ୍କ ବିଲରେ ସାହାଯ୍ୟ କରଛନ୍ତି। ଜଣେ ଛାତ୍ରୀ ଲେଖିଥିଲା, ମୁଁ ଛୁଟିରେ ମୋ ପିତାଙ୍କୁ ମଦ ପିଇବା ଛଡ଼େଇଛି। ମୋ’ କଥା ବାପା ରଖିଛନ୍ତି। ଆବଶ୍ୟକ ସ୍ଥଳେ ମୋ ରୋଜଗାରରୁ ବାପା,ମାଆଙ୍କ ନିମନ୍ତେ ଖର୍ଚ୍ଚ କରୁଛି। ଗାଆଁରେ ଯେଉଁମାନେ ମଦ ପିଉଛନ୍ତି, ସେମାନେ ଯଦି ଛାଡ଼ନ୍ତି, ତେବେ ଭଲ ହୁଅନ୍ତା।
ସେହିଭଳି ପୁଅମାନେ ମଧ୍ୟ ବେଶ୍‌ ସୁନ୍ଦରଭାବେ ନିଜ ନିଜର ଉପସ୍ଥାପନା କରିଥିଲେ। ଜଣେ ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଟିଏ ଲେଖିଥିଲା, ମୁଁ ପରୀକ୍ଷା (ଡିସେମ୍ବର) ମାସରେ କାମ କରିବାକୁ ରାଜମହେନ୍ଦ୍ରୀ ଚାଲିଗଲି। ସେଠାରେ ଚିଙ୍ଗୁଡ଼ି କାରଖାନାରେ କାମ କଲି। ଦୁଇମାସ କାମ କଲି। ଇତି ମଧ୍ୟରେ ଲକ୍‌ଡାଉନ୍‌ ହୋଇଗଲା। ମୁଁ ପାଞ୍ଚଶହ ପଚାଶ ଟଙ୍କା ଦେଇ କେରେଡ଼ା ଗେଟ୍‌ ପର୍ଯ୍ୟନ୍ତ ଟ୍ରକରେ ଆସିଲି। ସେଠାରୁ ମୁଁ ବସରେ ଆସିଲି ଏବଂ କ୍ୱାରେଣ୍ଟାଇନ୍‌ରେ ୧୫ ଦିନ ରହିଲି। ବର୍ତ୍ତମାନ ଘରେ ରହି ପାଠପଢ଼ିବା ସହିତ ଚାଷବାସ, କପା ତୋଳିବା ଆଦି କାମ କରୁଛି।
କିଛି ଛାତ୍ର ଲେଖିଥିଲେ, ପାଠ ପଢ଼ିବା ସହିତ ଗାଈ ଚରେଇବାକୁ ଯାଉଛି। ଏହିଭଳି ଅନେକ କିଛି ସ୍ମୃତି ଅନୁଭୂତିରୁ ଲେଖିବା ସହିତ ଆଲୋଚନା ମାଧ୍ୟମରେ କହୁଥିଲେ। କିଏ ପାଠ ପଢ଼ିବା ସହିତ ମିସ୍ତ୍ରି କାମ କରୁଛି। ଜଣେ ଦୁଃଖରେ ଲେଖିଥିଲା, ମୋତେ ବିଶ୍ୱାସ ହେଉନି, ଆଉ ସ୍କୁଲକୁ ଯିବି ବୋଲି!
ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଭିଧତା ମଧ୍ୟରେ ଏକତା କିପରି ରହିଛି, ତାହା ଅନୁଭୂତ ହେଉଥିଲା। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମା ଅଞ୍ଚଳରେ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାଭାଷୀ ଶିଶୁ, ତେଲୁଗୁରେ କିଛି ଶିଶୁଙ୍କୁ ବୁଝାଇ ଦେଉଥିଲେ। ସେଠାରେ ଅନୁଭୂତ ହେଉଥିଲା ଯେ, କେତେ ଶିଶୁ କେବଳ ତେଲୁଗୁ ଭାଷା ଜାଣିବା, କେତେକ କୁଇ ଭାଷା ଜାଣିବା ଏବଂ କେତେକ ଓଡ଼ିଆ ଭାଷା ଜାଣିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ସୁନ୍ଦର ସମନ୍ବୟ ରହୁଥିଲା। ଅବଶ୍ୟ ବିଦ୍ୟାଳୟରେ ଥିବା ଶିକ୍ଷକବୃନ୍ଦ ତେଲୁଗୁ ଭାଷାରେ ଅନୁବାଦ କରି ବୁଝାଇ ଦେଉଥିଲେ। କେତେକ ବିଦ୍ୟାଳୟର ପ୍ରାଥମିକ ସ୍ତରର ଶିଶୁମାନେ ଓଡ଼ିଆ ବୁଝିପାରୁ ନ ଥିଲେ, ସେମାନଙ୍କୁ ବଡ଼ ଶିଶୁମାନେ କୁଇଭାଷାରେ ବୁଝାଇ ଦେଉଥିଲେ। ସେହି ଶିଶୁମାନେ ଚିତ୍ର ମାଧ୍ୟମରେ ନିଜ ସୃଜନକୁ ଫୁଟାଉଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ହାତଧୁଆ, ସ୍ବଚ୍ଛତା, ପାଇଖାନା ବ୍ୟବହାର, ପରିମଳ ବ୍ୟବସ୍ଥା ସମ୍ପର୍କରେ ସଚେତନତା କରାଯାଉଥିଲା। କିନ୍ତୁ ଶିଶୁମାନେ ଅଙ୍ଗନଓ୍ବାଡ଼ି କିମ୍ବା ଆଶା ଦିଦିଙ୍କ ଦ୍ୱାରା ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ହେଉ, କରୋନା ସମୟରୁ ସେମାନଙ୍କର ସ୍ବଚ୍ଛତା, ହାତଧୁଆ, ପାଇଖାନା ଗଲେ ସାବୁନରେ ହାତ ଧୋଇବା, ଗରମ ପାଣି ପିଇବା, ବିଶେଷ କାମ ନ ଥିଲେ ବାହାରକୁ ଯିବା ନାହିଁ, ସାନିଟାଇଜରର ବ୍ୟବହାର ଆଦି ସମ୍ପର୍କରେ ବେଶ୍‌ ସଚେତନ ଥିଲେ।
ଅଧିକାଂଶ ଶିଶୁ କୃଷକ କିମ୍ବା ଶ୍ରମଜୀବୀ ପରିବାରର ଥିଲେ। ଅଧିକାଂଶ କୃଷି ପରିବାରର ହୋଇଥିବାରୁ ଗତ ଆଠ/ନଅ ମାସ ମଧ୍ୟରେ କୃଷି କ୍ଷେତ୍ରରେ କିପରି ନିଜକୁ କିିିଛି କିଛି ସମୟ ନିୟୋଜିତ କରିଛନ୍ତି, ସେ ସମ୍ପର୍କରେ ଲେଖିଥିଲେ। ଜଣେ ଶିଶୁଟି ଲେଖିଥିଲା, ମୁଁ ବର୍ତ୍ତମାନ ଘରେ ରହି ମୋତେ ଭଲ ଲାଗୁଛି। ମାଆଙ୍କୁ ଘରୋଇ କାମରେ ସାହାଯ୍ୟ କରୁଛି। ଅନ୍‌ଲାଇନ୍‌ କ୍ଲାସ ମଧ୍ୟ କରୁଛି। ଗ୍ରାମରେ ଭାଇମାନେ କ୍ଲାସ କରୁଛନ୍ତି, ଆବଶ୍ୟକ ହେଲେ ନ ବୁଝିଲେ ପଚାରୁଛି। ସାର୍‌ମାନେ ମଧ୍ୟ ସ୍କୁଲକୁ ଆସୁଛନ୍ତି, ଗ୍ରାମରେ ଯାଇ ପଚାରୁଛନ୍ତି, ସେମାନଙ୍କୁ ମଧ୍ୟ ପଚାରୁଛି। କେତେକ ଶିଶୁ ମତ ଦେଇଥିଲେ ଆମେ ମୋବାଇଲ ମାଧ୍ୟମରେ ଏକାଠି ମିଶି ପାଠ ପଢ଼ୁଛୁ।
ଗୋଟିଏ ବିଦ୍ୟାଳୟର ଶିଶୁମାନେ ଉପସ୍ଥାପନା କରିଛନ୍ତି, ଶିକ୍ଷକଙ୍କ ସହଯୋଗରେ ଶିଶୁମାନେ ଲାପ୍‌ଟପ୍‌ ପାଇଛନ୍ତି। ଲାପ୍‌ଟପ୍‌ ମାଧ୍ୟମରେ ୫ ଜଣ ଏକାଠି ହୋଇ କ୍ଲାସ କରୁଛନ୍ତି। ଏହିଭଳି ଯଦି ଆହୁରି ଭିତର ଗାଁଗୁଡ଼ିକରେ ଥିବା ଶିଶୁମାନଙ୍କୁ ସୁବିଧା ମିଳନ୍ତା, ତେବେ ଭଲ ହୋଇଥାଆନ୍ତା।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି କାର୍ଯ୍ୟକ୍ରମରେ ଯେଉଁ ଶିଶୁମାନେ ଭାଗ ନେଉଥିଲେ, ଅଧିକ ସଂଖ୍ୟାରେ ବାଳିକା ଥିଲେ ଏବଂ ସେମାନଙ୍କର ଆଗ୍ରହ ବେଶ୍‌ ଥିଲା। ପୂର୍ବଦିନ ଶିକ୍ଷକଙ୍କଠାରୁ ଖବର ପାଇଥିଲେ ମଧ୍ୟ ବେଶ୍‌ ସଫାସୁତୁରା ହୋଇ ବିଦ୍ୟାଳୟରେ ନିର୍ଦ୍ଧାରଣ ପୂର୍ବରୁ ପହଞ୍ଚି ଯାଉଥିଲେ। ଅନେକ କ୍ଷେତ୍ରରେ ଦେଖାଦେଇଥିଲା ଯେ, ଶିକ୍ଷକମାନେ କମ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିବା ବେଳେ ଅନ୍ୟ ଶିଶୁଠାରୁ ଶୁଣି ଅଧିକ ମାତ୍ରାରେ ଶିଶୁ ଆଗ୍ରହ ସହିତ ଅଂଶଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ। ଅଧିକାଂଶ ଶିଶୁ ବିଦ୍ୟାଳୟ ବନ୍ଦ ହେବା ହେତୁ ଦୁଃଖୀ ଅଟନ୍ତି ଏବଂ କେବେ ଖୋଲିବ ବୋଲି ପ୍ରଶ୍ନ କରୁଥିଲେ।
ସମୟ ଆସିଛି ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ, ଗ୍ରାମରେ ବିଦ୍ୟାଳୟ ହେଉଛି ଶିକ୍ଷା, ସାକ୍ଷରତା, ସଚେତନତା ସୃଷ୍ଟି କରିବାର ଏକ କେନ୍ଦ୍ର। ଶିଶୁଟିଏ ହେଉ, ଅଭିଭାବକଟିଏ ହେଉ, ନିଜର ଶିଶୁଟିର ଭବିଷ୍ୟତ, ଶିକ୍ଷାରେ ଉନ୍ନତି ଏବଂ ଏକ ଭଲ ମଣିଷଟିଏ ହେବ ବୋଲି ବିଦ୍ୟାଳୟର ସ୍କୁଲ ଶିକ୍ଷକଙ୍କ ନିକଟରେ ଛାଡ଼ୁଛି। ଶିକ୍ଷକଙ୍କ ଉପରେ ବିଶ୍ୱାସ ରଖୁଛି !
ଶିକ୍ଷକ ମଧ୍ୟ ନିଜର ଦାୟିତ୍ୱ ନିଭାଇବା ପାଇଁ ପ୍ରୟାସ କରୁଛି! ଏହ ପରିପ୍ରେକ୍ଷୀରେ ବିଦ୍ୟାଳୟର ଗରିମା, କର୍ତ୍ତବ୍ୟ, ଦାୟିତ୍ୱବୋଧକୁ ବିଦ୍ୟାଳୟର ସମସ୍ତ ଅଂଶୀଦାରଙ୍କୁ ଗୁରୁତ୍ୱର ସହ ବିଚାର ଓ ହୃଦୟଙ୍ଗମ କରିବାକୁ ପଡ଼ିବ। ଭାରତ ଜ୍ଞାନ ବିଜ୍ଞାନ ସମିତି, ୟୁନିସେଫ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ଗ୍ରାମାଞ୍ଚଳରେ ଏହିଭଳି କମ୍‌ ସମୟ ପାଇଁ ହେଲେ ମଧ୍ୟ ଏକ ସୃଜନାତ୍ମକ କାର୍ଯ୍ୟକ୍ରମ ଦ୍ୱାରା ଅନେକ ଶିଶୁଙ୍କ ମନରେ ଗଭୀର ପ୍ରଭାବ ପକାଇବା ଅନୁଭୂତ ହେଉଥିଲା।
୪ର୍ଥ ଗଳି, ହାତୀପଥର ରାସ୍ତା, ରାଣୀଗୁଡ଼ା, ରାୟଗଡ଼ା, ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri