ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ ଅନ୍ୟ ଜିଲାର କୌଣସି ଠିକାଦାର ଯେଭଳି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଠିକା କାମ କରିବେ ନାହିଁ ସେନେଇ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ କୁହାଯାଇଛି, ଅନ୍ୟ ଜିଲାର ଠିକାଦାରମାନେ ବଲାଙ୍ଗୀର ଜିଲା ଅନ୍ତର୍ଗତ କୌଣସି ବି ବିଭାଗର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବେ ନାହିଁ । କେବଳ ବଲାଙ୍ଗୀର ଜିଲାର ଠିକା କାମରେ ଏହି ଜିଲାର ଠିକାଦାର ଭାଗ ନେଇପାରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି l ବଲାଙ୍ଗୀର ଜିଲାରେ ବାହାରୁଥିବା ସମସ୍ତ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ସରକାରୀ ନିର୍ଦ୍ଧାରିତ (ସିଡ୍ୟୁଲ୍ଡ ରେଟର ଟେଣ୍ଡର) ଦଖଲ କରିବେ । ଜିଲାରେ ଠିକା କାମ କମ୍ ବାହାରୁଛି କିନ୍ତୁ ଠିକାଦାର ସଂଖ୍ୟା ଅଧିକ ଥିବାରୁ ଠିକାଦାର ସଂଘ ପକ୍ଷରୁ ଏଭଳି ନିଷ୍ପଭି ନିଆଯାଇଥିବା କୁହାଯାଇଛି। ଏଭଳି ନିଷ୍ପତ୍ତି ଦ୍ବାରା ବଲାଙ୍ଗୀର ଜିଲାର ଠିକାଦାରମାନେ କାମ ପାଇବେ ଏବଂ ସେହି କାମରେ ଜିଲାର ଶ୍ରମିକମାନେ ନିୟୋଜିତ ହୋଇପାରିବେ। ବାହାର ଜିଲାର ଠିକାଦାର ବଲାଙ୍ଗୀର ଜିଲାରେ ଯେଭଳି ଠିକା କାମ ହାତେଇବେ ନାହିଁ । ସେନେଇ ନିଷ୍ପତ୍ତି ନେଇଥିବାରୁ ସଂଘ ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଖବରଦାତା ସମ୍ମିଳନୀରେ ଠିକାଦାର ସଂଘର ଅକ୍ଷୟ କୁମାର ତ୍ରିପାଠୀ, ପ୍ରତାପ ନନ୍ଦ, ଗୋପାଳ ଦାନୀ, ପ୍ରଫୁଲ୍ଲ ମିଶ୍ର, ଅରୁଣ ବେହେରା, ଦେବାଶିଷ ପୁରୋହିତ, ପ୍ରଭାତ ମାହାନା, ବିଶ୍ବନାଥ ନାୟକ, ଅଭିଷେକ ପାଣିଗ୍ରାହୀ, ଅପ୍ରମିତ ପରିଚ୍ଛା, ପ୍ରଦୀପ ଦାଶ, ରାଧାରମଣ ବଗର୍ତ୍ତି, ଭବାନୀ ଶଙ୍କର ଦୀପ, ଗୋପାଳ ମିଶ୍ର, ଦିଲୀପ ମେହେର, ରାଜ ପାଢୀ, ଟୁଲୁ ପଟ୍ଟନାୟକ, ଅରୁଣ ନାଥ, ସାଗର ସଙ୍ଗମ ଶତପଥୀ, ଗୁଞ୍ଜ ଖାନ, ପ୍ରଦୀପ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲା ଠିକାଦାର ସଂଘର ଏଭଳି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି l

