ନିର୍ବାଚନ ପ୍ରଚାର ବ୍ୟବସ୍ଥା

ଲଳିତ ମୋହନ ମିଶ୍ର

 

ନିର୍ବାଚନରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରି ମତଦାତାମାନଙ୍କୁ ପ୍ରଭାବିତ କରିଥାଆନ୍ତି। ତେବେ ୧୯୫୧ର ପ୍ରଥମ ସ୍ବାଧୀନତା-ପରବର୍ତ୍ତୀ ନିର୍ବାଚନଠାରୁ ୨୦୨୩ ନିର୍ବାଚନ ପର୍ଯ୍ୟନ୍ତ ମିଳୁଥିବା ତଥ୍ୟର ଅଧ୍ୟୟନ କଲେ ଜଣାଯାଏ ଯେ ନିର୍ବାଚନ ପ୍ରଚାରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି। ନିର୍ବାଚନ-ପ୍ରଚାରକୁ ଏବେ ନିର୍ବାଚନ-କମିଶନଙ୍କର ବିଭିନ୍ନ କଟକଣା ମଧ୍ୟରେ ଦଳ ଓ ପ୍ରାର୍ଥୀମାନେ କରିବାକୁ ବାଧ୍ୟ। ଅଭିଯୋଗ ପାଇଲେ ଜିଲାସ୍ତରରେ ଥିବା କେନ୍ଦ୍ର ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଘଟଣାସ୍ଥଳକୁ ଯାଇ ପ୍ରଚାର ବନ୍ଦ କରିବା ଦେଖାଯାଉଛି ଏବଂ କମିଶନ, ପ୍ରାର୍ଥୀ ଓ ଦଳମାନଙ୍କୁ ଅଭିଯୋଗ ଆଧାରରେ ନୋଟିସ ଜାରି କରୁଛନ୍ତି। ତେବେ ମୌଳିକ ପ୍ରଶ୍ନ ଉଠୁଛି ଯେ ଏବର ନିର୍ବାଚନ ପ୍ରଚାରତନ୍ତ୍ର ମାଧ୍ୟମରେ ଦଳ ଓ ପ୍ରାର୍ଥୀମାନେ ମତଦାତାମାନଙ୍କୁ ଅଧିକ ଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଅଧିକ ସଚେତନକରି ଭୋଟ ସଂଗ୍ରହ କରୁଛନ୍ତି ନା ମତଦାତାମାନଙ୍କୁ ଭ୍ରମିତ କରି ଭୋଟ ମାଗୁଛନ୍ତି। ଏବର ନିର୍ବାଚନ ପ୍ରଚାରତନ୍ତ୍ର, ଗଣତନ୍ତ୍ର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି।
ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ହେଲା ଗଣମାଧ୍ୟମ। ସରକାରୀ ଦଳ, ନିର୍ବାଚନ ବେଳେ ସରକାରୀ ବିଜ୍ଞାପନ ମାଧ୍ୟମରେ ସଦାସର୍ବଦା ଗଣମାଧ୍ୟମକୁ ନିଜ ସପକ୍ଷରେ ନେଇଥାଏ। କିନ୍ତୁ ଏବେ ଗଣମାଧ୍ୟମ ସଂସ୍ଥା, ବିଶେଷକରି ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାଗଣ ସରକାରୀଦଳ ସପକ୍ଷରେ ସମ୍ପୂର୍ଣ୍ଣ ସମର୍ପିତ ହେବା ଅଭିଯୋଗ ହେଉଛି। ଏପରି କି ବିରୋଧୀ ‘ଇଣ୍ଡିଆ‘ ମେଣ୍ଟ କେତେକ ଟି.ଭି.-ଚ୍ୟାନେଲ୍‌କୁ ବୟକଟ୍‌ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯେ ଏହି ଗଣମାଧ୍ୟମ ସଂସ୍ଥାମାନେ ଲୋକଙ୍କ ଅସୁବିଧାକୁ ଓ ବିରୋଧୀଦଳର କାର୍ଯ୍ୟକ୍ରମକୁ ଆଦୌ ପରିବେଷଣ କରୁନାହାନ୍ତି ବରଂ ସରକାରୀଦଳର ନୀତି ଓ ସରକାରଙ୍କ ସଫଳତାକୁ ପ୍ରଚାର କରି ଏକ ଦଳୀୟ ଅସ୍ତ୍ରରୂପେ କାମ କରୁଛନ୍ତି। ଜାତୀୟ ସ୍ତରରେ, ସରକାରଙ୍କୁ ସମାଲୋଚନା କରୁଥିବା କେତେଜଣ ବରିଷ୍ଠ ସାମ୍ବାଦିକଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଛି। ଗଣମାଧ୍ୟମ ସଂସ୍ଥା କର୍ପୋରେଟ୍‌ମାନଙ୍କ ହାତକୁ ଚାଲିଯାଉଥିବାରୁ ସେମାନେ ସରକାରୀ ଦଳକୁ ଅଧିକ ସମର୍ଥନ କରିବା ଦେଖାଯାଉଛି। ଏହି କାରଣରୁ ଅନ୍ତର୍ଜାତୀୟ ପ୍ରେସ୍‌-ସ୍ବାଧୀନତା- ସୂଚୀରେ ଭାରତର ସ୍ଥାନ ବହୁତ ତଳେ ଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମର ଭୂମିକା ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏ ଦିଗରେ ଆଗକୁ ଗଣମାଧ୍ୟର ନିରପେକ୍ଷତାକୁ ବୃଦ୍ଧି କରିବା ପାଇଁ ସଂସ୍କାରର ଆବଶ୍ୟକତା ରହିଛି।
ମୁଖ୍ୟସ୍ରୋତ ଗଣମାଧ୍ୟମର ନିରପେକ୍ଷତା ହ୍ରାସ, ସାମାଜିକ ଗଣମାଧ୍ୟକୁ ଅଧିକ ଲୋକପ୍ରିୟ କରିଛି। ନିର୍ବାଚନ ପ୍ରଚାରବେଳେ ଦଳ ଓ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମକୁ ଅଧିକ ବ୍ୟବହାର କରିବା ଦେଖାଯାଉଛି। ଦଳମାନଙ୍କର ସାମାଜିକ ଗଣମାଧ୍ୟମ ବିଭାଗ, ନିର୍ବାଚନ ନ ଥିବାବେଳେ ଓ ନିର୍ବାଚନ ବେଳେ ଦଳ ସପକ୍ଷରେ ନିତିଦିନ ପ୍ରଚାର କରୁଛନ୍ତି।
ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ପରି ଏବେ ଜନମତ-ସର୍ଭେ ଓ ବୁଥ୍‌-ବାହୁଡ଼ା- ସର୍ଭେ ସଂସ୍ଥାମାନେ ନିରପେକ୍ଷତା ହରାଇଥିବା ଦେଖିବାକୁ ମିଳୁଛି। ଦଳମାନେ ଏହି ସର୍ଭେ ସଂସ୍ଥାମାନଙ୍କୁ ପ୍ରଭାବିତ କରି ନିଜ ଦଳର ନେତା ଏବଂ ଦଳ ସପକ୍ଷରେ ଅଧିକ ଜନମତ ଥିବା ‘ପ୍ରାକ୍‌-ନିର୍ବାଚନ’ କାଳରେ ପ୍ରକାଶ କରୁଛନ୍ତି। ନିର୍ବାଚନ ପରେ ବୁଥ୍‌-ବାହୁଡ଼ା- ସର୍ଭେଗୁଡ଼ିକରେ ସର୍ଭେ ସଂସ୍ଥାମାନେ ସେମାନଙ୍କର ସମର୍ଥିତ ଦଳ ସପକ୍ଷରେ ଅଧିକ ଆସନ ଜିତୁଥିବା କଥା ପ୍ରଚାରକରି ଭୋଟ-ଗଣତି ପରିବେଶକୁ ପ୍ରଭାବିତ କରୁଛନ୍ତି। ଭୋଟ-ଗଣତି ପରେ ଅନେକ ସର୍ଭେ ଭୁଲ୍‌ ପ୍ରମାଣିତ ହେଉଛି। ତେବେ ଲୋକେ ଏଥିରୁ ମଧ୍ୟ ଠିକ୍‌ ତଥ୍ୟ ପାଇପାରୁନାହାନ୍ତି।
ଏବେ ଆସିବା ନିର୍ବାଚନ ସମୟରେ ବ୍ୟବହୃତ ବ୍ୟାନର୍‌-ପୋଷ୍ଟର୍‌ ଓ ନିର୍ବାଚନୀ ସଭାକୁ। ବ୍ୟାନର୍‌-ପୋଷ୍ଟର ଏବଂ ନିର୍ବାଚନୀ ସଭାରେ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାରକରି ବିରୋଧୀଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବିପକ୍ଷରେ କହିବା ସ୍ବାଭାବିକ। କିନ୍ତୁ ଏବେ ନିର୍ବାଚନୀ ସଭାଗୁଡ଼ିକୁ ଲୋକଙ୍କୁ ଅର୍ଥଦେଇ ଅଣାଯାଇ ଏହାକୁ ବୃହତ୍‌-ଜନସମର୍ଥନର ପ୍ରତୀକ ରୂପେ ଦର୍ଶାଯାଉଛି। ଲୋକଙ୍କୁ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ଅଧିକ ଭାବପ୍ରବଣ କରି ଦଳମାନେ ଭୋଟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏ ଗଲା ଅଣ-ପାର୍ଥିବ ପ୍ରଚାରତନ୍ତ୍ର କଥା।
‘ପାର୍ଥିବ ପ୍ରଚାରତନ୍ତ୍ର’ର ଏବେ ଅଧିକ ପ୍ରାଦୁର୍ଭାବ ବୃଦ୍ଧି ହୋଇଛି। ନିର୍ବାଚନବେଳେ ମତଦାତାଙ୍କୁ ଅତ୍ୟଧିକ ଅର୍ଥ, ମାଦକ ଦ୍ରବ୍ୟ, ଭୋଜି, ସୁନା ଓ ରୁପା ଗହଣା, ପୋଷାକ, ମୋବାଇଲ୍‌ ଫୋନ୍‌ ଆଦି ବଣ୍ଟାଯାଉଛି। ଏହାକୁ ବନ୍ଦ କରି ସରକାରୀ ଖର୍ଚ୍ଚରେ ନିର୍ବାଚନ କରିବାକୁ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ସମୟରେ ଦାବି ହେଲେ ବି ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ତେବେ ନିର୍ବାଚନ କମିଶନ, ବିଭିନ୍ନ ଦଳର କାର୍ଯ୍ୟକଳାପ ବିଷୟରେ ନିର୍ବାଚନ ସମୟରେ ଏକ ସ୍ବତନ୍ତ୍ର ବୁଲେଟିନ୍‌ ଜାରି କରିବାର ଆବଶ୍ୟକତା ଆସିଲାଣି। ଫଳରେ ଲୋକେ ବିଭିନ୍ନ ଦଳ ବିଷୟରେ ନିର୍ବାଚନ ବେଳେ ଠିକ୍‌ ତଥ୍ୟ ପାଇପାରିବେ। ଦ୍ୱିତୀୟରେ, ନିର୍ବାଚନବେଳେ ପ୍ରାର୍ଥୀ ଯେଉଁ ଶିକ୍ଷାଗତ ଯୋଗ୍ୟତା, ଆପରାଧିକ ପୃଷ୍ଠଭୂମି ଓ ସମ୍ପତ୍ତି ତାଲିକାର ତଥ୍ୟ ପ୍ରଦାନ କରୁଛନ୍ତି, ତାହା ଅତିକମ୍‌ରେ ଏକ ବଡ଼ ହୋର୍ଡିଂ ମାଧ୍ୟମରେ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିବା ପାଇଁ ନିର୍ବାଚନ ନିୟମ ଆସିବା ଆବଶ୍ୟକ। କେବଳ ଖବର କାଗଜ ଓ ଟି.ଭି.ରେ ଏ ବିଷୟରେ ସୂଚନା ଦେଲେ ମତଦାତାମାନେ ପ୍ରାର୍ଥୀଙ୍କ ପୃଷ୍ଠଭୂମି ଜାଣିପାରୁ ନାହାନ୍ତି। ତୃତୀୟରେ ନିର୍ବାଚନ ସରିବା ପରେ ପ୍ରାର୍ଥୀମାନେ ଦୁଇଟି ବିଷୟରେ ନିର୍ବାଚନ କମିଶନରଙ୍କ ପାଖରେ ସତ୍ୟପାଠ ଦାଖଲ କରିବା ପାଇଁ ନିୟମ ଆସିବା ଆବଶ୍ୟକ। ଏଥିରୁ ପ୍ରଥମଟି ହେଲା ପ୍ରାର୍ଥୀ ଓ ଦଳମାନେ ନିଜର ନିର୍ବାଚନୀ ଖର୍ଚ୍ଚକୁ ଏକ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବା। ଦ୍ୱିତୀୟଟି ହେଲା ପ୍ରାର୍ଥୀମାନେ ଏକ ସତ୍ୟପାଠ ମାଧ୍ୟମରେ ନିର୍ବାଚନ ଖର୍ଚ୍ଚର ଆଇନଗତ ସୀମା ଏବଂ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିନାହାନ୍ତି ବୋଲି ଘୋଷଣା କରିବା ଆବଶ୍ୟକ। ଭାରତ ଭଳି ଏକ ବୃହତ୍‌ ସଂଘୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନ ଆସିଲେ ଦେଶରେ ଗଣତନ୍ତ୍ରର ଲାଭ ଲୋକମାନେ ପାଇପାରିବେ ନାହିଁ।
ମୋ: ୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri