ଭଗବତୀ: ଅଳ୍ପାୟୁ, କିନ୍ତୁ ମରଣଜୟୀ

ଡ. ହୃଷୀକେଶ ମଲ୍ଲିକ

 

ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ସମସମୟର ପ୍ରତିକୂଳତା ବିପକ୍ଷରେ ଲଢ଼ିବାର ପ୍ରତିବଦ୍ଧତା ନେଇ ଜନ୍ମିଥିବା ଇତିହାସର ଏକ ଅମୋଘ ଅସ୍ତ୍ର। ମାତ୍ର ୩୫ ବର୍ଷର ଜୀବଦ୍ଦଶା(୧୯୦୮-୧୯୪୩) ମଧ୍ୟରେ ସେ କେବଳ ଓଡ଼ିଶା ନୁହେଁ କି ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱ ମାନବର ମୁକ୍ତିମାର୍ଗକୁ ତାଙ୍କ ସ୍ବପ୍ନ ଓ ବଳିଦାନରେ ଯେପରି ସୁଗମ କରିଯାଇଛନ୍ତି, ତାହା ଜାଣିଲେ ଯେକେହି ବ୍ୟକ୍ତି ବିସ୍ମିତ ହେବାକୁ ବାଧ୍ୟ ହେବ। ଗାଁରୁ ଗଗନ ଯାଏ ବିସ୍ତାରିତ ଆଖିରେ ଦୁନିଆକୁ ଦେଖିଛନ୍ତି, କଳିଛନ୍ତି ଓ ସବୁ ପ୍ରତ୍ୟକ୍ଷତା ଭିତରୁ ଜୀବନ ଓ ଜଗତ ଗଢ଼ିବାର ସମିଧ ସଂଗ୍ରହ କରି ସାମ୍ୟମନ୍ତ୍ରରେ ଅଭିମନ୍ତ୍ରିତ ଏକ ପୃଥିବୀ ଗଢ଼ିବାକୁ ତାଙ୍କ ସମକାଳର ଭାରତରେ ଯେଉଁ କେତେଜଣ ମନ ବଳାଇଛନ୍ତି, ତା’ ଭିତରେ ଭଗବତୀ ବାବୁ ବିରଳତମ।
ରେଭେନ୍‌ଶା କଲେଜରେ ପଢ଼ିବା ବେଳେ(ପାଟନା ବିଶ୍ୱବିଦ୍ୟାଳୟରୁ ୧୯୨୬ରେ ମାଟ୍ରିକ୍‌ ପାସ୍‌ ପରେ) ପଶ୍ଚିମ ଛାତ୍ରାବାସରେ ରହୁଥିଲେ ଓ ତାଙ୍କର ସାଧନାକେନ୍ଦ୍ର ଥିଲା କଲେଜର କନିକା ପାଠାଗାର। ଏହି ପାଠାଗାର ତାଙ୍କୁ ଏକ ବିଶ୍ୱ ଦୃଷ୍ଟିକୋଣ ଆଣିଦେଇଥିଲା। ପାଠାଗାରରେ ଥିବା ଗ୍ୟାରିବାଲିଡିଙ୍କର ଏକ ଜୀବନୀ ପୁସ୍ତକ ତାଙ୍କ ଆଖି ଖୋଲି ଦେଇଥିଲା। ଗ୍ୟାରିବାଲିଡିଙ୍କ ସ୍ବେଚ୍ଛାସେବକ ବାହିନୀର ନାମ ଥିଲା ‘Red shirt’ (ଲାଲ କୁର୍ତ୍ତା)। କାହିଁକି କେଜାଣି ଏହି ନାମଟି ଭଗବତୀଙ୍କୁ ଭାରି ଭଲ ଲାଗିଥିଲା। ସେତେବେଳେ ସେ କ’ଣ ଜାଣିଥିଲେ ଯେ ମାନବ ଜୀବନର ଯେଉଁ ଦିଗଟିର ସେ ଦିଗବାରେଣୀ ହେବାକୁ ଯାଉଛନ୍ତି, ସେ ଦିଗଟିର ସଂଯୋଗ କେତେ ଏହି ଲାଲରଙ୍ଗ ସହିତ! ପଶ୍ଚିମ ଛାତ୍ରାବାସରୁ ଅନ୍ୟ ସାଥୀମାନଙ୍କୁ ସାଥିରେ ଧରି ଭଗବତୀ ପ୍ରତିଦିନ ସନ୍ଧ୍ୟାବେଳେ ଯାଆନ୍ତି ‘ମଧୁକୋଠି’ (କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଘର)କୁ ମଧୁବାବୁଙ୍କୁ ଭେଟିବାକୁ। ସେତେବେଳକୁ ସେ ନିଃସ୍ବ। କେବଳ ସ୍ବାଭିମାନ ଓ ଆଶାଦୀପ୍ତ ଯୋଡ଼ିଏ କୋଟରଗତ ଚକ୍ଷୁଛଡ଼ା ତାଙ୍କ ପାଖରେ ଅବଶିଷ୍ଟ ହୋଇ କିଛି ସମ୍ବଳ ନ ଥାଏ। ଭଗବତୀ ଓ ତାଙ୍କ ସାଙ୍ଗମାନଙ୍କୁ ମଧୁବାବୁ କେବଳ ଦୁଇଟି ବିଷୟ କହୁଥା’ନ୍ତି। ପିଲାଏ! ଓଡ଼ିଶାର ସ୍ବାଭିମାନ ବଜାୟ ରଖ ଓ ପ୍ରତିଦିନ ନିଜ ଦେଶ ପାଇଁ ୫/୧୦ ମିନିଟ୍‌ ଚିନ୍ତାକର। ନିଜକୁ କେବେହେଲେ ନୀଚ ତଥା ହୀନ ବୋଲି ନ ଭାବିବା ଓ ଓଡ଼ିଆତ୍ୱର ଗର୍ବବୋଧ ରକ୍ଷା କରିବା କଥାଟା ଭଗବତୀଙ୍କୁ ଭାରି ଭଲ ଲାଗିଥିଲା ଏବଂ ତାଙ୍କର ସମଗ୍ର ଜୀବନରେ ସେ ଅକ୍ଷରେ ଅକ୍ଷରେ ଏହାକୁ କ୍ରିୟାନ୍ବିତ କରି ଚାଲିଥିଲେ।
ଭଗବତୀଙ୍କ ଜୀବନକୁ ଆଉ ଯେଉଁ ବ୍ୟକ୍ତିଜଣକ ବିଶେଷଭାବେ ପ୍ରଭାବିତ କରିଥିଲେ, ସେ ବ୍ୟକ୍ତି ଜଣକ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ପୁରୀ ରହଣି କାଳରେ ଅଗ୍ରଜ ବନ୍ଧୁ ପ୍ରାଣନାଥ ପଟ୍ଟନାୟକଙ୍କ ସହ ଭଗବତୀ ପ୍ରତିଦିନ ଗୋପବନ୍ଧୁଙ୍କ ବାଣୀ ଶୁଣିବା ପାଇଁ ତାଙ୍କ ପଥୁରିଆ ସାହି ଘରକୁ ଯାଉଥିଲେ। ଗୋପବନ୍ଧୁ ସବୁ କଥା ଭିତରେ ଯେଉଁ ମୂଳ ମଞ୍ଜ କଥାଟି କହୁଥିଲେ, ତାହା ହେଲା- ‘ମାନବ ସେବା ହେଉଛି ମାଧବ ସେବା’। ଗୋପବନ୍ଧୁଙ୍କ ଏହି କଥାପଦକ ମହାମନ୍ତ୍ର ପରି ଭଗବତୀଙ୍କ ଜୀବନରେ ଗଣ୍ଠି ହୋଇ ରହିଥିଲା। ୧୯୩୧ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ଦେଶର କ୍ରାନ୍ତିବୀର ଭଗତ୍‌ ସିଂ, ଶୁକଦେବ ଓ ରାଜଗୁରୁଙ୍କୁ ଲାହୋର ଷଡ଼ଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ କରି ଲାହୋର ଜେଲରେ ଫାଶୀ ଦିଆଗଲା। ସେମାନଙ୍କର ଶବକୁ ଖଣ୍ଡ ଖଣ୍ଡ କରି ଦାହ କରିବା ପରେ ଦେହାବଶେଷକୁ ଶତଲେଜ୍‌ ନଦୀରେ ଭସାଇ ଦିଆଗଲା। ତୁମୁଳ ଅସନ୍ତୋଷରେ ଦେଶ ଉଠିଲା ପଡ଼ିଲା। ସେହି ୨୩ ତାରିଖ ସନ୍ଧ୍ୟାରେ ପାଟନାରେ ଏହି ଶହୀଦ ତ୍ରୟୀଙ୍କ ପାଇଁ ଯେଉଁ ଶୋକସଭା ହେଲା, ସେଥିରେ ଭଗବତୀବାବୁ ଯୋଗଦେଇଥିଲେ। ସେଦିନ ସଭାରେ ଦିଆଯାଇଥିବା ବକ୍ତୃତାରୁ ସେ ବୁଝିଲେ ଯେ, ଯେଉଁ ତିନିଜଣଙ୍କୁ ଫାଶୀ ଦିଆଗଲା ସେମାନେ ଅରାଜକତାବାଦୀ ନୁହନ୍ତି, ସଚ୍ଚା ଦେଶଭକ୍ତ। ତା’ ପରଦିନ ସାରା ପାଟନା ସହରରେ ପ୍ରତିବାଦସୂଚକ ହରତାଳ ହେଲା। ଲୋକେ କଳାପତାକା ଓ ବ୍ୟାଜ୍‌ ପିନ୍ଧିବାର ଦେଖାଗଲା। ୨୪ ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଗବତୀ କିଛି ନ ଖାଇ ନ ପିଇ ରହିଲେ। ଭଗତ୍‌ ସିଂ ଓ ତାଙ୍କ ସାଥୀମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କଲେ। ଏ କେବଳ ଗୋଟିଏ ଘଟଣା ନୁହେଁ, ଅନେକ ଘଟଣା କ୍ରମେ ତାଙ୍କ ଜୀବନରେ ଘଟିଚାଲିଲା, ଯାହା ତାଙ୍କୁ ଅସ୍ଥିର କରି ପକାଇଲା। ସେ ପାଲଟିଗଲେ ରକ୍ତମାଂସ ଶରୀରଧାରୀ ଏକ ଦୀର୍ଘଶ୍ୱାସ। ଏ ଦୀର୍ଘଶ୍ୱାସ ଭାଙ୍ଗିବାର ନୁହେଁ, ଗଢ଼ିଦେବାର।
ଭଗବତୀବାବୁ ଯେଉଁ ପୃଷ୍ଠଭୂମିରେ ରାଜନୀତିକୁ ଆସିଲେ, ସେତେବେଳେ ଦୁଇଟି ଭାଗରେ ବିଭକ୍ତ ହୋଇଥାଏ ରାଜନୈତିକ ବିଚାରବୋଧ। ବାମପନ୍ଥୀ ଓ ଦକ୍ଷିଣପନ୍ଥୀ- ଏହି ଦୁଇଟି ପନ୍ଥା ଭିତରେ ଚାଲିଥାଏ ଛକାପଞ୍ଝା। ଜବାହରଲାଲ ନେହେରୁ ଓ ସୁଭାଷ ବୋଷଙ୍କ ବାମପନ୍ଥୀ ଚିନ୍ତାଧାରା ଭଗବତୀ ଓ ତାଙ୍କର ସତୀର୍ଥମାନଙ୍କୁ ପ୍ରଭାବିତ କରିଥିଲା। ଏହି ସମୟରେ ବାମମନା ଭାରତୀୟ ଚିନ୍ତାବିତ୍‌ଙ୍କର ହୃଦ୍‌ବୋଧ ହେଲା ଯେ କୃଷକ ଓ ମେହନତୀ ମଣିଷଙ୍କୁ ଜାତୀୟ ଆନ୍ଦୋଳନର ବଳୟ ମଧ୍ୟକୁ ସକ୍ରିୟ ଭାବେ ନ ଆଣିଲେ ଭାରତର ମୁକ୍ତି ସଂଗ୍ରାମକୁ ଶକ୍ତିଶାଳୀ କରିହେବ ନାହିଁ। ଏପରି ଚିନ୍ତାଧାରାର ପରିଣତିରେ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ଆନ୍ଦୋଳନ ଓ ପ୍ରଜା ଆନ୍ଦୋଳନ ଗୁରୁତ୍ୱଲାଭ କଲା ଓ କହିବା ବାହୁଲ୍ୟ ଯେ ଭଗବତୀ ଚରଣ ହୋଇଉଠିଲେ ଏହି ନିଃସ୍ବମାନବଙ୍କ ଅଗ୍ରସାରଥି। ୧୯୩୫-୩୬ରେ ଗଠିତ ହେଲା ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି, ନବଯୁଗ ସାହିତ୍ୟ ସଂସଦ ଓ ପ୍ରକାଶ ପାଇଲା ତା’ର ମୁଖପତ୍ର ‘ଆଧୁନିକ’- ଯାହାର କେନ୍ଦ୍ରରେ ରହିଲେ ଭଗବତୀ। ୧୯୩୫ ନଭେମ୍ବର ୨୯ରୁ ୬ ଦିନବ୍ୟାପୀ କଟକ ଶ୍ରୀରାମଚନ୍ଦ୍ର ଭବନରେ ଭଗବତୀଙ୍କ ନେତୃତ୍ୱରେ ନବଯୁଗ ସାହିତ୍ୟ ସଂସଦର ଯେଉଁ ଅଧିବେଶନ ଚାଲିଲା, ସେଥିରେ ସଭାପତିତ୍ୱ କରିଥିଲେ ଭଗବତୀଙ୍କ ମଝିଆ ଭାଇ କାଳିନ୍ଦୀଚରଣ ପାଣିଗ୍ରାହୀ। ସଭାର ଉଦ୍‌ଘାଟନୀ ସଙ୍ଗୀତ ଲେଖିଥିଲେ ଅନନ୍ତ ପଟ୍ଟନାୟକ ଓ ତାକୁ ଗାଇଥିଲେ ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ୍‌ ଜୋଆର୍‌ଦାର। ତା’ର କେଇଧାଡ଼ି ଥିଲା ଏହିପରି- ”ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା/ ବକ୍ଷ ଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା।“ ଏହି ଗୀତର ଆବେଦନ ଏତେ ସଂକ୍ରାମକ ଥିଲା ଯେ, ଏହା ଅଧିବେଶନରେ ଯୋଗଦେଇଥିବା ଶ୍ରୋତୃମଣ୍ଡଳୀର ପରିସର ଡେଇଁ ସାରା ଓଡ଼ିଶାବାସୀଙ୍କୁ ନବ ଚେତନାରେ ଉଦ୍‌ବୁଦ୍ଧ କରି ତୋଳିଥିଲା। ଲେନିନ୍‌ କହିଥିଲେ- “No Literature can enlighten the proletariat, if it is not enlightened by its own struggle, against the sinister forces of capitalism.” ଭଗବତୀ ଏହି ଚେତନାର ସାହିତ୍ୟ ସ୍ରଷ୍ଟା ଥିଲେ। ନିଜ ମାଟି ଓ ନିଜ ମଣିଷଙ୍କ କକର୍ଥନାକୁ ନିଜ ରଚନାରେ ଫୁଟାଇ ଅଳ୍ପସଞ୍ଜର ବିପୁଳ ପ୍ରଦୀପରେ ନିଜକୁ ପରିଣତ କରିପାରିଥିଲେ।
୧୯୩୫ରେ ‘ଅର୍ଥ ଓ ପରମାର୍ଥ’ ଭଳି ପ୍ରବନ୍ଧ ଲେଖିଥିଲେ ଭଗବତୀ, ଯେତେବେଳେ ତାଙ୍କର ବୟସ ମାତ୍ର ୨୭ ବର୍ଷ। ଭଗବତୀ ଏଥିରେ ସାହସ ଜୁଟାଇ ପ୍ରଥମ ଥର ପାଇଁ କହିଥିଲେ- ”ଈଶ୍ୱର ଭାବଟି ଜାତିର ଅବସ୍ଥାକୁ ଅଧିକ ମନ୍ଦ କରିଦିଏ। ଠାକୁର ଘର ଓ ପୁଣ୍ୟ ପର୍ବରେ ଖର୍ଚ୍ଚ କରି ଏ ଲୋକେ ଊର୍ଦ୍ଧ୍ୱଶ୍ୱାସ ହୋଇପଡ଼ନ୍ତି।“ ତା’ପରେ କ’ଣ ଲେଖିଲେ ପଢ଼ନ୍ତୁ! ଲେଖିଲେ- ”ତେଣୁ ଦୀନହୀନ ହୁଅ, ତୁମର ଅଭାବ ପାଇଁ, ଦୈନ୍ୟ ପାଇଁ ଭଗବାନଙ୍କର ଆସନ ଟଳିବ। ଧନୀ ଲୋକଙ୍କର ସୁଖସ୍ବାଚ୍ଛନ୍ଦ୍ୟ କଥା କହୁଚ? ଧନୀ ଲୋକ ଚିରକାଳ ଅଭିଶପ୍ତ। ତାଙ୍କୁ ଈର୍ଷା କରନାହିଁ। ସ୍ବର୍ଗର ହାତ ତୁମ ପାଇଁ ଖୋଲା।“ – କି’ ତୀବ୍ର ବ୍ୟଙ୍ଗ, ଅପବୋଧନ ପ୍ରତି କି ଉପ୍ରୋଧହୀନ କଟାକ୍ଷ! କେବଳ ଓଡ଼ିଆ ଭାଷା ନୁହେଁ, ଭାରତର ଅନ୍ୟ କୌଣସି ପ୍ରାନ୍ତୀୟ ଭାଷାରେ, ଏହି ସମୟକୁ, ଏପରି ପରିଚ୍ଛନ୍ନ ଦୃଷ୍ଟିଭଙ୍ଗୀକୁ ପ୍ରତ୍ୟକ୍ଷ କରିବା କ୍ୱଚିତ୍‌ ସମ୍ଭବ।
ଭଗବତୀବାବୁ ଚୌକି-ସଉକୀ ରାଜନେତା ନ ଥିଲେ। ତୃଣମୂଳସ୍ତରର ସ୍ଥିତି ଓ ସବା ତଳସ୍ତରର ମଣିଷଙ୍କ ନାଡ଼ି କଷି ଦେଶ ହିତ ପାଇଁ ଯାହା ପ୍ରଯୁଜ୍ୟ- ସେହି ସିଦ୍ଧାନ୍ତ ନିଜ ବିବେକକୁ ପଚାରି ନେଉଥିଲେ। ମାଓ-ସେ-ତୁଙ୍ଗଙ୍କ ଭଳି ସେ ବି ଏହି ପ୍ରତ୍ୟୟରେ ପ୍ରତ୍ୟୟୀ ଥିଲେ- “Learn from the masses, Masses are your teachers.” (ଗଣଙ୍କଠାରୁ ଶିଖ, ଗଣ ହିଁ ତୁମ ଗୁରୁ)। ଜଣେ କୋଟିପତି, ଆଉ ଜଣେ ଖଟିଖିଆ- ସମାଜରେ ଏ ଅସମତା କାହିଁକି- ଏହି ଚିନ୍ତା ଗୋପବନ୍ଧୁଙ୍କୁ ଯେପରି ବ୍ୟଥିତ କରିଥିଲା, ଭଗବତୀଙ୍କୁ ବି ସେପରି। କିନ୍ତୁ ମହାତ୍ମା ଗାନ୍ଧୀ ପୁଞ୍ଜିପତିମାନଙ୍କୁ ସାମାଜିକ ସମ୍ପଦର ‘ଟ୍ରଷ୍ଟି’ ବୋଲି ଯାହା କହିଥିଲେ, ଏହି ମାରଫତଦାର ତତ୍ତ୍ୱକୁ ଅସ୍ବୀକାର କରିଥିଲେ ସେ। ଭଗବତୀଙ୍କ ଜୀବନଦୀପ ଦେଶ ଓ ଦେଶୀଙ୍କ ହିତ ଭାବନାରେ ହୁତୁହୁତୁ ଜଳୁଜଳୁ ହଠାତ୍‌ ଲିଭି ଯାଇଥିଲା ସତ, କିନ୍ତୁ ସେହି ଅଳ୍ପକାଳର କରଣି ଭିତରେ ଅସରନ୍ତି ଥିଲା ତାଙ୍କ କୀର୍ତ୍ତି ଓ କୃତି। ତାଙ୍କରି ପବିତ୍ର ପୁଣ୍ୟତିଥିରେ ତାଙ୍କ ଅମର ସ୍ମୃତି ପ୍ରତି ‘ଧରିତ୍ରୀ’ ଓ ସମଗ୍ର ଓଡ଼ିଆ ଜାତିର ମଥାନତ ପ୍ରଣତି।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri