ଏଯାବତ୍ ଉଦ୍ଭାବିତ ଏବଂ ଅନୁସୃତ ଶାସନ ପଦ୍ଧତିମାନଙ୍କ ମଧ୍ୟରେ ଗଣତନ୍ତ୍ର ଯଥାର୍ଥରେ ଶ୍ରେଷ୍ଠ ବୋଲି ପରିଗଣିତ। କାରଣ ଏହି ପଥରେ ଶାସକ ଏବଂ ଶାସିତ ସୁଦୃଢ଼ ଓ ସୁସଞ୍ଚ ରୂପେ ସମ୍ପର୍କିତ ହୋଇ ଶାସନର ମର୍ଯ୍ୟାଦା ରକ୍ଷାକରନ୍ତି, ଯାହା ଅନ୍ୟ ଅନେକ ଧରଣର ଶାସନରେ ପରିଲକ୍ଷିତ ହୋଇନାହିଁ। ଗଣତନ୍ତ୍ରରେ ‘ତନ୍ତ୍ର’ ଥାଏ ସତ କିନ୍ତୁ ‘ଗଣ’ମାନେ ପ୍ରାଧାନ୍ୟ ଲାଭ କରିଥାଆନ୍ତି। ଏହା ଫଳରେ ପ୍ରଥମ ସଜୀବ ସତ୍ତା ଦ୍ୱିତୀୟ ନିର୍ଜୀବ ଧାରଣାଠାରୁ ଶ୍ରେଷ୍ଠତର ବୋଲି ଗୃହୀତ ହୁଏ। ଅର୍ଥାତ୍ ଶାସିତ ଶାସନଠାରୁ ବହୁ ଉଚ୍ଚତର, କାରଣ ସେ ‘ଶାସନ’ର ସ୍ରଷ୍ଟା। ଗଣତନ୍ତ୍ରର ଏହି ଉଦାର ଦୃଷ୍ଟି ଓ ଦର୍ଶନ କିନ୍ତୁ ସଭ୍ୟତାର ଅବଲୀଳାକ୍ରମ ବିବର୍ତ୍ତିତ ମଣିଷର ଖୁବ୍ ପ୍ରୟୋଜନୀୟ ହୋଇଥିଲେ ହେଁ ମୂଳତଃ ସ୍ବକୈନ୍ଦ୍ରିକ। ତେଣୁ ସ୍ବାର୍ଥପର ହୋଇଥିବା ଯୋଗୁ ସଭ୍ୟ ବୋଲି କୁହାଯାଉଥିବା ମଣିଷ ଏହି ଅପରିହାର୍ଯ୍ୟ ଶାସନ ପଦ୍ଧତିକୁ ସେପରି ବୁଝି ଆମତ୍ସ୍ଥ କରିପାରିନାହିଁ। ତେଣୁ ତା’ର ଯଥାର୍ଥ ପ୍ରୟୋଗ କରିବାରେ ସେ ଶୋଚନୀୟ ବିଫଳ ହୋଇଛି। ଫଳରେ ଯେଉଁ ଗଣତାନ୍ତ୍ରିକ ଶାସନ ପଦ୍ଧତି ‘ଅଭିଜାତମାନଙ୍କ ଶାସନ’ ହେବା କଥା ତାହା ବହୁମାତ୍ରାରେ ହୋଇଯାଇଛି ‘ଅଜ୍ଞ, ଅପୋଗଣ୍ଡ ଓ ଅଖାଡ଼ୁଆ, ଅକର୍ମଶୀଳା’ଙ୍କ ଦୁଃଶାସନ। ସେକ୍ସପିୟରଙ୍କ ବିୟୋଗାନ୍ତକ ନାଟକରେ ଉଚ୍ଚ ସ୍ଥାନରେ ସ୍ଥାନିତ ନାୟକର ଅଧୋଗତି, ଅବକ୍ଷୟ ଏବଂ ପରିଶେଷରେ ନିଃଶେଷ ହେବାପରି, ‘ମହାନତା’ ସମୃଦ୍ଧ ତଥା ସର୍ବୋଦୟନିଷ୍ଠ ଗଣତନ୍ତ୍ରର ଖୁବ୍ ଅଧୋଗତି ହୋଇଛି ଅବା ଏହାର ଅପବ୍ୟବହାର କରି ଏପରି ଏକ ‘ସଂସ୍କୃତ’ ବିଚାରଧାରାକୁ ‘ଦୁଷ୍କୃତି’ର ମହାରୌରବ ମଧ୍ୟକୁ ଠେଲି ଦିଆଯାଇଛି, ଯାହାକୁ ଲକ୍ଷ୍ୟକରି ସେ ଦିନ ହୁଏତ ପ୍ରସିଦ୍ଧ ନାଟ୍ୟକାର ବର୍ଣ୍ଣାଡସ ଆଧୁନିକ ଗଣତନ୍ତ୍ରରେ ଅପରିହାର୍ଯ୍ୟ ଦଳ ବ୍ୟବସ୍ଥା ଉପରେ ତୀବ୍ର କଟାକ୍ଷ ଆଣିଛନ୍ତି।
ଭାରତୀୟ ପରିପ୍ରେକ୍ଷୀରେ ଗଣତନ୍ତ୍ରର ଯେତେ ଜିନ୍ଦାବାଦ କରାଯାଉଥିଲେ ହେଁ ଏଠାରେ ଗଣତନ୍ତ୍ରର ଶରୀରଟି ଅଛି ସିନା ହେଲେ ଏହାର ଆମତ୍ା ଖୁବ୍ ଅବମାନିତ, ଅପମାନିତ ଓ ଅବହେଳିତ ହୋଇଛି। ତେଣୁ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ଦିଆନିଆ ହୋଇ, ଲୋକପ୍ରତିନିଧି ନିର୍ବାଚିତ ହୋଇ ଓ ସରକାର ଗଠନ କରାଯାଇ ଲୋକଙ୍କ ମତରେ ଶାସନ ଚାଲିଛି ବୋଲି ଉପରେ ଯେତେ କୁହାଯାଉଥିଲେ ହେଁ ଏହାର ଭିତର ସତ୍ୟଟି ଏତେ କଦାକାର ଓ କୁତ୍ସିତ ଯେ ତାହା ବର୍ଣ୍ଣନା କରିବାକୁ ଭାଷାନାହିଁ। ଗଣତନ୍ତ୍ରକୁ ଯଦି ଏକ ସୁନ୍ଦରୀ, ସାଧ୍ୱୀ ସୀମନ୍ତିନୀ ରୂପେ କଳ୍ପନା କରାଯାଏ, ତାହାହେଲେ ଅନୁକ୍ଷଣ ତା’ର ସାଧୁତାର ସୌନ୍ଦର୍ଯ୍ୟ ହରଣ କରାଯାଇ ତାକୁ ହତଭାଗିନୀ ଦାମିନୀଟିଏ କରିଦିଆଯାଉଛି। ତା’ର ଅନ୍ତରର ଶୁଭବାସନା, ଶୁଭ ସଂକଳ୍ପ, ଶୁଭ ଅଭ୍ୟୁଦୟ ଓ ଶୁଭ ସଂକ୍ରାନ୍ତିକୁ ବାଟହୁଡ଼ା ବୀଟମାନେ ବାରମ୍ବାର ବଳାତ୍କାର କରି ଚାଲିଛନ୍ତି। ତେଣୁ ଗଣତନ୍ତ୍ରର ସ୍ବଭାବ ଓ ସ୍ବଧର୍ମ ଅବଶ୍ୟ ଅପ୍ରତିପାଦିତ ହୋଇ ରହିଯାଉଛି। ଫଳରେ ଉତ୍କର୍ଷ ଓ ଉତ୍କ୍ରାନ୍ତିର ଏଇ ସାଧୁ ଓ ସମର୍ଥଶକ୍ତି ଆପଣାର କୌଣସି ଦୋଷ ନ ଥାଇ ମଧ୍ୟ ସମାଲୋଚିତ ହେଉଛି ଯେ ଏହା ଏକ ଭ୍ରମାମତ୍କ ଶାସନପଦ୍ଧତି, ଯାହା ଲୋକମାନଙ୍କୁ କିଣେ, ଲୋକମାନଙ୍କଠାରୁ ଦୂରେଇ ଯାଏ (ଆବ୍ରାହମ ଲିଙ୍କନଙ୍କ ‘ଗଣତନ୍ତ୍ର’ ସଂଜ୍ଞାର ଏକ ଲାଳିକା)। ଏହାର ଏପରି ଦୁର୍ଦ୍ଦଶା ପାଇଁ ଯେଉଁ ମାୟାମୃଗରୂପୀ ମାରୀଚମାନେ ଦାୟୀ ସେମାନେ ଯଦି ଜୀବନକୁ (ତେଣୁ ନିଜକୁ) ସତରେ ବୁଝିବାକୁ ମନେକରନ୍ତେ, ତାହାହେଲେ ଭାଗବତର ସେଇ ‘ବିଷଣ୍ଣ ଗାଭୀ’ ତା’ର ଅପହୃତ ସୌନ୍ଦର୍ଯ୍ୟ ଏବଂ ଶକ୍ତି ଫେରି ପାଇବା ପରି ଗଣତନ୍ତ୍ର ପେଙ୍ଗା ଓ ପଣ୍ୟ ନ ହୋଇ ପୁଣ୍ୟର ଅଧିଷ୍ଠାନ ହୋଇପାରନ୍ତା।
ଏହା ଏକ ରୂପାନ୍ତର କ୍ରିୟାଯୋଗ ଉପରେ ନିର୍ଭର କରେ ଯେପରି ଦସ୍ୟୁ ହୃଦୟରେ ଦେବତାର ଅଭ୍ୟୁଥାନ ଘଟିଥିଲା। ଯେଉଁ କପଟୀ କୁହୁଡ଼ିମାନେ ଏଇ କାମନା କର୍ଦମରେ ଘାଣ୍ଟି ହେଉଛନ୍ତି ସେଇମାନଙ୍କଠାରେ ‘କଣ’ ପ୍ରୟୋଗ କଲେ ସେମାନେ ଅବଶ୍ୟ ବାଟକୁ ଆସନ୍ତେ? ସେଇ ବିମୂଢ଼, ବିଯୁକ୍ତ, ବିକଳାଙ୍ଗମାନେ ‘ଗଣ’ମାନଙ୍କ ସହ ବିଜ୍ଞ ଭାବରେ ସଂଯୁକ୍ତ ହୋଇ ତନ୍ତ୍ର (ଗଣତନ୍ତ୍ର) ଯେ ଏକ ପାଶ ନୁହେଁ, ଏହା ଯେ ଏକ ‘ପ୍ୟାର’ ତାହା ପ୍ରମାଣ କରିଦିଅନ୍ତେ? ଯେଉଁମାନେ ଦୁର୍ଜନ, ସେମାନେ ଅଜ୍ଞାନ ଯୋଗୁ ସେପରି ହୋଇଛନ୍ତି ବୋଲି ବହୁବର୍ଷ ତଳେ ମହାମନା ଓ ମହାମାନ୍ୟ ସକ୍ରେଟିସ ଦୃଢ଼ ଭାବରେ କହି ଯାଇଛନ୍ତି। ସେମାନଙ୍କୁ ସେମାନଙ୍କ ଅଜ୍ଞତାଠାରୁ ମୁକ୍ତ କରାଯାଇପାରିଲେ ସେମାନେ ମଧ୍ୟ ସମଗ୍ରର, ସମୂହର ‘ବିଷବଳୟ’ ନ ହୋଇ ବ୍ରହ୍ମବଳୟ ହୋଇପାରିବେ। ସକ୍ରେଟିସ୍ଙ୍କ ଏ ଉପପାଦ୍ୟ ଆଦୌ କପୋଳକଳ୍ପିତ କି ଅସମ୍ଭବ ନୁହେଁ। ଏହା କରାଯାଇ ପାରିବ। ଅର୍ଥ ଅର୍ଜନ, ଆହରଣ ଏବଂ ଆମତ୍ସାତ କରିବାର ଦୁର୍ବାର ବାସନା ଯେ ‘କୁତ୍ସିତ’, ତାହା ଏଇ ଅବୋଧମାନଙ୍କୁ ବାରମ୍ବାର ଶୁଣାଯାଆନ୍ତା। ସେମାନଙ୍କୁ ଏହା ବଦଳରେ ସୌନ୍ଦର୍ଯ୍ୟ ସମ୍ପର୍କରେ ଚେତନାଗତ ଆଘାତ ଦିଆଯାଆନ୍ତା। ସେମାନଙ୍କ ବିଭିନ୍ନ ଅଧିବେଶନରେ ‘ସୌନ୍ଦର୍ଯ୍ୟ’ ତତ୍ତ୍ୱ ବୁଝାଇ ଦିଆଯାଇ ତା’ର ବାସ୍ତବ ପ୍ରୟୋଗ କରାଯାନ୍ତା। ସେମାନେ ପ୍ରତ୍ୟକ୍ଷ ଅନୁଭବ କରନ୍ତେ ‘କଦର୍ଯ୍ୟ’ ନୁହଁ, ‘ସୌନ୍ଦର୍ଯ୍ୟ’ ହିଁ ଜୀବନରେ ମଧୁରତା ଆଣେ, ଜୀବନକୁ ପରିପୂର୍ଣ୍ଣ କରେ। ଫୁଲ ଛିଣ୍ଡାଇ ଉପଭୋଗ କରିବା ଅପେକ୍ଷା ତାକୁ ଅନ୍ତର ଭରି ଦେଖିବାରେ ଓ ଅଶ୍ରୁଳ ହୋଇ ସ୍ପର୍ଶ କରିବାରେ ମରମୀ ଦ୍ରଷ୍ଟାର ଅନ୍ତର ବିକଶିତ ହୁଏ। ପୁଣି ଅନ୍ତରର ବିକାଶ ହିଁ ଗଣତନ୍ତ୍ରରେ ନାଭିକେନ୍ଦ୍ର, ଯାହାକୁ ଆମେ ଆଧ୍ୟାମତ୍ିକତା ବୋଲି କହିପାରିବା। ଫୁଲକୁ ଉପଭୋଗ କଲେ ତାହା କିଛି ସମୟ ପାଇଁ ଖୁସି ଆଣିପାରେ, କିନ୍ତୁ ଫୁଲକୁ ଚାହିଁ ତା’ର ଅପୂର୍ବ ବର୍ଣ୍ଣାଳୀ ଓ ବିଭୂତି କଥା ଚିନ୍ତନ କଲେ ତାହା ଦ୍ରଷ୍ଟାକୁ ସଂସ୍କୃତ କରାଏ। ପ୍ରଥମଟି ବହିର୍ବାଣିଜ୍ୟ ଯେତେବେଳେ ଦ୍ୱିତୀୟଟି ଅନ୍ତଃ ତପସ୍ୟା ବା ଭିତରଯୋଗ। ସୌନ୍ଦର୍ଯ୍ୟବୋଧ ଜାଗ୍ରତ କରାଇବା ପାଇଁ ଏହିପରି ସକ୍ରିୟ ଉଦ୍ୟମ କରାଯାଇପାରେ। ସୌନ୍ଦର୍ଯ୍ୟ, ସ୍ବକୀୟ ସ୍ବାଭାବିକତାରେ କ’ଣ ଏଇ ପ୍ରଡିଗାଲ ସନ୍ମାନଙ୍କୁ ପ୍ରଭାବିତ କରିପାରିବ ନାହିଁ? ବିଶ୍ୱାସ ରଖିବା, ଏହାର ସଂକ୍ରାମକ ଓ ଶିଷ୍ଟ ସାନ୍ନିଧ୍ୟର ନିଶ୍ଚିତ ପ୍ରଭାବ ଉପରେ। ଯେଉଁମାନେ ଭ୍ରମରେ ଅର୍ଥ ଓ ସ୍ବାର୍ଥର କ୍ରୀତଦାସ ହୋଇ ଭ୍ରମୁଛନ୍ତି ସେଇମାନଙ୍କୁ ଦେଖେଇ ଦିଆଯିବ ‘ଅର୍ଥହୀନତା’ ଏବଂ ‘ପରାର୍ଥ’ର ପ୍ରବଳ ‘ଆଧ୍ୟାମତ୍ିକ ପରାକ୍ରମ’ ଯାହାର ବଳ ଦୁର୍ବଳକୁ ଉଠିବାକୁ ଆଶ୍ୱାସନା ଦିଏ, ଦୁର୍ବଳର ଭରସା ପାଲଟି ଯାଏ ଏବଂ ଯାହା ହୋଇଯାଏ ସର୍ବୋତ୍ତମ ଅଭୀପ୍ସା ପାଇଁ ସର୍ବୋତ୍ତମ ସମର୍ପଣ।
ସଂସାରରେ କିଏ ଭଲ ନ ଚାହେଁ ? ଏପରି କି ଖୁବ୍ ଖରାପ ବ୍ୟକ୍ତି ତ ଆପଣାର ସନ୍ତାନକୁ ଗେଲ କରେ। ତା’ ଗାଲରେ ଚୁମ୍ବନଟିଏ ଆଙ୍କିଦିଏ। ତା’ର ପିଲା ଭଲ ହେଉ ବୋଲି ଚାହେଁ (ହୁଏତ ଏଥିପାଇଁ ଭଗବାନଙ୍କୁ ବି ପ୍ରାର୍ଥନା କରୁଥାଇପାରେ)। ଏ ସବୁ ଶୁଭ ବାସନା ସୌନ୍ଦର୍ଯ୍ୟର ଭିନ୍ନ ଭିନ୍ନ ପ୍ରସ୍ତ। ସୌନ୍ଦର୍ଯ୍ୟ ଯେପରି ସୁନ୍ଦର ବସ୍ତୁ ଦର୍ଶନ, ସ୍ପର୍ଶନରେ ଥାଏ ସେହିପରି ମଧ୍ୟ ଥାଏ ସୁନ୍ଦର ଭାବପ୍ରକାଶରେ, ସୁନ୍ଦର ଭଙ୍ଗୀ ଅବଲମ୍ବନରେ, ସୁନ୍ଦର ଭାଷା ପ୍ରୟୋଗରେ। ଗଣତନ୍ତ୍ର ସହ ସମ୍ପୃକ୍ତଥିବା ଆମର ଆପଣାର ‘ଏଇ ଅନ୍ୟମନସ୍କ ଅବାଟୋଇମାନେ’ ବି ବେଳେବେଳେ ଠିକ୍ ମନସ୍କଥାନ୍ତି। ସେମାନଙ୍କ ଅନ୍ୟମନସ୍କତା ରୂପକ ‘କଦର୍ଯ୍ୟ’କୁ ତୀବ୍ର ଆକ୍ଷେପ ନ କରି ସେମାନଙ୍କ ସାମୟିକ ଠିକ୍ମନସ୍କତାରୂପକ ଭାବ-ସୌନ୍ଦର୍ଯ୍ୟକୁ ବାରବାର ପ୍ରଶଂସା କରାଯାଇପାରେ। ସେମାନେ ଯେ ସମ୍ପୂର୍ଣ୍ଣ ଅ-ଭାବୀ ନୁହନ୍ତି ତାହା ମଧ୍ୟ ଶ୍ରଦ୍ଧାସହ ସେମାନଙ୍କୁ ପରିବେଷଣ କରାଯାଇପାରେ। ଚିକିତ୍ସକ ରୋଗୀକୁ ରୋଗୀ ବୋଲି କହି ଆଡ଼େଇ ଦିଏ ନାହିଁ। ତା’ ପରିବର୍ତ୍ତେ ସେ ଯେଡ଼େ ବଡ଼ ରୋଗରେ ପ୍ରପୀଡ଼ିତ ହୋଇଥିଲେ ବି ତା’ର ସୁଚିକିତ୍ସା କରେ, ଗଭୀର ନିଷ୍ଠା ଆଶା ଓ ବିଶ୍ୱାସରେ ଚିକିସତ୍କର ଏହି ଭାବସୌନ୍ଦର୍ଯ୍ୟ ରୋଗୀଠାରେ ମଧ୍ୟ ପ୍ରତିଫଳିତ ହୁଏ। ତେଣୁ ସେ ଆରୋଗ୍ୟ ଲାଭ କଲା ପରେ ଚିକିତ୍ସକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରେ ଯାହା ତା’ର ଭାବସୌନ୍ଦର୍ଯ୍ୟ। ଅନୁରୂପ ଭାବରେ ଗଣତନ୍ତ୍ରରେ ଆମେ କଦର୍ଯ୍ୟ-ଭୋଗୀ। ତେଣୁ ରୋଗୀ ‘ଆପଣାରମାନ’ଙ୍କ ସୌନ୍ଦର୍ଯ୍ୟକରଣ ପାଇଁ ଭିନ୍ନ ଏକ ପୂର୍ଣ୍ଣଯୋଗ ଅବଲମ୍ବନ କରିବା ଫଳରେ ଗଣତନ୍ତ୍ର-ଗାଭୀ ତା’ର ଅସଲ ସ୍ବାସ୍ଥ୍ୟ ଫେରିପାଇ ଯଥାର୍ଥ ଦୁଗ୍ଧବତୀ ହେବ।
ଭଦ୍ରକ, ମୋ:୮୦୧୮୦୮୭୮୩୧


