ଭୁବନେଶ୍ୱର,୨୩ା୬(ସୁନିତ୍ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍ ଭୁଲ୍ ଅଛି ତାକୁ ବଦଳାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ସଂଶୋଧିତ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମଧ୍ୟ ଲାଗିଥିଲା। ଏହା ପୂର୍ବରୁ ଏକ କମିଟି ଗଠନ କରାଯାଇ ପ୍ରାୟ ୬୪ଟି ସ୍ଥାନର ନାମ ଭୁଲ୍ ରହିଥିବା ସରକାରଙ୍କୁ ଜଣାଯାଇଥିଲା। ଏହାପରେ ଉକ୍ତ ନାମର ଇଂଲିଶ ବନାନଗୁଡ଼ିକୁ ସଂଶୋଧନ କରିବା ପାଇଁ ସରକାର କ୍ୟାବିନେଟ୍ରେ ପ୍ରସ୍ତାବ ଆଣିଥିଲେ। ସେହି ବିଷୟ ଉପରେ କ୍ୟାବିନେଟ୍ ମୋହର ବାଜିସାରିବା ପରେ ସୋମବାର ସଂଶୋଧିତ ଇଂଲିଶ ବନାନ ସହିତ ୬୪ଟି ସ୍ଥାନର ତାଲିକା ପ୍ରକାଶ କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସରକାର ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି, ଏହି ୬୪ ସ୍ଥାନର ନାମରେ ପରିବର୍ତ୍ତନ କରାଯାଇ ନାହିଁ କେବଳ ଇଂଲିଶ ବନାନ ପରିବର୍ତ୍ତନ କରାଯାଇଛି।

