ଆନ୍ଧ୍ରପ୍ରଦେଶ ଏନ୍ଟିଆର୍ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍ ସ୍କାନ୍ କଲେ ଆନ୍ଧ୍ରପ୍ରଦେଶର ଯେ କୌଣସି ସ୍ଥାନରେ ଆପଣଙ୍କ ଯାତ୍ରାକୁ ସୁରକ୍ଷିତ କରିପାରିବେ। ରେଡ୍ଡୀ ମୋହନ ବାବୁ ୟୁନିଭର୍ସିଟିର ୪ର୍ଥ ବର୍ଷ ଇଞ୍ଜିନିୟରିଂ ଛାତ୍ର। ଶେଷବର୍ଷ ଛାତ୍ରମାନେ ପଢ଼ାରେ ବ୍ୟସ୍ତ ରହିବା କଥା, ହେଲେ ଶ୍ରୀନିବାସ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧିକ ଚିନ୍ତା କରି କ୍ୟୁଆର୍ କୋଡ୍ ବିକାଶ କରିଛନ୍ତି। ଶ୍ରୀନିବାସ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏସ୍ଏଏସ୍ ଇଲେକ୍ଟ୍ରୋନିକ୍ସ ଷ୍ଟାର୍ଟଅପ୍ ଏବଂ ଟ୍ରାଫିକ୍ ପୋଲିସ ସହାୟତାରେ ଏହି କ୍ୟୁଆର୍ କୋଡ୍ କରାଯାଇଛି। ଏବେ ଏନ୍ଟିଆର୍ ଜିଲା ପୋଲିସ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛି। ଏହି କ୍ୟୁଆର୍ କୋଡ୍କୁ ସରକାରୀ କିମ୍ବା ଭଡ଼ାରେ ଯାଉଥିବା ବେସରକାରୀ ଯାନଗୁଡ଼ିକର ଡ୍ରାଇଭର ସିଟ୍ ପଛପାଖରେ ଲଗାଯାଇଛି। ଯାତ୍ରା ଆରମ୍ଭରେ ଯାତ୍ରୀ ଏହାକୁ ସ୍ମାର୍ଟଫୋନରେ ସ୍କାନ୍ କଲେ ଗାଡ଼ିର ଉପସ୍ଥିତି ଓ ଡ୍ରାଇଭର ସମ୍ପର୍କିତ ସମସ୍ତ ତଥ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ଏବଂ ନିକଟସ୍ଥ ପେଟ୍ରୋଲ ପମ୍ପରେ ଉପଲବ୍ଧ ହୋଇପାରୁଛି।

