ଭୁବନେଶ୍ୱର,୨।୯(ବ୍ୟୁରୋ)-ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ କଳା, ସଂସ୍କୃତି ଓ ଐତିହ୍ୟର ପୁନରୁଦ୍ଧାର ନିମନ୍ତେ ୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଏ ନେଇ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ଏକାଡେମୀ ପୁରସ୍କାର ରାଶିର ପରିମାଣ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଅତିବଡି ଜଗନ୍ନାଥ ଦାସ ସମ୍ମାନ, କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ, ବ୍ୟାସକବି ଫକୀରମୋହନ ଓ ଭାଷା ସମ୍ମାନର ଅର୍ଥରାଶି ପରିମାଣକୁ ୧ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା, ଏକାଡେମୀଗୁଡିକର ପୁରସ୍କାର ରାଶି ୫୦ହଜାରୁ ୨ଲକ୍ଷ ଟଙ୍କା ଓ ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥସହିତ ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି, ସ୍ତୁପ ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଓ ଜଣେ ସ୍ବତନ୍ତ୍ର ନିର୍ଦ୍ଦେଶକ ପଦବୀ ସଂସ୍କୃତି ବିଭାଗ ଅଧୀନରେ ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।