ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର । ତାଙ୍କ ସ୍ଥାନରେ ଇଣ୍ଡିଆ-ଏ ଦଳରେ ସାମିଲ ହୋଇଛନ୍ତି ଆୟୁଷ ବଦୋନି । ସେହିପରି ଦଳର ନୂଆ ଉପଅଧିନାୟକ ଭାବେ ରିଙ୍କୁ ସିଂଙ୍କୁ ନିଯୁକ୍ତ କରାଯାଇଛି ।
ଆସନ୍ତା ନଭେମ୍ବର ୧୯ରୁ ରାଇଜିଂ ଷ୍ଟାର୍ସ ଏସିଆ କପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରଜତ ପାଟିଦାରଙ୍କୁ ଭାରତୀୟ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଥିଲା। ତେବେ ସେ ଏବେ ଆହତ ସମସ୍ୟାରେ ଥିବାରୁ ଖେଳିବାକୁ ଅସମର୍ଥ ବୋଲି ବିସିସିଆଇକୁ ଜଣାଇଛନ୍ତି । ଫଳରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ତିଳକ ବର୍ମା ଭାରତୀୟ ଦଳର ନେତୃତ୍ୱ ନେବେ।
ରଜତ ପାଟିଦାରଙ୍କ ବଦଳରେ ଦଳରେ ସାମିଲ ହୋଇଥିବା ଆୟୁଷ ବଦୋନି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ରଣଜୀ ଟ୍ରଫିରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୫୫୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ଦୁଇଟି ଦ୍ୱିଶତକ ମଧ୍ୟ ସାମିଲ ରହିଛି । ତାଙ୍କର ଏହି ଦମ୍ଦାର ପ୍ରଦର୍ଶନ ଦଳ ପାଇଁ ଲାଭଦାୟକ ହୋଇପାରେ । ଏହି ଦଳରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଖେଳାଳି ମଧ୍ୟ ସାମିଲ ଅଛନ୍ତି । ଏହା ସହ ଦୀର୍ଘଦିନ ଧରି ଆହତ ସମସ୍ୟା ଯୋଗୁଁ ଦଳରୁ ବାହାରେ ଥିବା ହର୍ଷିତ ରାଣାଙ୍କ ପାଇଁ ଏହା ଏକ କମ୍ବ୍ୟାକ୍ ସୁଯୋଗ ହେବ । ଟୁର୍ଣ୍ଣାମେଣ୍ଟରେ ନିଜର ଫିଟ୍ନେସ୍ ଓ ଖେଳ ପ୍ରଦର୍ଶନ ପ୍ରମାଣିତ କରିପାରିଲେ ତାଙ୍କର ଭାରତୀୟ ଦଳକୁ ଫେରିବା ରାସ୍ତା ଖୋଲିପାରେ।
ଏଥର ରାଇଜିଂ ଷ୍ଟାର୍ସ ଏସିଆ କପ୍ କତାରରେ ଆୟୋଜିତ ହେବ। ଭାରତ-ଏ ଦଳକୁ ଗ୍ରୁପ୍-ବି’ରେ ପାକିସ୍ତାନ-ଏ, ନେପାଳ ଓ ୟୁଏଇ ସହ ରଖାଯାଇଛି। ଭାରତ ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ତିଳକ ବର୍ମା (ଅଧିନାୟକ), ରିଙ୍କୁ ସିଂ (ଉପଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ୍ ସିଂ, କୁମାର କୁଶାଗ୍ର, ସୂର୍ଯ୍ୟାଂଶ ସେଡ୍ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ୍, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦ ଖାନ୍ ଓ ଆୟୁଷ ବଦୋନି ସାମିଲ ରହିଛନ୍ତି ।

