ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର ଏମ୍ଏଲ୍ଏଙ୍କ ହାତକୁ ସ୍କୁଲ ଶିକ୍ଷକଙ୍କ ବଦଳି ଅଧିକାର ଦେଇ ସିଭିଲ ସର୍ଭିସକୁ ପଲିଟିକାଲ୍ ସର୍ଭିସ୍ କରୁଥିବାର ଉଦ୍ୟମକୁ ଓଡ଼ିଶା ହାଇକୋର୍ଟ ଅସାମ୍ବିଧାନିକ କହିବାର ନଜିର ଆସିଛି। କି ବିଡ଼ମ୍ବନା! ଦରିଦ୍ରତର ପରିସ୍ଥିତିରୁ ଉଠି ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚତ୍ବାର ସୁଯୋଗ ଯେଉଁ ସମ୍ବିଧାନ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି ସେହି ସମ୍ବିଧାନର ପୁସ୍ତକକୁ ହାତରେ ଧରି ଲୋକ ସଭାରେ ଓ ବାହାରେ ବିରୋଧୀଦଳ ନେତା କହୁଛନ୍ତି ଯେ ଭୋଟ ଚୋରି ଭଳି ଅସାମ୍ବିଧାନିକ କାମ ଶାସକଦଳ କରୁଛି। ଜିତି ନ ପାରିଲେ ନିର୍ବାଚନ ପ୍ରକ୍ରିୟାର ଦୋଷ – ଏ କଥା ପ୍ରତ୍ୟେକ ଦଳ କହୁଛି, ଅଥଚ ସବୁ ଦଳର ପ୍ରତିନିଧି ଯେଉଁ ଆଚରଣବିଧି କରିଛନ୍ତି ତହିଁରେ ‘ଆମଦାନୀ ଆଠଣିକୁ ଖର୍ଚ୍ଚା ରୂପୟା’ ନୀତିକୁ ପ୍ରଶ୍ରୟ ଦିଆଯାଇଛି, ଯାହା ସବୁ ଦୁର୍ନୀତିର ମୂଳ। ନିଜେ ସରକାର ଚଳାଉଥିଲେ ସମ୍ବିଧାନ ଅନୁଯାୟୀ କାମକରୁଛୁ, ଆଉ କିଏ ସରକାର କଲେ ସିଏ ସମ୍ବିଧାନର ଖିଲାପ କରୁଛି – ଏଭଳି କହିବା ଭାରତୀୟ ରାଜନୀତିର ଅଙ୍ଗ ହୋଇଗଲାଣି।
ସମ୍ବିଧାନକୁ କିପରି ଭାବେ ରାଜନୈତିକ ଦଳଗୁଡ଼ିକ ସଂଶୋଧନ କରିଆସୁଛନ୍ତି ତାହା ଆମେ ଜାଣୁ; ପ୍ରଧାନମନ୍ତ୍ରୀଙ୍କ ଆସନ ବଜାୟ ରଖିବା ଲାଗି ଜରୁରୀ ପରିସ୍ଥିତି ଜାରି ହୋଇଛି, ଦଳଗୁଡ଼ିକୁ ଚାନ୍ଦା ଦେବାର ଆଇନ କରାଯାଇଛି, ନିର୍ବାଚନ-ରଣରେ ଜିତିବା ଲାଗି ଦଳର ଖର୍ଚ୍ଚ ଉପରେ ଲଗାମ ନାହିଁ, ନିର୍ବାଚନରେ ଜିତିବା ପରେ ଶପଥନେଲା କ୍ଷଣି ଦଳର ଅଧସ୍ତନ କର୍ମଚାରୀ ଭଳି ନିଲମ୍ବନ/ବହିଷ୍କାର ଭଳି ଦଣ୍ଡର ଶିକାର ହେବାକୁ ପଡୁଛି। ସରକାରୀ ଅଧିକାରୀ ଆଉ ବିଚାରପତିମାନେ (ଏକ୍ଜିକ୍ୟୁଟିଭ୍ ଓ ଜୁଡିସିଆରି ଶାଖାର ବ୍ୟକ୍ତିମାନେ) ଇସ୍ତଫା ଦେଲା କ୍ଷଣି ଈପ୍ସିତ ଦଳ (ସମ୍ଭାବ୍ୟ ଲେଜିସ୍ଲେଚର ଶାଖା)କୁ ଯାଇପାରୁଛନ୍ତି (କୁଲିଂ ଅଫ୍ ପିରିଅଡ୍ ଦରକାର ନାହିଁ): ତେଣୁ ଚାକିରିଥିଲା ବେଳେ ଅଧିକାରୀମାନଙ୍କଠାରୁ ଦଳୀୟ ଆଚରଣ ଆଶାକରାଯାଉଛି କାରଣ ଦଳର ମୁଖ୍ୟ ସନ୍ତୁଷ୍ଟ ହୋଇପାରିଲେ ମୃତ୍ୟୁ ନ ହେଲା ଯାଏ କୌଣସି ନା କୌଣସି ପଦରେ, ଏପରି କି ନାମମାତ୍ର ପରାମର୍ଶଦାତା ବା ମାନ୍ୟଗଣ୍ୟ ରାଜ୍ୟପାଳ ପଦବୀରେ ରହିପାରିବ। ଜନସାଧାରଣରେ ଦଳ ପ୍ରତି ଆଞ୍ଚ ଆଣୁଥିବା ବ୍ୟକ୍ତିକୁ ଆର୍ଥିକ ବା ଅଣଆର୍ଥିକ ଅପରାଧରେ ଲିପ୍ତ କରି ପୋଲିସ ବା ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କ ଦ୍ୱାରା ନିର୍ଯାତିତ କରିହେବ। ଭାରତୀୟ ସମ୍ବିଧାନର ମୂଳ ହେଉଛି ସଂସଦୀୟ ଢାଞ୍ଚା, ସଂସଦର ସଂଖ୍ୟାଗରିଷ୍ଠ ଦଳ ହିଁ ଶାସନମୁଖ୍ୟ ପ୍ରଧାନମନ୍ତ୍ରୀ (ଏକଜିକ୍ୟୁଟିଭ୍ ବା କାର୍ଯ୍ୟପାଳିକା ହେଡ୍) ବାଛିବ, ସେ ହିଁ ପରବର୍ତ୍ତୀ ନିର୍ବାଚନ ଫଳ ଯାଏ ସରକାର (ମନ୍ତ୍ରିପରିଷଦ) ଗଢ଼ିବେ, ସେ ହିଁ ଲେଜିସ୍ଲେଚର୍ର କାର୍ଯ୍ୟସୂଚୀ (ଏଜେଣ୍ଡା), କାରବାର (ବିଜନେସ୍) ଓ ଆଇନ-ପ୍ରଣୟନ (ଏନାକ୍ଟମେଣ୍ଟ) ସୂଚୀ ତିଆରି କରିବେ, ଜୁଡିସିଆରିର ମୁଖ୍ୟଙ୍କୁ ନିଯୁକ୍ତି ଦେବେ, ସେମାନଙ୍କ ବହିଷ୍କାରର ମହାଭିଯୋଗ ଅଣାଇବେ। କାର୍ଯ୍ୟପାଳିକାର ଇଙ୍ଗିତରେ ହିଁ ବିଧାୟିକା କାମକରେ। ବିଧାୟିକା କେତେଦିନ ବସିବ, କି କି କାମ କରିବ, ତାହା କାର୍ଯ୍ୟପାଳିକା କହେ। ଲୋକପ୍ରତିନିଧିମାନେ ହଁ କି ନା ସୂଚାଇ ହାତ ଟେକିବାର ଗୋଟିଏ ଗୋଟିଏ ମୂର୍ତ୍ତି। ଶାସକ ଦଳର ଜଣେ ଅନୁଗତ ସଦସ୍ୟ ରାଜ୍ୟରେ ରାଜ୍ୟପାଳ (କେନ୍ଦ୍ରରେ ପ୍ରେସିଡେଣ୍ଟ) ହୋଇଥିବାରୁ ପାରିତ ହୋଇଥିବା ବିଲ୍ଟିକୁ ସମ୍ମତି ଦିଅନ୍ତି; ତାହା ଆଇନ ହୋଇଯାଏ। ତେଣୁ ଦଳ ହିଁ ସବୁ ଏବଂ ଦଳର ହାଇକମାଣ୍ଡ ବା ସୁପ୍ରିମୋ ହିଁ ସର୍ବମୟ କର୍ତ୍ତା। ଏହି କାରଣରୁ ଆମ ଦେଶରେ ସିଭିଲ୍ ସର୍ଭିସ୍କୁ ପଲିଟିକାଲ୍ ସର୍ଭିସ୍ କରିବାର ପ୍ରଚେଷ୍ଟା ଅହରହ ଚାଲିଛି। ନିର୍ବାଚନରେ ନୂଆ ଦଳ ଗାଦିକୁ ଆସିଲେ ସେ ଦଳର ଆଗ କାମ ଦଳର ପସନ୍ଦ ଅନୁଯାୟୀ ଅଫିସର୍ମାନଙ୍କୁ ବଦଳି କରିବା। ବିବିଧ ବେଆଇନ ବା ବିଶୃଙ୍ଖଳ ଅପରାଧରେ ଧରା ହୋଇଥିବା ନେତା ଗାଦିକୁ ଆସିଗଲେ ଆଇନ-ଲାଗୁ କରିଥିବା ଅଫିସରଙ୍କ ଅବସ୍ଥା କ’ଣ ହୁଏ ପାଠକମାନେ ଅନୁମାନ କରିପାରୁଥିବେ।
ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାରର ତିନୋଟି ଅଙ୍ଗ -ଲେଜିସ୍ଲେଚର, ଏକ୍ଜିକ୍ୟୁଟିଭ୍ ଓ ଜୁଡିସିଆରି- ଭିତରେ ସମ୍ପୂର୍ଣ୍ଣ ଛକାଛକି ବ୍ୟବସ୍ଥାକୁ ମାନୁନାହାନ୍ତି। ଭାରତର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଭୂଷଣ ରାମକୃଷ୍ଣ ଗବାଇ କହିଛନ୍ତି – ଆମ ଦେଶର ସମ୍ବିଧାନ ଏକ ସଂଘୀୟ ଗଣତନ୍ତ୍ର ଗଢିଛି, ଯାହା ପୂରା ସ୍ବଦେଶୀ – ବିଲାତି ନୁହେଁ କି ମାର୍କିନ୍ ନୁହେଁ। ବିଲାତରେ ବିବିଧତା ନାହିଁ, ସଂଘୀୟ ବ୍ୟବସ୍ଥା ନାହିଁ। ଯେଉଁମାନେ କହନ୍ତି ଆମେରିକା ସମ୍ବିଧାନରୁ ଆମେ ସଂଘୀୟ ଢାଞ୍ଚା ଆଣିଛୁ ସେମାନେ ଆମେରିକା କେନ୍ଦ୍ର ସରକାରର ଢାଞ୍ଚାରେ ପରିବର୍ତ୍ତନକୁ ଭୁଲିଯାଆନ୍ତି। ୧୯ଶ ଶତାବ୍ଦୀର ଶେଷ ଯାଏ ‘ଯିଏ ଜିତେ ସିଏ ସିକନ୍ଦର’ ନ୍ୟାୟରେ ରାଷ୍ଟ୍ରପତି ନିଜର ଲୋକଙ୍କୁ ସରକାରୀ କର୍ମଚାରୀ ଭାବେ ନିଯୁକ୍ତ କରୁଥିଲେ। ଏହି ରୀତିକୁ ସ୍ପଏଲ୍ସ ସିଷ୍ଟମ କୁହାଯାଏ। ୧୮୮୩ରେ ପେଣ୍ଡଲଟନ୍ ସିଭିଲ ସର୍ଭିସ୍ ରିଫର୍ମ ଆକ୍ଟ ପାରିତ ହୋଇ କର୍ମକୁଶଳତା ବା ଯୋଗ୍ୟତାଭିତ୍ତିରେ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ହେଲା, ରାଜନୈତିକ କାରଣରୁ ଚାକିରିରୁ ବହିଷ୍କାର କରାଯିବା ବନ୍ଦ ହେଲା। ୧୯୭୮ରେ ସିଭିଲ ସର୍ଭିସ୍ ରିଫର୍ମ ଆକ୍ଟ ଖୋଲିକରି କହିଛି ଯେ ରାଜନୈତିକ ଅନୁରକ୍ତି କାରଣରୁ ବାଛବିଚାର କରାଯାଇପାରିବ ନାହିଁ। ତଥାପି ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ସମ୍ବିଧାନର ଆର୍ଟିକ୍ଲ ୨ ତାଙ୍କୁ ଫେଡେରାଲ କର୍ମଚାରୀଙ୍କ ଉପରେ ଅଖଣ୍ଡ ପ୍ରଭୁତ୍ୱ ଦେଇଛି ବୋଲି କହି ସେମାନଙ୍କ ଭିତରୁ କେତେକଙ୍କୁ ବିନାକାରଣରେ ବରଖାସ୍ତ କରିଛନ୍ତି। ତାଙ୍କର ଏପରି ଅର୍ଡରକୁ ୟୁଏସ୍ଏର ଫେଡେରାଲ କୋର୍ଟ ନାକଚ କରିଥିଲେ ବି ସେ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଦରଖାସ୍ତ କରୁଛନ୍ତି। ତାଙ୍କର ବିରୋଧୀ ବୋଲି ମନେକରୁଥିବା ଲୋକର ଜ୍ଞାତି କୁଟୁମ୍ବଙ୍କୁ ଦଣ୍ଡିତ କରିବାକୁ ଜଷ୍ଟିସ୍ ବିଭାଗକୁ ଲଗାଇଛନ୍ତି। ଜେଫ୍ରେୀ ଏପଷ୍ଟିନ୍ଙ୍କ ଯୌନକାରବାରରେ ଟ୍ରମ୍ପ କିପରି ଲିପ୍ତ ଥିଲେ ତାହାର ଅନୁସନ୍ଧାନ କରିଥିବା ଆଟର୍ନି ମିସ୍ କମୀଙ୍କୁ ବିନାକାରଣରେ କରିଥିବା ବରଖାସ୍ତ ବେଆଇନ ବୋଲି ଫେଡେରାଲ କୋର୍ଟ ରାୟ ଦେଇ ନ୍ୟୁୟର୍କର ନୂଆ ଆଟର୍ନି ଜେନେରାଲ ନିଯୁକ୍ତିକୁ ଅବୈଧ ଘୋଷଣା କରିଛନ୍ତି। ବିରୋଧୀମାନଙ୍କ ବିରୋଧରେ ଜଷ୍ଟିସ୍ ଡିପାର୍ଟମେଣ୍ଟକୁ ଲଗାଇ ଫୌଜଦାରି ମାମଲା ଆଣିବାରେ ବିଫଳତା ଟ୍ରମ୍ପଙ୍କୁ ଗୋଟିଏ ବଡ଼ ଧକ୍କା। ସିଭିଲ ସର୍ଭିସ୍କୁ ପଲିଟିକାଲ୍ ସର୍ଭିସ୍ କରିବାରେ ବିଫଳତା ଟ୍ରମ୍ପଙ୍କ ପଲିଟିକ୍ସ ଉପରେ ଏକ କୁଠାରାଘାତ ହେଲେ ବି ସେ ବିରୋଧୀଙ୍କ ଉପରେ ପ୍ରତିହିଂସାପରାୟଣତା ଦେଖାଉଛନ୍ତି। ଆମ ଦେଶର ସମ୍ବିଧାନ ବ୍ୟବସ୍ଥା ଭଳି ଆମେରିକାର ସମ୍ବିଧାନ ପ୍ରେସିଡେଣ୍ଟଙ୍କୁ ରାଜନୈତିକ ନିଯୁକ୍ତିଗୁଡିକୁ (ପଲିଟିକାଲ୍ ଆପଏଣ୍ଟମେଣ୍ଟ) ବାତିଲ କରିବାର କ୍ଷମତା ଦେଇଛି- ଯଥା ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ଅନ୍ୟ ଉଚ୍ଚ ପଦାଧିକାରୀ। କିନ୍ତୁ ଲାଇନ୍ ପ୍ରସିକ୍ୟୁଟର ଭଳି ଫେଡେରାଲ କର୍ମଚାରୀମାନଙ୍କ ଚାକିରି ସିଭିଲି ସର୍ଭିସ୍ ନିୟମ ଦ୍ୱାରା ସୁରକ୍ଷିତ ରହିଛି।
ସିଭିଲ ସର୍ଭିସ୍ ଆଇନ ସୂଚାଏ ଯେ ନିର୍ବାଚନ ଭଉଁରି ସତ୍ତ୍ୱେ ପ୍ରଶାସନକୁ ସ୍ଥିର ରଖିବ ସିଭିଲ ସର୍ଭିସ୍, ଗୋଟିଏ ନିର୍ବାଚିତ ଦଳର ସରକାର ବଦଳି ଆଉ ଗୋଟିଏ ନିର୍ବାଚିତ ଦଳର ସରକାର ଆସିଲେ ବି ସରକାର ବା ପ୍ରଶାସନ ମଧ୍ୟବର୍ତ୍ତୀ କାଳ ପାଇଁ ଭାଙ୍ଗିଯିବ ନାହିଁ, ଚାଲୁ ରହିଥିବ, ଏହା ନିଶ୍ଚିତ କରେ ରାଜନୀତି-ନିରପେକ୍ଷ ସିଭିଲ ସର୍ଭିସ୍। ‘ସିଭିଲ ସର୍ଭିସ୍ ଲ’ ନ ମାନି ଶାସନ ଚାଲିଲେ ଦଳର ଖୋସାମତିଆମାନେ ଶାସନ-ଭାର ବହିବାକୁ ଆସିଯିବେ – ଦଳର କର୍ମୀମାନେ ଶାସନ ଚଳାଇବେ ତ ଫାସିବାଦ ବା ଦଳତନ୍ତ୍ର ଚାଲିବ, ଲୋକତନ୍ତ୍ର ନୁହେଁ। ଦିନ ଆସିବ ଯେତେବେଳେ ବିଧାୟକମାନେ କହିବେ ଆମେ ଆଇନ ତିଆରି କରି ଲାଭ କ’ଣ ଯଦି ସରକାର (ଏକ୍ଜିକ୍ୟୁଟିଭ୍) ତାକୁ ମାନିବ ନାହିଁ? ପାର୍ଲାମେଣ୍ଟ ରହି ଲାଭ କ’ଣ ଯଦି ନିର୍ବାଚନରେ ଜିତିଥିବା ଦଳର ନେତା ତ ସବୁକିଛି? ରୁଡୱାର୍ଡ କିପ୍ଲିଙ୍ଗଙ୍କ ଭାଷାରେ ଯେଉଁ ଜଙ୍ଗଲତନ୍ତ୍ର ଚାଲିବ ତାହାର ଆଲ୍ଫା ମେଲ୍ ବା ଫିମେଲ୍ ହେବେ ରାଜନୈତିକ ଦଳର ନେତା ବା ନେତ୍ରୀ। ବାଂଲାଦେଶ ସୃଷ୍ଟି ପରେ ଇନ୍ଦିରା ଗାନ୍ଧୀ ସେଠାକାର ପ୍ରଧାନମନ୍ତ୍ରୀ ସେଖ୍ ମୁଜିବୁର ରହମନ୍ଙ୍କୁ ପରାମର୍ଶ ଦେଇଥିଲେ ପ୍ରତି ଜିଲାରେ ତାଙ୍କ ‘ଆୱାମୀ ଲିଗ୍’ ଦଳର ଜଣେ ଜଣେ ମୁଖ୍ୟ ସଦସ୍ୟଙ୍କୁ ଡିଷ୍ଟ୍ରିକ୍ଟ କମିସନର୍ କରନ୍ତୁ ଯିଏ ବ୍ୟୁରୋକ୍ରାଟ୍ଙ୍କୁ କଣ୍ଟ୍ରୋଲ କରିବେ। ଆମ ଦେଶରେ ବି ପ୍ରଚାର ହୋଇଗଲା ଯେ ପ୍ରତି ଜିଲାପାଳଙ୍କ ଅଫିସ୍ରେ ସମାନ ଆସନର ଅଧିକାରୀ ହୋଇ ସ୍ଥାନୀୟ ଏମ୍ପି ବସିବେ ଏବଂ ଜିଲାପାଳ ତାଙ୍କର ପରାମର୍ଶ ନେବେ। ଆଶ୍ୱସ୍ତିର କଥା ଯେ ସେ ପ୍ରସ୍ତାବ ଆପେ ଆପେ ଲୁଚିଗଲା। ଇତିହାସ ଏ ଯାଏ ଦେଖାଇଛି ଆମ ସମ୍ବିଧାନ ସମ୍ପୂର୍ଣ୍ଣ ସ୍ବଦେଶୀ; ମଝିରେ ମଝିରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇଥିବା ଦଳ ହିଁ ତା’ ଭିତରେ ଫାସିବାଦୀ ଖିଲ ଠୁଙ୍କେଇଛନ୍ତି ଯାହା ପରେ ଉଖାଡିଦିଆ ହୋଇଛି।
ସହଦେବ ସାହୁ
sahadevas@yahoo.com

