ଦେଶଦ୍ରୋହ ଆଇନରେ ପରିବର୍ତ୍ତନ ଲୋଡ଼ା

ଦେଶରେ ଅନେକ ସମୟରେ ବିତର୍କର କାରଣ ପାଲଟିଥିବା ଭାରତୀୟ ପିଙ୍ଗଳ କୋଡ୍‌ର ବିବାଦୀୟ ଧାରା ୧୨୪-କ ଉପରେ ସୁପ୍ରିମକୋର୍ଟ ଏବେ ସାମୟିକ ରୋକ୍‌ ଲଗାଇଛନ୍ତି। କୁହାଯାଉଛି ଏହି ଆଇନ ହଟାଇବା ଦିଗରେ ଏହା ହେଉଛି ପ୍ରଥମ ସୋପାନ। ଆଗରୁ ଅନେକ ସମୟରେ ସଂସଦରେ ପ୍ରାଇଭେଟ ବିଲ୍‌ ଭାବରେ ଅନେକ ସାଂସଦ ଏହି ଆଇନକୁ ହଟାଇବା ପାଇଁ ପ୍ରସ୍ତାବ ଆଣିଥିଲେ, ହେଲେ ତାହା ସଫଳ ହୋଇ ନ ଥିଲା। ଯେଉଁ ସୁପ୍ରିମକୋର୍ଟ ଦିନେ ୧୯୬୨ରେ ଏହି ଆଇନକୁ ପୁନଃ ଲାଗୁକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବେ ସେହି ସୁପ୍ରିମକୋର୍ଟ ପୁଣି ୬୦ ବର୍ଷ ପରେ ସେହି ଆଇନକୁ ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ଏବେ ସବୁକିଛି ନିର୍ଭର କରୁଛି କେନ୍ଦ୍ର ସରକାର ଏହି ଆଇନ ଉପରେ ସୁପ୍ରିମକୋର୍ଟରେ କ’ଣ ଆଭିମୁଖ୍ୟ ରଖୁଛନ୍ତି। କେନ୍ଦ୍ର ସରକାର ବିଗତ ୫ ବର୍ଷ ଭିତରେ ବ୍ରିଟିଶରମାନେ ଗଢିଥିବା ଏପରି ୧୪୫୦ଟି ଆଇନକୁ ରଦ୍ଦ କରିସାରିଛନ୍ତି; ଯେଉଁ ଆଇନଗୁଡ଼ିକ ମୁକ୍ତ ଓ ଅବାଧ ଗଣତନ୍ତ୍ରର ପରିପନ୍ଥୀ ଥିଲା। ଆଶା କରାଯାଉଛି, କେନ୍ଦ୍ର ସରକାର ଏବେ ଏହି ଦେଶଦ୍ରୋହ ଆଇନକୁ ମଧ୍ୟ ଉଚ୍ଛେଦ କରିଦେବେ।
ପ୍ରଥମତଃ ଏହି ଆଇପିସି ଧାରା ୧୨୪-କ’ କୁ ସମୟ ସମୟରେ ଦେଶଦ୍ରୋହ ବୋଲି କୁହାଯାଉଛି। କାରଣ ଏହି ଧାରାକୁ ଇଂଲିଶରେ ‘ସିଡେସନ’ ବୋଲି କୁହାଯାଉଛି। ସେହି ଇଂଲିଶ ଶବ୍ଦ ‘ସିଡେସନ’ର ଅର୍ଥ ହେଉଛି ସରକାରଙ୍କୁ ବିରୋଧ କରିବା। ଭାରତର ଗଣତନ୍ତ୍ର ପରିପ୍ରେକ୍ଷୀରେ ଆଇପିସି ଧାରା ୧୨୪-କ’କୁ ‘ଦେଶଦ୍ରୋହ’ ନ କହି ‘ରାଜଦ୍ରୋହ’ ବୋଲି କହିଲେ ବି ଠିକ୍‌ ହେବ। କାରଣ ଦେଶଦ୍ରୋହର ଅର୍ଥ ଅଲଗା ଏବଂ ସରକାରଙ୍କୁ ବିରୋଧ କରିବା ଅଲଗା। ଏପରି କି ସମ୍ବିଧାନରେ ମଧ୍ୟ ‘ଦେଶଦ୍ରୋହ’ ଏମିତି କି ‘ସିଡେସନ’ ଶବ୍ଦ କୌଣସି ସ୍ଥାନରେ ବ୍ୟବହାର ହୋଇନାହିଁ। ଧାରା ୧୨୪(କ) ଅନୁଯାୟୀ କୌଣସି ବ୍ୟକ୍ତି ଭାରତର ପ୍ରତିଷ୍ଠିତ ବ୍ୟବସ୍ଥା, ଆଇନ ପ୍ରତି ଶବ୍ଦ, ଭାଷା, ଲିଖିତ ଭାବରେ ଅସମ୍ମାନ କରିବା, ଅନାସ୍ଥା କରିବା ବା ଘୃଣା ସୃଷ୍ଟି କରିବା ଏକ ଦଣ୍ଡନୀୟ ଅପରାଧ। ଏହି ଆଇନର ବୈଧତାକୁ ନେଇ କେବଳ ସୁପ୍ରିମକୋର୍ଟ ନୁହେଁ ବରଂ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ମଧ୍ୟ ଅନେକ ମାମଲା ବିଚାରାଧୀନ ରହିଛି। ଏହି ଆଇନର ସବୁଠାରୁ ବଡ଼ ନକାରାତ୍ମକ ପ୍ରଭାବଟି ହେଲା ଯେ ଏହା ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକର ଅଭିବ୍ୟକ୍ତିର ସ୍ବାଧୀନତା ଭଳି ମୌଳିକ ଅଧିକାରକୁ ପ୍ରଭାବିତ କରିଥାଏ। ସରକାରଙ୍କୁ ସମାଲୋଚନା, ବ୍ୟବସ୍ଥା, ଆଇନ ଉପରେ ପ୍ରଶ୍ନ ଉଠାଇବାର ଅଧିକାର ଉପରେ ଏହି ଆଇନ ସବୁବେଳେ ଏକ ଅଙ୍କୁଶ ଭଳି ରହିଆସିଛି। ବ୍ରିଟିଶରମାନେ ଏହି ଆଇନ କରିଥିଲେ ଭାରତୀୟ ଲୋକମାନେ ଯେମିତି ବ୍ରିଟିଶ ଶାସନକୁ ସମାଲୋଚନା କରିପାରିବେ ନାହିଁ। ଉପନିବେଶବାଦ ହଟି ଆମେ ଏକ ସ୍ବାଧୀନ ଦେଶରେ ବଞ୍ଚୁଥିବାରୁ ଆଉ ସେପରି ଆଇନର ଆବଶ୍ୟକତା ନାହିଁ। ସାମ୍ପ୍ରତିକ ସମୟରେ ଏହି ଆଇନକୁ କ୍ଷମତାରେ ଥିବା ସରକାରମାନେ ସବୁବେଳେ ନିଜର ରାଜନୈତିକ ଉଦ୍ଦେଶ୍ୟରେ ଦୁରୁପଯୋଗ କରୁଛନ୍ତି।
ଅପରପକ୍ଷେ ଯେଉଁମାନେ ଏହି ଆଇନ ସପକ୍ଷରେ ତର୍କ ରଖନ୍ତି ସେମାନଙ୍କର ଯୁକ୍ତି ହେଲା ଯେ ବିଚ୍ଛିନ୍ନତାବାଦୀ, ବିଭାଜନକାରୀ ଗୋଷ୍ଠୀ, ଆତଙ୍କବାଦୀ ବିଚାର ଉପରେ ରୋକ୍‌ ଲଗାଇବା ପାଇଁ ଏଭଳି ଆଇନର ଆବଶ୍ୟକତା ରହିଛି। ବିଶେଷ ପରିସ୍ଥିତିରେ ହେଉଥିବା ଦଙ୍ଗା, ହିଂସାକୁ ରୋକିବା ପାଇଁ ସରକାରମାନଙ୍କ ପାଖରେ ଏଭଳି ଆଇନ ରହିବା ଦରକାର। ତେଣୁ ଏବେ ଭାରତ ସରକାର ଏହି ଆଇପିସି ୧୨୪-କ’କୁ ଉଚ୍ଛେଦ କରିବା ସମୟରେ ସେଦିଗରେ ମଧ୍ୟ କିଛି ବିକଳ୍ପ ଆଇନର ବ୍ୟବସ୍ଥା କରିବା ପାଇଁ ପଡ଼ିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ କହିଛନ୍ତି ଯେ, ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ନାଗରିକମାନେ ପୁରୁଣା ଔପନିବେଶିକବାଦ ଆଇନରୁ ମୁକ୍ତ ହେବା ନେଇ କେନ୍ଦ୍ର ସରକାର ଯତ୍ନବାନ ଅଛନ୍ତି। ନାଗରିକ ସ୍ବାଧୀନତା ଓ ମାନବିକ ଅଧିକାରକୁ ବିଚାର କରି କେନ୍ଦ୍ର ସରକାର ଦେଶର ଅଖଣ୍ଡତା ଓ ସାର୍ବଭୌମତା ରକ୍ଷାକରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ଆଭିମୁଖ୍ୟ ଏକ ମୁକ୍ତ ଗଣତନ୍ତ୍ର ଦୃଷ୍ଟିରୁ ସ୍ବାଗତଯୋଗ୍ୟ ବୋଲି କୁହାଯାଇପାରେ।
ଏହି ଆଇନକୁ ନେଇ ମତ ପାର୍ଥକ୍ୟ ଅଦାଲତମାନଙ୍କର ମଧ୍ୟ ରହିଛି। ଏହି ଆଇନକୁ ନେଇ ୧୯୫୦ରେ ସୁପ୍ରିମକୋର୍ଟରେ ରମେଶ ଥାପର ଓ ମାଡ୍ରାସ ରାଜ୍ୟ ଭିତରେ ହୋଇଥିବା ମୋକଦ୍ଦମାରେ ସୁପ୍ରିମକୋର୍ଟ କହିଥିଲେ ଯେ କେବଳ ଦେଶର ଅଖଣ୍ଡତା, ନିରାପତ୍ତା, ସାର୍ବଭୌମତା ସମ୍ବଳିତ ପ୍ରସଙ୍ଗକୁ ଛାଡିଦେଲେ ଆଉ କୌଣସି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ଅଭିବ୍ୟକ୍ତିର ସ୍ବାଧୀନତା। ସେହିପରି ୧୯୫୧ରେ ପଞ୍ଜାବ ହରିୟାଣା ହାଇକୋର୍ଟ, ୧୯୫୯ରେ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ଔପନିବେଶିକବାଦ ଆଇନ କହିବା ସହିତ ଅଗଣତାନ୍ତ୍ରିକ ବୋଲି କହିଥିଲେ। ହେଲେ ୧୯୬୨ରେ ସୁପ୍ରିମକୋର୍ଟ ସେହି ହାଇକୋର୍ଟମାନଙ୍କର ରାୟକୁ ଖାରଜ କରିଥିଲେ। କୋର୍ଟ ସେହି ସମୟରେ ଦେଇଥିବା ରାୟରେ କହିଥିଲେ ଯେ ନିରାପତ୍ତା, ସାର୍ବଭୌମତା ସମ୍ବଳିତ ପ୍ରସଙ୍ଗ, ସାଧାରଣରେ ବିଶୃଙ୍ଖଳା କରିବା ପାଇଁ ଉଦ୍ଦିଷ୍ଟ ଥିବା ଭାଷଣ, ଲେଖା, ଟିପ୍ପଣୀକୁ ରାଜଦ୍ରୋହ ମାମଲାରେ ପଞ୍ଜୀକୃତ କରାଯିବ।
ରାଜଦ୍ରୋହ ବା ଦେଶଦ୍ରୋହ ଆଇନକୁ ନେଇ ସଦ୍ୟତମ ବିବାଦ ହେଉଛି ମହାରାଷ୍ଟ୍ରରେ ନଭନୀତ ଓ ରବି ରାଣାଙ୍କ ଉପରେ ଲାଗୁ କରି ସେମାନଙ୍କୁ ଜେଲରେ ପୂରାଇବା। ମହାରାଷ୍ଟ୍ର ସରକାର ସେମାନଙ୍କୁ ସେହି ଧାରାରେ ଗିରଫ କରିଲେ କିନ୍ତୁ ପରେ ଅଦାଲତ ସେହି ଦଫାକୁ ହଟାଇଲେ ଓ ସେମାନଙ୍କୁ ଜାମିନ ଦେଲେ। ଏହି ଆଇନର ଏମିତି ଦୁରୁପଯୋଗର ତାଲିକା ବହୁତ ଲମ୍ବା; ଯାହା ଫଳରେ ଏହି ଆଇନରେ ଯେତିକି ମାମଲା ପୋଲିସ ରୁଜୁ କରୁଛି ତାହାର ୫% ମାମଲାରେ ଦୋଷ ପ୍ରମାଣିତ ହୋଇପାରୁନାହିଁ। ତେଣୁ ପ୍ରସଙ୍ଗ ଏଠାରେ ଏହି ଆଇନର ଆବଶ୍ୟକତା ଓ ଅପବ୍ୟବହାର ଦୁଇଟିକି ନେଇ। ଯଦି ଏହି ଆଇନକୁ କେନ୍ଦ୍ର ସରକାର ରଖିବା ପାଇଁ ଚାହୁଁଛନ୍ତି ତା’ହେଲେ ଏହି ଆଇନ କିପରି କୌଣସି ଭାବରେ ବି କାହାର ଅଭିବ୍ୟକ୍ତିର ସ୍ବାଧୀନତାକୁ ନଷ୍ଟ କରିବ ନାହିଁ, ସରକାରଙ୍କୁ ସମାଲୋଚନା କାରଣରୁ ଯେମିତି ଆଉ କାହାକୁ ଜେଲ ଯିବାକୁ ପଡ଼ିବ ନାହିଁ ତାକୁ ଧ୍ୟାନରେ ରଖି ଯାହା ପରିବର୍ତ୍ତନ ଦରକାର ତାହା କରିବେ। ଏବଂ ଯଦି ଏହି ଆଇନକୁ ହଟାଯାଏ ତା’ହେଲେ ବାସ୍ତବିକ ଦେଶଦ୍ରୋ କରୁଥିବା ଅପରାଧୀଙ୍କୁ କିଭଳି ଦଣ୍ଡବିଧାନ କରାଯାଇପାରିବ ତାହା ପାଇଁ ନୂଆ ବିକଳ୍ପ ଆଇନ ବ୍ୟବସ୍ଥା କରିବାକୁ ପଡ଼ିବ।

– ଅନିଲ କୁମାର ବିଶ୍ୱାଳ
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri