କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍ ଆପ୍ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଝାଡ଼ଖଣ୍ଡରୁ ସୋମବାର ଗିରଫ କରିବା ସହ ତାଙ୍କଠାରୁ ୧୦ ଚେକ୍ ବୁକ୍, ନଗଦ ୨ ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଥିବା ସ୍ଥାନୀୟ ଅତିରିକ୍ତ ଏସ୍ପି ମନୋବ୍ରତା ଶତପଥୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଅବତାବ ଅଲ୍ଲୀ(୨୨)।
ସୂଚନାଯୋଗ୍ୟ, କୋରାପୁଟ ରେଲଓ୍ବେରେ କାର୍ଯ୍ୟରତ ଭାରତ ଭୂଷଣ ବର୍ଗେ(୩୧)ଙ୍କୁ ହ୍ବାଟ୍ସଆପରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍ କଲେ ଅଧିକ କମିଶନି ମିଳିବ ଓ ଏଥିପାଇଁ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ମେସେଜ୍ ଆସିଥିଲା। ଥରେ ଦୁଇଥର ଭାରତଙ୍କୁ ଅଧିକ ଟଙ୍କାର କମିଶନି ପ୍ରଦାନ କରାଯାଇଥିଲା। ଏଭଳି ଅଧିକା ଟଙ୍କା ଲଗାଇଲେ ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ କମ୍ପାନୀ ଲୋଭ ଦେଖାଇଥିଲା।
ଏହି ସମୟ ମଧ୍ୟରେ ଭାରତ ପର୍ଯ୍ୟାୟକ୍ରମେ ମୋଟ ୬ ଲକ୍ଷ ୯୦ ହଜାର ଟଙ୍କା ଲଗାଇଥିବା ବେଳେ ଆଉ କମିଶନି ଟଙ୍କା ଆସି ନ ଥିଲା। ଏଥିରେ ସନ୍ଦେହ କରି ୨୦୨୪ ନଭେମ୍ବର ୮ରେ ଭାରତ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୧୩/୨୪ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
କୋରାପୁଟ ଏସ୍ପି ରୋହିତ ବର୍ମା ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ କମ୍ପାନୀ ଓ ମୁଖ୍ୟ ଅଭିଯୁକ୍ତଙ୍କ ଫୋନ୍କୁ ଟ୍ରାପ କରି ପ୍ରଥମେ ଅବତାବଙ୍କ ଘରକୁ ଯାଇଥିବା ବେଳେ ସେ ସେଠାରେ ନ ଥିଲେ। ଝାଡ଼ଖଣ୍ଡର ରାଧାନଗର ପୋଲିସ ଷ୍ଟେଶନ ନିକଟ ସେକ ଫୋରିଦାତଳା ଗ୍ରାମକୁ ଯାଇ ଅବତାବଙ୍କୁ ଗିରଫ କରିଥିଲା। ଜେରା ପରେ ତାଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା,୧୦ ଚେକ୍ ବୁକ୍ ଓ ଗୋଟିଏ ମୋବାଇଲକୁ ଜବତ କରାଯାଇଥିଲା।
ବନ୍ଧନ ବ୍ୟାଙ୍କରେ ଅବତାବ ରଖିଥିବା ୨ ଲକ୍ଷ ଓ ଅନ୍ୟ ଏକ ବ୍ୟାଙ୍କରେ ଥିବା ୮୦ ହଜାର ଟଙ୍କା ଫ୍ରିଜ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସ୍ପି ଶତପଥୀ କହିଛନ୍ତି। ଅବତାବଙ୍କୁ ଅଧିକ ଜେରା କରାଯାଉଛି। ଖବରଦାତା ସମ୍ମିଳନୀରେ କୋରାପୁଟ ସାଇବର ଥାନା ଅଧିକାରୀ ପ୍ରଧାନ ଓ ବିଭାଗୀୟ ଅଧିକାରୀ କେ. କେ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


