କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖ ଦିନ ନେଉଳ ପ୍ରବେଶ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪ ତାରିଖ ମକରସଂକ୍ରାନ୍ତି ଦିନ ହରଗୌରୀ ରଥ ପରିକ୍ରମା କରିଥିଲା । ରବିବାର ଶେଷ ଦିବସରରେ ମାଁ ଚଣ୍ଡିଙ୍କ ଠାରେ ପାଟବୁକା ବଳି ଦିଆଯାଇଥିଲା । ତାପରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତମାନେ ଆଣିଥିବା ବୁକା, ଗରରା, କୁକୁଡା ଆଦି ବଳି ଦିଆଯାଇଥିଲା ।
ଏଥର ମୀନାବଜାର କଂସ ଦରବାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଥିଲା । ଆଖପାଖ ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ମକର ମେଳା କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ, ଉପସଭାପତି ହିରାମଣି ସାହୁ, ଯୁଗ୍ମସଂପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲକ୍ଷ୍ମୀପ୍ରସାଦ ସାହୁଙ୍କ ସମେତ କମିଟି ସଦସ୍ୟ ମାନେ ପ୍ରତ୍ୟେକ୍ଷ ସହଯୋଗ କରିଥିଲେ । ମୁଖ୍ୟପୂଜକ ନେତ୍ରାନନ୍ଦ ବଡମାଳି ଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା ।
ବିଶେଷକରି ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହେଉଥିବାରୁ ବିଭିନ୍ନ ଆସବା ପତ୍ର, ବାସନ କୁସନ, ଫେନ୍ସି ସାମଗ୍ରୀ କିଣିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ଆସି କ୍ରୟ, ବିକ୍ରୟ କରୁଥିବା ଦେଖାଯାଇଥିଲା । ତେବେ ଚଳିତ ବର୍ଷର ଏହି ମକର ମେଳାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରି ଜଣେ ବ୍ୟବସାୟୀ ସୂଚନା ଦେଇଛନ୍ତି ।

