ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା ସହ ଏହି ମାଇଲଷ୍ଟୋନ୍ରେ ପହଞ୍ଚିବାରେ ସେ ବିଶ୍ୱର ଦ୍ୱିତୀୟ ବ୍ୟାଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର ଏହି ରେକର୍ଡ କରିଥିଲେ। କୋହଲି ମଧ୍ୟ ୧୫ ହଜାର ODI ରନ୍ ସବୁଠାରୁ କମ୍ ପାଳିରେ ପୂରଣ କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । କହିରଖୁଛୁ କି, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ୭୪ଟି ବଲରେ ଛକା ମାରି ଶତକ ହାସଲ କଲେ କୋହଲି । ୬ଟି ଛକା ଓ ୬ଟି ଚୌକା ମାରି ଶତକ ହାସଲ କଲେ ।
ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତକୁ ୨୯୬ ରନ୍ର ଟାର୍ଗେଟ୍ ମିଳିଥିଲା। ରୋହିତ ଶର୍ମା ୩୨ ରନ୍ରେ ଆଉଟ୍ ହେବା ପରେ କୋହଲି ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ୪୦ଟି ବଲ୍ରେ ଅର୍ଦ୍ଧଶତକ ପୂରଣ କରିବା ପରେ ୨୯ତମ ଓଭରର ପଞ୍ଚମ ବଲ୍ରେ ଚୌକା ମାରି ସେ ୧୫ ହଜାର ODI ରନ୍ ପୂରଣ କରିଥିଲେ। କୋହଲି ୩୧୫ଟି ମ୍ୟାଚ୍ର ୩୦୩ତମ ପାଳିରେ ଏହି ମାଇଲଷ୍ଟୋନ୍ ଛୁଇଁଛନ୍ତି।
ଏହା ପୂର୍ବରୁ ସଚିନ ତେନ୍ଦୁଲକର ୨୦୦୭ ମସିହା ଜୁନ୍ ୨୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ ହଜାର ODI ରନ୍ ପୂରଣ କରିଥିଲେ। ସଚିନ ୩୮୭ତମ ମ୍ୟାଚ୍ର ୩୭୭ତମ ପାଳିରେ ଏହି ରେକର୍ଡ କରିଥିଲେ। ରୋହିତ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା କୋହଲି ଅଧିନାୟକ ଶୁଭମନ ଗିଲ୍ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୧୫୧ ରନ୍ର ଦମଦାର ଭାଗିଦାରୀ କରିଥିଲେ। ଗିଲ୍ ମଧ୍ୟ ଶତକ ହାସଲ କରି ୧୦୮ ବଲ୍ରେ ୧୧୦ ରନ୍ କରିଥିଲେ । ୩୪ତମ ଓଭରରେ ରୋଷ୍ଟନ୍ ଚେଜ୍ ଏହି ଭାଗିଦାରୀ ଭାଙ୍ଗିଥିଲେ । ତେବେ ସେତେବେଳକୁ ଭାରତ ବିଜୟ ଦିଗରେ ଆଗେଇ ଯାଇଥିଲା। ୧୫ ହଜାର ODI ରନ୍ ପୂରଣ କରିବା ସହ କୋହଲିଙ୍କ ନାଁରେ ଆଉ ଏକ ବଡ଼ ରେକର୍ଡ ଯୋଡ଼ି ହୋଇଛି।

