ଟିଆର୍‌ପି ବାଉଳା

ନିକଟରେ ମୁମ୍ବାଇ ପୋଲିସ ରିପବ୍ଲିକ୍‌ ଚ୍ୟାନେଲ, ଫକ୍ତ ମରାଠୀ ଓ ବକ୍ସ ସିନେମା ନାମକ ୩ଟି ଟିଭି ଚ୍ୟାନେଲ ସେମାନଙ୍କ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍‌ପି) ଜାଲିଆତି କରିଥିବା ସଂକ୍ରାନ୍ତ ଏକ ଠକେଇ ଘଟଣାକୁ ପଦାକୁ ଆଣିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ୧୧ ଅକ୍ଟୋବରରେ ରିପବ୍ଲିକ୍‌ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ଦୁଇ ଜଣ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ)ଙ୍କୁ ମୁମ୍ବାଇ ପୋଲିସ ଜେରା କରିଛି। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଟିଆର୍‌ପି ଜାଲିଆତି ଘଟଣାକୁ ଲୋକଲୋଚନକୁ ଆଣିବା ପରେ ସାଧାରଣ ଦର୍ଶକ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଠାରେ ଟିଆର୍‌ପି କ’ଣ ଓ ଏହା ଦ୍ୱାରା ଟେଲିଭିଜନ ଚ୍ୟାନେଲଗୁଡ଼ିକ କିଭଳି ବିଜ୍ଞାପନ ପାଆନ୍ତି ସେହି ବିଷୟରେ ସାମାନ୍ୟ ଆଲୋଚନା କରାଯାଇପାରେ।
ଅତି ସରଳ ଭାଷାରେ କହିଲେ ଯେ କେହି ବ୍ୟକ୍ତି ଟେଲିଭିଜନକୁ ଏକ ମିନିଟ୍‌ରୁ ଅଧିକ ସମୟ ଦେଖିଲେ ତାଙ୍କୁ ଦର୍ଶକ ରୂପେ ଗଣାଯାଇଥାଏ। ଦର୍ଶକଙ୍କ ସଂଖ୍ୟା ନିରୂପଣ କରିବା ଲାଗି ମାର୍କେଟିଂ ଓ ଆଡଭର୍ଟାଇଜିଂ ଏଜେନ୍ସିଗୁଡ଼ିକ ଟିଆର୍‌ପିକୁ ମାନଦଣ୍ଡ ଭାବେ ନେଇଥାଆନ୍ତି। ସେହି ଅନୁଯାୟୀ ସେମାନେ ବିଜ୍ଞାପନ ଦେବାକୁ ଆଗେଇ ଆସିଥାଆନ୍ତି ଏବଂ ସେହି ବିଜ୍ଞାପନର ପରିମାଣ ବାର୍ଷିକ ଅନେକ ହଜାର କୋଟି ଟଙ୍କା ପହଞ୍ଚିଥାଏ। ଭାରତରେ ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନ୍‌ସିଲ (ବିଏଆର୍‌ସି) ଟେଲିଭିଜନରେ ବାର୍‌-ଓ-ମିଟର ଲଗାଇବା ଦାୟିତ୍ୱ ଏକ କମ୍ପାନୀକୁ ଦେଇଥାଏ। ସେହି କମ୍ପାନୀ ତା’ର କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଲୋକଙ୍କ ଘରର ଟେଲିଭିଜନରେ ଉକ୍ତ ମିଟରକୁ ବସାଇଥାଆନ୍ତି। ଏ ବିଷୟ ଦର୍ଶକ ଜାଣିପାରି ନ ଥାଆନ୍ତି। ଫଳରେ ଗ୍ରାହକ କେଉଁ ଚ୍ୟାନେଲକୁ କେତେ ସମୟ ଦେଖୁଛନ୍ତି ସେଥିରୁ ତା’ର ଟିଆର୍‌ପି କେତେ ରହୁଛି ହିସାବ ମିଳିଯାଇଥାଏ। ମୁମ୍ବାଇ ପୋଲିସ ଜାଣିବାକୁ ପାଇଛି ଯେ, ବିଏଆର୍‌ସି ‘ହଂସା ରିସର୍ଚ୍ଚ ଗ୍ରୁପ୍‌’କୁ ଏହି ଦାୟିତ୍ୱ ଦେଇଥିଲା। ସାଧାରଣତଃ ସେହି ତଥ୍ୟ ବିଏଆର୍‌ସି ନିକଟକୁ ଗଲା ପରେ ଟିଆର୍‌ପି ହିସାବ କରାଯାଇଥାଏ। ହଂସା ଗ୍ରୁପ୍‌ର କେତେକ ପୂର୍ବତନ କର୍ମଚାରୀ ବାର୍‌-ଓ-ମିଟର ହେରଫେର୍‌ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ସେମାନଙ୍କ ସହ ବର୍ତ୍ତମାନର କେତେଜଣ କର୍ମଚାରୀ ନିର୍ଦ୍ଦିଷ୍ଟ ଚ୍ୟାନେଲ କର୍ତ୍ତୃପକ୍ଷଙ୍କଠାରୁ ଲାଞ୍ଚ ପାଇବା ପରେ ଦଲାଲ ସାଜି କେଉଁ ଘରକୁ ଟିଆର୍‌ପି ପ୍ରସାର ପାଇଁ ମାପଦଣ୍ଡ ଭାବେ ବଛାଯାଇପାରିବ ତାହା ସ୍ଥିର କରୁଥିଲେ। ସେମାନେ ରିପବ୍ଲିକ୍‌ ଭଳି କେତେକ ଚ୍ୟାନେଲର ଟିଆର୍‌ପି ବୃଦ୍ଧି ସକାଶେ ତାହାକୁ ଦୀର୍ଘ ସମୟ ପାଇଁ ଚଲାଇ ରଖିବା ନିମନ୍ତେ ପ୍ରତି ପରିବାରକୁ ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା କୁହାଯାଇଛି। କେତେକ ସ୍ଥଳେ ଇଂଲିଶ୍‌ ବୁଝୁ ନ ଥିବା ଲୋକେ ମଧ୍ୟ ନିର୍ଦ୍ଦିଷ୍ଟ ଇଂଲିଶ ଚ୍ୟାନେଲକୁ ଦିନସାରା ଚଲାଇ ରଖୁଥିଲେ ବୋଲି ସେମାନଙ୍କ ବୟାନ ରେକର୍ଡ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୪୪ ହଜାର ମିଟର ବସାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମୁଦାୟ ୪୪ ହଜାର ଏଭଳି ମିଟର ଦେଶବ୍ୟାପୀ ଲଗାଯାଇଥିବାରୁ ୮ରୁ ୧୦ ମିଟରର ଫଳାଫଳ ଶେଷ ଟିଆର୍‌ପିକୁ ପ୍ରଭାବିତ କରିପାରୁଛି।
ଏଭଳି ଜାଲିଆତିରୁ ବୁଝିବାକୁ ହେବ ଯେ, ଅଧିକ ବିଜ୍ଞାପନ ପାଇବା ପାଇଁ ଚ୍ୟାନେଲଗୁଡ଼ିକ କେଉଁ ସ୍ତରକୁ ଚାଲିଯାଇପାରନ୍ତି। ଇତିମଧ୍ୟରେ ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ନବ ଗୋସ୍ବାମୀ ମୁମ୍ବାଇ ପୋଲିସର ଦାବିକୁ ଖଣ୍ଡନ କରିଛନ୍ତି। ଆଗକୁ ଏହି ଘଟଣା କେଉଁ ମୋଡ଼ ନେବ, ତାହା ପରେ ଜଣାପଡ଼ିବ। କିନ୍ତୁ ଦର୍ଶକଙ୍କୁ ବିଭ୍ରାନ୍ତ କରାଯାଇ ନିଜ ଚ୍ୟାନେଲର ଟିଆର୍‌ପି ବଢ଼ାଇବା କାର୍ଯ୍ୟ ଗୁପ୍ତ ଭାବେ କରାଯିବା ଅର୍ଥ ସାମ୍ବାଦିକତାର ଯେଉଁ ମୌଳିକ ନୀତି ରହିଛି, ତାହାକୁ ଧ୍ୱଂସ କରିଦିଆଯାଉଛି ବୋଲି କୁହାଯାଇପାରିବ। ଆଜିର ସ୍ଥିତିରେ ଦେଖାଯାଉଛି ଯେ, କେତେକ ଗଣମାଧ୍ୟମ ପାଠିକାପାଠକ, ଶ୍ରୋତା ବା ଦର୍ଶକଙ୍କ ଚାହିଦା ଅନୁଯାୟୀ ଖବର ପରିବେଷଣ କରିବା ପରିବର୍ତ୍ତେ ନିଜସ୍ବ ଏଜେଣ୍ଡା ପୂରଣ କରୁଛନ୍ତି। ସେଥିପାଇଁ ଉଭୟ ରାଜନୈତିକ ଦଳ ଓ ବ୍ୟବସାୟିକ ଗୋଷ୍ଠୀଙ୍କଠାରୁ ବିପୁଳ ଅର୍ଥ ପାଇପାରୁଛନ୍ତି। ସେହି ଅର୍ଥକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚଉକି, ଟେବୁଲ, ତେଲଠାରୁ ଆରମ୍ଭ କରି ଦୈନିକ ୫୦୦ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଆକାରରେ ପ୍ରତ୍ୟେକ ଘରେ ଦେଉଛନ୍ତି।
ଖବର ଏବେ ଲୋକଙ୍କୁ ଅଧିକ ସୂଚନା ଦେବା ପରିବର୍ତ୍ତେ ସେମାନଙ୍କୁ ଭାରାକ୍ରାନ୍ତ କଲାଣି। ଉଦାହରଣ ସ୍ବରୂପ, ନିର୍ଦ୍ଦିଷ୍ଟ ଖବର ଥରେ ସାମ୍ନାକୁ ଆସିଲେ ତାହାକୁ ବ୍ରେକିଂ ନ୍ୟୁଜ୍‌ କୁହାଯାଇଥାଏ। କିନ୍ତୁ ଟେଲିଭିଜନ ଚ୍ୟାନେଲଗୁଡ଼ିକ ତାହାକୁ ଦୀର୍ଘ ସମୟ ବେକ୍ରିଂ ନ୍ୟୁଜ୍‌ କହି ତା’ ଉପରେ ଏତେ ଘଷିମାଜି ହେଉଛନ୍ତି ଯେ, ଦର୍ଶକ ତାହା ଦେଖିଲା ବେଳେ ବାଉଳା ହେଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ହେଉଛି ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ହାତଗଣତି କେତେକ ଟେଲିଭିଜନ ଚ୍ୟାନେଲ ବାରମ୍ବାର ପ୍ରସାରଣ କରିଚାଲିଲେ ଯେ, ଏହା ଏକ ହତ୍ୟା। ସେହିସବୁ ଚ୍ୟାନେଲର କଥାକୁ ସତ୍ୟ ପ୍ରମାଣ କରିବା ପାଇଁ କେନ୍ଦ୍ର ସରକାର ନିଜ ଅଧୀନରେ ଥିବା ସିବିଆଇ ଏବଂ ଏନ୍‌ସିବି ଭଳି ସଂସ୍ଥାକୁ ଏହି ସାଧାରଣ ଘଟଣାକୁ ଅନୁସନ୍ଧାନ କରିବା ପାଇଁ ଲଗାଇଲେ। ଇତିମଧ୍ୟରେ ହତ୍ୟା କି ଆତ୍ମହତ୍ୟା ଭୁଲିଯାଇ କେତେକ ଲୋକ ଗଞ୍ଜେଇ ଟାଣିବା ବିଷୟକୁ ନେଇ ଟିଭି ଚ୍ୟାନେଲଗୁଡ଼ିକ ଦେଶକୁ ବାଉଳା କଲେ। ରିଆ ଚକ୍ରବର୍ତ୍ତୀଙ୍କୁ ଏକମାସ ପାଇଁ ଜେଲ୍‌ ଭୋଗିବାକୁ ପଡ଼ିଲା। ଯେତେବେଳେ ଏମ୍‌ସର ବରିଷ୍ଠ ଡାକ୍ତରମାନେ ମତ ଦେଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ, ସେତେବେଳେ ଘଟାଯାଇଥିବା ଅନେକ ଲୋକଙ୍କ ବ୍ୟକ୍ତିଗତ ଜୀବନର କ୍ଷତିକୁ ଦେଶବାସୀ ଭୁଲିଯାଇ ନୂଆ ଏକ ବ୍ରେକିଂ ନ୍ୟୁଜ୍‌ ପଛରେ ଧାଇଁବାକୁ ଅପେକ୍ଷା କରି ରହିଛନ୍ତି।
କେବଳ ଦର୍ଶକ ନୁହନ୍ତି, ପ୍ରମୁଖ ବିଜ୍ଞାପନଦାତାମାନେ ମଧ୍ୟ କେତେକ ଖବର ବିଷାକ୍ତ ହୋଇଯାଉଥିବା ନିକଟରେ ଅଭିଯୋଗ କରିଥିଲେ। ବିଶିଷ୍ଟ ଶିଳ୍ପପତି ରାଜୀବ ବଜାଜ କହିଲେଣି ଯେ, ତାଙ୍କ କମ୍ପାନୀ ଏହିଭଳି ଘୃଣାଭାବ ସୃଷ୍ଟି କରୁଥିବା ଗଣମାଧ୍ୟମକୁ ବିଜ୍ଞାପନ ଦେବା ବେଳେ ପୁନର୍ବିଚାର କରିବ। ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ହେଉ କିମ୍ବା ଛାପା ଗଣମାଧ୍ୟମ ସମସ୍ତେ ବିଜ୍ଞାପନ ଉପରେ ନିର୍ଭର କରିଥାନ୍ତି। ଟେଲିଭିଜନ ସକାଶେ ବିଜ୍ଞାପନଦାତାଙ୍କୁ ଭୁଲ୍‌ ବାଟରେ ନେବା ପାଇଁ ଟାମ୍‌ ଭଳି ସଂସ୍ଥା ଏସବୁ ଠକ ଗଣମାଧ୍ୟମକୁ ସହାୟକ ହୋଇଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଛାପା ଗଣମାଧ୍ୟମ ସକାଶେ ମଧ୍ୟ ସେହିଭଳି ସଂସ୍ଥା ଅଛନ୍ତି। ପ୍ରତ୍ୟେକ ରାଜ୍ୟରୁ ପ୍ରକାଶିତ ଅଳ୍ପ କେତେକ ଖବରକାଗଜ ଓ ପତ୍ରିକା ବହୁଳ ପ୍ରସାରିତ ବୋଲି ଦେଖାଇବା ପାଇଁ ଅନେକ କୋଟି ଟଙ୍କା ଆଦାୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?