ଦେଶଦ୍ରୋହ ଆଇନରେ ପରିବର୍ତ୍ତନ ଲୋଡ଼ା

ଦେଶରେ ଅନେକ ସମୟରେ ବିତର୍କର କାରଣ ପାଲଟିଥିବା ଭାରତୀୟ ପିଙ୍ଗଳ କୋଡ୍‌ର ବିବାଦୀୟ ଧାରା ୧୨୪-କ ଉପରେ ସୁପ୍ରିମକୋର୍ଟ ଏବେ ସାମୟିକ ରୋକ୍‌ ଲଗାଇଛନ୍ତି। କୁହାଯାଉଛି ଏହି ଆଇନ ହଟାଇବା ଦିଗରେ ଏହା ହେଉଛି ପ୍ରଥମ ସୋପାନ। ଆଗରୁ ଅନେକ ସମୟରେ ସଂସଦରେ ପ୍ରାଇଭେଟ ବିଲ୍‌ ଭାବରେ ଅନେକ ସାଂସଦ ଏହି ଆଇନକୁ ହଟାଇବା ପାଇଁ ପ୍ରସ୍ତାବ ଆଣିଥିଲେ, ହେଲେ ତାହା ସଫଳ ହୋଇ ନ ଥିଲା। ଯେଉଁ ସୁପ୍ରିମକୋର୍ଟ ଦିନେ ୧୯୬୨ରେ ଏହି ଆଇନକୁ ପୁନଃ ଲାଗୁକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବେ ସେହି ସୁପ୍ରିମକୋର୍ଟ ପୁଣି ୬୦ ବର୍ଷ ପରେ ସେହି ଆଇନକୁ ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ଏବେ ସବୁକିଛି ନିର୍ଭର କରୁଛି କେନ୍ଦ୍ର ସରକାର ଏହି ଆଇନ ଉପରେ ସୁପ୍ରିମକୋର୍ଟରେ କ’ଣ ଆଭିମୁଖ୍ୟ ରଖୁଛନ୍ତି। କେନ୍ଦ୍ର ସରକାର ବିଗତ ୫ ବର୍ଷ ଭିତରେ ବ୍ରିଟିଶରମାନେ ଗଢିଥିବା ଏପରି ୧୪୫୦ଟି ଆଇନକୁ ରଦ୍ଦ କରିସାରିଛନ୍ତି; ଯେଉଁ ଆଇନଗୁଡ଼ିକ ମୁକ୍ତ ଓ ଅବାଧ ଗଣତନ୍ତ୍ରର ପରିପନ୍ଥୀ ଥିଲା। ଆଶା କରାଯାଉଛି, କେନ୍ଦ୍ର ସରକାର ଏବେ ଏହି ଦେଶଦ୍ରୋହ ଆଇନକୁ ମଧ୍ୟ ଉଚ୍ଛେଦ କରିଦେବେ।
ପ୍ରଥମତଃ ଏହି ଆଇପିସି ଧାରା ୧୨୪-କ’ କୁ ସମୟ ସମୟରେ ଦେଶଦ୍ରୋହ ବୋଲି କୁହାଯାଉଛି। କାରଣ ଏହି ଧାରାକୁ ଇଂଲିଶରେ ‘ସିଡେସନ’ ବୋଲି କୁହାଯାଉଛି। ସେହି ଇଂଲିଶ ଶବ୍ଦ ‘ସିଡେସନ’ର ଅର୍ଥ ହେଉଛି ସରକାରଙ୍କୁ ବିରୋଧ କରିବା। ଭାରତର ଗଣତନ୍ତ୍ର ପରିପ୍ରେକ୍ଷୀରେ ଆଇପିସି ଧାରା ୧୨୪-କ’କୁ ‘ଦେଶଦ୍ରୋହ’ ନ କହି ‘ରାଜଦ୍ରୋହ’ ବୋଲି କହିଲେ ବି ଠିକ୍‌ ହେବ। କାରଣ ଦେଶଦ୍ରୋହର ଅର୍ଥ ଅଲଗା ଏବଂ ସରକାରଙ୍କୁ ବିରୋଧ କରିବା ଅଲଗା। ଏପରି କି ସମ୍ବିଧାନରେ ମଧ୍ୟ ‘ଦେଶଦ୍ରୋହ’ ଏମିତି କି ‘ସିଡେସନ’ ଶବ୍ଦ କୌଣସି ସ୍ଥାନରେ ବ୍ୟବହାର ହୋଇନାହିଁ। ଧାରା ୧୨୪(କ) ଅନୁଯାୟୀ କୌଣସି ବ୍ୟକ୍ତି ଭାରତର ପ୍ରତିଷ୍ଠିତ ବ୍ୟବସ୍ଥା, ଆଇନ ପ୍ରତି ଶବ୍ଦ, ଭାଷା, ଲିଖିତ ଭାବରେ ଅସମ୍ମାନ କରିବା, ଅନାସ୍ଥା କରିବା ବା ଘୃଣା ସୃଷ୍ଟି କରିବା ଏକ ଦଣ୍ଡନୀୟ ଅପରାଧ। ଏହି ଆଇନର ବୈଧତାକୁ ନେଇ କେବଳ ସୁପ୍ରିମକୋର୍ଟ ନୁହେଁ ବରଂ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ମଧ୍ୟ ଅନେକ ମାମଲା ବିଚାରାଧୀନ ରହିଛି। ଏହି ଆଇନର ସବୁଠାରୁ ବଡ଼ ନକାରାତ୍ମକ ପ୍ରଭାବଟି ହେଲା ଯେ ଏହା ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକର ଅଭିବ୍ୟକ୍ତିର ସ୍ବାଧୀନତା ଭଳି ମୌଳିକ ଅଧିକାରକୁ ପ୍ରଭାବିତ କରିଥାଏ। ସରକାରଙ୍କୁ ସମାଲୋଚନା, ବ୍ୟବସ୍ଥା, ଆଇନ ଉପରେ ପ୍ରଶ୍ନ ଉଠାଇବାର ଅଧିକାର ଉପରେ ଏହି ଆଇନ ସବୁବେଳେ ଏକ ଅଙ୍କୁଶ ଭଳି ରହିଆସିଛି। ବ୍ରିଟିଶରମାନେ ଏହି ଆଇନ କରିଥିଲେ ଭାରତୀୟ ଲୋକମାନେ ଯେମିତି ବ୍ରିଟିଶ ଶାସନକୁ ସମାଲୋଚନା କରିପାରିବେ ନାହିଁ। ଉପନିବେଶବାଦ ହଟି ଆମେ ଏକ ସ୍ବାଧୀନ ଦେଶରେ ବଞ୍ଚୁଥିବାରୁ ଆଉ ସେପରି ଆଇନର ଆବଶ୍ୟକତା ନାହିଁ। ସାମ୍ପ୍ରତିକ ସମୟରେ ଏହି ଆଇନକୁ କ୍ଷମତାରେ ଥିବା ସରକାରମାନେ ସବୁବେଳେ ନିଜର ରାଜନୈତିକ ଉଦ୍ଦେଶ୍ୟରେ ଦୁରୁପଯୋଗ କରୁଛନ୍ତି।
ଅପରପକ୍ଷେ ଯେଉଁମାନେ ଏହି ଆଇନ ସପକ୍ଷରେ ତର୍କ ରଖନ୍ତି ସେମାନଙ୍କର ଯୁକ୍ତି ହେଲା ଯେ ବିଚ୍ଛିନ୍ନତାବାଦୀ, ବିଭାଜନକାରୀ ଗୋଷ୍ଠୀ, ଆତଙ୍କବାଦୀ ବିଚାର ଉପରେ ରୋକ୍‌ ଲଗାଇବା ପାଇଁ ଏଭଳି ଆଇନର ଆବଶ୍ୟକତା ରହିଛି। ବିଶେଷ ପରିସ୍ଥିତିରେ ହେଉଥିବା ଦଙ୍ଗା, ହିଂସାକୁ ରୋକିବା ପାଇଁ ସରକାରମାନଙ୍କ ପାଖରେ ଏଭଳି ଆଇନ ରହିବା ଦରକାର। ତେଣୁ ଏବେ ଭାରତ ସରକାର ଏହି ଆଇପିସି ୧୨୪-କ’କୁ ଉଚ୍ଛେଦ କରିବା ସମୟରେ ସେଦିଗରେ ମଧ୍ୟ କିଛି ବିକଳ୍ପ ଆଇନର ବ୍ୟବସ୍ଥା କରିବା ପାଇଁ ପଡ଼ିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ କହିଛନ୍ତି ଯେ, ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ନାଗରିକମାନେ ପୁରୁଣା ଔପନିବେଶିକବାଦ ଆଇନରୁ ମୁକ୍ତ ହେବା ନେଇ କେନ୍ଦ୍ର ସରକାର ଯତ୍ନବାନ ଅଛନ୍ତି। ନାଗରିକ ସ୍ବାଧୀନତା ଓ ମାନବିକ ଅଧିକାରକୁ ବିଚାର କରି କେନ୍ଦ୍ର ସରକାର ଦେଶର ଅଖଣ୍ଡତା ଓ ସାର୍ବଭୌମତା ରକ୍ଷାକରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ଆଭିମୁଖ୍ୟ ଏକ ମୁକ୍ତ ଗଣତନ୍ତ୍ର ଦୃଷ୍ଟିରୁ ସ୍ବାଗତଯୋଗ୍ୟ ବୋଲି କୁହାଯାଇପାରେ।
ଏହି ଆଇନକୁ ନେଇ ମତ ପାର୍ଥକ୍ୟ ଅଦାଲତମାନଙ୍କର ମଧ୍ୟ ରହିଛି। ଏହି ଆଇନକୁ ନେଇ ୧୯୫୦ରେ ସୁପ୍ରିମକୋର୍ଟରେ ରମେଶ ଥାପର ଓ ମାଡ୍ରାସ ରାଜ୍ୟ ଭିତରେ ହୋଇଥିବା ମୋକଦ୍ଦମାରେ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ଦେଶର ଅଖଣ୍ଡତା, ନିରାପତ୍ତା, ସାର୍ବଭୌମତା ସମ୍ବଳିତ ପ୍ରସଙ୍ଗକୁ ଛାଡିଦେଲେ ଆଉ କୌଣସି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ଅଭିବ୍ୟକ୍ତିର ସ୍ବାଧୀନତା। ସେହିପରି ୧୯୫୧ରେ ପଞ୍ଜାବ ହରିୟାଣା ହାଇକୋର୍ଟ, ୧୯୫୯ରେ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ଔପନିବେଶିକବାଦ ଆଇନ କହିବା ସହିତ ଅଗଣତାନ୍ତ୍ରିକ ବୋଲି କହିଥିଲେ। ହେଲେ ୧୯୬୨ରେ ସୁପ୍ରିମକୋର୍ଟ ସେହି ହାଇକୋର୍ଟମାନଙ୍କର ରାୟକୁ ଖାରଜ କରିଥିଲେ। କୋର୍ଟ ସେହି ସମୟରେ ଦେଇଥିବା ରାୟରେ କହିଥିଲେ ଯେ ନିରାପତ୍ତା, ସାର୍ବଭୌମତା ସମ୍ବଳିତ ପ୍ରସଙ୍ଗ, ସାଧାରଣରେ ବିଶୃଙ୍ଖଳା କରିବା ପାଇଁ ଉଦ୍ଦିଷ୍ଟ ଥିବା ଭାଷଣ, ଲେଖା, ଟିପ୍ପଣୀକୁ ରାଜଦ୍ରୋହ ମାମଲାରେ ପଞ୍ଜୀକୃତ କରାଯିବ।
ରାଜଦ୍ରୋହ ବା ଦେଶଦ୍ରୋହ ଆଇନକୁ ନେଇ ସଦ୍ୟତମ ବିବାଦ ହେଉଛି ମହାରାଷ୍ଟ୍ରରେ ନଭନୀତ ଓ ରବି ରାଣାଙ୍କ ଉପରେ ଲାଗୁ କରି ସେମାନଙ୍କୁ ଜେଲରେ ପୂରାଇବା। ମହାରାଷ୍ଟ୍ର ସରକାର ସେମାନଙ୍କୁ ସେହି ଧାରାରେ ଗିରଫ କରିଲେ କିନ୍ତୁ ପରେ ଅଦାଲତ ସେହି ଦଫାକୁ ହଟାଇଲେ ଓ ସେମାନଙ୍କୁ ଜାମିନ ଦେଲେ। ଏହି ଆଇନର ଏମିତି ଦୁରୁପଯୋଗର ତାଲିକା ବହୁତ ଲମ୍ବା; ଯାହା ଫଳରେ ଏହି ଆଇନରେ ଯେତିକି ମାମଲା ପୋଲିସ ରୁଜୁ କରୁଛି ତାହାର ୫% ମାମଲାରେ ଦୋଷ ପ୍ରମାଣିତ ହୋଇପାରୁନାହିଁ। ତେଣୁ ପ୍ରସଙ୍ଗ ଏଠାରେ ଏହି ଆଇନର ଆବଶ୍ୟକତା ଓ ଅପବ୍ୟବହାର ଦୁଇଟିକି ନେଇ। ଯଦି ଏହି ଆଇନକୁ କେନ୍ଦ୍ର ସରକାର ରଖିବା ପାଇଁ ଚାହୁଁଛନ୍ତି ତା’ହେଲେ ଏହି ଆଇନ କିପରି କୌଣସି ଭାବରେ ବି କାହାର ଅଭିବ୍ୟକ୍ତିର ସ୍ବାଧୀନତାକୁ ନଷ୍ଟ କରିବ ନାହିଁ, ସରକାରଙ୍କୁ ସମାଲୋଚନା କାରଣରୁ ଯେମିତି ଆଉ କାହାକୁ ଜେଲ ଯିବାକୁ ପଡ଼ିବ ନାହିଁ ତାକୁ ଧ୍ୟାନରେ ରଖି ଯାହା ପରିବର୍ତ୍ତନ ଦରକାର ତାହା କରିବେ। ଏବଂ ଯଦି ଏହି ଆଇନକୁ ହଟାଯାଏ ତା’ହେଲେ ବାସ୍ତବିକ ଦେଶଦ୍ରୋ କରୁଥିବା ଅପରାଧୀଙ୍କୁ କିଭଳି ଦଣ୍ଡବିଧାନ କରାଯାଇପାରିବ ତାହା ପାଇଁ ନୂଆ ବିକଳ୍ପ ଆଇନ ବ୍ୟବସ୍ଥା କରିବାକୁ ପଡ଼ିବ।

– ଅନିଲ କୁମାର ବିଶ୍ୱାଳ
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri