ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫) ଓ ରିଙ୍କୁ ବର୍ଗେ (୨୫) ଜାଲରେ ଛନ୍ଦି ହୋଇ ପାଣିରେ ବୁଡ଼ି ଯିବାରୁ ଉଭୟଙ୍କ ଅକାଳ ବିୟୋଗ ହୋଇଥିଲା । ଦୀପାବଳି ପୂର୍ବଦିନ ଘଟିଥିବା ଏହି ଅଘଟଣ ଗ୍ରାମବାସୀଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛ। ଶୋକାକୁଳ ପରିବେଶରେ ରବିବାର ଶେଷକୃତ୍ୟ ଚାଲିଥିଲା। ଶେଷକୃତ୍ୟରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପବିତ୍ର ଦୀପାବଳି ସମୟରେ ଏହି ଭଳି ଏକ ହୃଦୟବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇ ଥିବାବେଳେ ମା’ ସମଲେଶ୍ୱରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ବିଧାୟକ ମହାନନ୍ଦ ଶୋକବାର୍ତ୍ତାରେ କହିଛନ୍ତି।

