ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର ୨୩ ତାରିଖରେ ଘଟିଥିବା କାଉନସିଲର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ରାଓ।ଆତ୍ମସମର୍ପଣ ପରେ ମାଜିଷ୍ଟ୍ରେଟ୍ ତାଙ୍କର ଜାମିନ ଆବେଦନ ଖାରଜ କରି ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ୨୦୨୬ ମସିହା ଜାନୁଆରି ୨୨ ତାରିଖରେ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଜାମିନକୁ ଖାରଜ କରିଦେଇଥିଲେ। ଏଥିସହ ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଉପଖଣ୍ଡ ନ୍ୟାୟିକ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସୋମବାର ଶ୍ରୀ ରାଓ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏନେଇ ଭାସ୍କର ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ମହକିଲ ଆତ୍ମସମର୍ପଣ କରିଛନ୍ତି। ଖୁବ୍ଶୀଘ୍ର ଉଚ୍ଚତର ଅଦାଲତରେ ଜାମିନ ପାଇଁ ଆବେଦନ କରାଯିବ।
ଏହି ମାମଲାରେ ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତ ଇପିଲି ସନ୍ୟାସୀ ରାଜୁ, କେ. କ୍ରିଷ୍ଣା ରାଓ ଏବଂ ପି. ଦିଲୀପ କୁମାର ମଧ୍ୟ ଆତ୍ମସମର୍ପଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ହତ୍ୟାକାଣ୍ଡ ଘଟଣାରେ ୨୦୧୦ ଡିସେମ୍ବର ୨୩ ତାରିଖରେ ରାୟଗଡ଼ା ଥାନାରେ ମାମଲା ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ରୁଜୁ ହୋଇଥିଲା। ଏହି ମାମଲାରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ (ଏକାଧିକ ବ୍ୟକ୍ତିଙ୍କ ସାଧାରଣ ଉଦ୍ଦେଶ୍ୟ) ଭଳି ସଂଗିନ ଦଫା ଲଗାଯାଇଥିଲା।
ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ୨୦୧୧ ଏପ୍ରିଲ ୫ ତାରିଖରେ କଟକ ସିଆଇଡି-ସିବି ଥାନାରେ ଏହା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା।

