ତୈଳ ନୀତିକୁ ସରକାରଙ୍କ ନାତ

ତତ୍ତ୍ୱ ଓ ତର୍କ

ବିମଳ ପାଣ୍ଡିଆ

 

ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୁଣିଥରେ ଆଶଙ୍କା କରାଯାଉଥିବା କୋଭିଡ୍‌ ଲହର ଉପରେ ହେବାର ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ସେହି ବୈଠକକୁ ମହଙ୍ଗାକୁ ନେଇ ତାଙ୍କର ଚିନ୍ତା ଜାହିର କରିବାର ମାଧ୍ୟମ ବୋଲି ବିଚାରିଲେ । ବିଦ୍ରୂପ କଲା ଭଳି ଢଙ୍ଗରେ କହିଲେ ଯେ, କିଛି ରାଜ୍ୟ ପେଟ୍ରୋଲ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ ବା ଭାଟ୍‌ ଦର ନ ଖସାଇ ସେହି ରାଜ୍ୟର ଲୋକଙ୍କ ସହ ପଡ଼ୋଶୀ ରାଜ୍ୟ ଉପରେ ଅନ୍ୟାୟ କରୁଛନ୍ତି । ସେ କହିଲେ ଯେ, ଭାଟ୍‌ ନ କମାଇ କିଛି ରାଜ୍ୟ ହଜାର ହଜାର କୋଟି ଟଙ୍କାର ଅତିରିକ୍ତ କର ଆଦାୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଅନ୍ୟମାନଙ୍କୁ ଉପଦେଶ ଦେଲାବେଳେ ତାଙ୍କ ସରକାର କ’ଣ କରୁଛି ତାହା ମଧ୍ୟ ଜଣାଇବାର ଉତ୍ତରଦାୟିତ୍ୱ ତାଙ୍କର ରହିଛି। କୋଭିଡ୍‌କୁ ନେଇ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଣ-ଭାଜପା ଶାସିତ ରାଜ୍ୟ ଗୁଡ଼ିକରେ ଭାଟ୍‌ ଦରକୁ ନେଇ ଦେଖାଇଥିବା ଚିନ୍ତା କିନ୍ତୁ ଉତ୍ତରଦାୟିତ୍ୱର ସେହି ମାପଦଣ୍ଡରେ ଆଦୌ ଉତୁରୁ ନାହିଁ। ଏହି ଆଲେଖ୍ୟରେ ଆମେ ରାଜ୍ୟଗୁଡ଼ିକର ଭାଟ୍‌ ଦର ବିଷୟରେ ଆଲୋଚନା କରିବା ନାହିଁ। କେବଳ କେନ୍ଦ୍ର ସରକାର କେମିତି ପେଟ୍ରୋଲ ଡିଜେଲ ଦରକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ଓ ଠକୁଛନ୍ତି ତାହାର କିଛି ସଦ୍ୟ ଉଦାହରଣ ହିଁ ରଖିବା।
କେନ୍ଦ୍ର ସରକାର ବାରମ୍ବାର କହିଆସୁଛନ୍ତି ଯେ, ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ‘ପେଟ୍ରୋଲ ଡିଜେଲର ଦରରେ ସରକାରଙ୍କ ନିୟନ୍ତ୍ରଣ ନ ଥିବା ନୀତି ଏବେ ବି ପ୍ରଚଳିତ ଅଛି କି’ ବୋଲି ୧୪ା୦୩ା୨୦୨୨ରେ ରାଜ୍ୟ ସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସେହି ଆଳାପକୁ ଦୋହରାଇ କହିଲେ ଯେ, ୨୬ା୧୦ା୨୦୧୦ରୁ ପେଟ୍ରୋଲ ଓ ୧୯ା୧୦ା୨୦୧୪ରୁ ଡିଜେଲ ଦର ବଜାରରେ ତୈଳ ଦର ଅନୁସାରେ ନିର୍ଦ୍ଧାରଣ ହେଉଛି। ସେବେଠାରୁ ସରକାର ଦରକୁ ନିୟନ୍ତ୍ରଣ କରୁ ନାହାନ୍ତି, ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି। ମଜାର କଥା ଯେ ସେହି ସମାନ ପ୍ରଶ୍ନରେ ପଚରାଯାଇଥିବା ଆଉ ଏକ ପ୍ରଶ୍ନ ‘ଏଇ ନିକଟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବହୁତ ବଢ଼ିଥିଲେ ବି ଦେଶରେ କାହିଁକି ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରହିଛି’ର କିଛି ଉତ୍ତର ମନ୍ତ୍ରୀ ରଖି ନ ଥିଲେ। ଶାସକ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମନ୍ୟମ ସ୍ବାମୀ ମଧ୍ୟ ୦୪ା୦୪ା୨୦୨୨ରେ ସେହିଭଳି ଏକ ପ୍ରଶ୍ନ ରାଜ୍ୟ ସଭାରେ ପଚାରି ଥିଲେ। ସରକାର ସେହି ସମାନ ଉତ୍ତର ରଖିଥିଲେ ଯେ ପେଟ୍ରୋଲ ଡିଜେଲ ଦର କମ୍ପାନୀଗୁଡ଼ିକ ହିଁ ସ୍ଥିର କରୁଛନ୍ତି, ସେଥିରେ ସରକାରଙ୍କ କିଛି କରିବାର ନାହିଁ। ଏହା ଡାହା ମିଛ ।
କ୍ରମାଗତ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣରେ ଆକ୍ରୋଶ ବଢ଼ିବାରୁ କେନ୍ଦ୍ର ସରକାର ୦୪ା୧୧ା୨୦୨୧ରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କକୁ ହ୍ରାସ କରିଥିଲେ। ତାହା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଦିନ ପେଟ୍ରୋଲ ଡିଜେଲ ଦରରେ କିଛିକିଛି ପରିବର୍ତ୍ତନ ହେଉଥିଲା। ମଜାର କଥା ଯେ ସେହି ଦିନଠାରୁ ୧୯ା୦୩ା୨୦୨୨ ଯାଏ, ୧୩୫ ଦିନ ଧରି ଦେଶରେ ପେଟ୍ରୋଲ ଡିଜେଲ ଦରରେ କିଛି ପରିବର୍ତ୍ତନ ହେଲା ନାହିଁ। ସରକାର ରାଜ୍ୟ ସଭାରେ ଦେଇଥିବା ଉତ୍ତର ଯଦି ଠିକ ଥିଲା ତା’ହେଲେ ଧରି ନେବା ଯେ ଅନ୍ତର୍ଜାତୀୟ ବଜାରରେ ସେହି ସାଢ଼େ ଚାରି ମାସ ପ୍ରାକୃତିକ ତୈଳର ଦର ସ୍ଥିର ହିଁ ଥିଲା। ତେଣୁ ଇଣ୍ଡିଆନ ଅଏଲ କର୍ପୋରେଶନ ଭଳି କମ୍ପାନୀ ଦେଶରେ ଦର ଏପାଖସେପାଖ କରି ନ ଥିଲେ। କିନ୍ତୁ ସ୍ଥିତି କ’ଣ ସେୟା ଥିଲା? ଯେଉଁ ଦିନ ଭାରତ ସରକାର ଉତ୍ପାଦ ଶୁଳ୍କ କମାଇଲେ, ସେହିଦିନ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ବା ଅଶୋଧିତ ପ୍ରାକୃତିକ ତୈଳର ଦର ବ୍ୟାରେଲ ପ୍ରତି ୮୨.୪୩ ଡଲାର ଥିଲା।
ସେହି ଦିନଠାରୁ ପରବର୍ତ୍ତୀ ପରିବର୍ତ୍ତନ ହେବା ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୬୯ ଡଲାରରେ ବି ପହଞ୍ଚିଥିଲା ଆଉ ୧୩୪ ଡଲାରର ଶିଖରକୁ ବି ଛୁଇଁଥିଲା କିନ୍ତୁ ଭାରତରେ ଦର ଏପଟସେପଟ ହୋଇ ନ ଥିଲା। ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରବଞ୍ଚନାର ଅନ୍ତତଃ ଦୁଇଟି ସ୍ପଷ୍ଟ ଉଦାହରଣ ମିଳୁଛି। ଏହି ୧୩୫ ଦିନର ଶେଷ ଅଳ୍ପ କିଛି ସପ୍ତାହରେ ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ତୈଳ ଦର ଅନେକ ବଢ଼ିଲା କିନ୍ତୁ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ଭୋଟ ଜିତିବା ପାଇଁ ନୀତିକୁ ଜଳାଞ୍ଜଳି ଦେଇ ତୈଳ କମ୍ପାନଗୁଡ଼ିକର ଅନେକ କ୍ଷତି କରାଇଲେ। କିନ୍ତୁ ଏହି ୧୩୫ ଦିନର ବାକି ସମସ୍ତ ଦିନଗୁଡ଼ିକରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ ଥିଲେ ମଧ୍ୟ ଦେଶରେ ତୈଳ ଦର ଖସୁ ନ ଥିଲା। ସରକାର ଓ ତୈଳ କମ୍ପାନୀଗୁଡ଼ିକ ଲୋକଙ୍କୁ ଭକୁଆ ବନାଇ ଲାଭ ସାଉଁଟି ଚାଲିଥିଲେ।
ନଭେମ୍ବର ୪ରେ ଉତ୍ପାଦ ଶୁଳ୍କ କମାଇବା ଦିନଠାରୁ ଅନ୍ତତଃ ତିନି ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦର ୮୨.୪୩ ଡଲାରରୁ ଖସି ୦୧ା୧୨ା୨୦୨୧ରେ ୬୯ ଡଲାରରେ ପହଞ୍ଚିଥିଲା। ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ଦିନ ଅନ୍ତର୍ଜାତୀୟ ଦର ଯାହାଥିଲା, ଡିସେମ୍ବର ୧ ତାରିଖ ବେଳକୁ ତାହା ୧୫.୬% କମ ଥିଲା। ଉତ୍ପାଦ ଶୁଳ୍କ ଛାଡ଼ କରାଯିବା ଦିନଠାରୁ ପରବର୍ତ୍ତୀ ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ହାରାହାରି ତୈଳ ଦର ୮୦ ଡଲାର ହିଁ ଥିଲା; ଯାହା ଉତ୍ପାଦ ଶୁଳ୍କ ହ୍ରାସ କରାହେବା ଦିନର ଦରଠାରୁ ଅନ୍ତତଃ ୨.୪ ଡଲାର ବା ପ୍ରାୟ ୩% କମ୍‌ ଥିଲା। ତୈଳ ଦର ନିୟନ୍ତ୍ରଣମୁକ୍ତ ଥାଇ ଅନ୍ତର୍ଜାତୀୟ ଦର ଅନୁସାରେ କମ୍ପାନୀମାନେ ପ୍ରତିଦିନ ତୈଳ ଦର ସ୍ଥିର କରିବାର ନୀତି ରହିଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଦର କମୁଥିବା ବେଳେ ମଧ୍ୟ କମ୍ପାନୀଗୁଡ଼ିକ କାହିଁକି ଦର ଖସାଉ ନ ଥିଲେ? ଏବେ ଆସିବା ସେହି ମାୟାପୂର୍ଣ୍ଣ ୧୩୫ ଦିନର ଶେଷ କିଛି ଦିନକୁ। ରୁଷର ମତି ଦେଖି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଫେବୃୟାରୀ ୧୨ରେ ୧୦୦ ଡଲାର ଡେଇଁଲା। ମାର୍ଚ୍ଚ ୬ରେ ୧୩୪ ଡଲାରରେ ବି ପହଞ୍ଚିଗଲା। କିନ୍ତୁ ଭାରତରେ ପେଟ୍ରୋଲ ଡିଜେଲ ଦର ସେହି ସମୟରେ ବଢ଼ୁ ନ ଥିଲା।
ବଦଳିଲା ୨୦ ମାର୍ଚ୍ଚରେ, ଉତ୍ତରପ୍ରଦେଶ ପଞ୍ଜାବ ଆଦି ରାଜ୍ୟର ନିର୍ବାଚନ ଫଳ ଘୋଷଣା ହେବାର କିଛି ଦିନ ପରେ। ସେତେବେଳକୁ ଅନ୍ତର୍ଜାତୀୟ ବଜାରରେ ଦର ଶୀର୍ଷରୁ ଅନେକ ଖସି ସାରିଥିଲା।
ଯଦି ଅନ୍ତର୍ଜାତୀୟ ଦରକୁ ଦେଖି ପ୍ରତିଦିନ କମ୍ପାନୀମାନେ ପେଟ୍ରୋଲ ଡିଜେଲ ଦର ସ୍ଥିର କରିବାର ନୀତି ଅଛି, ତେବେ ଏହି ସମୟ ମଧ୍ୟରେ ତାହା ଲାଗୁ ନ ହେବା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଏହା କହିବା ଅବଶ୍ୟ ଉପଯୋଗୀ ହେବ ଯେ ଯଦି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମେଇବେ, ରାଜ୍ୟଗୁଡ଼ିକର ଭାଟ୍‌ ଟିକସ ମଧ୍ୟ ଆପେ ଆପେ କମିଯିବ କାରଣ ରାଜ୍ୟ ସରକାରଗୁଡ଼ିକ ଉତ୍ପାଦ ଶୁଳ୍କ ମିଶ୍ରିତ ଦର ଉପରେ ହିଁ ଭାଟ୍‌ ଲଗାଇଥାନ୍ତି। ରାଜ୍ୟଗୁଡ଼ିକୁ ଟ୍ୟାକ୍ସ କମାଇବା ପାଇଁ ଉପଦେଶ ଦେବା ସ୍ବାଗତଯୋଗ୍ୟ, କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ ନିଜ ଚାଦରରେ ଲାଗିଥିବା ଗାଢ଼ ମଇଳାକୁ ଆଗ ସଫା କରିଥିଲେ ଠିକ୍‌ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri